କ୍ଷୁଦ୍ରଗଳ୍ପ – ତଳ ପାହାଚ – ଗଗନ ବିହାରୀ ନାୟକ

ଲେଖକ ପରିଚୟ

ଗଗନ ବିହାରୀ ନାୟକ
୫୪୧, ମଞ୍ଚେଶ୍ଵର, ଗାଡକଣ, ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସେ ଦିନ ଛବିଶ ଜାନୁୟାରୀ ର ପ୍ରସ୍ତୁତି ଚାଲିଥିଲା…

ସମସ୍ତେ ଚଳ ଚଞ୍ଚଳ । ଆଜି ଭାରତ ଭଳି ଗଣରାଜ୍ଯ ରେ ସଂବିଧାନ ଲାଗୁ ହେଇଥିଲା । ସାଂବିଧାନିକ ଅଧିକାର ଓ ଲୋକଙ୍କ ସୁରକ୍ଷାର ମହାମନ୍ତ୍ର ସମ୍ବିଧାନରେ ଲେଖା ଯାଇଛି । ପ୍ରଦତ୍ତ ନିୟମ କାର୍ଯ୍ଯକାରି ହେଇଥିଲା ଆଜିର ପବିତ୍ର ଦିବସରେ । ଏଣୁ ଗାଁ ଠାରୁ ସହର ସଭିଏଁ କର୍ମ ତତ୍ପର । ସାଧାରଣ ଲୋକଟି ସାଧାରଣତନ୍ତ୍ର ବିଷୟରେ ଜାଣି ନପାରିଲେ ବି ସେ ଏତିକି ବୁଝି ପାରୁଥିଲା । ଏଇ ଦିନ ଆମେ ବିଦେଶୀ ଗଲା ପରେ ଆମଦେଶର ଶାସନ ନିଜ ହାତକୁ ନେଲୁ ।ଏକଥାଟି ଭୀମାକୁ କେମିତି କେମିତି ଲାଗୁଥିଲା । ଆମ ଦେଶ କଣ ଦି’ ଥର ସ୍ବାଧିନ ପାଇଥିଲାଯେ, ଆମ ପଂଚାୟତ ରେ ଦି’ ଥର ପତାକା ଉଡୁଛି । ସରପଂଚ ତାଙ୍କ ପଂଚାୟତ ଲୋକମାନଙ୍କ ସହିତ କିଛି ଭାଷଣରେ ଲୋକହିତକର କଥା କହି ପତାକାଟି ଉଡେଇ ମିଠା ନେଇ ଘରକୁ ଯାଉଛନ୍ତି । କାଇଁ ଆମ କଥା ଭାବୁ ନାହାନ୍ତି । ଚାରି ଦିନ ହେବ ଶୀତ କାକରରେ ପଡି ଉଠି ସଫାସୁତୁରା କରି ରଙ୍ଗବୋଳି ତୋରଣ କରି ପତକା ସଜେଇବାରୁ ଆଜି ଜାତୀୟ ପତାକା ଫର ଫର ହେଇ ଉଡୁଛି। କାଇଁ, ମିଠା ପକେଟ ଟିଏ ବି ଦେଲେନି । ଦେଶଟି ତେବେ ଏଇମାନଙ୍କ ପାଇଁ, ଏଇମାନଙ୍କ ଦ୍ବାରା ଆଉ ଏଇମାନଙ୍କ ର ବୋଧେ । ହେଇଥାଉ କିଏ ଏଇ ମିଠା ଟିକେ ଖାଇବା କଥା କହିବ । କହିଲେ ଖାଇବା ଚାଉଳ ବନ୍ଦ କରିଦେବେ କାଳେ। ପାଚଂଖଣ୍ଡ ଗାଁ’ର ସରପଂଚ ଟି । କାନ୍ଥ ବାଡର କାନ ଅଛି । ଅନ୍ନପୂର୍ଣ୍ଣା ଚାଉଳ ଗଣ୍ଡେ ଏ କରୋନା ମହାମାରୀ ସମୟରେ ମିଳୁଛି । ପିଲା ବଞ୍ଚି ଯାଉଛନ୍ତି । ଏ କଥା ଭାବି ତୁନି ହେଇଗଲା।

ଢିପଖାଲ ଭରା ମାଳ ଭୂଇଁ ଭିତରେ ଭୀମା ର ଘର ।ଶଙ୍ଖଚିଲ ଉଡିଗଲେ ଶୁଭଙ୍କର ବୋଲି ବିଶ୍ବସ କରନ୍ତି ସେମାନେ । ନିହାତି ମଫସଲ ଗାଁ’ର ଲୋକ ଭୀମା । ଖାଦ୍ଯ ନିରାପତ୍ତା ନିୟମରେ ଖାଇବାକୁ ମିଳୁଛି ବୋଲି ସେ ନିରବ ରହି ଚଳି ଯାଉଚି । ଘରେ ତା ତିର୍ଲା ଦି’ଟା ପିଲା ଓ ସେ । ତା’ ପିଲା ସରକାରୀ ସୁବିଧା ପାଇ ସରକାରୀ ବିଦ୍ୟାଳୟରେ ପଢନ୍ତି । ସେ ଦେଖେ ଗାଁ’ ର ଶରତ ବାବୁଙ୍କ ପୁଅ ଓ ଝିଅ ଘରୋଇ ବିଦ୍ୟାଳୟରେ ପଢିବାକୁ ଟାଉନ ଆସନ୍ତି । ବେକରେ ଟାଇ,ପାଦରେ ଯୋତା ଓ ବିଦ୍ୟାଳୟର ପୋଷାକ କାନ୍ଧରେ ସୁନ୍ଦର ବ୍ଯାଗରେ ଲେଖାଯାଇଛି ସେ ସ୍କୁଲର ନାଆଁ । ପାଠ ପଢାରେ ଏମିତି ପାତର ଅନ୍ତର କାହିଁକି ? ପାଠ ପଢା ରେ ସମାନତା ନାହିଁ । ସରପଂଚେ ସମାନତା ଆମ ସଂବିଧାନ ଦେଇଥିବା କଥା କହୁଥିଲେ । ସେ ଦିନେ ଏଇ କଥା ଶରତ ବାବୁଙ୍କୁ ପଚାରି ଅପଦସ୍ତ ହେଇଥିଲା । ଶେଷରେ ଶରତ ବାବୁ କହିଲେ-ଆମ ପିଲାଙ୍କ ସାଥୀରେ ପଢେଇବାକୁ ଧନ ଅଛି ତୋ’ ପାଖରେ ମାସକୁ ପାଞ୍ଚ ହଜାର ଗଣୁଛି । ଗାଡିରେ ଯା’ଆସ ଖର୍ଚ୍ଚ ଆଉ ଟିଫିନ ଖାଇବାକୁ କ୍ୟାଣ୍ଟିନ ଖର୍ଚ୍ଚ ଅଛି । ନିଜ ଜିଭ କାମୁଡି ପକାଇଥିଲା ଭୀମା। ସେ ଭାବୁଥିଲା- ଏଇ ପାତର-ଅନ୍ତର ନୀତି କାହିଁକି ???

ମନଟା ଭାରି ଭାରି ଲାଗୁଥିଲା ବେଳେ କୁଆଡେ ଥିଲା ବଗୁଲିଆ ଚଗଲା ଆସି ପହଞ୍ଚି ଗଲା । କହିଲା-ଭୀମା ନା ! ଚାଲ କାଲିଠୁ ଧାନ କାଟିବା ଡକରା ପଡିଲାଣି ଚାଲ ପଟ୍ଟନାୟକ ବାବୁଘର ଧାନ କଟାଯିବ । ଆମେ ଠିକାନେଇ ଚନ୍ଦ୍ର ପକ୍ଷ ? ରାତିରେ କାଟି ଦେବା । ଜାଡତ କମିଛି । ବେଶି ଶୀତ ହେଲେ ନଡାଜାଳି ସେକି ହେବା ।
-କେତେ ଦେବେ ? ପଚାରିଲା ଭୀମା ।
-ଯାହା ହେଇଥିବ । ସେଇଆ ଦେବେ ।
– ହଉ କହି ନିରବ ରହିଲା ଭୀମା ।
ଭାବୁଥିଲା ତା ଗରିବୀ ପାଇଁ ଦାୟୀ କିଏ? ଆଉ ପଟ୍ଟନାୟକ ବାବୁଙ୍କ ଧନୀ ହେବା ମୂଳରେ କାରଣ କଣ ? ଆଉ ଆମ ସରପଂଚ ସେଦିନ ଭାଷଣରେ କହୁଥିବା କଥା ଜଦି ସତ ତେବେ ଏଇ ଦେଶ ସମସ୍ତଙ୍କ ପାଇଁ ସମାନ ଅଧିକାର ଓ ଆଇନ କାହିଁକି ହେଇନି ?ଜଦି ହେଇଛି ତେବେ କାର୍ଯ୍ଯକାରୀ ନ କରୁଥିବା ଏତେ ପ୍ରଶାସକଙ୍କ ଆବଶ୍ୟକତା ଦେଶ ପାଇଁ କଣ ଦରକାର ? ଆମ ଭଳି ଗରିବ ମାନଙ୍କ ସହିତ ସବୁ କ୍ଷେତ୍ରରେ ପକ୍ଷପାତିତା । ଉପରେ ଚକ୍ର କାଟି ଉଡିଯାଉଥିବା ବ୍ଯୋମଜାନ ଦେଖି ଭାବେ କେବେ ସୁଯୋଗ ମିଳନ୍ତା ନାହିଁ ଏଇ ଜାହାଜରେ ବସି ବୁଲିବାକୁ । ଏତେ ବଡ ବଡ ହୋଟେଲରେ ଯାଇ ଦେଖିବାକୁ । କେତେ କଣ ଭଲ ଭଲ ତୀର୍ଥସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ର ଅଛି ଏଇ ଦେଶରେ ଓ ରାଜ୍ଯରେ ଆମେ ଗରିବ ବୋଲି ତାହା ଦେଖିବା ସାତ ସ୍ବପ୍ନ ।

କ୍ରମଶଃ ସକାଳର ସୂର୍ଯ୍ଯ ବେଶ ଉପରକୁ ଉଠି ଗଲେଣି । ଦେଶର ସର୍ବୋଚ୍ଚ ନିଶାନ୍ ଓ ଜାତିର ଶ୍ରେଷ୍ଠ ସମ୍ମାନ ମା’ ଭାରତୀର ପଣତ ଭଳି ଉଡୁଛି ତ୍ରିରଙ୍ଗା । ଶାନ୍ତି,ମୈତ୍ରୀ ଓ ପ୍ରୀତିର ସମୀରଣ ଛୁଇଁଯାଉଛି । ବୀରତାର ନିଦର୍ଶନ ଅଶୋକ ଚକ୍ର ବେଶ ସୁଶୋଭିତ ଦେଖା ଯାଉଛି । ଆଜି ତ ସରପଂଚେ ଭାଷଣରେ କହୁଥିଲେ ଶକ୍ତି ଓ ସାହସର ପ୍ରତୀକ କମଳା ରଂଗ । ଧଳା ସତ୍ଯ ଓ ଶାନ୍ତି ତା ଭିତରେ ଥିବା ଅଶୋକଙ୍କ ଚକ୍ର ବୀରତା ପ୍ରତୀକ ଆଉ ବାକି ତଳ ସବୁଜ ରଂଗ ଆମ ଚାଷୀ ମୂଲିଆ ପାଇଁ ଦିଏ ସଂକେତ। ଆମ ଶ୍ରମରେ ଦେଶର ବୃଦ୍ଧି,ଉର୍ବର,ଏହାର ଅଖଣ୍ଡ ଭୂମିର ପବିତ୍ରତା ରକ୍ଷା କରିବା କାମ୍ଯ । ସରପଂଚ କହିଲେ ଭାରି ଭଲ ଲାଗିଲା । ଏମିତି କଥା ଶୁଣିଲେ କେତେ କଥା ବୁଝି ହୁଅନ୍ତା । ସବୁବେଳେ ପଡିଶା ଘର ଟିଭି.ରେ ଏଣୁ ତେଣୁ କଣ ସବୁ ଦେଖାଉଛି । ଏବିଷୟ କେବେ କୋଉ ଟିଭି. ଦେଖାଉ ନାହିଁ । ସେଥିରେ କଣ ପାତର ଅନ୍ତର । ଚଗଲା କେତେବେଳୁ ଚାଲି ଗଲାଣି । ମୁଣ୍ଡ ଉପରକୁ ସୁରୁଜ ଉଠିଲେଣି ।

ଧଳା ରଂଗର କାରଟିଏ ଆସି ପଞ୍ଚାୟତ ଗେଟ ପାଖରେ ଲାଗିଲା । ଗାଡିରୁ ଜଣେ ତରୁଣୀକୁ ଦେଖି ସଂଭ୍ରମେ ନମସ୍କାର କରି ଭୀମା ଦେଖିଲା ସେ ତାଙ୍କ ବଡ ଆଟାଚଟି ଉଠାଇ ପାରୁ ନାହାନ୍ତି । ଗାଡିର ପଛ ଡିକିରୁ ଦିଟା ଆଟାଚ ବାହାର କଲେ ବି ସେ ଭୀମାକୁ ସହାୟତା ପାଇଁ ଡାକୁ ନାହାନ୍ତି । ସେପଟୁ ସରପଂଚ ଝାଳ ନାଳ ହେଇ ଧାଇଁଛନ୍ତି । ଭୀମାକୁ ଇସାରା କରି ସରପଂଚ କହିଲେ, ଭୀମା ମାଡାମଙ୍କ ବ୍ଯାଗ ନେବାପାଇଁ ସାହାର୍ଯ୍ଯ କର । ବ୍ଯାଗଟି ଉଠେଇ ନେବାକୁ ବାରମ୍ବାର ଚେଷ୍ଟା କରି ବି ସେ ନେବାରେ ଅକ୍ଷମତା ଦେଖି ଭୀମା ଧାଇଁ ଯାଇ ଦୁଇଟି ବଡ ଆଟାଚ ନେଇ ପଞ୍ଚାୟତ ବାରଣ୍ଡାରେ ରଖିଦେଲା ।

ସରପଂଚ ଆସି ନମସ୍କାର ଟିଏ କରି ଠିଆ ହେଲେ । ଭୀମାକୁ ଦେଖେଇ କହିଲେ- ଏଇ ହେଉଛନ୍ତି ତମମାନଙ୍କ ଜୀବନ ଦାତା ଅନ୍ନପୂର୍ଣ୍ଣା । ଆମ ବ୍ଲକର ଉନ୍ନୟନ କମିଶନର। ଚାହିଁଛ କଣ ଯାଅ କଣ କିଛି ଫଳ, ମିଠା ଓ କଫି ନେଇ ଆସ । ସରପଞ୍ଚ ଶହେ ଟଙ୍କିଆ ନୋଟଟି ବଢେଇଦେଲେ । ମାଡାମଙ୍କ ଅନିଛା ସତ୍ତ୍ବେ ଭୀମା ଖୁସିରେ ମାଡାମଙ୍କ କଥା ନ ଶୁଣି ଚାଲିଲା ବଜାରକୁ।

ପଞ୍ଚାୟତ ଅଫିସରେ ମାଡାମ ମିଟିଂ କଲେ । ସମସ୍ତ ମେମ୍ବର ଓ ସେକ୍ରେରୀ ଉପସ୍ଥିତ ଥାନ୍ତି । ଲଗେଜ ଭରା ଗାଡିରୁ ବଡ ବଡ ବ୍ଯାଗ ଖୋଲି ଗାଁ’ ର ସମସ୍ତଙ୍କ ପାଇଁ ଆଣିଥିବା କମ୍ବଳ ବାଣ୍ଟିବାକୁ ଡେଙ୍ଗୁରା ଦିଆଗଲା । ସରପଂଚ ପଚାରିଲେ- ମାଡାମ !!ଏସବୁ ସରକାରୀ ଅନୁଦାନରେ କେବେ କିଣା ଯିବାକୁ ବ୍ଲକ ସ୍ତରୀୟ ମିଟିଂ ହେଇନି କି ଆପଣ ଆଜି ଗଣତନ୍ତ୍ର ଦିବସରେ ଆସିବାର ନୋଟିସ ହେଇନି ।

– କଥା ଛଡେଇ ନେଇ ମାଡାମ କହିଲେ-ଏ ସବୁ ମୋ ନିଜ ପଇସାରେ କିଣା ଯାଇଛି । ତା ଛଡା, ସରକାରୀ ଟଙ୍କାର ଅନିୟମିତତାର ଫଳତ ଦେଖୁଛ । ସବୁ ସରକାର କଲେ ଆମେ ଆମ ସ୍ତରରେ କଣ କରିବା ଆମର ବି କର୍ତ୍ତବ୍ଯ ଅଛି ଆମ ଲୋକମାନଙ୍କର ଯେତେ ସଂଭବ ମଙ୍ଗଳ କରିପାରିବା । କିଛି ସମାଜକୁ ଫେରେଇ ଦେଲେ ଅନ୍ତତଃ ଆମ ଦେଶର ଲୋକେ ଉପକୃତ ହେବେ । ଭୀମା ଆଡକୁ ହାତ ଦେଖେଇ କହିଲେ- ଏଇମାନଙ୍କ ପାଇଁ ଆମେ ଆଜି ସମାଜରେ ପରିଚିତ।

ଭୀମା ସବୁ ନେଇ ଆସି ଜଳଖିଆ ପ୍ରସ୍ତୁତି କରିଦେଲା । ଖାଇବା ପରେ କପ-ପ୍ଲେଟ ଉଠାଇବା ବେଳକୁ ତା ହାତ ଧରି ପକେଇ କମିଶନର ମାଡାମ କହିଲେ-ନା, ଭୀମା ବାବୁ ! ମୁଁ ଖାଇଲି ମୋ କାମ ମୁଁ କରିବି । ତୁମେ କାହିଁକି ? ସରପଂଚ କହିଲେ-ସେ କରିଦେବ ଆପଣ ଛାଡି ଦିଅନ୍ତୁ ।

-କାହିଁକି ? ସେ ଏସବୁ କରିବା ପାଇଁ କଣ ପାରିଶ୍ରମିକ ପାଉଛନ୍ତି ? ନାଇଁ-ନା !! ତେବେ ପାରିଶ୍ରମିକ ନ ଦେଇ କୋଉ ଅଧିକାରରେ ଆମ କାମ କରେଇବାରେ ଆମେ ଏଇ ଭଳି ନିରୀହ ଜନତାଙ୍କ ଉପରେ ନିଜ ଆତ୍ମ-ପ୍ରଭୁତ୍ବ ଦେଖେଇ କାମ କରେଇବା- କେଉଁ ଅଧିକାରରେ । ସେ ଆମ ପାଇଁ ଯେତେ କାମ କଲେ ସେ ସବୁର ପରିଶ୍ରମ ଦେଖିଲେ ଦିନକର ମଜୁରୀ ହେବ । ଅଥଚ ଆମେ ଦେଉଛେ କଣ ? ଏକାମ ଜଦି ଆପଣ ନିଜେ କରି ନ ପାରିବେ ଅନ୍ଯ ଉପରେ ନିର୍ଭର କରି ତା ବ୍ଯକ୍ତିଗତ ସ୍ବାଧୀନତାରେ ଆଞ୍ଚ ଆଣିବା କୋଉ ଅଧିକାରରେ । ଏସବୁ ଆମ ପୁରୁଣା ପରମ୍ପରାର ଗତ ଚାଲିଚଳନ ର ରୂଢିବାଦୀ ଓ ସାମନ୍ତବାଦୀ ପ୍ରଥାକୁ ବିଲୋପ କରିବା ଆମର ପ୍ରାଥମିକତା ହେବା ଉଚିତ । ଆମେ ସ୍ବାବଲମ୍ବନ ହେବା ଯେତିକି ଅପରିହାର୍ଯ୍ଯ, ସେତିକି ଆତ୍ମନିର୍ଭରଶୀଳ। ତେବେ ଯାଇ ଆଜି ଦିନର ମହତ୍ବକୁ ଅନୁଭବ କରିହେବ । ନଚେତ ଆମ ସଂବିଧାନର ପ୍ରଦତ୍ତ ଅଧିକାରକୁ କେମିତି ଉପଭୋଗ କରି ପାରିବ । ସଂବିଧାନ ସଂସଦ ମନ୍ଦିର ପବିତ୍ର ଗ୍ରନ୍ଥ ।ଏହାର ଲେଖକ ବିଶ୍ବର ଚର୍ଚ୍ଚିତ ଚେହେରା । ଯାହାଙ୍କୁ ବିଶ୍ବ ଜ୍ଞାନର ପ୍ରତୀକ କହନ୍ତି । ତାଙ୍କ ଦ୍ବାରା ଲିଖିତ ଶାସନର ଦସ୍ତାବିଜ ଅବିସ୍ମରଣୀୟ। ସିଏ ନାରୀକୁ ସଫଳ ପାହାଚରେ ପହଞ୍ଚାଇବାକୁ ନ ଲେଖିଥିଲେ ହୁଏତ ଆଜି ମୁଁ ଏ ସ୍ତରରେ ପହଞ୍ଚି ପାରି ନଥାନ୍ତି । ତା ପାଇଁ ଆପଣଙ୍କୁ ସରପଂଚ ପଦବୀ ମିଳିଛି । ଭୀମାକୁ କଣ ମିଳିଛି । ସେ କେବଳ ତଳ ପାହାଚରେ ଠିଆ ହେଇ ଆମ ମାନଙ୍କ ଜୟ ଜୟକାର କରୁଛି । ଆମର ସେବା, ଆମର ନାଲି ଆଖିତଳେ, ସେ ବଞ୍ଚିବାର ଆଶ୍ରୟ ନେଇଛି । ଏମାନଙ୍କ ସରଳ ପଣିଆକୁ ଠକି କେତେକ ନିଜ ସ୍ବାର୍ଥରେ ବ୍ଯବହାର କରୁଛନ୍ତି । ସେମାନଙ୍କୁ ନେଇ ହରତାଳ ରାସ୍ତା ବନ୍ଦ କରାଯାଏ । ଦିନକର ମଜୁରୀ ଯାଏ । ସେମାନଙ୍କର ଗାଡି ନ ଥାଉ ପଛେ ପେଟ୍ରୋଲ ଦାମ ବଢିବାର ପ୍ରତିବାଦ କରାଯାଏ । ଚାଷ ଜମି ନଥାଉ ପଛେ କୃଷି ଋଣ ଛାଡ ପାଇଁ ସରକାରୀ ଅଫିସ ଘେରାଉ କରାଯାଏ । ଆଉ ଏଇମାନେ ସେଇ ସରକାର ବାଛନ୍ତି ଯିଏ ତାଙ୍କୁ ଅଧିକାର ଓ ସାମାଜିକ ସମ୍ମାନ ଦିଏନା । ଏଇ ମାନଙ୍କ ଭାଗ ଜମିରୁ ଆୟକର କଟାଯାଇ ଘରୋଇ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଏ ହେଲେ ଏମାନଙ୍କର ପିଲା ସ୍କୁଲରେ କେହି ଫି-ମୂକ୍ତ ଶିକ୍ଷା ଦିଅନ୍ତି ନାହିଁ । ଅଭାବ ଗ୍ରସ୍ତ ପିଲା ଭଲରେ ପାଠ ପଢିପାରନ୍ତି ନାହିଁ । ନିଜର ଗରିବୀ ପଛ ଛାଡେନି । ଯିଏ ପଢନ୍ତି ସେ ପିଲା ବିଦେଶରେ ଯାଇ ଚାକିରୀ କଲାପରେ ଭାରତ ଫେରନ୍ତି ନାହିଁ । ଆଜି ଦେଶରେ ଗଢି ଉଠିଥିବା ସମସ୍ତ ବେସରକାରୀ ଅନୁଷ୍ଠାନର ସଂପତ୍ତିରେ ସମାନ ଭାଗ ଭୀମା ଭଳି ଲୋକର ଥାଇ ବି ସେମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଫି ବୃଦ୍ଧି ହେତୁ ପଢେଇ ପାରନ୍ତି ନାହିଁ ।ଏଇ ବଞ୍ଚିତ ମାନେ ସମାଜର ସେଇ ମାଫିଆଙ୍କ ଦ୍ବାରା ଲାଞ୍ଛିତ । ଯିଏ ନିଜ ସୁଖ ପାଇଁ ଏମାନଙ୍କୁ ଦୁଃଖ ରଖିଥାନ୍ତି । ଅଗଷ୍ଟ ପନ୍ଦର ଦେଶ ସ୍ବାଧିନ ହେଲା ଆଉ ଆଜି ସଂବିଧାନ କାର୍ଯ୍ଯକାରି ହେଲା । ଏକଥା ଏ ମାନେ ଜାଣନ୍ତି ନାହିଁ !। ଯିଏ ଜାଣିଛି ସେ କହନ୍ତି ନାହିଁ ।ଜଣେ ସାଧାରଣ ଲୋକ କାହଁକି ନିଜ ଦେଶ ବିଷୟରେ ଜାଣିବ ନାହିଁ । କେବେ ପ୍ରଚାର ଓ ପ୍ରସାରଣ ସଂସ୍ଥା ଜଣେଇଁବ ନାହିଁ । ଏଥିରୁ ଜାଣ ସତରେ ଆମେ କଣ ସଭ୍ଯ ନାଗରିକ। ବୋଧ ହୁଏ ନା !! ଲୋକେ ସଂସ୍କୃତି ବିଷୟକ ଜ୍ଞାନ ଲଭି ସଂସ୍କାରିତ ହେଇ ପାରିଲା ଅଥଚ ସଂବିଧାନ ବିଷୟରେ ନ ଜାଣି ତା ସମସ୍ଯାର ସମାଧାନ କରି ପାରିଲା ନାହିଁ। ସମସ୍ଯାର ସମାଧାନ ସଂବିଧାନ ପାଠ । ସଂସ୍କୃତିରୁ ସଂସ୍କାର ମିଳେ ।

ଭୀମା ଭଳି ଲୋକ ଅଛନ୍ତି ବୋଲି ତାଙ୍କ ଉପରେ ପାଦଦେଇ ଉଠି ଗଲା ପରେ କହିଦେବା -ତଳ ପାହାଚ ନ ଥିଲେ ଉପରକୁ ଉଠିବା କଣ ସମ୍ଭବ ? ଭୁଲିଯିବା କେମିତି ଉଠିବା ପାଇଁ ତଳ ପାହାଚରେ ଥାପିଥିବା ପ୍ରଥମ ପାଦ । କେମିତି ଉପରକୁ ଉଠିବାର ପ୍ରତିଯୋଗିତା । ଅବଶ୍ଯ ତଳ ପାହାଚର ଜନ୍ମ ସାର୍ଥକ ହେଇଛି କି ସେ’ ଉଚ୍ଚ ସୋପାନରେ ପହଞ୍ଚାଇ ପାରିଛି । ଭୀମା ଶୁଣୁଥିଲା ତା ଭଳି ଅନେକ ଭୀମାଙ୍କ ଏଇ ଦୁର୍ଦ୍ଧଶାର କଥା । ଗରିବ ଚିଠାରେ ଭୀମା ନାଆଁ ପଢି କମ୍ବଳଟିଏ ନିଜ ହାତରେ ବ୍ଲକ କମିଶନର ଭୀମାକୁ ଦେଲାବେଳେ ଭୀମା ଆଖିରୁ ବହୁଥିଲା ଆନନ୍ଦାଶ୍ରୁ ବାକି କମ୍ବଳ ସେକ୍ରେଟେରୀ ବାଣ୍ଟି ସାରି ଚିଠାଟି କମିଶନର ମାଡାମଙ୍କୁ ଦେଉଥିଲେ । ବେଳ ରତ ରତ ସଂଜ ନୂଆଁ ବେଳ । ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନ୍ୟମନସ୍କ ଭାବେ ସରପଂଚ ଭୀମାକୁ କହୁ କହୁ କମିଶନର ମାଡାମ ନିଜେ ପତାକା ଉତ୍ତୋଳନ କରି କହୁଥିଲେ-ଆଜି ଏ ସେବା ମୋତେ ମିଳିଛି ମୋତେ କରିବାକୁ ଦିଅ । ଜାନୁଆରୀ ମାସ ସଂଜୁଆ ଶୀତର କୁହୁଡି ଧୀରେ ଧୀରେ ମାଡି ଆସୁଥିଲା । ସମସ୍ତଙ୍କୁ ଧନ୍ୟବାଦ ଜଣେଇଁ କମିଶନର ମାଡାମଙ୍କ ଗାଡି ବହଳ ଅନ୍ଧାରକୁ ଚିରି ଗାଁ କେନାଲ ବନ୍ଧ ପାର ହୋଇ ଚାଲି ଯାଇ ଥିଲା । ଭୀମା ଦେହକୁ ଶୀତ ସରୁ ଚୁମା ମାରି ଗେଲ କରୁଥିଲା ।

ଗଗନ ବିହାରୀ ନାୟକ,
ମଞ୍ଚେଶ୍ୱର, ଭୁବନେଶ୍ବର


HTML tutorial
୫୪୧,ମଞ୍ଚେଶ୍ୱର,ଗାଡକଣ (ତଳ ଶବର ସାହି ନିକଟ)ଭୁବନେଶ୍ବର
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ