ତୋ କୋଳ ସୁନ୍ଦର – ପୂର୍ଣ୍ଣଚନ୍ଦ୍ର ରଣା

ଲେଖକ ପରିଚୟ

ପୂର୍ଣ୍ଣଚନ୍ଦ୍ର ରଣା
ହାଟସିଂହାପୁର, ଯାଜପୁର | ସଦ୍ୟ ପୋଷ୍ଟ

ସବୁଜ ତୋ ପଣତଟା ମନ କିଣି ନିଏ
ହଳଦିଆ ମିଠା ପୁଷ୍ପ ମିଠା ବାସ ଦିଏ ।।୧

ପ୍ରଜାପତି ଝୁଲୁଥାଏ ପୁଷ୍ପର କୋଳରେ
ମଧୁମଖି ପିଉଥାଏ ମଧୁ ଆନନ୍ଦରେ ।।୨

ଝିପିଝିପି ବରଷାଟା ଭିଜାଏ ତୋ ଦେହ
ଚିକିଚିକି ବିଜୁଳି ଯେ ରଙ୍ଗାଏ ତୋ ମୁହଁ।।୩

କଳା ବାଦଲକୁ ଚିରି ଆସଇ ତପନ
ଶୀତଳ କିରଣ ଢାଳି କିଣି ନିଏ ମନ ।।୪

ବରଷାର ଜଳ ମିଶେ ନଦୀର ଗର୍ଭରେ
ଅଙ୍କେଇ ବଙ୍କେଇ ନଦୀ ମିଶେ ସାଗରରେ ।।୫

ଜନନୀ ତୋ ବକ୍ଷେ ନଦୀ ଖେଳେ ଲୁଚକାଳି
ପର୍ବତ ବକ୍ଷୁ ଝରଣା କରେ ଯେ କାକଳି ।।୬

ସବୁଜ ତୋ ଶାଢ଼ୀ ଦେଖି ନାଚେ ଇନ୍ଦ୍ରଧନୁ
ସପ୍ତ ରଙ୍ଗେ ନଭ ବକ୍ଷେ ଆଙ୍କିଦିଏ ଧନୁ ।।୭

ତୋ କୋଳରେ ମିଳେ ଖାଦ୍ୟ ତୋ କୋଳରେ ପାଣି
ବିଧାତା ଗଢିଛି ତତେ ଆମ୍ଭ ମନ ଜାଣି ।।୮

ଭୋକିଲାକୁ ଦେଉ ଖାଦ୍ୟ ଶୋଷିଲାକୁ ପାଣି
ତୋ ଚରଣେ ମଥା ମାତା ଆମ୍ଭେ ଚିର ଋଣି ।।୯

ଜନନୀଲୋ ତୋ’ର କୋଳେ ମିଳେ କେତେ ଶାନ୍ତି
ତୋ କୋଳେ ରଖିଲେ ମଥା ଦୂର ହୁଏ କ୍ଳାନ୍ତି ।।୧୦

ପୂର୍ଣ୍ଣଚନ୍ଦ୍ର ରଣା
ହାଟସିଂହାପୁର , ଯାଜପୁର


HTML tutorial
ଯାଜପୁର
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ