ଟପର ଟପକ ଟପ – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଟପର ଟପକ ଟପ୍
ବେଙ୍ଗୁଲୀ ଡେଇଁଲା ଖପ୍,
ଧରିଲା ସୁର-‘କେଏଁ କଟର’
ତାଳରେ ଝୁଲିଲା ସାରୁ ପତର ।

ବେଙ୍ଗୁଲୀ ନାଚକୁ ଦୂରରୁ ଦେଖି
ଢିମା ଢିମା ତା’ର ନଚେଇ ଆଖି ,
ମୁହଁକୁ ମୋଡ଼ି-ବଙ୍କୁଲି ଗୋଡ଼କୁ
ଥରେ କଚାଡ଼ି….
କଙ୍କଡ଼ା କହିଲା -“ନାହିଁ ତ ଜଣା,
ଭଲା ଇଏ କୋଉ ନାଚରେ ଗଣା !!”

ବେଙ୍ଗୁଲୀ କହିଲା-“କେଏଁ କଟର,
କାଦୁଅ ଭିତରେ ଲଟପଟର
ଡଗଡ଼ଗ ଚାଲି ବାଇଶ ନାହିଁ –
ମୋତେ ବାହୁଉଚୁ ତୁ କାହିଁ ପାଇଁ !
ତୁଚ୍ଛାକୁ ଏତେ,
ଗୋଡ଼େ ମୁଦିନାହିଁ କଚାଡ଼ୁ କେତେ ?”

“ହେଇ ଲୋ ହେଇ,
ମୁହଁରେ ତୋ ଟିକେ ସରମ ନାହିଁ !
ଯାଦୁ ମଖା ଦେହ ଫାଳୁଆ ପାଟି,
ପୋକ ଯୋକ ଖାଉ ଜିଭକୁ ଛାଟି;
କରକଶ କଣ୍ଠେ ଗୀତ ବୋଲୁ ବୋଲି
ଏଡ଼େ ତୋ ଗରବ ସହିଛି ମାଟି !!”

“ଛି ଲୋ ଛତୁ,
ବଢ଼ି ବଢ଼ି କେତେ କଥା କହୁ ତୁ !
ଏତେ ଟିକେ କଥା ବୁଝିନୁ ତୁହି
ଯାହାକୁ ଯେମିତି ଗଢ଼ିଛି ବିହି,
ଶାଣ ଦେଲା ‘ଖୁର’ ଭଳି ଟାଣ କଥା
କହିଲେ ପା’ ହେବ ମରମ ଦହି ।

କହିଲୁ ତୁ ଯାହା ଧରୁନି କିଛି,
ରୂପ ନ ଥିଲେ ବି ଗୁଣ ମୋ ଅଛି;
କରକଶ କଣ୍ଠେ ବୋଲି ମୁଁ ଗୀତ
ଜଗତବାସୀଙ୍କ କରୁଛି ହିତ,
ଦୁନିଆ ସାକ୍ଷୀ;
ଏଇ କଣ୍ଠେ ଗୀତ ବୋଲି ପରା ମୁହିଁ
ବରଷା ଧାରାକୁ ଆଣୁଛି ଡାକି ।”

ମାମୁରିଆ, ଛେଣ୍ଡିପଦା ,ଅନୁଗୋଳ ।


HTML tutorial
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ