ଉପନ୍ୟାସ – ସାଉଁଟା ଆଷାଢ – ଦ୍ଵିତୀୟ ଭାଗ – ପ୍ରମୋଦ କୁମାର ପଣ୍ଡା
ବୋଉ ବାପା ପୁରୁଣାକାଳିଆ ରକ୍ଷଣଶୀଳ ଚିନ୍ତାଧାରାର ଲୋକ | ପୁଣି ଆମେ ବ୍ରାହ୍ମଣ ଘର | ତେଣୁ ଏସବୁ କଥାକୁ ସେମାନେ ଯେ ଏତେ ସହଜରେ ଗ୍ରହଣ କରିନେବେ ତାହା ନୁହେଁ | ତେବେ ଭାଉଜଙ୍କ ଉପରେ ମୋର ପୂର୍ଣ ଭରଷା ଥାଏ | ସେ ସବୁକଥାକୁ ଠିକ୍ ଭାବରେ ତୁଲେଇନେବେ | ସେଇଆ ବି ହେଲା ମୁଁ ଯାହା ଭାବିଥିଲି | ବାପା ବୋଉ ଆଉ ମୁଁ ଖାଇବାକୁ ବସିଲୁ | ଭାଉଜ ପରସି ଦେଉଥାନ୍ତି | ବାପାଙ୍କ ପ୍ରିୟ ବଡି ବେଶର ଦେଇ ସେ ସଜନା ଛୁଇଁ ଆଳୁ ତରକାରୀ କରିଛନ୍ତି | ପୁଣି ବୋଉକୁ ଭଲ ଲାଗୁଥିବା ରସୁଣ ଶୋରିଷ ଛୁଙ୍କ ଦେଇ ଖଡାପତ୍ର ଭାଜିଛନ୍ତି | ବଳକା ପକଡିକୁ ଆଳୁ ସହିତ ଝୋଳ ତରକାରି କରିଛନ୍ତି ଯାହା ମୋତେ ଭଲଲାଗେ | ମୁଗଡାଲି କୁ କଟା ହୋଇଥିବା ମିଠା ଆମ୍ବ, ଗରମ ଭାତକୁ ବେଶ୍ ଜମିଯାଉଥାଏ | ଖାଉ ଖାଉ ବୋଉ କହିଲା, ” ରୁନୁ ! ଆଜି କଣ ବହୁତ ପ୍ରକାର | କେତେବେଳେ ଏସବୁ ରାନ୍ଧିଲୁ ?” ଭାଉଜ କହିଲେ, ଆଜି ଶୁଭଙ୍କର ଜଣେ ଅତିଥି ଆସିଛନ୍ତି ତ ସେଥିପାଇଁ ଟିକେ ଅଧିକ କରିଦେଇଛି |” ବୋଉ କହଲା, ଦେଖ୍ ଶୁଭ ! ଯଦି ତୋ ସାଙ୍ଗ ସାଥୀ ଅଜାତି ହୋଇଥିବ ତେବେ ତା ବାସନ ସେ ମାଜିବ | ତାକୁ ସେଇ ବୈଠକ ଘରେ ଦେଇଦିଅ | ଖାଇସାରି ଦାଣ୍ଡରେ ନଳକୂଅ ଅଛି , ସେ ସେଇଠି ବାସନ ମାଜିଦେବ ଆଉ ଶଙ୍ଖୁଡି କରିଥିବା ଯାଗାଟାକୁ ଧୋଇଦେବ |” ମୁଁ ଜାଣିଛି ବୋଉ କଥା | ସେଥିପାଇଁ ଯେତେକ ମୋର ଅବ୍ରାହ୍ମଣ ସାଙ୍ଗ ସାଥୀ ଥାଆନ୍ତି ସେମାନଙ୍କୁ ମୁଁ ଘରକୁ ଡାକେନାହିଁ କାଳେ ସେମାନେ ଅପମାନ ଅନୁଭବ କରିବେ ବୋଲି |ବାପା କହିଲେ ” ସେ କଣ ଛୋଟ ପିଲା ହୋଇଛି ଯେ ତାକୁ ବାରମ୍ବାର ସେଇକଥା କହୁଛୁ |”

ଭାଉଜ ସେଇ ବୈଠକଘରେ ହିଁ ଆଗନ୍ତୁକା ଯୁବତୀ ପାଇଁ ଖାଇବା ଓ ଶୋଇବାର ସବୁ ବନ୍ଦୋବସ୍ତ କଲେ | ସେ ପର୍ଯ୍ୟନ୍ତ ବାପା ବୋଉ ଆଗନ୍ତୁକା ଯୁବତୀଟି ବିଷୟରେ କିଛି ଜାଣିନାହାନ୍ତି | ମୁଁ ଭାଉଜଙ୍କୁ ଏକାନ୍ତରେ କହିଲି ” କାଲି ସକାଳେ ବୋଧେ ବୋମା ଫୁଟିବ |” ସେ ଅଳ୍ପ ହସି କହିଲେ ” ହଉ କଣ ହେଉଛି କାଲି ସକାଳେ ଦେଖିବା | ମୁଁ ଆଜି ରାତିରେ ସେ ଝୀଅ ଠାରୁ ସବୁ ଘଟଣା ବୁଝିଦେଉଛି |”ତମେ ବାରଣ୍ଡାରେ ପଡିଥିବା ଖଟରେ ଶୋଇପଡ | ମୁଁ ଅଗଣାକୁ ଲାଗିଥିବା ବାରଣ୍ଡାରେ ପଡିଥିବା ଖଟରେ ମଶାରି ଟାଣି ଶୋଇଲି | ବହୁତ ରାତି ପର୍ଯ୍ୟନ୍ତ ଯୁବତୀଟି ବିଷୟରେ ଚିନ୍ତାକରି କରି ବିଳମ୍ବରେ ନିଦହେଲା |
