ପ୍ରବନ୍ଧ – ଓଡ଼ିଆ ସାହିତ୍ୟ ସର୍ଜନାର ଆଦ୍ୟ ରୂପରେଖ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସାହିତ୍ୟ ହେଉଛି ମାନବ ଜୀବନର ଏକ ଅଙ୍ଗ ସ୍ୱରୂପ । ମାନବିକ ସମ୍ବେଦନ, ଆବେଦନ, ସୁଖ, ଦୁଃଖ, ଆନନ୍ଦ, ଅଶ୍ରୁ ଆଦିର କଳାତ୍ମକ ଅଭିବ୍ୟକ୍ତି ସାହିତ୍ୟ ରୂପରେ ପରିଚିତ । ସାହିତ୍ୟ ହୁଏ ସାମାଜିକ ଓ ଜାତୀୟ ଜୀବନର କଳାତ୍ମକ ପରିଭାଷା । ସେଥିପାଇଁ ସାହିତ୍ୟ ସମାଜର ଦର୍ପଣ । ମନୁଷ୍ୟ ସବୁବେଳେ ଆପଣାକୁ ଅପର ପାର୍ଶ୍ୱରେ ବ୍ୟକ୍ତ କରିବାକୁ ଚାହେଁ, ନୋହିଲେ ସେ ଥୟଧରି ରହିପାରେ ନାହିଁ । ଏହି ଅଭିବ୍ୟକ୍ତିରେ ତାର ଜାଣତରେ ହେଉ ବା ଅଜାଣତରେ ହେଉ ସମାଜର ଚିତ୍ର ଛାଏଁ ଛାଏଁ ଉକୁଟି ଆସେ । କାରଣ ସାହିତ୍ୟ ହେଉଛି ଅନୁଭୂତିର କଳାତ୍ମକ ରୂପରେଖ, ଅନୁଭବକୁ କଳ୍ପନାର ପୁଟ ଦେଇ ଭିନ୍ନ ଭିନ୍ନ ଅଭିବ୍ୟକ୍ତିରେ ସାହିତ୍ୟକୁ ପଦ୍ୟ, ଗଦ୍ୟ, ନାଟକ, ଗଳ୍ପ ଆଦି ନାମରେ ନାମିତ କରେ । ସ୍ରଷ୍ଟା ଯେଉଁ ସମାଜରେ ବାସ କରେ, ପରିବେଶ ଓ ପରିପାର୍ଶ୍ୱ ଭିତରେ ଜୀବନ ନିର୍ବାହ କରେ, ସେହି ସମାଜର ଘଟଣା, ରୀତିନୀତି, ସାମାଜିକ ଚଳଣି ସମୂହର ତିକ୍ତ ମଧୁର ଅନୁଭୂତି ତା ସୃଷ୍ଟିର ମୂଳପୁଞ୍ଜି ହୁଏ । ଅନୁଭୂତିକୁ ଆଧାର କରି ସାହିତ୍ୟ ରଚନା କଲାବେଳେ, ତାହା ସାମାଜିକ ଜୀବନରୁ ଜାତୀୟ ଜୀବନର ପ୍ରତିରୂପ ରୂପେ ପ୍ରକାନ୍ତରେ ପ୍ରତିଫଳିତ ହୁଏ ।

ସାହିତ୍ୟର ସକଳ ବିଭାଗ ଭିତରେ ପଦ୍ୟ ହେଉଛି ସର୍ବପ୍ରଥମ ସର୍ବପ୍ରାଚୀନ । ବିଶ୍ୱର ପ୍ରତ୍ୟେକ ଭାଷାର ସାହିତ୍ୟ ପ୍ରଥମେ ପଦ୍ୟରୁହିଁ ଆରମ୍ଭ ହୋଇଛି । ଲିପିର ଉଦ୍ଭବ ପୂର୍ବରୁ ତଥା ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ରୂପ ଧାରଣ କଲା ପୂର୍ବରୁ ମନୁଷ୍ୟ ସେତେବେଳେ ତା ହୃଦୟର ଗୋପନ ଭାବରାଶିକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରୁଥିଲା । ପରେ ଯେତେବେଳେ ଲିଖିତ ସାହିତ୍ୟ ସୃଷ୍ଟି ହେଲା, ସେତେବେଳେ ପଦ୍ୟ ସେଥିରେ ପ୍ରଥମ ସ୍ଥାନ ଅଧିକାର କଲା । ଗୋଟିଏ ଆଦିମ ମଣିଷର ଭାବାକୁଳତାରୁ ଭାଷାର ଜନ୍ମ ହୁଏତ ଖ୍ରୀ. ପୂ. ୧୦ରୁ ୭ ହଜାର ବର୍ଷ ମଧ୍ୟରେ ଘଟିଥିବ । ଭାଷାର ଜନ୍ମ ଜାତକ ପ୍ରସ୍ତୁତ ହେବା ପରେ ସେଇ ଭାଷା ଓରଫ ‘ଭାବ-ରୂପ’କୁ ଲିପିବଦ୍ଧ କରିବାକୁ ମଣିଷ ପୁଣି ପ୍ରୟାସ ଆରମ୍ଭ କରିଥିବ । ତାହା ହୁଏତ ‘ଚିତ୍ରଲିପି’ ଓ ତା ମଧ୍ୟରୁ ଜନ୍ମ ନେଇଥିବ ‘ଭାଷ୍ୟଲିପି’ । ଖ୍ରୀ. ପୂ. ୬୦୦୦ ବର୍ଷ ବେଳକୁ ଏଭଳି ଧାରାର ଲିପି ଇଜିପ୍ଟ ଓ ମେସୋପଟାମିଆରେ ‘କ୍ୟୁନିଫର୍ମ’ ଲିପି ଦେଖିବାକୁ ମିଳିଥିଲା । କଞ୍ଚା କାଦୁଅରେ ଅଙ୍କିତ ଲିପି, ଯାହାକି ବିଶ୍ୱର ପ୍ରଥମ ଭାଷ୍ୟଲିପି ରୂପେ ପରିଚିତ । ଧ୍ୱନି’ ଉଚ୍ଚାରଣର ପାର୍ଥକ୍ୟ ଦୃଷ୍ଟିରୁ ଭାଷାରେ ସୃଷ୍ଟି ହୋଇଛି ଭିନ୍ନତା ଓ ସ୍ୱତନ୍ତ୍ରତା । ଭାଷାକୁ ଅନୁସରଣ କରୁଥିବା ‘ଲିପି’ରେ ବି ଅନୁରୂପ ଭିନ୍ନତା ସୃଷ୍ଟି ହେବା ସ୍ୱାଭାବିକ ଘଟଣା । କିନ୍ତୁ ଭାବ ପରିପ୍ରକାଶ ପ୍ରାୟ ଏକପ୍ରକାର । ଆଦିମ ଅବସ୍ଥାରେ ସବୁ ଦେଶର ଲୋକକଥା ଓ ଲୋକ ସାହିତ୍ୟ ସମେତ କ୍ଳାସିକ ସାହିତ୍ୟର ବିଷୟ ସାମଞ୍ଜସ୍ୟ ଏକପ୍ରକାର ମନେହୁଏ । ସାଦୃଶ୍ୟ ଦୃଷ୍ଟିରୁ ବିଶ୍ବର ଭାଷାଭାଷୀଙ୍କୁ ମୁଖ୍ୟତଃ ସାତଟି ଭାଷାଗୋଷ୍ଠୀରେ ବିଭକ୍ତ କରାଯାଇଛି । (୧) ଇଣ୍ତୋୟୁରୋପୀୟ, (୨) ଆଫ୍ରୋଏସୀୟ, (୩) ଚୀନ-ତିଦ୍ଦତୀୟ, (୪) ଫିନୋ ଉଗ୍ରୀୟ, (୫) ଆଲ୍ଟାଇକ୍, (୬) ଦ୍ରାବିଡ଼ ଓ (୭) ଅଷ୍ଟ୍ରୋଏସୀୟ ।

ଇଣ୍ତୋୟୁରୋପୀୟ ପରିବାର ମଧ୍ୟରେ ରହିଛି ଭାରତୀୟ ଆର୍ଯ୍ୟ ଭାଷା, ଯାହାକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି । (୧) ପ୍ରାଚୀନ ଭାରତୀୟ ଆର୍ଯ୍ୟ, ଖ୍ରୀ. ପୂ. ୫ ହଜାରରୁ ଖ୍ରୀଷ୍ଟପୂର୍ବ ୬୦୦ ପର୍ଯ୍ୟନ୍ତ, (୨) ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଖ୍ରୀଷ୍ଟପୂର୍ବ ୬୦୦ରୁ ଆରମ୍ଭ ହୋଇ ୧୦୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓ (୩) ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ୧୦୦୦ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରୁ ଗ୍ରହଣ କରାଯାଇଛି । ସୃଷ୍ଟିର ପରିବର୍ତ୍ତନ ସହ ତାଳ ଦେଇ ଭାଷାର ପରିବର୍ତ୍ତନ । କାରଣ ମଣିଷର ସାମାଜିକ ଜୀବନ ବଦଳିବା ସହ ମୁଖ ନିଷ୍କୃତ ଭାଷା ବଦଳିଯାଏ ।

ଓଡ଼ିଆ ଭାଷାର ଜନ୍ମ ଆଧୁନିକ ଭାରତୀୟ ଭାଷାର ଏକ ଭିନ୍ନ ଜାତୀୟ ପରିଚିତି ତଥା ପରିଭାଷାରୁ ସମ୍ଭବ ହୋଇଛି ଖ୍ରୀଷ୍ଟାବ୍ଦ ୧୦୦୦ର ପରବର୍ତ୍ତୀ ସମୟରୁ । ଭାଷା ଜାତିର ସ୍ୱତନ୍ତ୍ର ପରିଚୟ ହୋଇଥିବାରୁ ଉତ୍କଳ, କଳିଙ୍ଗ ଓ ଉଡ଼୍ର ନାମରେ ଅତୀତରେ ପରିଚିତ ଥିଲେ ବି ଇଂରେଜ ମାନଙ୍କ ଆଗମନ ପରେ ଭାରତୀୟ ଜାତୀୟତାର ପ୍ରେକ୍ଷାପଟରେ ଓଡିଶା ଏକ ରାଜ୍ୟ ବା ପ୍ରଦେଶର ପରିଚୟ ସହିତ ” ଓଡିଆ” ପାଇଛି ଏକ ଆଧୁନିକ ଆଞ୍ଚଳିକ ଭାଷାର ଗୌରବ । ସଂସ୍କୃତ ଦେବନାଗରୀ ଲିପିରୁ ଓଡିଆ ଲିପିର ବର୍ତ୍ତୁଳ ରୂପ ଆକାରର ଆତ୍ମପ୍ରକାଶ ଘଟିଥିଲା । ଦେବନାଗରୀ ଲିପିର ପରିବର୍ତ୍ତିତ ରୂପ ବ୍ରାହ୍ମୀଲିପି ଓ ବ୍ରାହ୍ମୀଲିପିର ପରିବର୍ତ୍ତିତ ସ୍ତର ହେଉଛି ଗୁପ୍ତଲିପି । ପରେ ଗୁପ୍ତ ଲିପି ପରିବର୍ତ୍ତିତ ହୋଇ ପୂର୍ବ ଭାରତୀୟ ଲିପିର ରୂପ ନେଇ ଆତ୍ମପ୍ରକାଶ କରିଛି ଓ ଏହାର କ୍ରମ ପରିଣତି ଆଧୁନିକ ଓଡ଼ିଆ ଲିପିର ଜନ୍ମ ଘଟିଛି । ଭାଷାର ପରିବର୍ତ୍ତନ ସହ ଲିପିର ପରିବର୍ତ୍ତନ ହେତୁ ଖ୍ରୀଷ୍ଟାବ୍ଦ ୧୧୦୦ରୁ ଆଧୁନିକ ଓଡିଆ ଭାଷା ଓ ଲିପିର ଉନ୍ମେଷ ଘଟିଛି ଓ ତ୍ରୟୋଦଶ ଶତାଦ୍ଦୀ ବେଳକୁ ଆଧୁନିକ ଓଡ଼ିଆ ଲିପିର ଓ ଭାଷାର ସ୍ୱତନ୍ତ୍ରତା ପ୍ରକଟିତ ହୋଇ ୧୪୦୦ ଶତାଦ୍ଦୀ ବେଳକୁ ଭାଷା ଓ ଲିପିର ବିକଶିତ ରୂପ ଦେଖିବାକୁ ମିଳିଥାଏ । ସମୟର ପରିବର୍ତ୍ତନ ସହ ଖାପ ଖୁଆଇ ଓଡିଆ ଲିପି କ୍ରମେ କ୍ରମେ ଅଧିକ ବର୍ତ୍ତୁଳ, ପରିଚ୍ଛନ୍ନ, ସ୍ପଷ୍ଟ ଓ ସ୍ୱତନ୍ତ୍ର ରୂପ ଧାରଣ କରିପାରିଛି ।

ଭାଷା ସହିତ ସାହିତ୍ୟର ସଂପର୍କ ଦେହ ଓ ପ୍ରାଣର ସଂପର୍କ ଭଳି । ଭାଷା ଯେଉଁଠି ସାହିତ୍ୟ ସେଇଠି କାୟା ଛାୟା ଭଳି ଆତ୍ମପ୍ରକାଶ କରେ । ତେଣୁ ଓଡିଆ ଭାଷା ଓ ସାହିତ୍ୟ ସୁସମୃଦ୍ଧ ଓ ସୁପ୍ରାଚୀନ । ପୃଥିବୀର ଅନ୍ୟାନ୍ୟ ଭାଷା ଭଳି ପଦ୍ୟହିଁ ଏହାର ଆଦ୍ୟ ରୂପ । ମଣିଷର ରସମୟ , ଭାବମୟ ଅଭିବ୍ୟକ୍ତିକୁ ନେଇ ସାହିତ୍ୟର ଗତି । ମଣିଷ ହେଉଛି ସାହିତ୍ୟର ମୁଖ୍ୟ ଉପାଦାନ ଓ ମଣିଷକୁ ଛାଡି ସାହିତ୍ୟର କଳ୍ପନା କରାଯିବା ଅସମ୍ଭବ । ମଣିଷ ପ୍ରକୃତି ଓ ପରିବେଶ ସହ ସଂଗ୍ରାମ କରି, ଆରଣ୍ୟକ ଜୀବନରେ ଘାତ ପ୍ରତିଘାତ ଦେଇ କୃଷି ସଭ୍ୟତା ଓ ଗୋଷ୍ଠୀବଦ୍ଧ ଜୀବନରୁ ନଗର ସଭ୍ୟତାକୁ ଆସିଛି । ତା’ ସହିତ ସଂସ୍କୃତିର ଘଟିଛି ଉନ୍ମେଷ ଓ ବିକାଶ । ସେହି ସଂସ୍କୃତି ସହ ସୃଷ୍ଟି ହୋଇଛି ସାହିତ୍ୟ । ଓଡ଼ିଆ ସାହିତ୍ୟର ଇତିହାସକୁ ମୁଖ୍ୟତଃ ତିନୋଟି ଯୁଗରେ ବିଭକ୍ତ କରାଯାଏ, କ) ପ୍ରାଚୀନ ଯୁଗ, ଖ) ମଧ୍ୟ ଯୁଗ ଓ ଗ) ଆଧୁନିକ ଯୁଗ । କ)ପ୍ରାଚୀନ ଯୁଗ’କୁ ସେଭଳି ତିନୋଟି ପର୍ଯ୍ୟାୟରେ ଯଥା, ପ୍ରାକ୍ ସାରଳା ଯୁଗ, ସାରଳା ଯୁଗ ଓ ପଞ୍ଚସଖା ଯୁଗ ରୂପେ ଧରାଯାଇଛି । ସେଭଳି ଖ) ମଧ୍ୟ ଯୁଗ’କୁ ତିନୋଟି ପର୍ଯ୍ୟାୟରେ ଯଥା, ପ୍ରାକ୍ ରୀତିଯୁଗ, ମଧ୍ୟ ରୀତିଯୁଗ ଓ ଉତ୍ତର ରୀତିଯୁଗ ଭାବରେ ବିଭକ୍ତ କରାଯାଇ ଥିବାବେଳେ, ଗ) ଆଧୁନିକ ଯୁଗକୁ ପାଞ୍ଚ ଭାଗରେ ଯଥା, ରାଧାନାଥ ଯୁଗ, ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତିଶୀଳ ଯୁଗ ଓ ଅତ୍ୟାଧୁନିକ ଯୁଗ ବା ପ୍ରୟୋଗବାଦୀ ଯୁଗ ଭାବେ ବିଭାଜନ କରାଯାଇଛି ।

ପ୍ରାକ୍ ସାରଳା ସାହିତ୍ୟର ରେଖାଚିତ୍ର ଅନୁଶୀଳନ କଲେ ବିଶେଷ କରି ଗଙ୍ଗବଂଶୀଯ ରାଜାମାନଙ୍କ ରାଜତ୍ୱର ପୂର୍ବ କାଳରେ ଅସଂଖ୍ୟ ଢ଼ଗ ଢ଼ମାଳି, ହଳିଆ ଗୀତ, ଶଗଡିଆ ଗୀତ, ପ୍ରବଚନ, କାନ୍ଦଣା ଇତ୍ୟାଦି ଭିତରେ ବିବାହ ଗୀତି, ପୁଚିଖେଳ ଗୀତି, ଦୋଳଗୀତ, ହଳିଆ ଗୀତ, ନାଉରିଆ, ଶଗଡିଆ, ଚକୁଳିଆ ଗୀତ, ଯୋଗୀ ଗୀତ, ବଉଳା ଗୀତ, ଗୋବିନ୍ଦ ଚନ୍ଦ୍ର ଗୀତ, ସେଭଳି ପାଲା, ଦାସକାଠିଆ ଗୀତ, ଏପରିକି ଦଣ୍ଡନାଟ, ପାଟୁଆ ଗୀତ, ସମେତ ଚଇତି ଘୋଡ଼ା ନାଚ ଗୀତ, କରମା, ଡାଲଖାଇ, ରସକେଳି, ଜାମୁଡାଳି, ଶବର ଶବରୁଣୀ ଗୀତ । ଏସବୁ ସହ ଖେଳ କୌତୁକ ଗୀତ ସହ ମନ୍ତ୍ର ଗୀତ , ସ୍ତୁତି ଗୀତିକା , ପଦ୍ମ ତୋଳା , ଗୁଣିଗାରେଡି/ ମନ୍ତ୍ର ଆଦି ଲୋକ ମୁଖରେ ପ୍ରଚଳିତ ଥିଲା । ଓଡ଼ିଆ ପଦ୍ୟ ସାହିତ୍ୟର ବିକାଶ ଧାରାରେ ଏସବୁକୁ କେବେ ଏଡିଦେଇ ହେବ ନାହିଁ । ଏସବୁ ବହୁ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ସୃଷ୍ଟି ଓ ସେସବୁ ପଦ୍ୟଗୁଡିକ ଉତ୍କଳୀୟ ଜନଜୀବନ ସହ ନିବିଡ଼ ଭାବରେ ଜଡ଼ିତ ହୋଇ ରହିଥିଲା । ତେଣୁ ସେଗୁଡ଼ିକ ସ୍ଥୂଳତଃ ଲୋକ ଗୀତ ବା ଲୋକ ସାହିତ୍ୟ ବୋଲି କୁହାଯାଏ । ଲୋକ ଗୀତ ଭଳି ଲୋକ କାହାଣୀର ସୃଷ୍ଟି, କାରଣ କଥା ଶୁଣିବା ଓ କହିବା ମଣିଷର ଆଦିମ ପ୍ରବୃତ୍ତି, ଲୋକ ମୁଖରୁ ଲୋକ ହୃଦୟକୁ ଏହାର ଗତି । ଲୋକ କାହାଣୀ ପଦ୍ୟ ନୁହେଁ, ତାହା ଗଦ୍ୟ । ଭୂତପ୍ରେତ କାହାଣୀ, ରଜାପୁଅ ମନ୍ତ୍ରୀପୁଅ କାହାଣୀ, ପରୀ କଥା, ପଶୁପକ୍ଷୀ ଗଳ୍ପ, ବୁଢ଼ୀ ଅସୁରୁଣୀ ଗଳ୍ପ , ବିଭିନ୍ନ ପୌରାଣିକ କଥା, ଓଷାବ୍ରତ କଥା, କିମ୍ବଦନ୍ତୀ କଥା, ସନ୍ଥ ଓ ଭକ୍ତ କଥା, ମାହାତ୍ମ୍ୟ କଥା, ଲୌକିକ ଆଦି ନାନା କଥା ଲୋକ ଜୀବନ, ଲୋକ ସଂସ୍କୃତି, ଲୋକ ଧର୍ମ, ଆଚାର ବିଚାର, ଲୋକ ହୃଦୟର ସରଳ ଶୂଚିପୁତ ବିଶ୍ୱାସକୁ ନେଇ ସୃଷ୍ଟି ହୋଇଛି । ଲୋକ ସାହିତ୍ୟ ପ୍ରାଚୀନ ଯୁଗର ଆଦିତମ ସୃଷ୍ଟି ହେଲେବି ସମୟର ବିବର୍ତ୍ତନ ସହ ତାଳ ଦେଇ ଗତି କରି ଚାଲିଛି । ବିପର୍ଯ୍ୟସ୍ତ ଭାବେ ରଚିତ ହୋଇଥିବା ଏହି ଅଲିଖିତ ଲୋକ ସାହିତ୍ୟକୁ ବାଦ୍ ଦେଲେ ବିଦ୍ଧିବଦ୍ଧ ସାହିତ୍ୟ କେବେ କିଭଳି ଓ କାହା ଦ୍ବାରା ପ୍ରଥମେ ରଚିତ ହୋଇଥିଲା ଓ ତାର ସ୍ୱରୂପ କଣ ଥିଲା ତାହା ଜାଣିବାକୁ ବାକି ଅଛି ।

ତେବେ ଏପର୍ଯ୍ୟନ୍ତ ଯେତିକି ତଥ୍ୟ ଆବିଷ୍କୃତ ହୋଇଛି, ତଦନୁଯାୟୀ ଦଶମ ଶତାଦ୍ଦୀ ପୂର୍ବରୁ ରଚିତ ହୋଇଥିବା ବୌଦ୍ଧଗାନ ଦୋହାକୁ ଓଡ଼ିଆ ସାହିତ୍ୟର ପ୍ରାଚୀନତମ ରଚନା ବୋଲି ଧରାଯାଏ । ବଙ୍ଗୀୟ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ବାରା ଏହି ଗ୍ରନ୍ଥଟି ଆବିଷ୍କୃତ ହୋଇଥିଲା । ଏହା ୮୪ଜଣ ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ଦ୍ବାରା ଭିନ୍ନ ଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ସ୍ଥାନରେ ରଚିତ ହୋଇଥିଲା । ଏହି ସିଦ୍ଧାଚାର୍ଯ୍ୟ ମାନଙ୍କ ମଧ୍ୟରେ ଲୁଇପା , କାହ୍ନୁପା, ହାଡ଼ିପା, ବିରୂପା, ଡୋମ୍ବିପା, ଶବରପା ପ୍ରମୁଖ ପ୍ରଧାନ । ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଭଗବାନ ବୁଦ୍ଧଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରି ‘ପାଦ’ ବା ‘ପା’ ହୋଇଥିଲେ, ନିଜକୁ ଏହି ‘ପାଦ’ ବା ‘ପା’ ଉପାଧିରେ ଭୂଷିତ କରୁଥିଲେ । ଏମାନଙ୍କ ସୃଷ୍ଟିକୁ ଚର୍ଯ୍ୟାଗୀତିକା କୁହାଯାଏ, ଅର୍ଥାତ ୮୪ଜଣ ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ କବିତାର ସମାହାର ହେଉଛି ‘ଚର୍ଯ୍ୟାଗୀତିକା’ । ଏହାର ଭାଷା ହେଉଛି ଅପଭ୍ରଂଶ । ଚର୍ଯ୍ୟାର ଅର୍ଥ ହେଉଛି ଆଚରଣ ବା ଆଚାର, ଏହି ଆଚାର/ଆଚରଣ ହେଉଛି ସାଧକର ଯୋଗ ସାଧନ ପଦ୍ଧତିର ଆଚରଣ । ଚର୍ଯ୍ୟାର ଅନ୍ୟ ଏକ ଅର୍ଥ ଅଧ୍ୟୟନ ବା ସମୀକ୍ଷା । ଏପରିକି ଚର୍ଯ୍ୟାଗୀତିକାର ଗାନ ମାଧୁର୍ଯ୍ୟ ହେତୁ ଏହାକୁ ଚର୍ଯ୍ୟା କୁହାଯାଏ । ଚର୍ଯ୍ୟାଗୀତିକା ସିଦ୍ଧାଚାର୍ଯ୍ୟ ମାନଙ୍କ ହୃଦୟ ବୃତ୍ତିର ନିବିଡ଼ ଭାବାବେଗର ମନ୍ମୟ ପରିପ୍ରକାଶ । ଏଥିରେ ବୌଦ୍ଧ ଧର୍ମର ତାତ୍ତିକ ଅବତାରଣା କରାଯାଇଛି, ଅନେକ ଆଲୋଚକ ଏହାକୁ ନିଜ ନିଜ ଭାଷାର ଆଦିମତମ ରୂପ ବୋଲି ଦାବି କରନ୍ତି । ସ୍ୱର୍ଗତ ଡ଼କ୍ଟର କରୁଣା କର ଏହା ଓଡିଆ ଭାଷାର ପ୍ରାଚୀନ ଗ୍ରନ୍ଥ ବୋଲି ଦୃଢ଼ମତ ବ୍ୟକ୍ତ କରିଛନ୍ତି ।

ବୌଦ୍ଧଗାନ ଓ ଦୋହାର ରଚନା ପରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ‘ନାଥ’ ସଂପ୍ରଦାୟର ଅଭ୍ୟୁଦୟ ଘଟିଥିବା ଜଣାଯାଏ । ନାଥ ସାହିତ୍ୟ’ ଭାରତୀୟ ଧର୍ମ ଧାରାରେ ଏକ ଯୋଗ ପିଣ୍ତିତ ପ୍ରାଚୀନ ଧର୍ମ । ବିଶେଷ କରି ଜୈନ ଧର୍ମ ଓ ବୌଦ୍ଧ ଧର୍ମ ତାର ମୌଳିକ ଆବେଦନରୁ ଦୂରେଇଯାଇ ଥିଲା । ଅବକ୍ଷୟିଷ୍ଣୁ ବୌଦ୍ଧ ଚେତନା ବଜ୍ରଜାନୀ ମନ୍ତ୍ରତନ୍ତ୍ରର ଜଟିଳତା ଭିତରେ ଦିଗ୍ଭଭ୍ରଷ୍ଟ ହୋଇସାରିଥିଲା । ସହଜମାନଙ୍କ ସହଜିଆ ସାଧନାରେ ଏହା ଯୌନ ବ୍ୟଭିଚାରର ଏକ ପର୍ଯ୍ୟୁଷିତ ବାତାବରଣକୁ ଗଢ଼ିତୋଳିବା ସହିତ ସଂପୂର୍ଣ୍ଣ ଭାବେ ତା’ର ଗଣ ଆବେଦନକୁ ପରିହାର କରିସାରି ଦେଇଥିଲା । ତେଣୁ ବୌଦ୍ଧ ଧର୍ମର ଆଧିପତ୍ୟ ହରାଇ ବ୍ରାହ୍ମଣ୍ୟ ଧର୍ମର ପୁନରଭ୍ୟୁତ୍ଥାନ ନିମନ୍ତେ ସୃଷ୍ଟି କଲା ଏକ ଅନୁକୂଳ ବାତାବରଣ । ଗୋଟିଏ ଦିଗରେ ବ୍ରାହ୍ମଣ୍ୟ ବୈଷ୍ଣବ ଚେତନା ଓ ଅନ୍ୟ ଦିଗରେ ବ୍ରଜଜାନୀ ସାଧନାର ସଂଘାତରୁ ଧର୍ମର ସମନ୍ବୟ ଓ ଆଧ୍ୟାତ୍ମିକ ସମୀକରଣଜନିତ ପରିଣତି ସ୍ୱରୂପ ଜନ୍ମ ନେଇଥିଲା ‘ନାଥ-ଶୈବ’ର ଏକ ପବିତ୍ର ଆଧ୍ୟାତ୍ମିକ ଚେତନା । ଏହି ଧର୍ମଧାରାର ଉପାସ୍ୟ ଦେବତା ଆଦିନାଥ ଶିବ । ଶିବ ଯୋଗେଶ୍ୱର ହୋଇଥିବାରୁ ତାଙ୍କର ଉପାସକମାନଙ୍କୁ ‘ଯୋଗୀ’ କୁହାଯାଏ । ନାଥ ଯୋଗୀମାନେ ଶିବଗୋତ୍ରୀ । ଗୋରେଖ ସଂହିତାରେ ୮୪ଜଣ ସିଦ୍ଧସାଧକମାନଙ୍କ ନାମ ରହିଛି । ନାଥପନ୍ଥୀମାନଙ୍କ ମଧ୍ୟରେ କେତେକ ଚର୍ଯ୍ୟାପଦର କବି ରହିଛନ୍ତି, ସେମାନଙ୍କ ମଧ୍ୟରେ କାହ୍ନୁପା, ଲୁଇପା, ତନ୍ତିପା ଆଦି ପ୍ରମୁଖ ସାଧକ କବି । ସମ୍ଭବତଃ ଓଡ଼ିଶାର ହିଂସ୍ର ଶାସକଙ୍କ ଭୟରେ ବୌଦ୍ଧରୁ ‘ନାଥ’କୁ ରୂପାନ୍ତରିତ ହୋଇଥିଲେ । ସେମାନଙ୍କୁ ‘ମୋକ୍ଷ’ ଲଭିବାର ମୋହ ଏଭଳି ଆକୁଳ କରିଥିଲା, ଫଳତଃ ସାଂସାରିକ ଅଜ୍ଞାନତାକୁ ଦୂରେଇ ନିର୍ବାଣ ପ୍ରାପ୍ତିର ନୂତନ ମାର୍ଗ ‘ନାଥ’ ଚେତନା ଭିତରେ ଆବିଷ୍କାର କରିଥିଲେ । ବିଶେଷକରି ‘ଅମରକୋଷ ଗୀତା’ , ‘ଗୋରେଖ ସଂହିତା’, ‘କୁମାରୀତନ୍ତ୍ର’ ଆଦି ଗ୍ରନ୍ଥରେ ନାଥ ସିଦ୍ଧାଚାର୍ଯ୍ୟମାନଙ୍କ ନାମୋଲ୍ଲେଖ ରହିଛି । ନାଥ ଧର୍ମର ମତ୍ସ୍ୟେନ୍ଦ୍ରନାଥ ହେଉଛନ୍ତି ଆଦିନାଥ । ‘ମତ୍ସ୍ୟେନ୍ଦ୍ରଗୀତା’ ତାଙ୍କର ପ୍ରସିଦ୍ଧ ରଚନା । ମତ୍ସ୍ୟେନ୍ଦ୍ରନାଥଙ୍କ ପରମ ଶିଷ୍ୟ ହେଉଛନ୍ତି ସିଦ୍ଧସାଧକ ଗୋରେଖ ନାଥ । ସେ ହଠଯୋଗ, ଗୋରେଖ ସଂହିତା, ଆତ୍ମବୋଧ, ଜ୍ଞାନଚୌତିଶା, ଗୋରେଖ ଗଣେଶ ସଂବାଦ, ଜ୍ଞାନାମୃତ ଯୋଗ, ଯୋଗମଞ୍ଜରୀ, ଗୋରେଖ ବାଣୀ, ଶିଶୁବେଦ ପ୍ରଭୃତି ଗ୍ରନ୍ଥର ସ୍ରଷ୍ଟା । ତାଙ୍କରଚିତ ଶିଶୁବେଦ ଏକ ପ୍ରାମାଣିକ ଗଦ୍ୟ ଗ୍ରନ୍ଥ, ଯାହାକି ପଦ୍ୟରୁ ଗଦ୍ୟକୁ ରୂପ ପରିବର୍ତ୍ତନର ଆଦ୍ୟ ପ୍ରମାଣିକ ପ୍ରୟାସ । ଓଡ଼ିଆ ଗଦ୍ୟର ପ୍ରାରମ୍ଭିକ ବିକାଶ ଧାରାକୁ ଶିଶୁବେଦର ଅବଦାନ ଅନନ୍ୟ । ଏହି ଦୃଷ୍ଟିରୁ ଗୋରେଖ ନାଥ ଓଡିଆ ଗଦ୍ୟ ସାହିତ୍ୟର ଆଦ୍ୟପୁରୁଷ, ପ୍ରବର୍ତ୍ତକ ଓ ସ୍ରଷ୍ଟା ।

‘ଶିଶୁବେଦ’ ବେଦ’କୁ ଛାଡ଼ି ଦେଲେ ‘ମାଦଳାପାଞ୍ଜି’ ସେହି ସମୟର ଏକ କ୍ରମପ୍ରବାହୀ ଗଦ୍ୟ ରଚନା । ଏହା ଓଡ଼ିଶାର ଜାତୀୟ ଓ ସାଂସ୍କୃତିକ ଜଗତର ବେଦ ସ୍ୱରୂପ । ଭାଷା, ଶୈଳୀ, ଐତିହାସିକ ଉପାଦାନ ପାଇଁ ଓଡ଼ିଆ ଭାଷାର ଅମୂଲ୍ୟ ଗ୍ରନ୍ଥ । ରାଜାଙ୍କ ନିର୍ଦ୍ଦେଶରେ ପାଞ୍ଜିକାରମାନେ ବଂଶାନୁକ୍ରମେ ଏହାକୁ ରଚନା କରିଥିବାରୁ ଏଥିରେ ଗଜପତି ମହାରାଜାଙ୍କ ରାଜ୍ୟ ଜୟ , ବୀରତ୍ବ, ଶାସନପ୍ରଣାଳି, ଦେଶ ହିତକର କାର୍ଯ୍ୟ, ଶ୍ରୀଜଗନ୍ନାଥଙ୍କ ପୂଜା ବିଧି, ପର୍ବପର୍ବାଣି, ଭୋଗ ବ୍ୟବସ୍ଥା , ଶ୍ରୀମନ୍ଦିର ଉପରେ ବୈଦେଶିକ ଆକ୍ରମଣ ଆଦି ସମ୍ପର୍କରେ ଲିପିବଦ୍ଧ ଅଛି । ବିବରଣୀ ମୂଳକ ଶୁଷ୍କ ବର୍ଣ୍ଣନା ଭିତରେ ବି କିମ୍ବଦନ୍ତୀ ଓ କଳ୍ପନା ବିଳାସିତା ‘ମାଦଳାପାଞ୍ଜି’କୁ ଦେଇଛି ସାହିତ୍ୟିକ ମୂଲ୍ୟ ।

ନାଥ ସାହିତ୍ୟର ପରବର୍ତ୍ତୀ ପର୍ଯ୍ୟାୟରେ ଶୈବ ସାହିତ୍ୟର ଉତ୍ପତ୍ତି ଘଟିଥିଲା । ଗଙ୍ଗବଂଶ ଶାସକଗଣ ଦାକ୍ଷିଣାତ୍ୟର ହୋଇଥିବାରୁ ଓଡିଶାର ପ୍ରଜାମାନଙ୍କ ମାନସିକତାରେ ଆସ୍ଥାନ ଜମାଇବା ପାଇଁ ଧାର୍ମିକ କୂଟନୀତିର ଅନୁସରଣ କରିଥିଲେ । ମୂଳତଃ ଗଙ୍ଗମାନେ ଶୈବ ଥିଲେ । ଜଗନ୍ନାଥ ମନ୍ଦିର ନିର୍ମାଣ କରି ତତ୍କାଳୀନ ବ୍ରାହ୍ମଣ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିଥିଲେ ମଧ୍ୟ ‘ଶିବ’ ଉପାସନାକୁ ପରିହାର କରିନଥିଲେ । ଯଦିଶ୍ଚ ଓଡିଆ ଭାଷା ଗଙ୍ଗରାଜତ୍ୱ କାଳରେ ରାଜକୀୟ ଅନୁକମ୍ପା ଲାଭ କରି ପାରିନଥିଲା । ସେମାନେ ଦାକ୍ଷିଣାତ୍ୟର ହୋଇଥିବାରୁ ‘ତେଲୁଗୁ’ ଭାଷା ଶାସକର ଆଦର ଲାଭ କରିଥିଲା । ରାଜଦରବାରରେ ‘ ସଂସ୍କୃତ’ ପଣ୍ଡିତ ଗୋଷ୍ଠୀର ମାନ୍ୟତା ଲାଭ କରିଥିଲା । ଗଙ୍ଗମାନେ ଶୈବଧର୍ମ ହୋଇଥିବାରୁ ରାଜ ଅନୁଗ୍ରହ ଲକ୍ଷ୍ୟରେ ରଚିତ ହୋଇଥିଲା ‘ଏକାମ୍ର ଚନ୍ଦ୍ରିକା’ , ଏକାମ୍ର ପୁରାଣ, ସ୍ୱର୍ଣ୍ଣାଦ୍ରି ମହୋଦୟ, କପିଳ ସଂହିତା, ଭଳି ସଂସ୍କୃତ କାବ୍ୟ ପୁରାଣ । ଏତତ୍ ବ୍ୟତୀତ ପଣ୍ଡିତ ସଦାନନ୍ଦଙ୍କ ‘ସୂର୍ଯ୍ୟ ସିଦ୍ଧାନ୍ତ’, ବିଦ୍ୟାଧରଙ୍କ ‘ଏକାବଳୀ’, ବିଶ୍ୱନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ଭଳି ଅଳଙ୍କାର ଓ ସାହିତ୍ୟଶାସ୍ତ୍ର ରଚିତ ହୋଇଥିଲା । ଓଡ଼ିଆ ଭାଷା ପ୍ରତି ତତ୍କାଳୀନ କାଳରେ ଉପେକ୍ଷା ଓ ଅନାଦର ଥିବାରୁ ନାରାୟଣାନନ୍ଦ ଅବଧୂତ ସ୍ୱାମୀ ଏପ୍ରସଙ୍ଗରେ ‘ରୁଦ୍ର ସୁଧାନିଧି’ ଗ୍ରନ୍ଥରେ “ପରାକୃତ ଭାଷା ହିଂସୁଥାଇ” ବୋଲି ଯଥାର୍ଥରେ ଦର୍ଶାଇଛନ୍ତି । ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ‘ରୁଦ୍ର ସୁଧାନିଧି’ ଶୈବଧର୍ମ ଆଧାରିତ ଏକ ସାହିତ୍ୟ ସୃଷ୍ଟି । ଶୈବ ଧର୍ମର ମହିମା ଉପସ୍ଥାପନା ସଙ୍ଗେ ସଙ୍ଗେ ବୈଷ୍ଣବ, ଗାଣପତ୍ୟ ଓ ତାନ୍ତ୍ରିକ ମତବାଦୀ ଶକ୍ତିର ଅବତାରଣା ‘ରୁଦ୍ର ସୁଧାନିଧି’କୁ ଧାର୍ମିକ ଓ ସାହିତ୍ୟିକ ସହବାସ୍ଥାନର ଭିନ୍ନ ଏକ ବୈଶିଷ୍ଟ୍ୟ ପ୍ରଦାନ କରୁଥିବାରୁ ଏହା ଓଡ଼ିଆ ସାହିତ୍ୟର ଇତିହାସରେ ଏକ ଉଜ୍ଜ୍ୱଳ କୀର୍ତ୍ତିସ୍ତମ୍ଭ ।

ସେଭଳି ବତ୍ସା ଦାସଙ୍କ ‘କଳସା ଚଉତିଶା’ ସର୍ବପ୍ରାଚୀନ ଓଡିଆ ଶୈବ ସାହିତ୍ୟର ଆଦ୍ୟ ନିଦର୍ଶନ । ବ୍ୟଞ୍ଜନ ବର୍ଣ୍ଣନା କ୍ରମିକ ତିନୋଟି ଅବକ୍ଷୟକୁ ନେଇ ପଦରେ ଏହା ରଚିତ । ହିମାଦ୍ରି ତନୟା ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ସାହିତ୍ୟର ଇତିହାସକାରମାନେ ମଙ୍ଗଳ ଗୀତ ‘କଳସା’କୁ ଗ୍ରହଣ କରାଯାଇଛି । ତତ୍କାଳୀନ ସାମାଜିକ ଜୀବନରେ ଅନନ୍ୟ ଓ ମହତ୍ତ୍ଵପୂର୍ଣ୍ଣ ଭାବରେ କଳସା ଚଉତିଶାକୁ ମଙ୍ଗଳ ଗୀତ ରୂପେ ଗ୍ରହଣ କରିଛନ୍ତି । ଏହା ଓଡିଆ ଜନଜୀବନରେ ଘଟୁଥିବା ବୈବାହିକ ପରମ୍ପରା ଓ ରୀତିନୀତିର ଏକ ଅନବଦ୍ୟ ଆଲେଖ୍ୟ । ବିବାହ କାଳରେ ଶିବ-ପାର୍ବତୀଙ୍କ ସମର୍ପିତ ଦାମ୍ପତ୍ୟ ସମ୍ପର୍କ ପାଲଟିଛି ଏକ ସାମାଜିକ ଆଦର୍ଶ । ସେଭଳି ପ୍ରାଚୀନ ଗଦ୍ୟ ଶୈବ ସାହିତ୍ୟର ବିକାଶଧାରାରେ ‘ସୋମନାଥ ବ୍ରତ’ କଥା ହେଉଛି ଅନ୍ତିମ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏଥିରେ ଶୈବଧର୍ମର ମହାତ୍ମ୍ୟ ବର୍ଣ୍ଣିତ ହୋଇଛି । ତେଣୁ ଶୈବଧର୍ମ ଏକ ଗଣଧର୍ମ ଭାବରେ ଓଡିଆ ଜନଜୀବନରେ ତିଷ୍ଠି ରହିଛି ଓ ରହିଥିବ । ଭାଷା ଭାବ ଦୃଷ୍ଟିରୁ ପଦ୍ୟାତ୍ମକତାରୁ ଗଦ୍ୟକୁ ମୁକ୍ତ କରିବାର ପ୍ରୟାସ ‘ସୋମନାଥ ବ୍ରତ’ କଥାରୁ ସ୍ପଷ୍ଟ ହୁଏ ।

ସାହିତ୍ୟର ରୂପ ଓ ଆଧାର ପରିବର୍ତ୍ତନ ମୂଳରେ ବିଦ୍ୟମାନ ଥାଏ ସ୍ରଷ୍ଟାର ଏକ ବିଶେଷ ପ୍ରୟୋଜନବୋଧ । ସେହି ପ୍ରୟୋଜନକୁ ନିର୍ଦ୍ଧାରିତ ରୂପରେ ରୂପ ପ୍ରଦାନ କରେ ସାହିତ୍ୟ ସୃଷ୍ଟିର ବିଶେଷ ଆଭିମୁଖ୍ୟ । ଏହା କେବେ ଏକ କୌଶଳ ନୁହେଁ କି ଆୟାସ ସାଧ୍ୟ ବ୍ୟାପାର ନୁହେଁ, ବରଂ ସ୍ରଷ୍ଟାର ଭାବକୁ ପ୍ରକାଶକ୍ଷମ କରିବାର ସ୍ୱଭାବସିଦ୍ଧ ମାଧ୍ୟମ । ତେଣୁ ଓଡ଼ିଆ ସାରସ୍ଵତର ଆଦ୍ୟ ପର୍ଯ୍ୟାୟର ଚର୍ଯ୍ୟାଗୀତିକା, ନାଥ ଓ ଶୈବ ସାହିତ୍ୟ ସମୂହ ବସ୍ତୁତଃ ସାହିତ୍ୟ ସୂଷ୍ଟି କେବଳ ନୁହେଁ ବରଂ ଧର୍ମ ପ୍ରଚାର ଉଦ୍ଦେଶ୍ୟ ଆଧାରରେ ଏସବୁ ସାମାଜିକ ଆବଶ୍ୟକତାରୁ ରଚିତ ହୋଇଛି । ଧର୍ମର କଥା ଉପସ୍ଥାପନା କରିବା ଛଳରେ ସ୍ରଷ୍ଟାମାନେ ନିଜ ନିଜର ମାର୍ଗରେ ଯେଉଁ ମାଧ୍ୟମ ଅବଲମ୍ବନ କରିଛନ୍ତି ତାହାର ନେପଥ୍ୟେ ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ସୃଷ୍ଟିର ମୂଳଦୂଆ ପ୍ରତିଷ୍ଠାରେ ସହାୟକ ହୋଇଛି , କେହି କେବେ ଅସ୍ୱୀକାର କରି ପାରିବେ ନାହିଁ ।

ତେଣୁ ବିଭିନ୍ନ ଧର୍ମର ସିଦ୍ଧାଚାର୍ଯ୍ୟ, ସିଦ୍ଧସାଧକ, ଉପାସକଗଣ ଧର୍ମର ମହିମା ପ୍ରତିଷ୍ଠା କରିବାକୁ ଯାଇ ନିଜ ଜ୍ଞାତରେ ହେଉ ଅଵା ଅଜ୍ଞାତରେ ହେଉ ଅଷ୍ଟମ ଶତାବ୍ଦୀ ଠାରୁ ଆରମ୍ଭ କରି ପଞ୍ଚଦଶ ଶତାଦ୍ଦୀ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ପ୍ରଦାନ କରିଯାଇଛନ୍ତି ଏକ ବଳିଷ୍ଠ ସାରସ୍ୱତ ପୃଷ୍ଠଭୂମି । ସେହି ପୃଷ୍ଠଭୂମିରେ ପରବର୍ତ୍ତୀ ସ୍ରଷ୍ଟାଗଣ ସେମାନଙ୍କ କୃତିତ୍ବକୁ ସଫଳ ସମ୍ପାଦନା କରିବାରେ ସମର୍ଥ ହୋଇଛନ୍ତି .. ମାଟିର କବି ସ୍ରଷ୍ଟା ସାରଳା ଦାସ ମହାଭାରତ ଭଳି ମହାକାବ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ …!!

ଡ଼କ୍ଟର ଲକ୍ଷ୍ମଣ ସାହୁ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ,
ମହାନଦୀ ବିହାର, ନୂଆ ବଜାର, କଟକ-୪
ଦୂରଭାଷା : ୯୪୩୭୭୪୦୨୮୦

Leave a Reply

Your email address will not be published. Required fields are marked *