ସତ କହି ପଛେ ମଲେ ମରିବି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

*ସତ କହି ପଛେ ମଲେ ମରିବି*
????????????????????????????

ଖରାଛୁଟି….ଆଉ ଖରାଛୁଟିରେ ତ ଗାଆଁକୁ ବୁଲି ଯିବାର ସଉକ୍ ଓ ମଜା। ଖୁବ୍ ପିଲା ବେଳ ର କଥା। ବଡ଼ ନାନୀ ଓ ଭାଇନା ଙ୍କ ପରୀକ୍ଷା ସରି ଯାଇଥାଏ। ମୁ ତ ସ୍କୁଲ ହିଁ ଯାଉ ନ ଥିଲି। ସ୍କୁଲ ପୂର୍ବ ଦିନ ଗୁଡିକର କାମ କ’ଣ ଥାଏ ସତରେ? ବୋଉ ପାଖେ ପାଖେ ବୁଲିବା,ବଡ଼ ଭାଇ ଭଉଣୀ ଙ୍କ କାର୍ଯ୍ୟ କଳାପ ନିରୀକ୍ଷଣ କରିବା,ଏକା ଏକା କଣ୍ଢେଇ ଖେଳ ଖେଳିବା କି
ନନା (ବାବା) ଅଫିସରୁ ଫେରିଲେ ଗେଲ ହେବା । ବାହାରକୁ ଖେଳିବା କି ବୁଲିବାକୁ ବୋଉ ତ ଛାଡ଼େନା । ଅବଶ୍ୟ ଟିକିଏ ବଡ଼ ହେଲା ପରେ ମୁ ଏ ଆଇନ୍ ଅମାନ୍ୟ କରିଥିବା ମନେ ପଡ଼ୁଚି। ଛୁଟି ହେଲେ ମନ ଉଚ୍ଛନ୍ନ ଜେଜେବାପା କି ଅଜା ଘରକୁ ଯିବାକୁ…। କିନ୍ତୁ ନନାଙ୍କୁ ଫୁରୁସତ ନାହିଁ ଅଫିସ କାମରୁ। ସୁତରାଂ ସେଥର ସାନ ଦାଦା ଆସିଥାନ୍ତି ଆମକୁ ନେବା ପାଇଁ।ଦୁଇ ଦିନ ପରେ ଆମେ ସବୁ ଗାଆଁରେ ହାଜର।
ଆମ ଗାଆଁରେ ସାହିକୁ ପ୍ରାୟତଃ ଗୋଟିଏ ବୁଲା ବେପାରୀ ସୁନ୍ ପାପୁଡ଼ି ବିକ୍ରି କରିବାକୁ ଆସେ। ଗୋଟିଏ ଦରଭଙ୍ଗା ସାଇକେଲ କ୍ୟାରିଅର ଉପରେ ରଙ୍ଗ ଛଡ଼ା କଳା କଟକଟ ବିସ୍କୁଟ ଟିଣ ଡବା ଟିଏ ବଡ଼ ବାଉଁଶ ଡାଲାରେ ବନ୍ଧା ହୋଇ ଥାଏ। ଡାଲା ସନ୍ଧିରେ କିଛି ପୁରୁଣା ଖାତା କି ଖବରକାଗଜର ସାଇଜ୍ କଟା ଚାରିକୋଣିଆ କାଗଜ ଖଣ୍ଡ। ବଡ଼ ଘଣ୍ଟି ଟିଏ ଟିନ୍ ଟିନ୍ କରି, “ଭଙ୍ଗା ଟିଣ, ଲୁହା, ପ୍ଲାଷ୍ଟିକ ବଦଳରେ ସୁନ୍ ପାପୁଡ଼ି” ବୋଲି ଡାକ ଟିଏ ଛାଡ଼େ । କିଛି ବି ତା’ ଦାବୀ ଜିନିଷ ପାଇଲେ ସେ କାଗଜ ଖଣ୍ଡେ ରେ କିଛି ସୁନ୍ ପାପୁଡ଼ି ଡବା ଘୋଡ଼ଣୀ ବାହାର କରି ଥୋଇଦିଏ ଜିନିଷର ଆକାର ଦେଖି ।ମାଗିଲେ ଟିକେ ବି ଅଧିକା ଦିଏନା। ପଇସାକୁ ଦିଏ ନାହିଁ।
ସେ ସମୟରେ ମିଠା ଦୋକାନରେ ବି ଏଇ ସୁନ୍ ପାପୁଡ଼ି ମିଳୁ ନ ଥାଏ।ଦିନେ ଦାଣ୍ଡ ଘରେ ମୁ ଚକା ଚକା ଭଉଁରୀ ଖେଳୁ ଥାଏ। ହଠାତ୍
ସୁନ୍ ପାପୁଡ଼ି ବାଲାର ଡାକ ଶୁଭିଲା। ମୁ ଦୈ।ଡ଼ି ଯାଇ ବୋଉ ପାଖରେ ହାଜର। “ବୋଉ ବୋଉ ସୁନ୍ ପାପୁଡ଼ି ଖାଇବି…”। ବୋଉ ଟିକେ ଖୋଜା
ଖୋଜି କରି କହିଲା, “କାଇଁ ଆଉ କିଛି ତ ନାହିଁ। ସବୁ ତ ତାକୁ ଦେଇ ସାରିଲୁଣି, ଥାଉ ଆର ଥରକୁ ଖାଇବୁ।”‌ ନାନୀ ତା’ର ପ୍ଲାଷ୍ଟିକ ଚୁଡ଼ି ଓ ଭାଇନା ପେନ୍ ର କ୍ୟାପ୍ ଦେଖାଇ
“ଏଇଟା ନବୁ,ଏଇଟା ନବୁ” କହି ଚିଡ଼ଉଥାନ୍ତି।
ମୁ କିନ୍ତୁ ବୋଉ ପାଖେ କାନ୍ଦି କାନ୍ଦି ବେହାଲ।
ଶେଷରେ ବୋଉଠୁଁ କାନମୋଡ଼ା ଓ ରାହୁ ରାକ୍ଷାସୁଣୀ ଗାଳି ଶୁଣି ରଡି ରଡ଼ି ଦାଣ୍ଡ ପିଣ୍ଡା ରେ ଚୁପ୍ ଚାପ୍ ବସିଲି କେତେବେଳ ଯାଏ। ସୁନ୍ ପାପୁଡ଼ି ବାଲା ମୋତେ ଚାହିଁ ଚାହିଁ କେତେ ବେଳୁ ଚାଲି ଗଲାଣି।
ରାତିରେ ଖୁବ୍ ବର୍ଷା ହେଲା। ସକାଳୁ କିନ୍ତୁ କଅଁଳ ଖରା। ଗାଆଁରେ ଜେଜେ ଘର ପଛପଟେ ଜେଜୀର ଗୋଟିଏ ଛୋଟ ହାତଗଢ଼ା ବଗିଚା।ଅମ୍ରୁତଭଣ୍ଡା,ସଜନା, କଦଳୀ ଓ ଲଙ୍କା ର ଦୁଇ ଚାରି ଗଛ।ଶାଗ ପଟାଳି ଟିଏ ବି। ଅପରାଜିତା,ମଞ୍ଜୁଆତି, ଟୁସି କଲରାର ଲତା ଓ ତା’ର ଟିକି ଟିକି ହଳଦିଆ ଫୁଲ। ସକାଳୁ ମୁ ସେଇ ବଗିଚା ପାଖେ ଠିଆ ହୋଇ ଦେଖୁଥିଲି ସରୁ ସରୁ କଳା ବାଲି ଜନ୍ଦା ମାନଙ୍କ ପ୍ରଭାତ ଫେରି। ଓଦା ଓଦା ବାଲି ଉପରେ ଖୁବ୍ ଶୃଙ୍ଖଳିତ ଲମ୍ବା ଧାଡ଼ି ଛୁଟିଥାଏ। କେହି ବି ଧାଡ଼ି ବାହାରକୁ ଆସନ୍ତିନାହିଁ। କୋଉଠୁ ବାହାରି କୁଆଡେ ଯାଆନ୍ତି କେଜାଣି! ବୋଉ କହେ ,”କାମୁଡ଼ା ଜନ୍ଦା। ଜମା ଯିବୁନି ପାଖକୁ।ଧରିଲେ ମରିଯିବେ ପଛେ ଛାଡ଼ି ବେନି।” କାମୁଡ଼ିଲେ ଫୁଲିଯାଇ ଖୁବ୍ ଜଳାପୋଡ଼ା ହୁଏ। କି ସୁନ୍ଦର,କଳା ଚିକ୍ ଚିକ୍। କଳା ମାଳି ପରି ଦିଶେ।
ହଠାତ୍ ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଦାଦା ଡ଼ାକ ପକାଇଲେ,”ଶୁଣିଲୁ,ଇଆଡ଼େ ଆସେ।” ମୋତେ ଘର ଭିତରକୁ ଡାକିନେଇ ପଚାରିଲେ,”ମୋ ପାନିଆ କାହିଁ, କୁଆଡ଼େ ନେଲୁ?” ( ଦାଦାଙ୍କ ର ଗୋଟିଏ ସୁନ୍ଦର ପ୍ଲାଷ୍ଟିକ ର ପାନିଆ ଥିଲା। ତାକୁ ସେ କାହାକୁ ବି ଛୁଆନ୍ତି ନାହିଁ। ନିଜେ ଷ୍ଟାଇଲ ରେ ବାଳ କୁଣ୍ଡାନ୍ତି।) ମୁ ହଠାତ୍ କିଛି ଵୁଝି ନ ପାରି ବଲବଲ କରି ଚାହିଁ ଥାଏ। ଅନେକ ଥର ପଚାରିବା ପରେ ଖାଲି କହିଲି, “ମୁ ଜାଣିନି।” ଘରେ ବୋଉ , ନାନୀ ଓ ଭାଇନା ସମସ୍ତେ ମୋତେ ଚାହିଁ ଥାଆନ୍ତି। ଦାଦା କହିଲେ, “ସତ କହ ନ ହେଲେ ଦେଖିବୁ ଏ କ୍ଷଣି। କାଲି ପାନିଆ ଦେଇ ସୁନ୍ ପାପୁଡ଼ି ଖାଇଚୁ ନା?” ମୁ ନା’ କହି ବୋଉ ପଛପଟେ ଲୁଚିଗଲି।
ବୋଉର ଲୁଗାକୁ ଜାବୁଡ଼ି ଧରିଥାଏ। ଦାଦା କହିଲେ “,ରହ ତୋତେ ଦେଖୁଚି।” ସେ ବୋଉ ଠାରୁ ମୋତେ ଜବରଦସ୍ତ ଟାଣି ଆଣି ଟେକି ଟେକି ବାହାରକୁ ନେଇ ଗଲେ। ସମସ୍ତେ ଆମ ପଛେ ପଛେ। ଦେହରେ ମୋର କେବଳ ପ୍ୟାଣ୍ଟ୍ ଟିଏ। କହିଲେ, “ଦେଖ୍ ଯଦି ସତ କହିଚୁ ତେବେ ଏ ଜନ୍ଦା ତୋତେ ଛୁଇଁବ ନାଇଁ। ଯଦି ମିଛ କହିଚୁ କାମୁଡ଼ା ଖା…।” ମୁ ରଡ଼ି ଛାଡ଼ି କାନ୍ଦୁଥାଏ। ବୋଉର ଅନୁରୋଧ ସତ୍ତ୍ୱେ ଦାଦା ମୋତେ ଟେକିନେଇ ସେଇ ବାଲିଜନ୍ଦା ମାଳ ଉପରେ ଛିଡ଼ା କରିଦେଲେ। ହଠାତ୍ ଅନେକ ଗୁଡ଼ାଏ ଜନ୍ଦା ମୋ ଆଣ୍ଠୁ,ପେଟ ଓ ଛାତି ଯାଏ ଚଢ଼ି ଆସିଲେ।ହେଲେ ଗୋଟିଏ ବି ଜନ୍ଦା ମୋତେ କାମୁଡ଼ିଲା ନାହିଁ। ମୋ ପାଦ ଚାରିପାଖେ ଓ ଉପରେ ଜନ୍ଦା ଭର୍ତ୍ତି। ମୁ କିରିକିଚା ରଡ଼ି ଛାଡ଼ିଥାଏ। ଆସ୍ତେ ଆସ୍ତେ ସବୁ ଜନ୍ଦା ଉଭାନ ହୋଇଗଲେ କେଉଁ ଆଡ଼େ! ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଆନ୍ତି। ଦାଦା ବି ନିର୍ବାକ୍। ବୋଉ ମୋତେ କାଖ କରି ଘରକୁ ନେଇଗଲା।ମଜାର କଥା ଦାଦାଙ୍କ ପାନିଆ ତାଙ୍କ ତକିଆ ତଳେ ହିଁ ଥିଲା। ଯାହା ଶେଯ ଝାଡ଼ିବା ବେଳେ ବୋଉ ଆବିଷ୍କାର କରିଥିଲା। ଦାଦା ଦୁଇ ଦିନ ଯାଏଁ ମୁହଁ ଶୁଖେଇ ରହିଲେ।ନନା କିନ୍ତୁ ପରଦିନ କାଲାକାନ୍ ମିଠା ନେଇ ଆସିଥିଲେ।

– ସମାପ୍ତ –

ମୀନାକ୍ଷି ପାଢ଼ି, ଶିକ୍ଷୟିତ୍ରୀ, ଚିକିଟୀ ପେଣ୍ଠ,ଗଞ୍ଜାମ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ