ପ୍ରବନ୍ଧ – ବ୍ୟାସକବିଙ୍କ ଉପନ୍ୟାସରେ ମାନବୀୟ ଚରିତ୍ର

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଯୁଗେ ଯୁଗେ ସାହିତ୍ୟର ତପୋବନରେ ଧ୍ୟାନ ମଗ୍ନ ହେବାର ବ୍ୟାକୁଳିତ, ମଣିଷର ଅଦମିତ ଲାଳସା ଏକାନ୍ତ ଆଦିମ । ସେହି ଅଦମିତ ଲାଳସା, ଉତ୍କଣ୍ଠାରୁ ସର୍ଜନଶୀଳ ଶକ୍ତି ଓ ପ୍ରତିଭା ଚିରନ୍ତନ ଅମଳିନ ଭାବରେ ପ୍ରତିଷ୍ଠିତ ହୋଇଆସିଛି । ତା’ର କଳ୍ପନା, ଅନୁଭୂତି ଓ ସୃଷ୍ଟି ପ୍ରେରଣାର ଉତ୍ସ ହୋଇ ରହିଯାଏ । ବୁଦ୍ଧିକୁ ତୀକ୍ଷ୍ଣ , ଭାବକୁ ରସୋତ୍ତୀର୍ଣ୍ଣ ଓ ଚିନ୍ତାକୁ ସଂଯତ କରି ସ୍ରଷ୍ଟା ବ୍ୟକ୍ତ କରେ ଅବ୍ୟକ୍ତ ବେଦନାର ନିଗୂଢ ବ୍ୟଥା । ତାହା ହୋଇପାରେ ବ୍ୟକ୍ତିଗତ ବା ସମଷ୍ଠିଗତ ବା ହୋଇପାରେ ବିଶ୍ୱ ଜଗତର ଇତି ଗାଥା । ତେଣୁ ସାହିତ୍ୟ ହେଉଛି ସାହିତ୍ୟକର ବିନୋଦ ଓ ବିଚରଣର ପ୍ରଶସ୍ତ କ୍ଷେତ୍ର, କୌତୁକ ମଣ୍ଡପ ଓ ବିଚାର ବୁଦ୍ଧିର ଚାରଣ ଭୂମି । ଅନୁଭୂତି ଉପାଦାନ ସମୂହର ଶୃଙ୍ଖଳା ସାଧନାହିଁ ସାହିତ୍ୟର କଳାକର୍ମ । ଭାଷାର ରୂପ, ମାଧୁର୍ଯ୍ୟ ଓ ସ୍ୱାଦ ମିଷ୍ଟତା ପାଠକକୁ ଆହ୍ଲାଦିତ କରେ । ଏସବୁ ଦୃଷ୍ଟିରୁ ବିଚାର କଲେ ସାହିତ୍ୟ ଯଥାର୍ଥରେ ସାଧନା ଓ ପ୍ରତିଭାର ଏକ ଚମତ୍କାର ସମନ୍ୱୟର ପ୍ରତୀକ । ବ୍ୟାସକବି ଫକୀରମୋହନ ହେଉଛନ୍ତି ସେହି ସମନ୍ବୟର ଏକ ଜ୍ଜଳନ୍ତ ମୂର୍ତ୍ତିମନ୍ତ ଅବତାର ।

ବ୍ୟାସକବି ଫକୀରମୋହନ ବିବାଦହୀନ, ପ୍ରତିଭାବନ୍ତ, ଯୁଗାନ୍ତକାରୀ ପ୍ରଜ୍ଞା, ମହିୟାନ ମହାପୁରୁଷ । ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ଥାନ ଓ ମର୍ଯ୍ୟାଦା ସ୍ୱତନ୍ତ୍ର । ତାଙ୍କ ମହାନ ପ୍ରତିଭା ସମାଲୋଚକଙ୍କ ଦୃଷ୍ଟିରେ ଅବର୍ଣ୍ଣନୀୟ । ଶୈଶବରୁ ପିତୃ ମାତୃହୀନ, କପର୍ଦକ ଶୂନ୍ୟ, ସ୍ୱଳ୍ପ ଶିକ୍ଷା ପ୍ରାପ୍ତ ଫକୀରମୋହନ ଆଧୁନିକ ଓଡ଼ିଆ ସାହିତ୍ୟର ଅପ୍ରତିହତ ଜନକ । ମାୟାଧର ମାନସିଂହଙ୍କ ଦୃଷ୍ଟିରେ – ” କବି , ଔପନ୍ୟାସିକ , ଶାସକ, ପଣ୍ଡିତ , ସମାଜ-ସଂସ୍କାରକ, ମୁଦ୍ରାକର , ସଂପାଦକ , ବ୍ୟବସାୟୀ ସର୍ବୋପରି ଦେଶ ସେବକ ଭାବରେ , ଏହି ଫକୀରମୋହନ ଏପରି ଏକ ରୋମାଞ୍ଚକର ଜୀବନ ଅତି ବାହିତ କରିଥିଲେ, ଯାହା ସେ ଯେଉଁ ଅନବଦ୍ୟ ଗଳ୍ପ-ସାହିତ୍ୟ ଦ୍ବାରା ନିଜ ମାତୃଭାଷାକୁ ଏପରି ପ୍ରଚୁର ଭାବରେ ଉର୍ବର କରି ଗଲେ, ତାହା ବିସ୍ମୟକର । ” ବାସ୍ତବରେ ସେ ଥିଲେ , ଏଜାତିର ଓଡ଼ିଆ ଭାଷା ସାହିତ୍ୟର ଏକ ମୂର୍ତ୍ତିମନ୍ତ ଅନୁଷ୍ଠାନ ।

ବିଶେଷ ଭାବରେ ଆଲୋଚ୍ୟ ପ୍ରସଙ୍ଗକୁ ଦୃଷ୍ଟି ଦେଲେ ଆଧୁନିକ ଓଡିଆ ସାହିତ୍ୟରେ ଉପନ୍ୟାସର ଆବିର୍ଭାବ ବେଶୀ ଦିନର ନୁହେଁ । ଫକୀରମୋହନଙ୍କ ପୂର୍ବରୁ ରମେଶଚନ୍ଦ୍ରଙ୍କ ପଦ୍ମମାଳୀ ଓ ରାମଶଙ୍କରଙ୍କ ବିବାସିନୀ / ସୌଦାମିନୀ ଲେଖାଯାଇଥିଲେ ମଧ୍ୟ, ତାହା ଇତିହାସ ଗର୍ଭରେ ଲୀନ ହୋଇଥିଲା । ଯଦିଓ ରାମଶଙ୍କର ବିବାସିନୀ ଉପନ୍ୟାସ ମୟୂରଭଞ୍ଜରୁ ବାହାରୁ ଥିବା ଉତ୍କଳ ପ୍ରଭା କାଗଜରେ ତାହା ସଂପୂର୍ଣ୍ଣ ପ୍ରକାଶ ପାଇଥିଲା, ସେଥିପାଇଁ ସେ ପୁରସ୍କାର ପାଇଥିଲେ ଓ ବିବାସିନୀ ହିନ୍ଦୋଳ ଜିଲ୍ଲାର ରାଜାଙ୍କ ଅନୁଗ୍ରହରେ ଛପଯାଇ ଶିକ୍ଷା ବିଭାଗର ଦୃଷ୍ଟିକୁ ଆସି ମଧ୍ୟ ତାହା ଓଡିଆ ସାହିତ୍ୟର ପ୍ରଥମ ବିକଳାଙ୍ଗ ଉପନ୍ୟାସ ଭାବରେ ଅଭିହିତ ହୋଇ ଶେଷ ନିଶ୍ୱାସ ନେଇଥିଲା । ସେହିଭଳି ଉମେଶଚନ୍ଦ୍ରଙ୍କ ‘ ପଦ୍ମମାଳୀ ‘ ମଧ୍ୟ ସର୍ତ୍ତା ହରାଇଥିଲା । କାରଣ ଉପନ୍ୟାସ ଦ୍ୱୟର ଚରିତ୍ର ଚିତ୍ରଣରେ ସାମାଜିକ ଉପନ୍ୟାସର ଚରିତ୍ର ଚିତ୍ରଣ ପରି ଜୀବନ୍ତ ଓ କଳାକୁଶଳ ସେଥିରେ ନଥିଲା । ସେହିଭଳି ଗୋପାଳ ବଲ୍ଲଭ ଦାସଙ୍କ ” ଭୀମ ଭୂୟାଁ ” ଆଦିବାସୀମାନଙ୍କ ଜୀବନଯାତ୍ରାକୁ କେନ୍ଦ୍ର କରି ଲେଖା ଯାଇଥିଲେ ମଧ୍ୟ ଏହାର ପ୍ରକାଶ ବହୁ ବିଳମ୍ବରେ ଘଟିଥିଲା, ଫଳତଃ ତାହାର ପ୍ରଭାବ ଫକୀରମୋହନଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲା । କାରଣ ସେ ସମୟକୁ ଫକୀରମୋହନଙ୍କ ପ୍ରତିଭା ଓ କଳାସିଦ୍ଧି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଏକ ନୂତନ ପ୍ରତିଷ୍ଠା ଓ ମର୍ଯ୍ୟାଦା ପ୍ରଦାନ କରିସାରିଥିଲା । ଐତିହାସିକ ଦୃଷ୍ଟିରୁ ନହେଲେ ମଧ୍ୟ ସାହିତ୍ୟିକ ଦୃଷ୍ଟିରୁ ତାଙ୍କୁ ଓଡ଼ିଆ ଉପନ୍ୟାସର ଜନକ ରୂପେ ସମ୍ମାନିତ ହୋଇଛନ୍ତି । କେବଳ ଓଡିଆ ଉପନ୍ୟାସ କ୍ଷେତ୍ରରେ ନୁହନ୍ତି ସେ ମଧ୍ୟ କଥା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା, ଓଡିଆ ଗଦ୍ୟ ସାହିତ୍ୟର ନୂତନ ଦିଗଦ୍ରଷ୍ଟା ଓ ନିୟାମକ ।

ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସ ସଂଖ୍ୟା ଦୃଷ୍ଟିରୁ ସ୍ୱଳ୍ପ, କିନ୍ତୁ ବିଚାର ଦୃଷ୍ଟିରୁ ବିପୁଳ , ବିନ୍ଦୁ ମଧ୍ୟରେ ସିନ୍ଧୁର ଦର୍ଶନ , ଯାହାର ତୁଳନା କରାଯାଇ ପାରେନା ! ମାତ୍ର ଚାରୋଟି ଉପନ୍ୟାସ ଓ ସର୍ବାଧିକ କୋଡିଏ ଟି ଗଳ୍ପ ତାଙ୍କ ସର୍ଜନାର ପରିଚୟ । ଏହାରି ଭିତରେ ଅସଜଡା ସମାଜର ଗତିଶୀଳ ବାସ୍ତବତାକୁ ପ୍ରତିଫଳିତ କରିଛନ୍ତି । ସ୍ୱକୀୟ ନୀତିବାଦିତା, ଜୀବନର ମୂଲ୍ୟବୋଧ ପାଲଟିଛି ତାଙ୍କ ସୃଷ୍ଟିର ଗଳ୍ପ ଓ ଉପନ୍ୟାସର ଅନ୍ତର୍ନିହିତ ଶକ୍ତି । ତଥାପି କୁହାଯାଇ ପାରେ ସେ ଆଦର୍ଶ ବାଦୀ, କିମ୍ବା ନୀତି ବାଦୀ, ସଂସ୍କାରବାଦୀ ହୋଇ ମଧ୍ୟ ଗଳ୍ପ ଓ ଉପନ୍ୟାସରେ ନିଜସ୍ୱ ଅନୁଭୂତି ଓ ଅଭିଜ୍ଞତାକୁ ରୂପ ଦେଇଛନ୍ତି , ତେଣୁ ସେ ଜୀବନର ରୂପକାର । ଦୀର୍ଘ ଶାସକ ଜୀବନରେ ରାଜପରିବାର ସହ ଘନିଷ୍ଠ ସଂପର୍କ ସହିତ ବିଭିନ୍ନ ସମୟରେ ସାମାଜିକ ଜୀବନ, ବ୍ୟକ୍ତି ଓ ପରିବାରର ଅଦ୍ଭୁତ ଜୀବନ ପ୍ରବାହ ମଧ୍ୟରୁ ରସ ଆହରଣ କରି ସାର୍ଥକ କଳା-ସୌନ୍ଦର୍ଯ୍ୟରେ ବିମଣ୍ଡିତ କରିବାରେ ଥିଲେ ପାରଙ୍ଗମ । ବିଶେଷକରି ତାଙ୍କ ସୃଷ୍ଟି ମନ୍ଦିରର ଥିଲା ସମୟ ପରିଧି , ମନ୍ଦିରର ଶିଳ୍ପ ଚାତୁର୍ଯ୍ୟ ଓ ଗଠନ ପରିପାଟୀ , ଯାହା ନିଜର ଜୀବନ ଇତିହାସ ଓ ବାସ୍ତବ ଅନୁଭୂତି, ମନ୍ଦିରର ସମଗ୍ର ସୌନ୍ଦର୍ଯ୍ୟ ଯାହା ତାଙ୍କ ସୃଷ୍ଟିର
ଅନ୍ତର୍ଧ୍ୱନୀ ତାଙ୍କର ସକଳ ଗଳ୍ପ ଓ ଊପନ୍ୟାସରେ ପ୍ରତିଫଳିତ । ତାଙ୍କ କୃତି ତାଙ୍କ ବାସ୍ତବ ଜୀବନର ଶୈଳ୍ପିକ ଅଭିବ୍ୟଞ୍ଜନା , ଅଭିବ୍ୟକ୍ତି ମାତ୍ର ।

ଜୀବନ୍ତ ବାସ୍ତବତା ଫକୀରମୋହନଙ୍କ ଶୈଳକଳ୍ପର ବିଶେଷତ୍ୱ । ସେଥିପାଇଁ ସେ ଦୁଇଟି ଉପାୟ ପ୍ରୟୋଗ କରୁଥିଲେ, ବିଶେଷକରି ଭାଷା ଓ ପରିବେଶ ପ୍ରତି ଅନ୍ତଃଦୃଷ୍ଟିର ନିକ୍ଷେପ । ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ସମାଜର ଉଚ୍ଚବିତ୍ତ, ମଧ୍ୟବିତ୍ତ , ନିମ୍ନବିତ୍ତ ଓ ଅସହାୟ ନିଃସ୍ୱ ସମସ୍ତେ ତାଙ୍କ ଗଳ୍ପ ଓ ଉପନ୍ୟାସରେ ରୂପାୟିତ ହୋଇଛନ୍ତି । ପ୍ରତ୍ୟେକ ଶ୍ରେଣୀର ଭାଷାକୁ ସେ ଅତି କୌଶଳ ଓ ଚତୁର କଥାକାର ଭଳି ସେହି ଚରିତ୍ର ମାନଙ୍କ ମୁହଁରେ ଫୁଟାଇଛନ୍ତି । ଓଡ଼ିଶାର ଗାଁ ଗଣ୍ତା, ସହର ବଜାର, ସମାଜ ଜୀବନର ନାନା କରୁଣ, ବିଭତ୍ସ ଓ ହାସ୍ୟୋଦ୍ଦୀପକ ଛବି ରୂପେଲି ପରଦାର ଚିତ୍ର ଭଳି ଫୁଟିଉଠେ । ଯେମିତି ଶାସକ ଜୀବନର କପଟତା, କୁଟିଳତା, ମିଥ୍ୟା , ଛଳନା ପ୍ରଭୃତି ଉପନ୍ୟାସରେ ସୟତାନର ଚିତ୍ର ଚିତ୍ରଣ କରିବାରେ ଖୋରାକ ଯୋଗାଇପାରିଛି । ମଙ୍ଗରାଜ, ନଟବର , ସଦାନନ୍ଦ , କମଳଲୋଚ , ରାଜୀବ ଲୋଚନ, ଚମ୍ପା ଓ ଚିତ୍ରକଳା ପ୍ରଭୃତି ଥିଲେ କୁଟିଳ ମାର୍ଗର ନାୟକ / ନାୟିକା । ସତେଯେଭଳି ତାଙ୍କ ସୁନ୍ଦର ସୁଗନ୍ଧିତ ଗୋଲାପ ପୁଷ୍ପ ରୂପକ ଉପନ୍ୟାସ ଅନ୍ୟବଦ୍ୟ ସାହିତ୍ୟକ ସଂପଦ ଚମ୍ପା , ଚିତ୍ରକଳା , ମଙ୍ଗରାଜ , ନଟବର , କମଲୋଚନ , ସଦାନନ୍ଦ, ରାଜୀବଲୋଚନ ପ୍ରମୁଖ ଚରିତ୍ର ପରିବେଷଣ କରିବାର ସଫଳ ଥିଲେ। ।

ଫକୀରମୋହନଙ୍କ ରସୋତ୍ତୀର୍ଣ୍ଣ ଚାରୋଟି ଉପନ୍ୟାସ ପରମ ସାହିତ୍ୟିକ ସାଫଲ୍ୟର ନେପଥ୍ୟ ଓଡିଆ ଜାତିର ଗତ ଦୁଇଶହ ବର୍ଷର ଓଡ଼ିଶାର ସାମାଜିକ, ରାଜନୈତିକ ଇତିହାସର ହେଉଛି ଜୀବନ୍ତ ଗାଥା । ଆଧୁନିକ ଓଡିଆ ସାହିତ୍ୟର ଯାତ୍ରା ପଥରେ ତାଙ୍କ ସୃଷ୍ଟି ” ଛମାଣ ଆଠଗୁଣ୍ଠ ” ଏକ ନିର୍ଦ୍ଦିଷ୍ଟ ମାଇଲଖୁଣ୍ଟ , ଏକ ମାଷ୍ଟର ପିସ୍ । ଓଡିଆ ଉପନ୍ୟାସ ଜଗତରେ ଉପନ୍ୟାସଟିର ମହିମା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିଛି, କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସମଗ୍ରତା ସାର୍ବଜନୀନ ସାହିତ୍ୟରେ ଏହା ଏକ ଅକ୍ଷୟ , ଅବ୍ୟୟ ଓ ଅପୂର୍ବ ସୃଷ୍ଟି । ବିଶେଷ କରି ଉପନ୍ୟାସଟି ଓଡ଼ିଶାର ସାମାଜିକ ଜୀବନରେ ଦୁଇଟି ମୁଖ୍ୟ ଘଟଣା ଲକ୍ଷ୍ୟ କରାଯାଇ ପାରେ ..। ପ୍ରଥମତଃ ” ଛମାଣ ଆଠଗୁଣ୍ଠ “ର ସମସ୍ତ ବିଷୟ ସହର ଶୂନ୍ୟ ପଲ୍ଲୀ ଭିତରେ ଆବଦ୍ଧ ରହିଥିବା ବେଳେ ଦ୍ୱିତୀୟତଃ ତତ୍କାଳୀନ ସାମନ୍ତବାଦୀ ସଭ୍ୟତା ବଦଳରେ ଜମିଦାର ଶ୍ରେଣୀୟ ଆକସ୍ମିକ ଅଭ୍ୟୁଦୟ ଘଟି ଦେଶର ବାକ୍ ଶକ୍ତି ରହିତ, ଶକ୍ତି ସାମର୍ଥ୍ୟହୀନ ଜନତା ଉପରେ ଅକଥନୀୟ ଅତ୍ୟାଚାର ଚଳାଇ ଥିଲେ , ତାହାର ନିଛକ ଦୃଷ୍ଟାନ୍ତ ” ଛମାଣ ଆଠଗୁଣ୍ଠ ” । ଶୋଷକ ରାମଚନ୍ଦ୍ର ମଙ୍ଗରାଜ ସେମାନଙ୍କ ଭିତରେ ଜଣେ ଅତ୍ୟାଚାର ଚଳାଇଥିବା ଜମିଦାର । ସରଳ ବିଶ୍ୱାସୀ ନିରୀହ ଶାରିଆ ଭଗିଆ ସେ ସମୟର ଶୋଷିତ ଜନତାର ପ୍ରତୀକ । ଶୋଷକ ରାମଚନ୍ଦ୍ର ମଙ୍ଗରାଜର ଶୋଷଣ କୌଶଳ, ଚତୁର ପଣ , ଏକାଦଶୀ ପାଳନ , ଚାଷ ତଦାରଖରେ କପଟ ସସ୍ନେହ ଛଳନାପୂର୍ଣ୍ଣ ସହାନୁଭୂତି ପ୍ରଦର୍ଶନ , କରଜ ଦାନ ପ୍ରଭୃତି ସମାଜରେ ଥୂବା ସର୍ବନିମ୍ନ ନିରୀହ ନିପୀଡିତ ଅସହାୟ ଜନତା ମାନଙ୍କ ପ୍ରତି ପରିଚାଳିତ ହେଉଥିଲା । ଅସହାୟ ମୂକ ଜନତା ଶାରିଆ ଭଗିଆ ପରି ନୀରବରେ ଅତ୍ୟାଚାରର ଶୀକାର ହେଉଥିଲେ । ଉପନ୍ୟାସଟି ଓଡ଼ିଶାର ଏକ ଦୁଃଖ ଦାୟକ କାଳର ଚିତ୍ରପଟ୍ଟ । ଓଡ଼ିଶାର ଶାନ୍ତ-ସୁଖ-ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ପଲ୍ଲୀ , ଯାହାକି ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରଜାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କହୀନ ବିଳାସୀ ଜମିଦାର ମାନେ ବ୍ରିଟିଶ ଶାସନର ନୂତନ ଭୂଆଇନର ସୁଯୋଗ ନେଇ ଓଡ଼ିଶାର ଲକ୍ଷ ଲକ୍ଷ ନିରୀହ ପ୍ରଜାଙ୍କର ଐତିହାସିକ ପୈତୃକ ଜମି ଜମା ଛଡାଇ ନେଉଥିଲେ , ତାହାର ଦୁଃଖଦାୟକ ଏକ ନିଛକ ଛବି ‘ ଛମାଣ ଆଠଗୁଣ୍ଠ ‘ କୁହାଯାଇପାରେ ।

‘ ମାମୁଁ ‘ ଉପନ୍ୟାସ ଫକୀରମୋହନଙ୍କ ଦ୍ୱିତୀୟ ଉପନ୍ୟାସ । ଇଂରେଜୀ ମାନଙ୍କ ଓଡିଶା ଅନୁପ୍ରବେଶ, ଓଡିଆ ମାନଙ୍କ ଜନଜୀବନରେ ପରିବର୍ତ୍ତନ, ନୂତନ ଇଂରାଜୀ ଶିକ୍ଷାର ଆଲୋକ ଫଳରେ ଓଡ଼ିଶାରେ ଇଂରାଜୀ ଶିକ୍ଷାଳୟ ପ୍ରତିଷ୍ଠା ଓ ସରକାରୀ ଚାକିରି ପାଇଁ ଇଂରାଜୀ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ ହେବାରୁ ପଲ୍ଲୀର ଛାଡି ସହରରେ ସପରିବାର ବାସ କରିବା ସହ ସେଠାରେ ଠକାମି ଓ ଜୁଆଚୋରିର ପ୍ରଶୟ ନେଇ ପରିବାରକୁ ସମ୍ଭ୍ରାନ୍ତ ଓ ବିଭବବନ୍ତ କରି ଗଢି ତୋଳିବାର ସ୍ୱପ୍ନ ତାହାର ଏକ ନିଚ୍ଛକ ଉଦାହରଣ ହୋଇପାରେ ‘ ମାମୁଁ ‘ ଉପନ୍ୟାସ । ଏଥିରେ ମୋହରିର ଦାଶରଥି ଦାସ ଓ ତାଙ୍କ ପୁଅ ନାଜର ନଟବର ଦାସଙ୍କୁ ପ୍ରତୀକ ରୂପେ ନିଆଯାଇଛି । ପୁନଶ୍ଚ ମାମୁଁ ଉପନ୍ୟାସରେ ରାଘବ ମହାନ୍ତି ବା ପ୍ରଭୁ ଦୟାଲ ଯାହା କରିଛନ୍ତି ତାହା ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ କୁହାଯିବ । ଉପନ୍ୟାସିକ ଫକୀରମୋହନଙ୍କ ‘ ଛମାଣ ଆଠଗୁଣ୍ଠ ‘ ଶାନ୍ତ – ସାରଲ୍ୟ – ପୂର୍ଣ୍ଣ ସୟତାନର ଚିତ୍ର ଦେବାଭଳି ମାମୁଁ ଉପନ୍ୟାସରେ ସହର ଗୁଡିକରେ ସେମାନଙ୍କର ଅର୍ଥାତ ସୟତାନ ମାନଙ୍କ ଆସ୍ଥାନ ଓ ପ୍ରତ୍ତିପତ୍ତି କିଭଳି ପ୍ରଚଣ୍ଡ ରୂପ ଧାରଣ କରିଛି , ତାହାର ବାସ୍ତବ ରୂପ ଅଙ୍କନ କରିଛନ୍ତି ।

ଫକୀରମୋହନଙ୍କ ଅନ୍ୟତମ ଐତିହାସିକ ଉପନ୍ୟାସ ‘ଲଛମା’ । ଏଥିରେ ଓଡ଼ିଶାର ସମାଜଜୀବନର ଚଳଣୀ , ସଂସ୍କୃତି ଓ ଆଚାର ପ୍ରଭୃତି ଅତି ଜୀବନ୍ତ ରୂପେ ରୂପାୟିତ । ମୋଗଲ ଶାସନର ଅପାରଗତା ଓ ମରହଟ୍ଟାବର୍ଗୀ ମାନଙ୍କ ଲୁଣ୍ଠନ ତଥା ଉତ୍କଳର ରାଜନୈତିକ ତଥା ଐତିହାସିକ ପରିସ୍ଥିତିର ଏକ ନିଖୁଣ ଚିତ୍ର , ବ୍ରିଟିଶ ଶାସନର ପ୍ରାକ୍-କାଳରେ ଉତ୍କଳ ଇତିହାସର ଏକ ହୃଦୟ ବିଦାରକ ଅଧ୍ୟାୟ । ଆଲିବର୍ଦ୍ଦିଙ୍କ ରାଜଧାନୀ ମୁର୍ଶିଦାବାଦ ଏକପାଖିଆ ବହୁଦୂରରେ ରହୁଥିବାରୁ ବର୍ଗୀମାନେ ସହଜରେ ଅତ୍ୟାଚାର କରିପାରୁଥିଲେ । ‘ ଲଛମା ‘ ଅଷ୍ଟାଦଶ ଶତାବ୍ଦୀର ଶେଷ କରଣାର୍ଦ୍ଧରେ ଓଡ଼ିଶା ଅରାଜକତା ପରିସ୍ଥିତିର ବାହକ । ଏହା କେବେ ଲଛମା-ବାଦଲ ସିଂହ ଜୀବନର ଇତିବୃତ୍ତ ନୁହେଁ , ବରଂ ଓଡିଆ ସାମନ୍ତବାଦୀ ସଭ୍ୟତାର ବିଲୋପର ଇତିହାସ କୁହାଯାଇପାରେ ।

‘ ପ୍ରାୟଶ୍ଚିତ ‘ ସ୍ରଷ୍ଟା ପୁରୁଷଙ୍କ ଶେଷ ଉପନ୍ୟାସ । ଯେତେବେଳେ ଓଡିଶା ପ୍ରଗତି ପଥରେ, ସେତେବେଳେ ଓଡିଆ ତରୁଣ ମାନଙ୍କ କଟକ ଓ କଲିକତାରେ ନୂତନ ଶିକ୍ଷା ପାଇ କନ୍ୟା ପସନ୍ଦ କରିବାର ରୁଚି, ମଦ୍ୟପାନ ଓ ନାସ୍ତିକ ହେବାର ବାସ୍ତବ ଚିତ୍ର ଉତ୍ତୋଳନ କରିଛନ୍ତି । ସାମାଜିକ କୁସଂସ୍କାର ଦୂରୀକରଣ ତଥା ଜାତି ଓ ଜାତୀୟ ସାହିତ୍ୟର ଉନ୍ନତି ନିମନ୍ତେ ଯେଉଁ ଶିକ୍ଷିତ ଶ୍ରେଣୀ ପ୍ରତିନିଧିତ୍ୱ କରୁଥିଲେ ଉପନ୍ୟାସର ସଦାନନ୍ଦ, କମଳଲୋଚନ, ରାଜୀବଲୋଚନ, ଜାତ୍ୟଭିମାନ ସର୍ବସ୍ବ ଲୋକ ପ୍ରତିନିଧି ଜମିଦାର ବୈଷ୍ଣବ ଚରଣ ପଟ୍ଟନାୟକ । ଉପନ୍ୟାସଟି ଗୋଟିଏ ଦିଗରେ ପ୍ରାଚୀନ ପନ୍ଥୀମାନଙ୍କ ମାରାତ୍ମକ ତୀବ୍ର ଜାତିଆଣ ଭାବ ଅନ୍ୟପକ୍ଷରେ ଆଧୁନିକ ତରୁଣ ମାନଙ୍କ ପାଶ୍ଚାତ୍ୟାନୁସରଣ ସମାଜ ଓ ପିତାମାତାଙ୍କ ବିପକ୍ଷରେ ଜୈବିକ ସ୍ୱାର୍ଥପାଇଁ ବିରୁଦ୍ଧାଚରଣ, ଏହାର ସାଂପ୍ରତିକତା ଏପର୍ଯ୍ୟନ୍ତ ଅମ୍ଳାନ ରହିଥିବା ଅସ୍ୱୀକାର କରିହେବନାହିଁ ।

ସ୍ୱଳ୍ପତା ଦୃଷ୍ଟିରୁ ଫକୀରମୋହନଙ୍କ ଉପନ୍ୟାସ ବିଗତ ଦୁଇଶହ ବର୍ଷ ତଳର ଐତିହାସିକ କଥା କହେ । ଆଜି ସୁଦ୍ଧା ପାଠକମାନଙ୍କ ନିକଟରେ ଚିର ନୂତନତ୍ୱ ଓ ଆବେଦନ ହରାଇ ନାହିଁ । ସାହିତ୍ୟିକଙ୍କ ନିମନ୍ତେ ନବ ଆକାଂକ୍ଷାର ଦ୍ୱାର ଉନ୍ମୁକ୍ତ ରଖିଥିବା ବେଳେ , ଜନସାଧାରଣଙ୍କୁ ସାହିତ୍ୟ ସଙ୍ଗେ ନିତ୍ୟ ସମ୍ବନ୍ଧ ଯୋଡି ଦେଇଛନ୍ତି । ଲୋକମାନେ ଯାହା କହୁଛନ୍ତି, ଯାହା ଭୋଗୁଛନ୍ତି, ଯେପରି ଅତ୍ୟାଚାର , ଲାଞ୍ଛିତ ହୋଇ ରହୁଛନ୍ତି, ସେସବୁ ନିଜର ଅଭାବନୀୟ ଶକ୍ତି, ଅନୁଭୂତି, ପ୍ରତିଭା ବଳରେ ଦର୍ଶାଇ ଫକୀରମୋହନ ଅମର ଲଭିଛନ୍ତି …!!!

ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ -୪
ଦୂରଭାଷ : ୯୪୩୭୭୪୦୨୮୦

Leave a Reply

Your email address will not be published. Required fields are marked *