କାହିଁ ସେହି ରଜ – ସଂଯୁକ୍ତା ରାଉତ
ଆଉ ଭିଜା ମାଟିର ବାସ୍ନା ସାଥେ
ରଜ ଆସୁଥିଲା ଖୁସିର ପସରା ନେଇ ୲୲
ମାମୁଁ ଧରି ଆସୁଥିଲେ ରଜ ଭାର
ଫଳ ମୂଳ ପିଠା ପଣାରେ
ପୁରୁଥିଲା ଘର ,
ଛୁଟୁଥିଲା ପ୍ରତି ଘରୁ ପୋଡ଼ପିଠାର ମହକ
ବାରିହୋଇ ପଡୁଥିଲା ସାରା ଗାଆଁରେ
ରଜର ନିଆରା ଝଲକ ୲୲
ଗାଆଁ ଶେଷେ ଆମ୍ବତୋଟାରେ
ଲାଗୁଥିଲା ରଜଦୋଳି
କୁଆଁରୀ ଓ ଭୁଆସୁଣୀ ସବୁ ସେଠି ମେଳି
ରଜ ଗୀତ ତାଳେ ତାଳେ
ଖେଳୁଥିଲେ ଦୋଳି ୲୲
ଅଳତା ସିନ୍ଦୂର ଆଉ ଅତର ଲଗାଇ
ନୂଆ ଜାମା ନୂଆ ଶାଢ଼ୀରେ
ହୁଅନ୍ତି ସଜେଇ
ଦୋଳିରେ ଝୁଲନ୍ତି , ଓଠକୁ
ଖିଲିପାନରେ ରଙ୍ଗେଇ ୲୲
ଚାଷ ବାସ ସବୁ ବନ୍ଦ ,
ଚାଷୀର ତ’ ଏହି ଛୁଟି
ମଜା ମଜଲିସ୍ ରେ
ଚାନ୍ଦିନୀରେ ଚାଲେ ଖଟି ୲୲
ଟୋକାଏ ଖେଳନ୍ତି ତାସ ଓ କବାଡ଼ି
ଖୁସିର ଲହରୀ ସତେ କିବା
ଆସିଯାଏ ସାରା ଗାଆଁଟାକୁ ମାଡ଼ି ୲୲

ଏବେ କିନ୍ତୁ ,
ଅଛି ସେହି ଗାଆଁ ,
ଅଛି ଆମ୍ବ ତୋଟା ,
ଅଛନ୍ତି କୁଆଁରୀ ଝିଅ ଭୁଆସୁଣୀ
ନାହିଁ ସେହି ରଜର ସରାଗ
ଲାଗୁନାହିଁ ଦୋଳି କିମ୍ବା
ଶୁଭୁନାହିଁ ରଜ ଗୀତ ୲୲
ପାର୍କ ରେ ଲାଗେ ଭିଡ଼ ,
ମାଳମାଳ ପୁଅ ଆଉ ଝିଅ
ହ୍ଵାଟ୍ସଆପ ଆଉ ଫେସବୁକରେ
ଛୁଟେ ଏବେ ଶୁଭେଚ୍ଛାର ସୁଅ
ପିଲା ଠାରୁ ବୁଢ଼ା ଏବେ
ସ୍କ୍ରିନଟଚ ମୋବାଇଲ ଧରିଲେଣି
ଗାଆଁ ଆଉ ଗାଆଁ ହୋଇ ନାହିଁ
ସେ ପରା ଏବେ ସହର ହେଲାଣି ୲୲
Writer’s Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jun 15, 2019

