ଘନଶ୍ୟାମ ହେ – ରମେଶ ଚନ୍ଦ୍ର ମିଶ୍ର
ଘନଶ୍ୟାମ ହେ !
ଘୁଞ୍ଚାଅ ମୋର ଆରତ
ଘଡି ଘଡି ଏ ଯେ ଉଚ୍ଛୁର ହେଉଛି
ଘୂରାଉଛି ମୋର ମାଥ । (୦)
ଘଟଣାବହୁଳ ଜୀବନରେ କେତେ
ପାପ ଅରଜିଛି ମୁହିଁ
ଘମଣ୍ଡ ମନରେ ଭୁଲିଅଛି ନାମ
ଦିନେ ତୁଣ୍ଡେ ଧରିନାହିଁ
ଘେନାକର ମୋର ଆକୁଳ ମିନତୀ
ତୁମେ ପରା ଦୟାବନ୍ତ । (୧)
ଘରଦ୍ବାର, ଜାୟା, ପୁତ୍ର, କନ୍ୟା ମାୟା
ପାଶରେ ହୋଇଲି ବନ୍ଧା
ଘାରିଲା ମନରେ ପର ଆପଣାର
ହିସାବରେ ହେଲି ଛନ୍ଦା
ଘୋଟକ ପରାଏ ଏ ମୋର ମନକୁ
ବାନ୍ଧି କର ଅନୁଗତ । (୨)
ଘାରିହୁଏ ଯେହ୍ନେ ତୁମରି ନାମକୁ
ମାୟାର ଦଉଡି କାଟ
ଘଟ ଛାଡି ପ୍ରାଣ ଗଲାବେଳେ ନାଥ
ହୃଦରେ ହୁଅ ପ୍ରକଟ
ଘୁଞ୍ଚାଇଦିଅ ହେ ଯମ ଯନ୍ତ୍ରଣା
ବଢାଇ ଅଭୟ ହାତ । (୩)
Writer’s Details: ରମେଶ ଚନ୍ଦ୍ର ମିଶ୍ର
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jun 11, 2019

