ଦୁଃଖୀ ଜୀବନ – ନରେନ୍ଦ୍ର ପ୍ରସାଦ ବେହେରା
ମୋ ଜୀବନ ଅଟେ ଲୋତକରେ ଭରା
କହିବି କାହାକୁ ଶୁଣିବ କିଏ ?
ଜନମ ଦେଲୁତୁ କରମ ଦେଲୁନି
ଦେଲୁନି ଜୀବନେ ସୁଖ ଟିକିଏ !
କେତେ ଆଶା ନେଇ ଜନମ ଦେଲୁ ତୁ
ସୁଖେ କାଟିବାକୁ ଦିନଲୋ ବୋଉ
ଆଶା ଆଜି ତୋର ଆଶାରେ ରହିଲା
ପାରୁନି ସମ୍ଭାଳି ମୁଁ ଆଜି ଆଉ ।
ପତ୍ନୀ ବୋଲି ଯାର ହାତ ଧରାଇଲୁ
ସେ ଆଜି ସାଜିଲା ତୋର ଭଗାରୀ
ମାଆ ମାଆ ବୋଲି ଯେତେ ମୁଁ ଡାକୁଛି
ପଛରୁ ଗୋଡକୁ ଟାଣୁଛି ଧରି ।
ମାଆ ହେଲା ତୋର ମୁଁ ନୁହେଁ ନିଜର
କାହିଁକି ଆଣିଛୁ ଧରି ମୋ ଘରୁ
କଥା ଦେଇଥିଲୁ ସାତଜନମକୁ
ହେବୁନି କେବେ ତୁ ମୋଠାରେ ଭୀରୁ ।
ଜଣାପଡିଲା ତୋ ମରଦ ପଣିଆ
ଭାବିଛୁ ମୋତେ ତୋ ଘରକୁଣିଆ
ମୋ କଥାରେ ଯଦି ନ ହେବୁ ରାଜିଲୋ
ଦେଖିବୁନି କେବେ ସାରା ଦୁନିଆଁ ।
ଚୁଟି ଧରି ନେବି ଘୋଷାରି ଘୋଷାରି
ଦେଖାଇ ଦେବି ମୁଁ କୋର୍ଟ କଚେରୀ
ଯେବେ ନ ଛାଡିବୁ ମାଆର ମମତା
ପିଠିରୁ ଦେବି ତୋ ଛାଲ ଉତାରି ।
ମୋ ଉଦ୍ଧତ ପଣିଆ ଜଣା ନାହିଁ ତୋତେ
ଚାହିଁଲେ ସାଜିବି ଆଜି ଭଗାରୀ
ନ ସାଜିବି ଯେବେ ତୋ ସଙ୍ଗେ ବଇରୀ
ଉଠିଯାଉ ଆଜି (ଏ) ଘରୁ ସବାରୀ ।
ମୋ ଜୀବନ ଦୁଃଖ ଶୁଣୁଛୁଲୋ ବୋଉ
ସାହା ତୋତେ ଆଉ ହୋଇବ କିଏ ?
ଶୁଣିଲୁ କାହାଣୀ ବଢିଲା ତୋ ଦୁଃଖ
ପୁତ୍ର ଜନମର ସୁଖ ତ ଇଏ ।।
କହିବି କାହାକୁ ଶୁଣିବ କିଏ….
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର
ଆଳଦା, ଖଇରା, ବାଲେଶ୍ବର
