ବ୍ରେକ – ରବିନ୍ ଖଣ୍ଡାୟତରାୟ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଅହରହ ଚଳଚଞ୍ଚଳ ବିଶ୍ଵମାନବର ବ୍ଯସ୍ତ, ବିବ୍ରତ କାର୍ଯ୍ଯଧାରାକୁ ଆଜି ସାମୟିକ ଭାବରେ ‘ବ୍ରେକ’ ଲଗାଇଦେଇଛି ‘କରୋନା’ ଜନିତ ଲକଡାଉନ। ଆମ ଦେଶ ସହିତ ପ୍ରାୟ ୨୦୦ରୁ ଉର୍ଦ୍ଧ ଦେଶରେ ଏହି ପରିସ୍ଥିତି। କେବଳ ଅତ୍ଯାବଶ୍ଯକ ସେବାକୁ ବାଦ୍ ଦେଇ ଅନ୍ଯ ସବୁ ସେବା କ୍ଷେତ୍ର ଠପ୍ ହୋଇଯାଇଛି। ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବା ସହିତ ରାଜରାସ୍ତା, ହାଟଘାଟ ଜନଶୂନ୍ଯ ହୋଇପଡିଛି। ସମୟଚକ୍ର ପୂର୍ବବତ ଘୁରି ଚାଲିଛି କିନ୍ତୁ କର୍ମ ଚକ୍ରରେ ସାମୟିକ ବ୍ରେକ୍ ଆମ ଜୀବନରେ କି ପରିବର୍ତ୍ତନ ଆଣିଛି ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି।
ଯେପରି ଗାଡିଟିଏ ତିଆରି ହେବା ସହିତ ନିର୍ମାତା ତା’ ସାଙ୍ଗରେ ‘ବ୍ରେକ’ ଦେଇଥାନ୍ତି, ତାହକୁ ନିୟନ୍ତ୍ରଣ କରିବା ପାଇଁ ; ସେହିପରି ମଣିଷ  ଜୀବନ ସହିତ ସ୍ରଷ୍ଟା ‘ବ୍ରେକ ଭାବରେ ‘ବିବେକ’ ଟିଏ ଦେଇଛନ୍ତି, ଯିଏ ତା ଜୀବନକୁ ନିୟନ୍ତ୍ରଣ କରିବ। କିନ୍ତୁ ଅତ୍ଯଧିକ ଚାପ ପ୍ରୟୋଗ ଦ୍ଵାରା ବ୍ରେକ୍ ଫେଲ୍ ହୋଇ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେବା ପରି ; ବିବେକ ବୋଲକୁ ବାରମ୍ବାର ଉଲଙ୍ଘନ କରୁଥିବା ମଣିଷଟିର ଜୀବନ ଦୁର୍ଦ୍ଦଶାଗ୍ରସ୍ତ ହୋଇଯାଏ। ଆଜି ସେମିତି ସମୟ ବୋଧେ ମଣିଷ ସମାଜ ପାଇଁ ପହଞ୍ଚିଯାଇଛି, ଯୋଉଥିପାଇଁ ପ୍ରକୃତି ମାତା, ତା’ର ମାନବ ସନ୍ତାନ ମାନଙ୍କୁ ଘରେ ରଖି ସାମୟିକ ବିଶ୍ରାମ ଦେବା ଉଦ୍ଧେଶ୍ୟରେ ତାଙ୍କ ଧାଁ ଧପଡ କାର୍ଯ୍ଯଧାରାରେ ଏମିତି ବ୍ରେକ୍ ଲଗାଇଦେଇଛି। ଯାହାପାଇଁ ସଂଯମତା ଓ ତ୍ଯାଗ ଆଧାରରେ ପରିବେଶ ଅନୁକୂଳ ଜୀବନ ବିତାଉଛେ। ଆଜି ହସୁଛି ପ୍ରକୃତି, ଖୁସିରେ ରହିଛନ୍ତି ଜୀବଜନ୍ତୁ। ଆଉ ସବୁଠାରୁ ବଡ କଥା ହେଲା ସାମାଜିକ ହିଂସା, ପ୍ରତିହିଂସା, ଦଂଗା, ହଂଗାମା ଆଉ ପରିବେଶ ପ୍ରଦୂଷଣ ଆନେକ ମାତ୍ରାରେ କମିଯାଇଛି।
ଆଜି ସକାଳ ସଞ୍ଜରେ ଫାଷ୍ଟଫୁଡ ଜଳଖିଆ ଦୋକାନ ଖୋଲୁନି, ତଥାପି ଆମେ ଘରର ଚୁଡା, ମୁଢି, ରୁଟି, ପରଟା, ପିଠା, ଉପମା  ଖାଉଛେ। ଏବେ ଆଉ ଆମ ଘରକୁ ବାହାରୁ ଆସୁଥିବା ବାସି ଫୁଲ କିଣାହୋଇ ଆସୁନାହିଁ। ଯାହା ଫୁଲ ବାଡିରେ ଫୁଟୁଛି ସେତିକିରେ ଠାକୁର ପୂଜା ହେଉଛନ୍ତି। ପିଲାଏ ଆଉ କେହି ମେଳି ମେଳି ହୋଇ ଗାଡି ଧରି ଅଯଥାରେ ବୁଲାବୁଲି କରୁନାହାଁନ୍ତି। ଏବେ ଖୀର ପରିବା ତଥା ସଉଦା କିଣିବା ପାଇଁ ଆଉ କେହି ଗାଡି ଧରି ଯାଉନାହାଁନ୍ତି କି ରାସ୍ତାକଡରେ ଠିଆ ହୋଇ ପାନ ପିକ କାଢୁନାହାଁନ୍ତି, କି ସିଗାରେଟ ଧୂଆଁ ଛାଡୁନାହାଁନ୍ତି। ସଚେତନତା ହେଉ ଅଥବା ସରକାରୀ କଟକଣା, ଯୋଉ ଛାଟ; ପାଇଁ ଆମ ସହିତ ଆମ ପରିବେଶର ମଙ୍ଗଳ ସାଧନ ହୋଇପାରୁଛି, ତାହା କେବଳ ଲକ୍ ଡାଉନ ନୁହେଁ ବରଂ ସବୁ ସମୟ ସମସ୍ତଙ୍କ ପାଇଁ ହିତକାରି ହୋଇପାରିବ ।
ଶେଷକଥା; ସରକାରଙ୍କର ସମୟୋଚିତ ପଦକ୍ଷେପ ତଥା ସଚେତନତା, ସାବଧାନତା ଏବଂ ପଦକ୍ଷେପ ପାଇଁ  ‘କରୋନା’ ହାରିବ ଆଉ ଭାରତ ଜିତିବ। ତେବେ ଏହି ବ୍ରେକ୍ ସମୟର ଆମ ଚିନ୍ତାଧାରା ଯଦି  ସବୁଦିନ କର୍ମରେ ଲାଗି ରହିଗଲା, ତାହାର ପ୍ରଭାବରୃ  ଆମ ଜୀବନ ସୁଖମୟ ହୋଇପାରିବ।

ରବିନ୍ ଖଣ୍ଡାୟତରାୟ
ପୁରୁଣାଗଡ, ଜଗତସିଂହପୁର
ମୋ- 9776692207


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ