ଚିର ବାଞ୍ଛିତ – ରମେଶ ଚନ୍ଦ୍ର ମିଶ୍ର
ଚିର ବାଞ୍ଛିତ ଚିର ପ୍ରତୀକ୍ଷିତ
ଚିର ଆନନ୍ଦମୟ ହେ
ଚଉଦ ଭୁବନ ନାଥ ଏ ଅନାଥେ
ଦୁଇ କରେ ତୋଳି ନିଅ ହେ । (୦)
ଚଞ୍ଚଳ ମୋର ଚେତା ଚଇତନ
ଚଳତାରା ପରି ଘୂରେ ଅନୁକ୍ଷଣ
ଚୁମ୍ବକ ହୋଇ ମୋ ମନ-ଲୁହାକୁ
ତୁମ ପାଶେ ଟାଣିନିଅ ହେ । (୧)
ଚାଳକ ତୁମେ ମୋ ମାନସ-ରଥର
ଚାବୁକେ ପାଞ୍ଚଙ୍କୁ ଶାସନ ତ କର
ଚରମ ବେଳ ମୋ ହେଲା ଉପଗତ
ଚରଣେ ଶରଣ ଦିଅ ହେ । (୨)
ଚାତକ ପରିକା କରୁଣାର ଜଳ
ଚାହିଁ ମୁଁ ବସିଛି କରୁଣା ସାଗର
ଚଳେ ମାତ୍ର ଦେଇ ତୃଷା ମୋ ମେଣ୍ଟାଅ
ଚିଦାନନ୍ଦ ପ୍ରାଣେ ଦିଅ ହେ । (୩)
Writer’s Details: ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା ଅନୁଗୋଳ
Content Category:
Submission Date: Jun 11, 2019
