ପ୍ରବନ୍ଧ – ଜାତି ପରିତ୍ରାଣ ସନ୍ଥ ଅଚ୍ୟୁତ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ରଚିତ “ସାମାଜିକ ସ୍ତରରେ ଜାତି ଉତ୍ପତ୍ତି” ଶୀର୍ଷକ ପ୍ରବନ୍ଧଟି ବହୁ ପାଠକ ପଢିବା ପରେ ବ୍ୟକ୍ତିଗତ ଅନୁରୋଧରେ ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ସଂପର୍କରେ ଜାଣିବାର ଉତ୍ସାହ ପ୍ରକାଶ କରିଛନ୍ତି । କହିରଖେ ଷୋଡଶ ଶତାବ୍ଦୀର ଯୁଗ ଜନ୍ମା ଯୁଗ ପୁରୁଷ ପଞ୍ଚସଖାଙ୍କ ମଧ୍ୟରୁ ସନ୍ଥ ଅଚ୍ୟୁତାନନ୍ଦଙ୍କ ସଂପର୍କରେ ସାହିତ୍ୟିକ କି ଆଧ୍ୟାତ୍ମିକ ଭାବନା ନେଇ ଗତ ଆଲୋଚ୍ୟ ପ୍ରବନ୍ଧର କୌଣସି ଅସଲ ଉଦ୍ଦେଶ୍ୟ ନଥିଲା । ପ୍ରବନ୍ଧଟି ଥିଲା ସାମାଜିକ ଜାତିପ୍ରଥାକୁ ଭିତ୍ତି କରି । ସେ ଯାହାହେଉ ପ୍ରବନ୍ଧଟି ବହୁଳ ଭାବରେ ଜନସମର୍ଥନ ଲାଭ କରିଛି କେବଳ ନୁହେଁ , ପ୍ରଭାବ ପକାଇ ପାରିଛି ବେଶ୍ ଆନନ୍ଦର କଥା । ଜାତି ନା ପୁଚ୍ଛ ‘ ମୋତେ ଜାତି ପଚାର ନାହିଁ , ମୁଁ ମଣିଷ , ମଣିଷ ଏକ । ଏହା ଛଡା ଆଉ କିଛି ପରିଚୟ ନାହିଁ । ଏଭଳି ପରିବର୍ତ୍ତନର ଭାବ ସମସ୍ତଙ୍କ ମନକୁ ସ୍ପର୍ଶ କରିଛି ତାହା ସ୍ୱାଗତନୀୟ ..!!

ଶୁଣାଯାଏ ସନ୍ଥ ଅଚ୍ୟୁତ ଥିଲେ ଶତାୟୁ ପୁରୁଷ । ନୂତନ ଆବିଷ୍କାର ନିମନ୍ତେ ଯୁକ୍ତିର ଆବିଷ୍କାର ଥାଇପାରେ , କିନ୍ତୁ ସତ୍ୟର କଣ୍ଠାରୋଧ ପାଇଁ ମୂଲ୍ୟହୀନ ଅଦରକାରୀ ଯୁକ୍ତିର ଆବଶ୍ୟକ ଗ୍ରହଣୀୟ ନୁହେଁ । ଯୁକ୍ତି ନୁହେଁ ଷୋଡଶ ଶତାବ୍ଦୀରେ ଯଶ ଲାଭ କରିଥିବା ଅଗଣି , ଅଚ୍ୟୁତ , ଅଚ୍ୟୁତାନନ୍ଦ , କ୍ଷତ୍ରିୟ ଅଚ୍ୟୁତ , ଶୂଦ୍ର ଅଚ୍ୟୁତ , କରଣ କୁଳେ ଜାତ ଅଚ୍ୟୁତ , କୈବର୍ତ୍ତ ଅଚ୍ୟୁତ , ଗୋପାଳ ଅଚ୍ୟୁତ ବା ଦାସ ଅଚ୍ୟୁତ ସେ ଏକ ଓ ଅଭିନ୍ନ । ନିଜ କର୍ମାନୁଯାୟୀ ସେ ନିଜ ପରିଚୟ ଦେଇଛନ୍ତି । ଖୁବ ସମ୍ଭବତଃ ସେ ଓଡିଶା ଇତିହାସର ବିପର୍ଯ୍ୟୟ ଓ ଦୁର୍ଦ୍ଦିନକୁ ନିଜ ଜୀବଦ୍ଦଶାରେ ଅତି ନିକଟରୁ ଦେଖି ପାରିଥିଲେ । ତତ୍କାଳୀନ ମୋଗଲ ଓ ମୁସଲମାନମାନଙ୍କ ଅତ୍ୟାଚାର ଓ ଲୁଣ୍ଠନକୁ ଅଙ୍ଗେ ନିଭେଇଥିଲେ । କଳାପାହାଡ଼ର ନୃଶଂସ ସଂହାରଲୀଳାର ସେ ଥିଲେ ପ୍ରତ୍ୟକ୍ଷଦର୍ଶୀ । ଜଗନ୍ନାଥ ମହାପ୍ରଭୁଙ୍କୁ ଅଗ୍ନିସଂଯୁକ୍ତ କରି ବିଜାତୀୟଙ୍କ ଦ୍ଵାରା ହୀନସ୍ଥା ଭୋଗ କରିବାର ହୃଦୟ ବିଦାରକ ଘଟଣାକୁ ଅବଲୋକନ କରି ମର୍ମାହତ ହୋଇଥିଲେ । ଜାତୀୟ ବିପର୍ଯ୍ୟୟର ପ୍ରାରମ୍ଭିକ ଦୁର୍ଦ୍ଦିନକୁ ବଳରାମ ଦାସ ଓ ଜଗନ୍ନାଥ ଦାସ ପ୍ରତ୍ୟକ୍ଷ କରିଥିବା ବେଳେ ଅଚ୍ୟୁତାନନ୍ଦ ଦାସ ନିଜ ଜୀବଦ୍ଦଶାରେ ଦୀର୍ଘକାଳୀନ ଦାରୁଣ ଦୁର୍ଦ୍ଦଶା – ନିପୀଡିତକୁ ଭୋଗ କରିଥିଲେ । ଗଜପତି ପ୍ରତାପରୁଦ୍ରଙ୍କ ଠାରୁ ଆରମ୍ଭ କରି ଭୋଇବଂଶର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ଏକକାଳୀନ ସାତଜଣ ଅସହାୟ ଦୁର୍ବଳ ରାଜାଙ୍କ ବିଡମ୍ବିତ ଦୁଃଖଦ ଶାସନ ଇତିବୃତ୍ତ ଘଟଣା ବହୁଳ ଗ୍ଳାନିକୁ ଅବଲୋକନ କରି ବ୍ୟଥିତ ହୋଇପଡିଥିଲେ । ଇତିହାସର ଏଭଳି ବିଡମ୍ବିତ ମୁହୂର୍ତ୍ତର ତିକ୍ତ ଅନୁଭୂତି ତାଙ୍କୁ ବିମର୍ଷ ଓ କାକୁସ୍ଥ କେବଳ କରିନଥିଲା , କରିଦେଇଥିଲା ଭାଗ୍ୟବାଦୀ । ଫଳତଃ ତାଙ୍କର ସାଧନା ଥିଲା ଶୂନ୍ୟବାଦୀ । ଆଧ୍ୟାତ୍ମିକ ଶୂନ୍ୟତା ତାଙ୍କ ସାହିତ୍ୟକୁ ଆଚ୍ଛାଦିତ କରିଥିଲା ।

ଧର୍ମ ଜଗତରେ ଯେତେବେଳେ ପ୍ରତାରଣା ଓ ଛଳନା ପ୍ରଧାନ ରୂପ ନେଇଥିଲା , ସେତିକି ବେଳେ ପବିତ୍ର ଜଗନ୍ନାଥ ଧାମରେ ମାନବିକ ଭାବାଦର୍ଶ ଓ ବ୍ରହ୍ମ ଚେତନାର ପୁନଃ ପ୍ରତିଷ୍ଠା ନିମନ୍ତେ ପଞ୍ଚସଖାଙ୍କ ଆବିର୍ଭାବ କହିଲେ ଅତ୍ୟୁକ୍ତି ହେବନାହିଁ । ଜଗନ୍ନାଥ ଦାସଙ୍କ ଭାଗବତ , ବଳରାମ ଦାସଙ୍କ ରାମାୟଣ ଓ ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ଉତ୍କଳୀୟ ଜନମାନସରେ ଧର୍ମାଦର୍ଶର ଆବେଗ – ପ୍ରବଣତାରେ ଶୁଦ୍ଧ-ପୂତ ଜୀବନ ଯାପନ ନିମନ୍ତେ ଅଭିଭୂତ ଥିଲା । ବିଶେଷ ଭାବେ ଏମାନଙ୍କ ସୃଷ୍ଟି ସଂପଦ ସାହିତ୍ୟିକ ମର୍ଯ୍ୟାଦା ଅପେକ୍ଷା ଧାର୍ମିକ ଭାବନା ତଥା ସମାଜ ସୁଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସହାୟକ ହୋଇଥିଲା । ଜାତି- ଧର୍ମ – ବର୍ଣ୍ଣର ବିଚାର ପରିହାର କରି ଶୂଦ୍ରତ୍ୱ ଗ୍ରହଣ କରିବା ଦାସ ନାମରେ ନିଜକୁ ପରିଚିତ କରାଇବାର ଦର୍ପିତ ଆହ୍ୱାନ ଓ ଦଳିତ , ନିଷ୍ପେସିତ , ଅବହେଳିତ , ଲାଞ୍ଛିତ ମାନବ ସଂପ୍ରଦାୟର ତ୍ରାଣକର୍ତ୍ତା ପାଲଟି ଯିବାର ପ୍ରୟାସ ବୋଧହୁଏ ଏକ ଯୁଗ ବାର୍ତ୍ତାର ଆହ୍ୱାନ ଥିଲା । ପଞ୍ଚସଖା ସକଳେ ଥିଲେ ଜଗନ୍ନାଥ କୈନ୍ଦ୍ରିକ । ଜଗନ୍ନାଥଙ୍କ ପୁଣ୍ୟଧାମ ଶ୍ରୀକ୍ଷେତ୍ର ହେଉଛି ମର୍ତ୍ତ୍ୟ ବୈକୁଣ୍ଠ । ଜଗନ୍ନାଥଙ୍କୁ ଏମାନେ ଆରାଧ୍ୟ ଦେବତା ଭାବରେ ନୁହନ୍ତି , ସେ କେବଳ ଶୂନ୍ୟ ବ୍ରହ୍ମା , ନିରାକାର , ଅଚ୍ୟୁତ , ସଗୁଣ – ନିର୍ଗୁଣ ଭାବରେ ଗ୍ରହଣ କରିଥିଲେ । ଶ୍ରୀମନ୍ଦିରର ବାଇଶି ପାହାଚ ଜୀବ-ମୁକ୍ତିର ଉତ୍ତରରଣ ସୋପାନ । ବାଇଶି ପାହାଚରେ ଥରେ ବଡ ଦେଉଳର ପତିତପାବନକୁ ଚାହିଁ ଦେଲେ ମହାମୁକ୍ତି ମିଳେ । ସନ୍ଥ ଅଚ୍ୟୁତାନନ୍ଦ ଥିଲେ ସେହି ଜଗନ୍ନାଥ ସମର୍ପିତ ପରମ ଭକ୍ତ । ନିଜର ଆତ୍ମ ପରିଚୟ ଦେବାକୁ ଯାଇ ‘ ବର୍ଣ୍ଣ ସଂହିତା ‘ରେ ନିଜ ବଂଶର ବୃତ୍ତାନ୍ତ ସଂପର୍କରେ ଉଲ୍ଲେଖ କରିଛନ୍ତି – ” ମୋହ ପିତାମହ ସେ ଗୋପୀନାଥ / ମହାନ୍ତି ତାହାଙ୍କ ଅଟେ ଉପାଧିତ । ଶ୍ରୀକ୍ଷେତ୍ରେ ଛାମୁକରଣ ସେ ଥିଲେ / ଛାମୁ ଆଜ୍ଞାରେ ସେ ଦିନ କାଟିଲେ । ତାଙ୍କ ପୁତ୍ର ମୋହ ପିତା ଅଟନ୍ତି / ଶ୍ରୀକ୍ଷେତ୍ରେ ଖୁଣ୍ଟିଆ କାମ କରନ୍ତି । ପ୍ରତାପ ନୃପତି ସନ୍ତୋଷ ହୋନ୍ତେ / ଖୁଣ୍ଟିଆ ପଦ ଦିଲେ ମୋହ ତାତେ । ତହୁଁ ଦୀନବନ୍ଧୁ ଖୁଣ୍ଟିଆ ହେଲେ / ନୀଳାଚଳରେ ଯେ ସେବା ଖଟିଲେ । ”

ସନ୍ଥ ଅଚ୍ୟୁତ କ୍ଷତ୍ରିୟ ଗୋପୀନାଥଙ୍କ ନାତି , ଯେ ଥିଲେ ଗଜପତି ମହାରାଜାଙ୍କ ଛାମୁକରଣ । ପିତାମହଙ୍କ ପାଇଁ ସେ କ୍ଷତ୍ରିୟ । କିନ୍ତୁ ପିତା ଦୀନବନ୍ଧୁ ଥିଲେ ଖୁଣ୍ଟିଆ ଓ ସେ ମହାରାଜାଙ୍କ କରଣକର୍ମ କରୁଥିବାରୁ ସନ୍ଥ ଅଚ୍ୟୁତ କରଣ ପୁତ୍ର ରୂପେ ପରିଚିତ ଥିଲେ । କିନ୍ତୁ ନିଜକୁ କ୍ଷତ୍ରିୟ ବା କରଣ ନକହି ସେ ସ୍ୱଚ୍ଛାକୃତ ଭାବରେ ନିଜକୁ ଶୂଦ୍ର ରୂପେ ପରିଚୟ ଦେଉଥିଲେ । ନିଜ ସଂପର୍କରେ ତାଙ୍କ ‘ ବର୍ଣ୍ଣ ସଂହିତା ‘ ରେ ଲେଖିଛନ୍ତି – ” ନାହିଁ ମୋହର ବିପ୍ର ବର୍ଣ୍ଣେ ଆଶା / କ୍ଷତ୍ରିୟ ବଂଶରେ ନାହିଁ ଭରସା । ସାନ ହେଲେ ମନ ସରୁଆ ହୋଅଇ / ତହୁଁ ଅଚ୍ୟୁତ ଯେ ଶୂଦ୍ର ବୋଲାଇ । ଶୂଦ୍ର ବର୍ଣ୍ଣରେ ସେବା ପ୍ରାପ୍ତ ହୋୟେ / ଅହଂକାର ନାହିଁ ଶୂଦ୍ରର ଦେହେ ।” ଜୀବନର ସର୍ବଶେଷ ବାସ୍ତବତା କେତେ ସତ୍ୟ ବା ଅସତ୍ୟ ତା ‘ ସତ୍ତ୍ୱେ ଏକ ଦୃଢ ବିଶ୍ୱାସର ବୀଜଟିଏ ରୋପଣ କରିଥିଲେ । ଶୃଙ୍ଖଳାହୀନ ସମାଜକୁ ସଜାଡି ନେବାର ଆଭିମୁଖ୍ୟ ନେଇ ତାଙ୍କର ଲେଖନୀ ଥିଲା ଅଜସ୍ରସ୍ରାବୀ । ଶୂନ୍ୟ ସଂହିତା , ଅଣାକାର ସଂହିତା , ବ୍ରହ୍ମ ସଂହିତା , ଶବ୍ଦବ୍ରହ୍ମ ସଂହିତା , ବଟ ସଂହିତା , ଜ୍ୟୋତି ସଂହିତା , ପଦ୍ମ ସଂହିତା , ଭକ୍ତି ସଂହିତା ଭଳି ଅନେକ ଆଧ୍ୟାତ୍ମ ଚେତନା ଓ ଶୂନ୍ୟବାଦ ସମ୍ବଳିତ ଗ୍ରନ୍ଥ ସହିତ ‘ ଭବିଷ୍ୟତ ‘ ର କଳ୍ପିତ ସମ୍ଭାବନା ରୂପ ‘ ସାରସ୍ୱତ ମାଳିକା ‘ ଓ ସାତଖଣ୍ତିଆ ହରିବଂଶ ସହ ଗୋପାଳ ଓଗାଳ ହେଉଛି ତାଙ୍କ ସୃଷ୍ଟିର ଗନ୍ତାଘର ।

ପିତାମହ ଗୋପୀନାଥଙ୍କ ପରି ବା ପିତା ଦୀନବନ୍ଧୁଙ୍କ ପରି ସମ ପରିମାଣରେ ରାଜକୃପା ଲାଭ କରିବା ତାଙ୍କ ପାଇଁ କଷ୍ଟକର ଥିଲା । ଦାରିଦ୍ର୍ୟ ଅନଟନ ଭିତରେ କାଳ କାଟୁଥିବା ସନ୍ଥ ଅଚ୍ୟୁତ ବହୁ ବିଳମ୍ବରେ ରାଜା ପ୍ରତାପରୁଦ୍ରଙ୍କ କୃପା ଲାଭ କରିଥିଲେ । ନିଜର ଦାରିଦ୍ର୍ୟ ସଂପର୍କରେ ‘ ଶୂନ୍ୟ ସଂହିତା ‘ରେ ଦର୍ଶାଇଛନ୍ତି – ” ତିଳକଣାରେ ମୁଂ ଜନମ ଲଭିଲି କେହି ନ ଚିହ୍ନିରେ ମୋରେ / ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।” ସନ୍ଥ ଅଚ୍ୟୁତ ସଂସାର ତ୍ୟାଗି ନୁହନ୍ତି । ନିଜର ନମ୍ରତା ହେତୁ ନିଜକୁ ଦୀନ ଅଚ୍ୟୁତ ପରିଚୟ ଦେଇଥିଲେ ମଧ୍ୟ ରାଜପରିବାରରେ ବିବାହ କରିଥିଲେ । ଦାରିଦ୍ର୍ୟ ନିପୀଡିତ ସନ୍ଥ ଅଚ୍ୟୁତ ପରିବାର ହେଲେ ରାଜକୀୟ ସମ୍ମାନର ଅଧିକାରୀ । ବିଶେଷକରି ଅଢଙ୍ଗ ରାଜବଂଶର ବ୍ୟକ୍ତିଗଣ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବାରୁ ସିଦ୍ଧ ସନ୍ଥ ସଂସାରବିରାଗୀ ବୈଷ୍ଣବ ଅଚ୍ୟୁତାନନ୍ଦଙ୍କୁ ସଂସାରୀ ହେବାକୁ ପ୍ରବର୍ତ୍ତାଇଥିଲେ । ‘ ଯୁଗାବ୍ ଧ୍ ଗୀତା ‘ ରେ ସେ ଉଲ୍ଲେଖ କରି କହିଛନ୍ତି – ” ଅଢଙ୍ଗ ବୀଶେ ଭୂପତିର ଝିଅ / ମୋତେ ସମର୍ପିଲା ଅତି ସିନେହ ।”

ଶ୍ରୀକ୍ଷେତ୍ର ଧାମର ଜାତି – ବର୍ଣ୍ଣହୀନ ଧାର୍ମିକ ସମାଜର ଆତ୍ମିକ ବୈଶିଷ୍ଟ୍ୟ ସନ୍ଥ ଅଚ୍ୟୁତାନନ୍ଦଙ୍କୁ ଅଧିକ ଅନୁପ୍ରାଣିତ କରି ପାରିଥିଲା । ଶ୍ରୀକ୍ଷେତ୍ର ସହିତ ଜଡିତ ହୋଇ ନିଜ ରଚନାବଳୀରେ ଜଗନ୍ନାଥ ଚେତନାକୁ ଅଙ୍ଗୀଭୂତ କରିଥିଲେ । ପିଣ୍ଡ – ବ୍ରହ୍ମାଣ୍ଡର ଉଷର କ୍ଷେତ୍ରରେ ରାଗାନୁଗାର କୋମଳ ଚାରା ରୋପଣ କରୁଥିବା ପଞ୍ଚସଖା ମାନଙ୍କ ମଧ୍ୟରୁ ସନ୍ଥ ଅଚ୍ୟୁତ ବାଦ ପଡିନଥିଲେ । ଯଦିଓ ଚିତା , ତିଳକ , ଉପାସନା ପଦ୍ଧତି ଓ ମନ୍ତ୍ର – ଜପ – ତପ ବିଧିରେ ପଞ୍ଚସଖାମାନଙ୍କ ସ୍ୱାତନ୍ତ୍ର୍ୟ ତାରତମ୍ୟ ରହିଛି । କିନ୍ତୁ ଉତ୍କଳୀୟ ଭାବଧାରା ଓ ଚିତ୍ତବୃତ୍ତିରେ ଏମାନେ ଥିଲେ ଅଭିନ୍ନ । ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ଓ ତାଙ୍କର ବଳିଷ୍ଠ ଧର୍ମ-ନୀତି- ଆଦର୍ଶ ପଞ୍ଚସଖାଙ୍କୁ ଆକୃଷ୍ଟ କରିଥିଲା । ଚୈତନ୍ୟଙ୍କ ଧର୍ମାଦର୍ଶରେ ଆକୃଷ୍ଟ ହୋଇ ତାଙ୍କର ସାନିଧ୍ୟ ନିମନ୍ତେ ଅଚ୍ୟୁତ ମଧ୍ୟ ତାଙ୍କ ଶିଷ୍ୟତ ସ୍ୱୀକାର କରିଥିଲେ । ପ୍ରକୃତରେ ପଞ୍ଚସଖା ସ୍ୱକୀୟ ସ୍ୱତନ୍ତ୍ରତା ଯୋଗୁ ପାଞ୍ଚଟି ଶାଖା । ଅନ୍ୟ ଅର୍ଥରେ ଏମାନଙ୍କୁ ସଖା ଓ ଶାଖା କହିଲେ ଅତ୍ୟୁକ୍ତି ହେବନାହିଁ । ‘ଶୂନ୍ୟ ସଂହିତା ‘ ଓ ‘ ଯୁଗାବ୍ ଧ୍ ଗୀତା ‘ରେ ସନ୍ଥ କବି ଅଚ୍ୟୁତ କହିଛନ୍ତି । ନିଜ ଜୀବଦ୍ଦଶାରେ ଗଜପତି ବଂଶର ଅବକ୍ଷୟ ଓ ଉତ୍କଳୀୟ ମହାଜାତିର ପରାଧୀନକାଳୀନ ଆର୍ତ୍ତଯନ୍ତ୍ରଣା ତାଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଭବିଷ୍ୟତ ମାଳିକାରେ ଯାହା ଉଲ୍ଲେଖ କରିଛନ୍ତି ସେସବୁ ଅଙ୍ଗେନିଭା ସମକାଳୀନ ଘଟଣା ଓ ଦିବ୍ୟ ଦୃଷ୍ଟିରେ ଯାହା ଦେଖିଛନ୍ତି ଓ ଉଲ୍ଲେଖ କରିଛନ୍ତି ତାହା ଘୋର କଳି ପରେ ସତ୍ୟ ଆଗମନର ଭବିଷ୍ୟତର ସମ୍ଭାବ୍ୟ ଘଟଣାର କଳ୍ପନା ରହିତ ପଟ୍ଟଚିତ୍ର । ଏ ଦୁର୍ଦିନର ଅବସାନ ଘଟି ସମ୍ଭାବନାମୟ ସତ୍ୟଯୁଗର ଆଗମନରେ ସେ ଥିଲେ ଗଭୀର ଆଶାବାଦୀ । ଯବନମାନଙ୍କ ଆକ୍ରମଣରେ ରାଜନୈତିକ ଅସ୍ଥିରତା , ସାମାଜିକ ଜୀବନରେ ଅଶାନ୍ତି ଓ ଧର୍ମର ଦୋଳାୟମାନତା ତାଙ୍କୁ ଭବିଷ୍ୟ ମାଳିକା ରଚନା କରିବାକୁ ବାଧ୍ୟ କରିଥିଲା । ସନ୍ଥ ଅଚ୍ୟୁତ ଜନସମାଜ ସହ ନିବିଡ଼ ଭାବରେ ସଂପୃକ୍ତ ଥିଲେ , ଫଳତଃ ତାଙ୍କର ଭବିଷ୍ୟତ ବାଣୀ ଅଧିକ ପ୍ରଚାରିତ । ଲିଖିତ ଓ ପ୍ରଚାରିତ ତତ୍ତ୍ୱ-ତଥ୍ୟ ସବୁ ” ନକହିବୁ କାହିଁ ଗୁପତ ରଖିବୁ ” ଶିଷ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସବୁ ଭିତରେ ସାହିତ୍ୟିକ ମୂଲ୍ୟ ହୁଏତ ନଗଣ୍ୟ ହୋଇପାରେ , କିନ୍ତୁ ସାମାଜିକ ସ୍ଥିତାବସ୍ଥା ଓ ଜନମାନସରେ ପ୍ରତିଫଳିତ ହୋଇଥିବା ବାସ୍ତବ ଚିତ୍ରକୁ ଅତି ନିଖୁଣ ଭାବରେ ତୋଳି ଧରିବାକୁ ଯେ ଥିଲା ସମର୍ଥ , ତାହା ଅସ୍ୱୀକାର କରି ହେବ ନାହିଁ ।

ଭାରତବର୍ଷରେ ଅଧ୍ୟାତ୍ମ ବିଦ୍ୟା ଯେତିକି ପୁରୁଣା , ଜାତି ଜାତି ଭିତରେ ଉଚ୍ଚ-ନୀଚ ବିଚାରବୋଧ ସେତିକି ପୁରୁଣା । ପ୍ରାଚୀନ ଯୁଗରୁ ଲିଖିତ ଧର୍ମଶାସ୍ତ୍ରମାନଙ୍କରେ ଏହି ଭେଦ- ଭାବକୁ କେନ୍ଦ୍ର କରି ଦେଖା ଦେଇଥିବା ସମସ୍ୟା ବିଷୟରେ ବିସ୍ତାରିତ ବର୍ଣ୍ଣନା ରହିଛି । ଯାହାଫଳରେ ଉଚ୍ଚ ଜାତି ଓ ନିମ୍ନ ଜାତିର ବିଚାରକୁ ପ୍ରତିବାଦ କରିବା ପଞ୍ଚସଖାମାନଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ଏଦୃଷ୍ଟିରୁ ସମାଜ ଭିତରେ ଉଚ୍ଚ ନୀଚ ଭାବ ଉଠାଇ ଏକ ମାନବୋଚିତ ସମ୍ମାନବୋଧ ଆଣି ଦେବା ପାଇଁ ସନ୍ଥ ଅଚ୍ୟୁତ ନନ୍ଦଙ୍କ ‘ ଗୋପାଳ ଓଗାଳ ‘ ଓ ‘ କୈବର୍ତ୍ତ ଗୀତା ‘ ପୋଥି ଦ୍ୱୟ ଦୃଷ୍ଟାନ୍ତକୁ ନିଆ ଯାଇପାରେ । ସାନ ଜାତିମାନଙ୍କ ଚିତ୍ତରେ , ସେହି ଜାତିର ପୂଜା ପାର୍ବଣ ଦ୍ବାରା ସେମାନଙ୍କ ଆତ୍ମବୋଧର , ଆତ୍ମବିଶ୍ୱାସର ଜାଗରଣ ସୃଷ୍ଟି କରିବାରେ ସନ୍ଥ ଅଚ୍ୟୁତ ପ୍ରୟାସ କରିଛନ୍ତି । ଯିଏ ଯେଉଁ ଜାତିର ହେଉ ପଛେ , ଏକ ଅନ୍ତର୍ଗତ ବାସନାର ଯୋଗ୍ୟ ହୋଇପାରିଲେ ସେ ଭଗବାନଙ୍କ ଅବଶ୍ୟ ଯୋଗ୍ୟ ହୋଇପାରିବ , ତାହାକୁ ଉକ୍ତ ପୋଥି ଦ୍ୱୟରେ ଅତି ନିର୍ବିକାର ଭାବେ ପ୍ରକାଶ କରିଛନ୍ତି । ଏବେବି ‘ ଗୋପାଳ ଓଗାଳ ‘ ଗୋପାଳ ଜାତିର ମର୍ଯ୍ୟାଦାପ୍ରଦ ପ୍ରଥା ଓ ପ୍ରେରଣାର ଉତ୍ସ ହୋଇରହିଛି , ଅନ୍ୟ ଅର୍ଥରେ ଜାତିଗତ ସ୍ୱାଭିମାନର ସଂହିତା ରୂପେ ପୂଜା ପାଇଛି । ଯାହାକି ଏକବିଂଶ ଶତାବ୍ଦୀରେ ଗୋପାଳମାନଙ୍କ କୌଳିକ ଗୀତି ରୂପେ ଅଦ୍ୟାବଧି ଆଦୃତ ଲାଭ କରିଛି ।

ବାସ୍ତବରେ ସନ୍ଥ ଅଚ୍ୟୁତ ଏକ କର୍ମ ଭିତ୍ତିକ ଜାତି ଉପରେ ଆସ୍ଥା ପ୍ରକଟ କରିଥିଲେ ମଧ୍ୟ ସର୍ବଦା ଏକ ଜାତି ବର୍ଣ୍ଣ ହୀନ ସମାଜର ସ୍ୱପ୍ନ ଦେଖିଥିଲେ । ରାଜକୀୟ ସମ୍ମାନର ଅଧିକାରୀ ହୋଇ ମଧ୍ୟ ପତିତ ଜନତାର ସାଂସ୍କୃତିକ ତଥା ଧାର୍ମିକ ଚିତ୍ତବୃତ୍ତିର ପ୍ରତିନିଧି ଥିଲେ । ସତରେ ସେ ଏକ ବିପୁଳ ଜନ ସଂପ୍ରଦାୟର ( ଜାତିର ) ତ୍ରାଣକର୍ତ୍ତା । ଜଣେ ଦିବ୍ୟଦ୍ରଷ୍ଟା , ଭବିଷ୍ୟତଦ୍ରଷ୍ଟା , ବଚନସିଦ୍ଧ ତତ୍ତ୍ୱଦର୍ଶୀ , ମହାମୁନି , ମହାପୁରୁଷ ସନ୍ଥ ..!!! ସ୍ତମ୍ଭର ସିମୀତ ଦୃଷ୍ଟିରୁ ତାଙ୍କ ସଂପର୍କରେ ବିଶେଷ ଆକଳନ କରିବା ସମ୍ଭବ ନୁହେଁ । ତାଙ୍କର ପ୍ରତ୍ୟେକଟି କୃତି ହେଉଛି ଆକାଶ ପରି ପରିବ୍ୟାପ୍ତ , ସମଦ୍ର ଭଳି ଗଭୀର , ତାହା କେବଳ ଗବେଷଣା ସାପେକ୍ଷ ହେଲେ ବି ରହସ୍ୟ ଘେରରେ ଅଧୁରା ରହିଯିବ…!!!

ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ – ୪
ଦୂରଭାଷ : ୯୦୪୦୧୫୧୪୭୫

Leave a Reply

Your email address will not be published. Required fields are marked *