ଶ୍ରୀମଦଭଗବତଗୀତାରୁ ପଦେ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଶ୍ରୀମଦଭଗବତଗୀତାରୁ ପଦେ….୨

ମହାଭାରତରେ ମଧ୍ୟ କୁହାଯାଇଛି-ସର୍ବଶାସ୍ତ୍ରମୟୀ ଗୀତା । କିନ୍ତୁ ଏତିକି କହିଦେଲେ ଯଥେଷ୍ଟ ହୋଇଗଲା ନାହିଁ; କାରଣ ସମସ୍ତ ଶାସ୍ତ୍ରର ଉତ୍ପତ୍ତି ବେଦରୁ ହୋଇଛି, ବେଦ ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ହୋଇଛି ଏବଂ ବ୍ରହ୍ମା ଭଗବାନଙ୍କ ନାଭିକମଳରୁ ଉତ୍ପନ ହୋଇଛନ୍ତି । ତେଣୁ ଶାସ୍ତ୍ର ଓ ଭଗବାନଙ୍କ ମଧ୍ୟରେ ବହୁ ବ୍ଯବଧାନ ରହିଯାଇଛି । କିନ୍ତୁ ଗୀତା ସ୍ବୟଂ ଭଗବାନଙ୍କ ମୁଖାରବିନ୍ଦୁ ନିଃସୃତ ହୋଇଛି; ତେଣୁ ଏହାକୁ ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ବୋଲି କୁହାଗଲେ କିଛି ଅତ୍ଯୁକ୍ତି ହେବ ନାହିଁ । ସ୍ବୟଂ ବେଦବ୍ଯାସ କହିଛନ୍ତି ଗୀତାକୁ ହିଁ ଭଲଭାବରେ ଶ୍ରବଣ, କୀର୍ତ୍ତନ, ପଠନ-ପାଠନ,ମନନ,ଏବଂ ଧାରଣ କରାଯିବା ଉଚିତ; ଅନ୍ୟ ଶାସ୍ତ୍ର ସଂଗ୍ରହ କରିବା କି ଆବଶ୍ୟକ ? କାରଣ ଏହା ସ୍ବୟଂ ପଦ୍ମନାଭ ଭଗବାନଙ୍କ ସାକ୍ଷାତ୍ ମୁଖକମଳରୁ ନିଃସୃତ ହୋଇଛି । ପଦ୍ମନାଭ ଶବ୍ଦ ପ୍ରୟୋଗ କରି ମହାଭାରତକାର କହିଥିବା କଥାର ତାତ୍ପର୍ଯ୍ୟ ଏହି ଯେ ଏହି ଗୀତା ସେହି ଭଗବାନଙ୍କ ମୁଖକମଳରୁ ନିଃସୃତ ହୋଇଛି, ଯାହାଙ୍କ ନାଭିକମଳରୁ ବ୍ରହ୍ମା ଉତ୍ପନ ହୋଇଛନ୍ତି ଏବଂ ବ୍ରହ୍ମାଙ୍କ ମୁଖରୁ ସମସ୍ତ ମୂଳ ବେଦ ପ୍ରକଟ ହୋଇଛନ୍ତି ।
ଗୀତା ଗଙ୍ଗାଙ୍କ ଠାରୁ ମଧ୍ୟ ଶ୍ରେଷ୍ଠତର । ଶାସ୍ତ୍ରରେ ଗଙ୍ଗାସ୍ନାନର ଫଳ ମୁକ୍ତି ବୋଲି କୁହାଯାଇଛି । ତଥାପି ଗଙ୍ଗାସ୍ନାନ କରୁଥିବା ଲୋକ ସ୍ବୟଂ ସିନା ମୁକ୍ତ ହୋଇପାରେ, ତା’ ଠାରେ ଅନ୍ୟକୁ ମୁକ୍ତ କରିବାର ସାମର୍ଥ୍ୟ ନ ଥାଏ । କିନ୍ତୁ ଗୀତାରୂପୀ ଗଙ୍ଗାରେ ବୁଡ ପକାଉଥିବା ଲୋକ ସ୍ବୟଂ ତ ମୁକ୍ତ ହୁଏ, ତା’ ସହିତ ଅନ୍ୟକୁ ବି ମୁକ୍ତ କରିବାକୁ ସମର୍ଥ ହୋଇଯାଏ । ଗଙ୍ଗା ତ ଭଗବାନଙ୍କ ଚରଣରୁ ଉତ୍ପନ ହୋଇଛନ୍ତି; ଗୀତା ସାକ୍ଷାତ୍ ଭଗବାନ ନାରାୟଣଙ୍କ ମୁଖାରବିନ୍ଦୁରୁ ନିଃସୃତ ହୋଇଛନ୍ତି । ପୁଣି ଯେଉଁମାନେ ଗଙ୍ଗାକୁ ଆସି ସ୍ନାନ କରନ୍ତି,ଗଙ୍ଗା କେବଳ ସେହି ମାନଙ୍କୁ ମୁକ୍ତି କରିଦିଅନ୍ତି ; କିନ୍ତୁ ଗୀତା ତ ଗୃହେ ଗୃହେ ବୁଲି ସମସ୍ତଙ୍କୁ ମୁକ୍ତିର ମାର୍ଗ ଦେଖାଇ ଦିଅନ୍ତି । ଏହିସବୁ କାରଣରୁ *ଗୀତା ଗଙ୍ଗାଙ୍କ ଠାରୁ ଶ୍ରେଷ୍ଠତର* ବୋଲି କୁହାଯାଇଛି ।
ଗୀତା ଗାୟତ୍ରୀଠାରୁ ମଧ୍ୟ ଶ୍ରେଷ୍ଠତର । ଗାୟତ୍ରୀଜପ ଦ୍ବାରା ଯେ ମନୁଷ୍ୟର ମୁକ୍ତି ହୁଏ, ତାହା ଠିକ୍; କିନ୍ତୁ ଗାୟତ୍ରୀ ଜପ କରୁଥିବା ଲୋକ କେବଳ ସ୍ବୟଂ ମୁକ୍ତ ହୁଏ,ଅଥଚ ଗୀତା ଅଭ୍ଯାସ କରୁଥିବା ଲୋକ ସ୍ବୟଂ ତରେ ଓ ଅନ୍ଯକୁ ତାରେ । ଯେଉଁଠି ସ୍ବୟଂ ମୁକ୍ତିଦାତା ଭଗବାନ୍ ତା’ର ହୋଇଯାନ୍ତି, ସେଠାରେ ମୁକ୍ତିର କଥା ଆଉ କ’ଣ କହିବା ! ମୁକ୍ତି ତା’ର ଚରଣଧୂଳିରେ ନିବାସ କରେ । ସେ ମୁକ୍ତିର ସତ୍ତ୍ର ଖୋଲିଦିଏ ।
ଗୀତାକୁ ଆମେ ସ୍ବୟଂ ଭଗବାନଙ୍କ ଠାରୁ ବି ଶ୍ରେଷ୍ଠ ବୋଲି କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । କାରଣ ଭଗବାନ୍ ସ୍ବୟଂ କହିଛନ୍ତି-ମୁଁ ଗୀତାର ଆଶ୍ରୟରେ ରହିଛି, ଗୀତା ମୋର ଶ୍ରେଷ୍ଠ ଗୃହ । ଗୀତାଜ୍ଞାନର ଆଶ୍ରୟ ନେଇ ମୁଁ ତିନିଲୋକକୁ ପାଳନ କରୁଛି । ଏହା ଛଡା ଗୀତାରେ ଭଗବାନ୍ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି, ଯେକେହି ମୋର ଗୀତା ରୂପକ ଆଜ୍ଞାକୁ ପାଳନ କରିବ, ସେ ନିଃସନ୍ଦେହରେ ମୁକ୍ତ ହୋଇଯିବ । କେବଳ ଏତିକି ନୁହେଁ, ଭଗବାନ୍ କହିଛନ୍ତି, ଯେକେହି ଏହା ଅଧ୍ଯୟନ କଲେ ବି, ତା’ ଦ୍ବାରା ମୁଁ ଜ୍ଞାନଯଜ୍ଞରେ ପୂଜିତ ହେବି । ଯଦି କେବଳ ଗୀତା ଅଧ୍ଯୟନରେ ଏତେ ମାହାତ୍ମ୍ୟ ରହିଛି, ତେବେ ଯେଉଁ ଲୋକ ଏହାର ଉପଦେଶ ଅନୁସାରେ ନିଜର ଜୀବନ ଗଠନ କରନ୍ତି, ଏହାର ରହସ୍ଯ ଭକ୍ତମାନଙ୍କୁ ଅବଗତ କରାନ୍ତି ଏବଂ ଏହାର ପ୍ରସାର ଓ ପ୍ରଚାର କରାନ୍ତି, ତାଙ୍କ କଥା ଆଉ କ’ଣ କହିବା ! ତାଙ୍କ ବିଷୟରେ ତ ଭଗବାନ୍ କହନ୍ତି, ସେ ମୋର ଅତି ପ୍ରିୟ । ତାଙ୍କୁ ଭଗବାନଙ୍କର ପ୍ରାଣଠାରୁ ବି ଅଧିକ ବୋଲି କହିଲେ କିଛି ଅନୁଚିତ ହେବନାହିଁ ।
ଉତ୍ତମ ପୁରୁଷମାନଙ୍କ ପକ୍ଷରେ ବି ଦେଖାଯାଏ ଯେ,ସେମାନଙ୍କ ସିଦ୍ଧାନ୍ତ ପାଳନ କରୁଥିବା ଲୋକ ସେମାନଙ୍କର ଯେତେ ପ୍ରିୟ, ନିଜର ପ୍ରାଣ ମଧ୍ୟ ସେମାନଙ୍କ ପାଇଁ ସେତେ ପ୍ରିୟ ନୁହେଁ । ଗୀତା ହେଉଛି ଭଗବାନଙ୍କର ପ୍ରଧାନ ରହସ୍ଯମୟ ଆଦେଶ । ଏପରି ଅବସ୍ଥାରେ , ସେହି ଆଦେଶ ପାଳନ କରୁଥିବା ଲୋକ ଯେ ତାଙ୍କର ପ୍ରାଣଠାରୁ ବି ଅଧିକ ପ୍ରିୟ ହେବେ,ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
ଗୀତା ହେଉଛି ଭଗବାନଙ୍କର ପ୍ରାଣ,ହୃଦୟ ଏବଂ ତାଙ୍କର ବାଙ୍ମୟୀ ମୂର୍ତ୍ତି । ଯାହାଙ୍କ ହୃଦୟରେ, ବୀଣାରେ,ଶରୀରରେ ତଥା ସମସ୍ତ ଇନ୍ଦ୍ରିୟମାନଙ୍କରେ ଏବଂ କ୍ରୀୟାକଳାପରେ ଗୀତା ଓତପ୍ରୋତଭାବରେ ଜଡ଼ିତ ହୋଇଯାଇଛି, ସେହି ପୁରୁଷ ହେଉଛନ୍ତି ଗୀତାର ସାକ୍ଷାତ୍ ପ୍ରତିମୂର୍ତ୍ତି । ତାଙ୍କର ଦର୍ଶନ, ସ୍ପର୍ଶନ,ଭାଷଣ ଏବଂ ଚିନ୍ତନରେ ମଧ୍ୟ ଅନ୍ଯମାନେ ପବିତ୍ର ହୋଇଯାନ୍ତି । ତେଣୁ ତାଙ୍କର ଆଜ୍ଞାପାଳନ ଓ ଅନୁକରଣ କରୁଥିବା ଲୋକଙ୍କର କଥା ବା କ’ଣ କହିବା ! ବାସ୍ତବରେ ସଂସାରରେ ଗୀତାସମାନ ଯଜ୍ଞ, ଦାନ,ତପ,ତୀର୍ଥ, ସଂଯମ ଏବଂ ଉପବାସ ଆଦି କିଛି ମଧ୍ୟ ନାହିଁ ।
ଗୀତା ହେଉଛି ସାକ୍ଷାତ୍ ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦୁରୁ ନିଃସୃତ ବାଣୀ । *ଶ୍ରୀ ବ୍ଯାସଦେବ ହେଉଛନ୍ତି ଏହାର ସଙ୍କଳନକର୍ତ୍ତା* । ଭଗବାନ୍ ଶ୍ରୀକୃଷ୍ଣ ନିଜର ଉପଦେଶର ଅଧିକାଂଶ ଶ୍ଳୋକରେ ହିଁ କହିଥିଲେ; ବ୍ଯାସଦେବ ତାହା ଅବିକଳ ରଖିଦେଇଛନ୍ତି । ଯେଉଁ ଅଂଶ ସେ ଗଦ୍ଯରେ କହିଥିଲେ, ତାହା ବ୍ଯାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା’ ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଦେଇଛନ୍ତି ଏବଂ ଏପରି *ସାତଶହ* ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ *ଅଠର* ଅଧ୍ଯାୟରେ ବିଭକ୍ତ କରି ମହାଭାରତରେ ଯୋଗ କରିଦେଇଛନ୍ତି, ଯାହାକୁ ଆଜି ଆମେ ଏହି ରୂପରେ ପାଇପାରୁଛୁ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *