ପଡ଼ିଗଲି ଦୁଲକରି – ବି. ନିରୁପମା
ଲେଖକ ପରିଚୟ

ବି.ନିରୁପମା

ଇଲୋ ମୋ ବୋଉ ଲୋ,ଗଲି ମୁଁ ପଡ଼ି,
କେଡ଼ୁଟେ ଖଣ୍ଡିଆ ହୋଇଛି ଛିଡ଼ି–
ହେଉଅଛି ଭାରି କଷ୍ଟ ;
ଥାକରୁ ଆଚାର ଚୋରି କରୁ କରୁ
ଡବା ଗଡ଼ି ହେଲା ନଷ୍ଟ ।
ବୋଉ କହିଥିଲା ଆକଟ କରି ,
ଏ ଖଟାରେ ଅମ୍ଳ ରହିଛି ଭରି–
କହିଛନ୍ତି ଡାକତର ;
ଖାଇବୁନି ଜମା ଲୁଚାଇ ତୁ ‘ଲୁନା’
ଖରାପ ହେବ ଶରୀର ।
କିଛି ଦିନ ତଳେ କାଟିଲା ପେଟ ,
ବାପା ନେଇଗଲେ ଡାକ୍ତର ପାଖ–
ଖାଇଥିଲି ଅଉଷଧ ;
ମନାକରି ସିଏ କହିଥିଲେ ମୋତେ
ଖାଇବୁନି ଖଟା ଚିଜ ।
ମାମୁନି,ପାପୁନୁ ଆଚାର ଖାଇ ,
ଟାକରା ଫୁଟାଇ ଆସିଲେ ଧାଇଁ–
ତେଣୁ ଇଚ୍ଛା ହେଲା ଭାରି ;
ଷ୍ଟୁଉଲରେ ଚଢ଼ି ଥାକରୁ କାଢ଼ିଲି
ପଡ଼ିଗଲି ଦୁଲକରି ।
ମୋ ଭଲ ପାଇଁକି କହିଛି ବୋଉ ,
କରିବିନି ଭୁଲ ଏମିତି ଆଉ–
ମନା ହୋଇଛି ଯା’ ମୋତେ ;
ଲୋଭକରି ଜମା ଖାଇବି ନାହିଁ ମୁଁ
ଭୋଗିବିନି କଷ୍ଟ ଏତେ ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
