ପ୍ରବନ୍ଧ – ଆତ୍ମ ସମୀକ୍ଷା – ସଂଯୁକ୍ତା ରାଉତ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ବେଳେବେଳେ ବଡ ବଡ ଘଟଣା କି ଅଘଟଣା ଆଖିରେ ପଡ଼େନି ସତ କିନ୍ତୁ , କେତେବେଳେ କେମିତି ଅତି ଛୋଟ କଥାଟିଏ ମଧ୍ୟ ଆମ ନଜରକୁ ଆସି ଚେତନାର ଅନ୍ତରାଳରେ ଦୃଷ୍ଟି ଆକର୍ଷଣ କରି ବସେ ଜାଣି ହୁଏନି । ଏଇ ଦେଖୁନାହାନ୍ତି…… ; ଆମେ ଯେତେବେଳେ ନିଜର କି ପିଲାମାନଙ୍କର, ପରିବାରର କିମ୍ବା ନିଜ ଘର ପାଇଁ କିଛି ଜିନିଷ କିମ୍ବା ବସ୍ତୁର ଆବଶ୍ୟକତା ଅନୁଭବ କରୁ ,ସେତେବେଳେ ଆମେ ସଙ୍ଗେ ସଙ୍ଗେ ବଜାରକୁ ଯାଉ , ଆଉ ଟଙ୍କାର ବିନିମୟରେ ସେସବୁ ଜିନିଷ କିଣି ଥାଉ, ଆଉ ଅାମେ ବି ସେହି ସବୁ ପ୍ରିୟ ବସ୍ତୁଗୁଡ଼ିକୁ ଖୁବ୍ ଯତ୍ନ ସହକାରେ ବ୍ୟବହାର କରିବା ସହ ସାଇତି ରଖିବାର ଢ଼େର ସାରା ପ୍ରୟାସ ବି କରିଥାଉ । ଯଦି ଆମେ ନିର୍ଜୀବ ବସ୍ତୁଗୁଡିକ ଯାହା କି ଅତି ସାମୟିକ ଆନନ୍ଦ ପ୍ରଦାନ କରେ , ତା’ର ଏତେ ଯତ୍ନ ନେଉଛେ , ନିଜର ଭାବୁଛେ , ନଷ୍ଟ ହୋଇଗଲେ ଏତେ ମନ ଖରାପ କରୁଛେ । ସେ ସ୍ଥଳରେ ଆମ ଘରର ବୋହୂ କଥା ଥରେ ଚିନ୍ତା କରିଛେ କି ? ଘରର ପୋଷା ଟମିଟିକୁ ଆମେ କେତେ ଭଲ ପାଉଛେ ସତେ…, ତା’ର କେତେ ଯତ୍ନ ନେଉଛେ , ଗେହ୍ଲା କରୁଛେ ନିଜର ଭାବୁଛେ ।  ଦେହ ଖରାପ ହେଲେ ମନ ଦୁଃଖ କରୁଛେ ୲ ସଙ୍ଗେ ସଙ୍ଗେ ଡକ୍ଟର ଡାକି ଚିକିତ୍ସା କରୁଛେ ୲ କ’ଣ ଟିକେ ହେଲେ କେତେ ବ୍ୟସ୍ତ ହୋଇ ପଡୁଛେ, ନୁହେଁ କି ?
କିନ୍ତୁ ……. ଘରକୁ ବୋହୂଟିଏ ଆବଶ୍ୟକତା ଅଛି ଭାବି ବହୁ ଖୋଜା ଖୋଜି କରି ଯେଉଁ ସୁନା ନାକୀ ବୋହୂଟିକୁ ନିଜ ଘରକୁ ଆଣୁଛେ, ଥରେ ତା’ କଥା ଟିକେ ଭାବିଲେ ଦେଖି …….. କେବେ କ’ଣ ତା’ ମନକୁ ବୁଝିବାକୁ ଆମେ ଚେଷ୍ଟା କରିଛେ ? ସେ କ’ଣ ଚାହେଁ ନ ଚାହେଁ, ତା’ର କ’ଣ ଇଚ୍ଛା , ଅନିଚ୍ଛା କେବେ ଜାଣିବାକୁ ଚାହିଁଛେ କି ? ବୁଝିବାକୁ ଚେଷ୍ଟା କରିଛେ କି କେବେ ତା’ ମନ ତଳର କଷ୍ଟକୁ , ତା’ ଦରଦୀ ହୃଦୟର ବେଦନାକୁ ? ?
ଆମ ପୁଅ କେତେ ପାରିବାର, କେତେ ନପାରିବାର, ସେ କଥା ଆମ ଠାରୁ ଅଧିକ କେହି ବି ବୋଧହୁଏ ଜାଣି ନ ଥିବେ । ପୁଅର ଯେତେବି ଖରାପ ପ୍ରବୃତ୍ତି ଥାଉନା କାହିଁକି , ସେସବୁ କିନ୍ତୁ ଆମ ଦୃଷ୍ଟି ଆଢୁଆଳରେ ରହିଯାଏ କେବେ ଦୃଷ୍ଟି ଗୋଚରକୁ ଆସେ ନାହିଁ କିନ୍ତୁ ,ବୋହୂଟି ଯେତେ ଭଲ ହୋଇଥିଲେ, ମଧ୍ୟ ଆମେ ସବୁବେଳେ କେବଳ ତା’ ର ଭଲ ମନ୍ଦ ଗୁଣ ଖୋଜି ବସୁଛେ  ଦୋଷ ଦୁର୍ବଳତା ବାହୁନି ବସୁଛେ । କେବଳ ତା’ର କାହିଁକି ତା’ ବାପା ଘର ପରିବାରର ସମସ୍ତଙ୍କର ଦୋଷ ଦୁର୍ବଳତା ମଧ୍ୟ ଉଖାରି ବସୁଛେ ।  ଆଉ ବିବାହ ସମୟରେ ତା’ ପରିବାରରୁ ଢ଼େର ସାରା ଜିନିଷ, ଆସବାବପତ୍ର, ଗହଣାଗାଣ୍ଠି ଓ ଟଙ୍କା ପାଇସା ଯୌତୁକ ହିସାବରେ ଦାବି କରୁଛେ ।  କେହି ସେତେବେଳେ ଚିନ୍ତା କରିଛେ କି, ଝିଅଟିକୁ ସାନରୁ ବଡ କରି ଲାଳନପାଳନ କରିବାର ଗୁରୁ ଦାୟିତ୍ବ ବହନ କରିବାରେ, ତା’ ପରିବାର ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ଵ କେତେ କ’ଣ କରିଥାଏ ବୋଲି ? ନା …. କେବେ ଭାବିଛେ କି , କେତେ ସ୍ନେହ, ଶ୍ରଦ୍ଧା ଓ ଯତ୍ନର ସହ ଅଲିଅଳରେ ବଡ କରିଥାନ୍ତି ଝିଅଟିକୁ ସେମାନେ ? ପାଠ ପଢାରେ କେତେ କେତେ ଯେ ଖର୍ଚ୍ଚ କରିଥାନ୍ତି , ଏମିତି କି ଦରକାର ପଡିଲେ ଜମିବାଡି, ଗହଣା ପର୍ଯ୍ୟନ୍ତ ବି ବିକ୍ରି କରିବାକୁ ପଛେଇ ନ ଥିବେ ନିଶ୍ଚୟ । 
କିନ୍ତୁ, ଝିଅଟି ସେ ପରିବାର ପାଇଁ ନୁହେଁ, ବେଶି ତ୍ୟାଗ ଆଉ ସମର୍ପଣ କରେ ଶାଶୁଘର ପରିବାର ପ୍ରତି ।  ସମଗ୍ର ଜୀବନଟିକୁ ଉତ୍ସର୍ଗୀକୃତ କରେ ସ୍ଵାମୀ , ଶାଶୁ , ଶଶୁର , ଦିଅର , ନଣନ୍ଦଙ୍କ ସେବାରେ । ପରିବାରଟିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ସେ କେତେ କ’ଣ ପ୍ରୟାସ ଆଉ ତ୍ୟାଗ କରିଥାଏ ତାର କୌଣସି ହିସାବ ବି କରିହେବନି ।  ତା’ ଛଡ଼ା ନାରୀର ସବୁଠାରୁ ବଡ ଅବଦାନ ହେଲା , ସେ ନିଜର ରକ୍ତ ମାଂସର ସୁନ୍ଦର ପିତୁଳାଟିଏ ଦାନ କରି ଶାଶୁଘରର ସୌନ୍ଦର୍ଯ୍ଯ ବଢାଇବା ସହ ବଂଶ ରକ୍ଷା କରିବାରେ ସହାୟକ ହୁଏ ।  ହେଲେ ପ୍ରତିବଦଳରେ କ’ଣ ପାଏ ସେ …….? କାହାଠାରୁ କେବେ କିଛି ଆଶା କି ପ୍ରତ୍ୟାଶା ନଥାଏ ତା’ର , ତା’ ଏହି ସବୁ ଶ୍ରମ କିମ୍ବା ତ୍ୟାଗର ବଦଳରେ , କେବଳ ସେ ଚାହେଁ ଟିକେ ଅନାବିଳ ଭଲପାଇବା , ସ୍ନେହ , ଶ୍ରଦ୍ଧା ଆଉ ଆତ୍ମୀୟତା…… ସେ ଚାହୁଁଥିବା ଅାତ୍ମୀୟତା କ’ଣ ସବୁଠି ସେ ପାଇପାରେ …….? ? ତା’ ଅନ୍ତରାତ୍ମା ଚାହୁଁଥିବା ଖୁସି ମନେଇବାର ସୁଯୋଗ କ’ଣ କେବେ ମିଳିଥାଏ କି ତାକୁ ? ?
ଏ ସବୁ ଭାବିଲା ବେଳକୁ ମନରେ ଆମ ଏ ସମାଜ ଓ ସାମାଜିକ ବ୍ୟବସ୍ଥା ତଥା ପରମ୍ପରା ଉପରେ ତିକ୍ତତା ଆସେ । ବହୁତ ଦୁଃଖ ଲାଗେ… ଆଉ ମନରେ ଘୃଣା ବି ଆସେ ବେଳେ ବେଳେ । କ’ଣ ପାଇଁ ଏ ସାମାଜିକ ବ୍ୟବସ୍ଥା, କ’ଣ ପାଇଁ ଏ ପରମ୍ପରା ? ? ମଣିଷ ନିଜର ସୁବିଧା ଆଉ ସାମାଜିକ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ତ ପରମ୍ପରା ଓ ସାମଜିକ ବ୍ୟବସ୍ଥା ସବୁ ଗଢିଛି, ଅଥଚ ଆଜି ସେହି ପରମ୍ପରା ମଣିଷକୁ ସମ୍ପୂର୍ଣ୍ଣ ରୂପେ କାବୁ କରି ନାଚାର କରି ତା ଅକ୍ତିଆରରେ ରଖି ଦେଇଛି ଯେପରି । 
ଯୁଗ ବଦଳୁଛି । ଯୁଗ ସହ ତାଳ ଦେଇ ବଦଳୁଛି ମଣିଷର ଚିନ୍ତା , ଚେତନା ଆଉ ଚଳିବାର ଢଙ୍ଗ ରଙ୍ଗ । ବଞ୍ଚିବାର ଶୈଳୀ ବଦଳି ଚାଲିଛି ଦିନକୁ ଦିନ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ରଙ୍ଗ , ରୂପ ସବୁ କିଛି ବି ବଦଳି ଯାଉଛି ସମୟର ତାଳେ ତାଳେ । ତା’ ହେଲେ କାହିଁକି ବଦଳୁନି ଏ ନିଷ୍ଠୁର ପରମ୍ପରା ଆଉ ମଣିଷର ଅମାନୁଷିକ ଚିନ୍ତାଧାରା ଏ ଯାଏ ? କାହିଁକି ବଦଳୁନି ମଣିଷର ଯୌତୁକ ନେବାର ହୀନ , କୁତ୍ସିତ ତଥା ଘୃଣ୍ୟ ମାନସିକତା ? ? ବୋହୂଟିକୁ ନିଜ ଝିଅ ଦୃଷ୍ଟିରେ କାହିଁକି ଗ୍ରହଣ କରିପାରୁନି ତା ‘ ଶାଶୂଘର ପରିବାର ? ନିଜ ଝିଅ ପରି କାହିଁକି ତାକୁ ସ୍ନେହ, ଶ୍ରଦ୍ଧା, ମମତା ଦେଇପାରୁ ନାହାନ୍ତି ଶାଶୂଘର ଲୋକମାନେ ? ଯାହାକୁ ସେ ନିଜ ଘର ଠାରୁ ଅଧିକ ନିଜର ଭାବୁଛି , ସ୍ଵର୍ଗ ମଣି ନିଜର ସବୁ କିଛିକୁ ଜଳାଞ୍ଜଳି ଦେଇ ନିଜ ହାତରେ ସୁନ୍ଦର କରି ଗଢି ତୋଳୁଛି । 
ଆସୁବିଧା ରହୁଛି କେଉଁଠି….. ? ?
ଆସନ୍ତୁ ଆଜି, ଆମେ ସମସ୍ତେ ମିଳିତ ଭାବରେ, ଏହି ମହତ୍ କଥାବସ୍ତୁଟିରେ ନିଜର ଆତ୍ମ ସମୀକ୍ଷା କରିବା ସହ ଉଚିତ୍ ତର୍ଜମା କରି ଏକ ଅହେତୁକ, ଅନାବଶ୍ୟକ ତଥା ଅସୁନ୍ଦର ଏହି କୁତ୍ସିତ ସମାଜିକ ଚଳଣିର ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାର ପ୍ରୟାସ କରିବା ପାଇଁ ଯତ୍ କିଂଚିତ ନିଜ ଭିତରେ ଚେଷ୍ଟାଟିଏ ସୃଷ୍ଟି କରିବା ଅବଶ୍ୟ ।


Writer’s Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 28, 2019

Leave a Reply

Your email address will not be published. Required fields are marked *