(ଅ)ମାନନୀୟେସୁ – ସଲିଳ କୁମାର ସ୍ବାଇଁ
ମାଆ ବେଂଗ ପେଟ ଫାଟିଲା କାହାଣୀ
ଶୁଣିଥେଲି ପିଲାଦିନେ
ଆଜିକା ଦିନରେ ବେଂଗ ଓ ବେଂଗୁଲୀ
ଫୁଲୁସୁନ୍ତି ପ୍ରତିଦିନେ
ଉଲ୍ଲସିତ ମନେମନେ
ଆତ୍ମ ପ୍ରଚାରରେ ଅନେକେ ତଲ୍ଲୀନ
ସତେ କୋଟିକରେ ଜଣେ ।।
ନିଜ ବିଷୟରେ ମୋତେ ଯେତେ ଜଣା
ପଡିଶା ଜାଣିଚି ବେଶୀ
ନିଜର ଡିଂଡିମ ନିଜେ ମୁଁ ପିଟୁଚି
ମନେମନେ ହୁଏ ଖୁସି
ପାଳଗଦା ପରେ ବସି
ଆତମ ଗରବେ ଫୁଲୁଚି ମୋ’ଛାତି
ସତେ ତାରାମେଳେ ଶଶୀ ।।
ମାନଗୋବିନ୍ଦଟା ମାନ କରି ମଲା
ଅତି ଦର୍ପେ ହତ ଲଂକା
କାହାର ଗରବ ରହିନି ସଂସାରେ
ଖରବ ହୋଇବା ପକା
ନ ରଖ ମନରେ ଶଂକା
ଚିତରଗୁପତ ପାଂଜିରେ ଉପରେ
ଫର୍ଦ୍ଦ ଫର୍ଦ୍ଦ ହୁଏ ନେଖା ।।
ଅନ୍ଯକୁ ଆଦର କରିବାଟା ଶିଖ
‘ଅହମ୍’ ‘ମୁଁ’ ଭାବ ଛାଡ
ଶିଖିନାହଁ ଯଦି ଇତିହାସ ଖୋଲ
ବେଦ ପୁରାଣ ବି ପଢ
ଭାବନି ନିଜକୁ ବଡ
ଆଂଜୁଳେ ପାଣିରେ କେରାଣ୍ଡି ପରାଏ
ହୁଅନାରେ ଫଡଫଡ ।।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ରଉପ୍ରା ବିଦ୍ୟାଳୟ
