ଗଛଟିଏ ରୁଅ – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ସ୍ରଷ୍ଟାଙ୍କର ସୃଷ୍ଟି ବିଚିତ୍ର ପୃଥିବୀ
ମା ମଧ୍ୟେ ପ୍ରାଣୀ ଉଦ୍ଭିଦ
ପରସ୍ପର ପରିପୁରକେ ବଢ଼ନ୍ତି
ନ ରଖି ମନରେ ଭେଦ  ।
ସର୍ବଶ୍ରେଷ୍ଠ ସୃଷ୍ଟି ଏ ମାନବ ଜାତି
ଗଛକୁ ଭାବଇ ହୀନ
ତା ପାଇଁ ବଞ୍ଚୁଛି ବଢୁଛି ନ ଭାବି
କରେ ତାର ଅବସାନ ।
ସବୁଜ ସୁନ୍ଦରୀ ପାଦପ ଲଳନା
ଦେଖାଯାଏ ସାଧାରଣ
ତା ଗୁଣ, ମହିମା ବଖାଣି ବସିଲେ
ବୁଦ୍ଧି ଜ୍ଞାନ ହୁଏ ଶୁନ୍ୟ।  ।
ଦୂଷିତ ଅଙ୍ଗାରକାମ୍ଳ ପାନ କରି
ବାଣ୍ଟିଥାଏ ଅମ୍ଳଜାନ
ଯାହାକୁ ମୁହୂର୍ତ୍ତେ ପର କରିଦେଲେ
ଜୀବନ ଛୁଏଁ ଶ୍ମଶାନ  ।
ଖାଦ୍ୟ,ବସ୍ତ୍ର,ବାସଗୃହ ଆଦି ଦେଇ
ଓଠରେ ଫୁଟାଏ ହସ
ଔଷଧ ଦେଇ ସେ ସୁସ୍ଥ କରି ଗଢେ
ମନରେ ଭରେ ଉଲ୍ଲାସ   ।
ଯେଉଁ ମାଟି ସାଜେ ଆମର ଆସ୍ଥାନ
କରେ ତାକୁ ସଂରକ୍ଷଣ
ବନ୍ୟା,ବାତ୍ୟା ସଙ୍ଗେ ଯୁଦ୍ଧ କରି ଶୁଏ
ବଂଚାଏ ଆମ ଜୀବନ    ।
କୋମଳ ଶୀତଳ ପରଶ ଦେଇ ସେ
ଅଂଶୁଘାତୁ କରେ ରକ୍ଷା
ସବୁଜ ଘରର ପ୍ରଭାବ ଚମକେ
ଦେଇ ଥାଏ ପ୍ରେମ ଭିକ୍ଷା    ।
ଅତି ବାଇଗଣୀ ରଶ୍ମୀ ତୀକ୍ଷ୍ଣ ଶରେ
ସୁରୁଜ ଯେବେ ତ ହସେ
ଓଜୋନ ସ୍ତରକୁ ଖୋରାକ ଦେଇ ସେ
ବୀର ଦର୍ପରେ ବିନାଶେ     ।
ଗଛର ପତର ଉତ୍ସେଦନେ ଜଳ
ଯେବେ ଆକାଶକୁ ଦିଏ
ବରଷା ଦିନରେ ମେଘରୁ ବରଷି
ଆମ ଜୀବନ ବଂଚାଏ    ।
ପ୍ରକୃତି ରୋଷେଇ ଶାଳା ଏହି ଗଛ
ପ୍ରକୃତି ଶୀତଳ ଭଣ୍ଡାର
ବିଶ୍ୱ ତାପନର ପରମ ଶତ୍ରୁ ସେ
ଶୁଦ୍ଧତାର ପାରାବାର   ।
ଗଛ ଲଗାଇବା ମହା ପୁଣ୍ୟକାମ
କହଇ ଆମ ପୁରାଣ
ତା’ର ଉପକାର ପାରେ ନାହିଁ କଳି
ଗଣିତ କିବା ବିଜ୍ଞାନ   ।
ଅଜ୍ଞାନ ମାନବ ବୁଝେନା ତା ଦାନ
ଧ୍ବଂସକରେ ଆଖି ବୁଜି
ଆଧୁନିକତାର ଉତ୍ତପ୍ତ ଛୁଆଁରେ
ପ୍ରତିକ୍ଷଣେ ମରେ ଭାଜି  ।
ଗଛଟିଏ ରୁଅ,ତା ଯତନ ନିଅ
ବଞ୍ଚାଅ ଦେଇ କି ଜଳ
ସେ କରିବ ଯତ୍ନ,ରଖିବ ଜୀବନ
ବଞ୍ଚିଥିବ (ସେ) ଯେତେକାଳ    ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


Leave a Reply

Your email address will not be published. Required fields are marked *