ଗୀତାର ତାତ୍ପର୍ଯ୍ୟ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଶ୍ରୀମଦଭଗବତଗୀତାରୁ ପଦେ…୩

ଗୀତାର ତାତ୍ପର୍ଯ୍ୟ

ଗୀତା ହେଉଛି ଜ୍ଞାନର ଅଗାଧ ସମୁଦ୍ର । ଏହା ମଧ୍ୟରେ ଜ୍ଞାନର ଅନନ୍ତ ଭଣ୍ଡାର ପୂର୍ଣ୍ଣ ହୋଇ ରହିଛି । ଏହାର ତତ୍ତ୍ବ ବୁଝାଇବାକୁ ବଡ଼ ବଡ଼ ଦିଗ୍ବିଜୟୀ ବିଦ୍ଯାନ ତଥା ତତ୍ତ୍ବ ଆଲୋଚକ ମହାତ୍ମାମାନଙ୍କର ବାଣୀ ମଧ୍ୟ କୁଣ୍ଠିତ ହୋଇଯାଏ; କାରଣ ଭଗବାନ ଶ୍ରୀକୃଷ୍ଣ ହିଁ ଏହାର ପୂର୍ଣ୍ଣ ରହସ୍ଯ ଜାଣନ୍ତି । ତାଙ୍କ ପରେ ଏହାର ସଙ୍କଳନକର୍ତ୍ତା ବ୍ଯାସଦେବ ଏବଂ ଶ୍ରୋତା ଅର୍ଜୁନଙ୍କର ସ୍ଥାନ ଆସେ । ଗୋଟିଏ ସାଧାରଣ ପକ୍ଷୀ ଅନନ୍ତ ଆକାଶର ପରିସୀମା ନିର୍ଣ୍ଣୟ ପାଇଁ ପ୍ରଯତ୍ନ କରିବା ଯାହା ,ମୋ ପରି ଜଣେ ସାଧାରଣ ମନୁଷ୍ୟ ଅଗାଧ ରହସ୍ଯମୟୀ ଗୀତାର ଅନ୍ତର୍ନିହିତ ତାତ୍ପର୍ଯ୍ୟ ଓ ମହତ୍ତ୍ବ ନିର୍ଣ୍ଣୟ କରିବାର ପ୍ରଚେଷ୍ଟା ମଧ୍ଯ ତାହା ।
ଗୀତା ହେଉଛି ଅନନ୍ତ ଭାବର ଏକ ଅଗାଧ ସମୁଦ୍ର । ରତ୍ନାକର ଅତଳ ଗର୍ଭରେ ବୁଡି ଅନୁସନ୍ଧାନ କଲେ ଯେପରି ରତ୍ନପ୍ରାପ୍ତି ହୁଏ, ସେହିପରି ଏହି ଗୀତା ସାଗରରେ ନିମଜ୍ଜିତ ହେଲେ ହିଁ ଜିଜ୍ଞାସୁମାନଙ୍କୁ ନିତ୍ୟ ନୂତନ ଅପୂର୍ବ ଭାବ-ରତ୍ନ-ରାଶି ଉପଲବ୍ଧ ହୁଏ । କିନ୍ତୁ ଆକାଶରେ ଗରୁଡ ଉଡେ ଏବଂ ସାଧାରଣ ମଶା ମଧ୍ୟ ଉଡେ ! ତଦନୁସାରେ ସମସ୍ତେ ନିଜ ନିଜର ଭାବ ଅନୁଯାୟୀ କିଛି କିଛି ଅନୁଭୂତି ଲାଭ କରନ୍ତି । ଅତଏବ ବିଚାର କଲେ ପ୍ରତୀତ ହୁଏ ଯେ, ଗୀତାର ମୁଖ୍ୟ ତାତ୍ପର୍ଯ୍ୟ ହେଉଛି ଅନାଦିକାଳରୁ ଅଜ୍ଞାନବଶତଃ ସଂସାର-ସାଗରରେ ପଡିଥିବା ଜୀବମାନଙ୍କୁ ପରମାତ୍ମପ୍ରାପ୍ତ କରାଇବା; ଏବଂ ସେମାନଙ୍କ ନିମନ୍ତେ ଗୀତାର ଏପରି ଉପାୟ ସବୁ ନିର୍ଦ୍ଦେଶ କରାଯାଇଛି ଯେ,ସେହି ନିର୍ଦ୍ଦେଶକୁ ଧରି ମନୁଷ୍ୟ ନିଜର ସାଂସାରିକ କର୍ତ୍ତବ୍ୟକର୍ମ ଭଲଭାବରେ ଆଚରଣ କରିପାରିଲେ ହିଁ ପରମାତ୍ମାଙ୍କୁ ପ୍ରାପ୍ତି କରିପାରିବା । ବ୍ଯବହାରରେ ପରମାର୍ଥପ୍ରୟୋଗର ଏହି ଅଦ୍ଭୁତ କଳା ଗୀତାରେ ଶିଖାଇ ଦିଆଯାଇଛି ଏବଂ ଅଧିକାରୀଭେଦରେ ପରମାତ୍ମାପ୍ରାପ୍ତି ପାଇଁ ଦୁଇପ୍ରକାର(ଜ୍ଞାନନିଷ୍ଠା,ଯୋଗନିଷ୍ଠା) ନିଷ୍ଠା କରାଯାଇଛି ।
ଏଠାରେ ପ୍ରଶ୍ନ ଉଠେ, ଭଗବାନଙ୍କୁ ପାଇବା ପାଇଁ ପ୍ରାୟ ସବୁ ଶାସ୍ତ୍ରରେ ତିନୋଟି ପ୍ରଧାନ ମାର୍ଗ ନିର୍ଦ୍ଦେଶ କରାଯାଇଛି ଯଥା- କର୍ମମାର୍ଗ,ଉପାସନାମାର୍ଗ ଏବଂ ଜ୍ଞାନମାର୍ଗ; ଏପରି ସ୍ଥଳେ ଗୀତାରେ ଦୁଇଟିମାତ୍ର ନିଷ୍ଠା ବା ମାର୍ଗ କିପରି ସ୍ବୀକାର କରାଯାଇଛି ? ଗୀତାରେ କ’ଣ ଭକ୍ତିମାର୍ଗକୁ ସ୍ବୀକାର କରାଯାଇ ନାହିଁ ? ବହୁଲୋକ ତ ଗୀତାର ଉପଦେଶକୁ ଭକ୍ତିପ୍ରଧାନ ବୋଲି ମାନନ୍ତି ଏବଂ ଅନେକ ସ୍ଥଳରେ ଭଗବାନ୍ ଭକ୍ତିର ବିଶେଷ ମହତ୍ତ୍ବ ମଧ୍ୟ ସ୍ପଷ୍ଟଶବ୍ଦରେ କହିଛନ୍ତି ଏବଂ ଭକ୍ତିଦ୍ବାରା ତାଙ୍କୁ ପାଇବା ସୁଲଭ ବୋଲି କହିଛନ୍ତି ।ଏହାର ଉତ୍ତର ଏହି ଯେ,ଶାସ୍ତ୍ରମାନଙ୍କରେ କର୍ମ ଓ ଜ୍ଞାନ ଛଡା ଯେଉଁ ଉପାସନା ପ୍ରକରଣ ଦିଆଯାଇଛି, ସେହି ଉପାସନା ଏହି ଦୁଇ ନିଷ୍ଠାର ଅନ୍ତର୍ଗତ । ଯଦି ନିଜକୁ ପରମାତ୍ମାଙ୍କ ଠାରୁ ଅଭିନ୍ନ ମାନି ଉପାସନା କରାଯାଏ, ତେବେ ତାହା ସାଂଖ୍ଯନିଷ୍ଠାର ଅନ୍ତର୍ଗତ ହୋଇଯାଏ ଏବଂ ଯଦି ଭେଦ ଦୃଷ୍ଟିରେ କରାଯାଏ,ତେବେ ତାହା ଯୋଗନିଷ୍ଠାର ଅନ୍ତର୍ଗତ ହୋଇଯାଏ । ସାଂଖ୍ଯନିଷ୍ଠା ଓ ଯୋଗନିଷ୍ଠା ମଧ୍ୟରେ ଏହା ହିଁ ମୁଖ୍ୟ ପ୍ରଭେଦ । ଏହା ଅନୁଯାୟୀ ତେର ଅଧ୍ଯାୟର ଚବିଶ ଶ୍ଳୋକରେ କେବଳ ଧ୍ଯାନଦ୍ବାରା ପରମାତ୍ମାଙ୍କୁ ପାଇହେବ ବୋଲି କୁହାଯାଇଛି । କିନ୍ତୁ ସେଠାରେ ମଧ୍ୟ ବୁଝିବା ଉଚିତ ଯେ, ଅଭେଦ ଦୃଷ୍ଟିରେ କରାଗଲା,ଧ୍ଯାନ ସାଂଖ୍ଯନିଷ୍ଠାର ଅନ୍ତର୍ଗତ ହୁଏ ଏବଂ ଭେଦ ଦୃଷ୍ଟିରେ କରାଗଲେ ତାହା ଯୋଗନିଷ୍ଠାର ଅନ୍ତର୍ଗତ ହୁଏ । ଗୀତାରେ ଭକ୍ତିକୁ ଭଗବତପ୍ରାପ୍ତିର ପ୍ରଧାନ ସାଧନ ବୋଲି କୁହାଯାଇଛି, ତାହା ମଧ୍ୟ ଠିକ୍ । ଗୀତାରେ ଭକ୍ତିକୁ ବହୁ ଉଚ୍ଚ ସ୍ଥାନ ଦିଆଯାଇଛି ଏବଂ ସ୍ଥାନେ ସ୍ଥାନେ ଅର୍ଜୁନଙ୍କୁ ଭକ୍ତ ହୁଅ ବୋଲି ଆଜ୍ଞା ଦିଆଯାଇଛି । ତଥାପି ଗୀତାରେ ଦୁଇପ୍ରକାର ନିଷ୍ଠା ହିଁ ସ୍ବୀକାର କରାଯାଇଛି । ଏ ଭିତରୁ ଭକ୍ତି ଯୋଗନିଷ୍ଠାର ଅନ୍ତର୍ଗତ ହୋଇଯାଇଛି । ଯେହେତୁ ଭକ୍ତିରେ ଦ୍ବୈତଭାବ ରହିଛି; ତେଣୁ ଏପରି ମାନିବା ଯୁକ୍ତି ବିରୁଦ୍ଧ ବୋଲି କୁହାଯାଇ ନ ପାରେ । ଭକ୍ତି କିପରି ଯୋଗନିଷ୍ଠା ସହିତ ମିଶି ରହିଛି, ତାହା ପରେ ବିଚାର କରାଯିବ ।
ଗୀତାରେ କେବଳ ଭଜନ-ପୂଜନ ଅଥବା କେବଳ ଧ୍ଯାନରେ ଭଗବତପ୍ରାପ୍ତି ହେବ ବୋଲି ନିର୍ଦ୍ଦେଶ କରି ଭଗବାନ୍ ଦର୍ଶାଇ ଦେଇଛନ୍ତି ଯେ,ଯୋଗନିଷ୍ଠାର ପୂର୍ଣ୍ଣ ସାଧନାରେ ତ ଭଗବତପ୍ରାପ୍ତି ନିଶ୍ଚୟ ହୋଇଥାଏ; ଯୋଗନିଷ୍ଠାର ଗୋଟିଏ ଗୋଟିଏ ଅଙ୍ଗ ସାଧନା କରି ମଧ୍ୟ ତାଙ୍କୁ ପ୍ରାପ୍ତ କରାଯାଇପାରେ । ଭଗବାନଙ୍କର ଏତେ କୃପା ଯେ , ନିଜକୁ ଜୀବମାନଙ୍କ ପାଇଁ ଅତ୍ଯନ୍ତ ସୁଲଭ କରି ଦେଇଛନ୍ତି । କ୍ରମଶଃ……

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା,ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ