କାନ୍ତ ଅଭିମାନିନୀ – ସୁନୀଲ କୁମାର ବେହେରା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କହେ ପାରିଜାତ ଶୁଣ ଗୋ ସଂଗାତ
ଶୁଣ ମୋର ମନକଥା
ବଡ ଅମାନିଆ ପରଜାପତିଟି
ବଢ଼ାଉଛି ମନେ ବ୍ୟଥା ।।
ମୋତି ମାଣିକଠୁ ଭଲ ପାଏ ବେଶି
ମୁଁ କାଳେ ତା’ ପ୍ରିୟତମା
ଉଡି ବୁଲି କୁହେ ଫୁଲ ରାଇଜରେ
ଛାଡୁନାହିଁ ମତେ ଜମା ।।
ଶୁଣ ଗୋ କାନନ ଶୁଣ ଗିରିରାଜ
ଶୁଣ ଶୁଣ ଲୋ ତଟିନୀ
ଜୀବନ ଠୁ ବେଶି ଭଲପାଏ ବୋଲି
ମନ ମୋ ଜମା ମାନୁନି ।।
ଶୁଣ ହେ ମରୁତ ଶୁଣ ମେଘଦୂତ
ଶୁଣ ଶୁଣ ପ୍ରଭାକର
ଅମାନିଆ ପାଶେ ଏ ହୃଦୟ ବନ୍ଧା
କରି ମୁଁ ପାରୁନି ପର ।।
ଶୁଣ ଲୋ ରଙ୍ଗଣୀ ଶୁଣ ଗୋ ପଦ୍ମିନୀ
ଶୁଣ ଶୁଣ ବଣମଲ୍ଲୀ
ପ୍ରେମିକକୁ ମୋର ଛଡାଇ ନେବନି
ଏଇ ମୋର ଛୋଟ ଅଳି ।।
ଶୁଣ ଗୋ ନିଦାଘ ଶୁଣ ବର୍ଷାରାଣୀ
ଶୁଣ ଶୁଣ ଋତୁରାଜ
ବିବାହ ବନ୍ଧନେ ବାନ୍ଧିହେବା ପାଇଁ
କର ମୋତେ ସଜବାଜ ।।
ଅଭିମାନିନୀ ମୁଁ କାନ୍ତ ପାଇଁ ମୋର
ଆଉ ରାଗିବିନି ଜମା
ସେନେହ ଶରଧା ପ୍ରିୟ ପାଇଁ ଖଞ୍ଜି
କରିଦେଲି ତାଙ୍କୁ କ୍ଷମା ।।
ବିଭୂ ପାଦେ ନିତି କରୁଛି ମିନତି
ପ୍ରେମ ମୋ ଅମର ହେଉ
ସୁଖର ଦୁଃଖର ସଂସାର ସାଗରେ ଜୀବନଟା ବିତି ଯାଉ ।।
ସୁନୀଲ କୁମାର ବେହେରା।(ଶିକ୍ଷକ)
ନୂଆଗାଁ-ପଥରବନ୍ଧ/ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬
