ପରିବାର

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ପରିବାର*✍????
***************
ଯେଉଁ ଘରେ ହୁଏ ପ୍ରେମ ପାରାୟଣ
ସ୍ନେହ କବିତା ଆସର
ସେ ଘର ହୃଦୟେ ଜନ୍ମ ନେଇ ହସେ
ସ୍ୱର୍ଗ ସମ ପରିବାର ।

ହସ ସେଠି ନିତି ଶେଯରୁ ଉଠାଏ
ଖୁସି ଶୁଆଏ ନିଦରେ
ଆଦର ପରଶେ ଖାଇବା ଦରବ
ସରାଗେ ବଡ଼ ଶ୍ରଦ୍ଧାରେ ।

ଶୃଙ୍ଖଳା ଉଦାରେ ଦିଏ ନୀତିଶିକ୍ଷା
ଶରଧାରେ କାନମୋଡି
ଅତିଥି ଦେବଙ୍କୁ ପ୍ରଣମେ ଭକତି
ସଂସ୍କାରର ହାତଯୋଡି ।

ସ୍ବେଚ୍ଛାଚାରିତାକୁ କବାଟ କିଳେ ସେ
ସ୍ୱାଧୀନ ପାଇଁ ତ ଖୋଲା
ଇଚ୍ଛାମାନେ ଏଠି ଆନନ୍ଦେ ନାଚନ୍ତି
ଆଗ୍ରହେ କରନ୍ତି ହାଲା ।

ଭୁଲ୍ ମାନେ ଏଠି କେବେ କାନ୍ଦନ୍ତିନି
କ୍ଷମାର ଆଉଁସା ପାଇ
ସଠିକ୍ ମାନଙ୍କ ପ୍ରଶଂସା ଦେଖିଲେ
ମୃତ ବି ମାରିବ ହାଇ ।

ହସ କାନ୍ଦ ଭାରି ଖଟାମିଠା ଏଠି
ରାଗ ରୋଷା ଖିଲିପାନ
ଦୁଃଖ ହଜିଯାଏ ମୁରୁକା ହସରେ
ସାଥେ ରାଗ ଅଭିମାନ ।

ପିତାମାତା ସାକ୍ଷାତ ଦେବାଦେବୀ ଏଠି
ଏ ପରା ସ୍ୱର୍ଣ୍ଣ ମନ୍ଦିର
ଆଶିଷ ଶ୍ରାବଣ ଝରେ ତାଙ୍କ ଓଠୁ
ଚାଲିବାକୁ ବହୁଦୂର ।

ପରିବାର ନୁହଁ ମୁଣ୍ଡର ଗଣତି
(ଏ) ଆବେଗର ସମାହାର
ଜଣଙ୍କ ଦୁଃଖରେ ଆଉ ଜଣେ କାନ୍ଦେ
ତୋଫା ଦେଇ ପ୍ରୀତିହାର ।

ହିଂସା ପାଏ ଏଠି ନିର୍ବାସନ ଦଣ୍ଡ
ଛଳ ଯାଏ ବନବାସ
ତ୍ୟାଗ ପାଦ ତଳେ ପୁଷ୍ପ ବୃଷ୍ଟି କରେ
ଧରି ଭରସା ବିଶ୍ୱାସ ।

ଆକାର ତାହାର ନୁହଁ ଏକୋଇଶି
ଆକୃତି ପରା ବାଆର
ଜଣେ ଚାହିଁ ଛୁଏଁ ଅପର ହୃଦୟ
ଲାଗେ ପୁଣ୍ୟ ପାରାବାର ।

ଚଳଣି ଚରିତ୍ର ଗଜାମାରେ ଏଠି
ଗଢେ ଆଚାର ପ୍ରାସାଦ
ହେଉ ପଛେ ଶାଗ ପଖାଳ ତୋରାଣି
ଲାଗେ ଆଃ ମହାପ୍ରସାଦ !

କୁଡ଼ିଆ ପଛକେ ହେଉ ତାର ଘର
କାନ୍ଥ କିନ୍ତୁ କଥା କହେ
ଆତ୍ମା ମାନଙ୍କର ଲହଡି ସଙ୍ଗମ
ଛାତି ଦୋହଲାଇଦିଏ ।

ଏ ଅଟେ ବସତି ଏ ଅଟେ ସଂସ୍କୃତି
ପରମ୍ପରା ମୋ ଦେଶର
ଯମ ଦେଖି ଡରୁ ଏ ପବିତ୍ର ସ୍ଥାନ
ପୁଣ୍ୟ ମିଳୁ ନିରନ୍ତର ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ