ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି
***********************
ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି
ଦୁଃଖ କୋକେଇରେ ସୁଖଟା ବସିକି ଆଖି ଲୁହ ସବୁ ପିଉଛି।0।

ଛୁଆଙ୍କର କୁନି ପାଦ ଗୁଡା କାହିଁ
ତା ଛାତିକୁ ଆଜି ଛୁଉଁନି
ଶଗଡ଼ ସାଇକେଲ୍ ମୋଟର୍ କାର୍ ର
ଶବ୍ଦବି କାନରେ ବାଜୁନି
ଗନ୍ଧିଆ ବଗୁଲା ଶୁକୁଟାଙ୍କ ହାତ
ଜରି ବୋତଲକୁ ନେଉନି
କୁମ ନାନୀ ଝାଡୁ ଆଉଁସୁନି ପିଠି
ଦେହରୁ ମଳିଟା ଯାଉନି
ଭାରି ଅଶାନ୍ତିରେ ଦିନ କାଟୁଛି,,,
ପବନ ଆଖିର ଲୁହ ଧାର ଦେଖି
ଖରା ଠୋ ଠୋ ହସୁଛି।
ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି (୧)।

କ୍ଷୀର ବାଲାଟାର ଢ଼ାଙ୍କୁଣୀ ତାହାଠି
ନ ବାଜି ଠନ୍ ଠନ୍ ଶୁଭୁନି
ପେପର ବାଲାର ଘର୍ ଘର୍ ଚକ୍କର
ଫିଙ୍ଗା (ଘର)ଚଟାଣକୁ ଛୁଉଁନି
ଆଞ୍ଜେଲ ପ୍ରିୟାର ଲିପିଷ୍ଟିକ୍ କାଜଲ୍
ଅଣ୍ଟା ଭଙ୍ଗା ଚାଲି ଦିଶୁନି
କଲେଜ ରାସ୍ତାରେ ଲୋକାଲ୍ ଟୋକାଙ୍କ
ବଦମାସି ଆଉ ବାସୁନି
ସବୁ ଖୁସି ଲିଭିଯାଇଛି,,,
ସ୍ନେହ ଶରଧାର ହାଟ ବାଟ ଭୁଲି
ଶାଳ ଗଛ ମୂଳେ କାନ୍ଦୁଛି।
ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି ।(୨)।

ସଞ୍ଜୟ ସାର୍ ଙ୍କ ହୁଣ୍ଡାଗାଡି ଶବ୍ଦ
ସମୟ ସୂଚନା ଦେଉନି
ପାଖ ଷ୍ଡାଡିୟମର ଗାଈ ଛେଳି ସଭା
ଖେଳ କ’ଣ ଭୁଲିଗଲାଣି
ସଂପୂର୍ଣ୍ଣାର ଖାଲି ପାଦ ଚୁମି ଚୁମି
ମନ୍ଦିର ଘଣ୍ଟକୁ ଛୁଉଁନି
ଖାତୁନ୍ ପଠାଣର ଛେଳି ହଣା ଦେଖି
ମାମୁନି ଟିକିଏ କାନ୍ଦୁନି
ସ୍ମୃତି ଆଖି ମଳି କାନ୍ଦୁଛି,,,,
ପାଖ ନଈ ଘାଟ ତୁଠ ପଥରଟି
ନୂଆ ବୋହୁ ଘଷା ଖୋଜୁଛି ।
ଆଜି ରାଜରାସ୍ତାଟା ଖାଁ ଖାଁ ଖାଲି ଲାଗୁଛି।(୩)।

ଭିକାରୀ ବୁଢ଼ାର ମା’ ଭିକ ଦିଅ
ଶବଦଟା ଲିଭିଗଲାଣି
ଅଟୋ ବାଲାଟାର ଫୋନ୍ ନମ୍ବର
ତା ଖାତାରୁ ତ ଲିଭିଗଲାଣି
ପୋଲିସ ଗାଡିର କାଁ କାଁ ଧ୍ୱନି
କାନକୁ ବଦରା କଲାଣି
ଆମ୍ବୁଲାନ୍ସ ଭିତରୁ ରୋଗୀର ଚିତ୍କାର
ନିଦକୁ ହଜେଇ ଦେଲାଣି
ସବୁ ଚିତ୍ର ଲିଭିଯାଇଛି,,,
ପାଠ ପଢା ପୁଅ ଝିଅଙ୍କ ବସ୍ତାନି
ଡୋରି ବନ୍ଧା ହୋଇ ଶୋଇଛି।
ଆଜି ରାଜରାସ୍ତାଟା. ଖାଁ ଖାଁ ଖାଲି ଲାଗୁଛି ।(୪)।

???????? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*????????

Leave a Reply

Your email address will not be published. Required fields are marked *