ବାଃ ରାଧୁଆ ବାଃ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

???? *ବାଃ ରାଧୁଆ ବାଃ*????
*****************
“ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ” ଧ୍ୱନିରେ କମ୍ପି ଉଠୁଥିଲା ମେଦିନୀ।ପାଖରୁ କିଛି ନରମ ଗରମ ମିଶା ଗଳାର କରୁଣ ଧ୍ୱନି ଗଗନ ପବନକୁ ପ୍ରକମ୍ପିତ କରୁଥିଲା। ହେଲେ ନ ଥିଲା ଭାଇଙ୍କ କାନ୍ଧ କି ସାହି ପଡିଶା ଲୋକଙ୍କ କାନ୍ଧଛୁଆଁ କୋକେଇ। କେବଳ ପୋଲିସ ମାନଙ୍କ ମେଳରେ ଧଳା କପଡା ଘୋଡା ଅଚିହ୍ନା କିଏ ଜଣେ ? ନିଜ ଆନ୍ଦୋଳିତ ମନକୁ ବାରମ୍ବାର ପ୍ରଶ୍ନ କରୁଥିଲା ରାଧୁଆ।ହେଲେ ତା ଅଜ୍ଞାନ ମନର ବିଜ୍ଞାନ କଳି ପାରୁନଥିଲା ସେ ଘଟଣା ଦୁର୍ଘଟଣାର ସାରାଂଶ।ଖାଲି ଅନୁମାନର ପେଡିରୁ ସାଉଁଟା ଅଭିଜ୍ଞତାର ଛୁଆଁକୁ ଛୁଇଁ ଚିହ୍ନିଲା ନିଶ୍ଚୟ ତା ଗାଁର କିଏ ଚାଲିଯାଇଛି ଆରପୁରକୁ ବୋଧେ।ହେଲେ ଏମିତି ଅନେକ ଶବ ବୁହା ସେ ଦେଖିଛି କିନ୍ତୁ ଆଜିର ନିଆରା ଶବ ସତ୍କାର ତା ମନକୁ ବହୁତ ଆଘାତ ଦେଇଛି।ମନେ ମନେ କହୁଥାଏ ହାଇହୋ ଜୀଇଁ ଲା ବେଳେ କିଛି ଦିଅ କି ନ ଦିଅ ଏ ମଲାବେଳେ ଏ ଲୋକକୁ ଏତେ ଅସମ୍ମାନ କାହିଁକି…. ପୁଣି ମୋ ଗାଁ ମାଟିରେ।ଅନ୍ୟାୟ ଅନ୍ୟାୟ ଘୋର ଅନ୍ୟାୟ।ଆରେ ଏ ରାଧୁଆ ଥାଉ ଥାଉ ତୁମର ଏତେ ସାହସ ଶଳା ଏ ମାଟିଆ ମାମୁଁଙ୍କ ହାତରେ ଚୋରଙ୍କୁ ଅପମାନ ଦେଲା ପରି ଅସମ୍ମାନ କରୁଛ ? ଛି ଛି ଲାଜ ନାହିଁ ତୁମ ନିର୍ଲ୍ଲଜ ମୁହଁକୁ ।ମାଇଚିଆ ପରି ଚାରି କଡ଼ରେ ଛିଡା ହୋଇଛ ମୁହଁରେ ତୁଣ୍ଡି ଦେଇ।ଯାହା ହେଉ ଆଜି ମୁଁ ପଶିବି ଆଉ ସିଏ ଯିଏ ହୋଇଥାଉ ନା କାହିଁକି ତା ଶବ ସତ୍କାରରେ ସହଯୋଗ କରିବି।ଏହା କହି ଅପାଠୁଆ ନିର୍ବୋଧ ରାଧୁଆ ବିଜୁଳି ବେଗରେ ମାଡିଗଲା ଆଗକୁ।ହଠାତ୍ ପୋଲିସର ବାଡ଼ି ତା ଆଗରେ କାଠଯୋଡ଼ି ବନ୍ଧ ପରି ଛିଡା ହେଲା।ଜଣଙ୍କ ପାଟିରୁ ବାହାରିଲା ଯାଉଛୁ ନା ଏ ପୋଲିସ ବାଡିର ଗେହ୍ଲ ଦେଖିବୁ।ଏହାପରେ ଆଉ ଜଣେ ପୋଲିସ ତା ହାତରେ ଟିକେ ଡେଟଲ କି କଣ ପକାଇ ଆଉ ଜଣେ ପାଣି ଢାଳି ଛଅ ଭଙ୍ଗୀରେ ଧୋଇବା ଶିଖାଇ ଗାଁ ଟ୍ୟୁସନ ମାଷ୍ଟର ପରି କେତେ ରଙ୍ଗ ଦେଖେଇ ଧୋଇବାକୁ କହିଲେ।ରାଧୁଆ ସେମାନଙ୍କୁ ଚାହିଁବାରୁ ଆଉ ଜଣେ ଧମକ ଦେଇ କହୁଥାଏ ବଡ ଡିଜାଇନ ରେ ଚାହୁଁଛୁ ବେ,ଶଳା ଗାଁ ଦାଦା ଦେଖାଉଛୁ। ମୁହଁରେ ମାସ୍କ ନାହିଁ କୁଆଡେ ବୁଲୁଛୁ ବେ।ଏହାପରେ ଜଣେ ପୋଲିସ ତା ମୁହଁରେ ତୁଣ୍ଡିଟେ ଲଗାଇଦେଇ କହିଲା,ଯାଆରେ ପୁଅ ସିଧା ଘରକୁ,ଏଠି ଯଦି ବାହାଦୁରୀ ଦେଖେଇବୁ ନା ବାହାଦୂର ମାନଙ୍କ ଠେଙ୍ଗିଣୀ ମାଡ଼ ତୋ ମୁହଁର ମାନଚିତ୍ର ତିଆରି କରି ଦେବ।

ଏ କଥା ଗୁଡାକ ରାଧୁଆ ଦେହରେ ବାଣ ପରି ଗଳି ଯାଉଥିଲା।ସେ ଖାଲି ରକ୍ତ ଚାଉଳ ଚୋବେଇ ହେଉଥାଏ। ମନେ ମନେ କହୁଥାଏ,ଆରେ… ଏ ରାଧୁଆ ସିନା ଦିଅକ୍ଷର କମ୍ ପଢ଼ିଛି, ବେଶି ବୁଦ୍ଧି ନାହିଁ ତାର, ହେଲେ ଜାଣିନ ରେ ପୁଅ…. ତା ବଡ଼ଭାଇ ସତ୍ୟ ପରା ଡ଼ଃ ସତ୍ୟପ୍ରକାଶ ଆଉ ତା ବାପା ଅମରେନ୍ଦ୍ର ବାବୁ ରିଟାୟଡ଼ ସ୍କୁଲ ମାଷ୍ଟର।ଆରେ ଏ ତିନି ଖଣ୍ଡ ମୌଜାର ଲୋକଙ୍କ ବିଚାର ପରା ଏସବୁ ଆମ ଘରେ ହୁଏ।ଆବେ ଅଢେ଼ଇ ଟଙ୍କିଆ ମାଟିଆ ପୋଷାକ ପିନ୍ଧା ସରକାରୀ ଅଫିସର ତୁମେ ମୋତେ ଧକ୍କା ମାରିପାରିଲ।ପୁଣି ମୋ ଗାଁର ଦାନ୍ତ ନିପିଟା ବେହିଆ କେତେଟା ଏ ଶବ ପାଖକୁ ନ ଆସି କି ପୋଲିସଙ୍କୁ ପ୍ରତିବାଦ ନ କରି ମୁଣ୍ଡ ନୁଆଇଁ କାପୁରୁଷ ପରି ଛିଡା ହୋଇଛ।ଛି ଛି ।ଏହା କହି କ୍ଷୀପ୍ର ବେଗରେ ଚାଲିଗଲା ନିଜ ଘରକୁ।ଏମିତିକି ବାଟରେ ବଡ଼ଭାଇ ଯେତେ ଡାକିଲେ ବି ସେ ଆଡ଼ ଆଖିରେ ଚାହିଁଲା ନାହିଁ କି କାନ ବି ଦେଲାନାହିଁ।

ଘରେ ପହଞ୍ଚି ମାଆ ପାଖରୁ ଯାହା ଶୁଣିଲା ସେଥିରେ ତା ପାଦରୁ ମାଟି ଖସିଗଲା।ସେ ଆଉ କେହି ନୁହଁ ସେ ଥିଲେ ତାଙ୍କ ଗାଁ ପଟ୍ଟନାୟକ ଘର ସିନିୟର ଆଡଭୋକେଟ ବିଶ୍ୱମ୍ଭର ବାବୁଙ୍କ ପୁଅ ବସନ୍ତ କୁମାର ଯେ କି ଦୁବାଇରେ ଜୁନିୟର ସାଇଁଣ୍ଟିଷ୍ଟ ଭାବେ କାମ କରୁଥିଲେ, ସେ ଏକ ଅଜଣା ରୋଗରେ ମୃତ୍ୟୁବରଣ କରିଛନ୍ତି।ଏହା ଶୁଣି ତାଙ୍କ ହୃଦୟଟା ସତେ ଯେମିତି ଫାଟିଗଲା। ଭୋ ଭୋ ରଡି ଛାଡି ଚିତ୍କାର କଲା ସେ।ଯେତେ ଚାହିଁଲେ ବି ତାକୁ କେହି ବୋଧ ବି କରିପାରୁ ନ ଥିଲେ।

ରାଧୁଆଟା ସିନା ବେଶି ପଢିନି ହେଲେ ଗାଁ ପ୍ରାଇମେରୀ ସ୍କୁଲରେ ସାଥିହୋଇ ପାଠ ପଢୁଥିଲେ ଦୁହେଁ।ପାଠ ଆସେନାହିଁ ବୋଲି ସାର୍ ମାନେ ରାଗିଲେ ତା ସହ କେହି ସାଙ୍ଗ ହୁଅନ୍ତି ନାହିଁ,କେହି ପାଖରେ ବସାନ୍ତି ନାହିଁ କେବଳ ସେହି ବସନ୍ତ ତାକୁ ସାଙ୍ଗ କରେ ଆଉ ପାଖରେ ବସାଏ।ତାକୁ ତା ଖାତା ଦେଖି ଲେଖିବାକୁ ଦେଉଥିବାରୁ ବିଚରା ବିନାଦୋଷରେ ବହୁତ ମାଡ଼ ବି ଖାଏ।ସତ୍ୟ ଆଉ ଅମରେନ୍ଦ୍ର ବାବୁ ବହୁତ ଚେଷ୍ଟା କଲେ ରାଧୁଆକୁ ବୋଧ କରିବାକୁ ହେଲେ ଆଗ୍ନେୟଗିରିର ନିଆଁ ସହଜରେ ନ ଲିଭିବା ପରି ସେ ଆଦୌ ଥୟ ହେଉ ନ ଥାଏ।ଖାଲି କହୁଥାଏ ମୋତେ ତୁମେ ଦୁହେଁ ଛୁଅଁନା।ସ୍ୱାର୍ଥପର ଅମଣିଷ କୋଉଠିକାର।ଆରେ କାଲିପରି ଲାଗୁଛି ଆମ ମାନୀ ବାହାଘର ପାଇଁ ପାଞ୍ଚ ଲକ୍ଷ ଟଙ୍କା ନିହାତି ଦରକାର ଥିଲା।ତୁମ ପେନସନ ଟଙ୍କା ମିଳିଲାନି,ଭାଇ ଏଣେ ଡକ୍ଟରେଟ କରିବାକୁ ଟଙ୍କା ଦରକାର,ରାତି ପାହିଲେ ବାହାଘର।କଥାଟା ଶୁଣୁ ଶୁଣୁ ପାଞ୍ଚ ଲକ୍ଷ ଟଙ୍କା ବଢ଼େଇଦେଲା ସେ।ହେଲେ ସେ ଲୋକଟା ମରି ପଡିଛି ତା ପାଖକୁ ଯାଇପାରିଲ ନାହିଁ।ଛି ଛି କି ଅମଣିଷ ତୁମେ ଦୁହେଁ।

ସତ୍ୟ ଓ ଅମରେଶ ଯେତେ ବାରଣ କଲେ ବି ପଦୁଟିଏ କହିବାକୁ ସୁଯୋଗ ଦେଉ ନ ଥାଏ ସେ।ଶେଷରେ କହିଲା କ’ଣ ମୋତେ ଭାଗବତ ଶୁଣାଉଛ ଶୁଣାଅ।

ଅମରେନ୍ଦ୍ର କହିଲେ ବାପା ରାଧୁ, ଆରେ ପୋଲିସ ପରା କାହାକୁ ଛୁଆଁଇ ଦେଲେନାହିଁ ଆମେ କଣ କରିଥାନ୍ତୁ କହିଲୁ।ଏ ରୋଗ ହେଲେ ପରା ନିଜ ବାପ ମାଆ ବି ପାଖକୁ ଯାଆନ୍ତି ନାହିଁ କି ଛୁଅନ୍ତି ବି ନାହିଁ।

ଆରେ ମୁଁ କ’ଣ କଅଁଳା ଛୁଆ ହୋଇଛି ମୋତେ ଚକଲେଟ ଦେଇ ଦ୍ଭଣ୍ଡେଇବ ।ଏ ଦୁନିଆଁଟା ପରା ପୁରା ସ୍ୱାର୍ଥପର।ରାଜୁ ମାଆଙ୍କୁ କ୍ୟାନସର ହୋଇଥିଲା, ମାନେ ସବୁଠୁ ବଡ଼ ରୋଗ।କେହି ଗଲେ ନାହିଁ ତା ପାଖକୁ।ସାତ ଦିନ ସାତ ରାତି ତା ପାଖରେ ମୁଁ ବସିଛି, କ’ଣ ସେ ରୋଗ ମୋତେ ଡେଇଁଲା।ମୁଁ ଦେଖୁଛି ଆଜିକାଲି ଦୁନିଆଁରେ ଏ ପାଠୁଆ ଗୁଡାକ ବଡ଼ ମୂର୍ଖ ଆଉ ସ୍ୱାର୍ଥପର।

ବାପା କହିଲେ ଶୁଣ୍ ରାଧୁଆ ଏ କ୍ୟାନସର ସିନା ନୁହଁ,ଏହା ଏକ ଏପରି ଅଚିହ୍ନା ଅଜଣା ରୋଗ ଯାହାର ଉପଚାର ପାଇଁ କୌଣସି ଔଷଧ ଏଯାଏ ବାହାରିନି। ତା ବିଷୟରେ ତୋ ଭାଇ ସତ୍ୟ ବହୁତ କିଛି ଜାଣିଛି ସେ ସବୁ କିଛି ବୁଝାଇଦେଵ, ମନଦେଇ ଶୁଣୁ।

ସତ୍ୟ କହିଲା ରାଧୁ,ଏ ରୋଗର ନାଆଁ କରୋନା।ଚୀନ୍ ର ବୁହାନ୍ ସହରରେ ଯେଉଁଠି ଲୋକେ ସାପ,ବିଛା,ବେଙ୍ଗ,ଅସରପା ଆଦି ଜିନିଷ ଖାଉଥିଲେ ସେଇ ମାନଙ୍କ ପାଖରୁ ଏ ସୃଷ୍ଟି ହେଲା।ଯେଉଁ ଡାକ୍ତର ଏ ରୋଗକୁ ଚିହ୍ନି ପ୍ରଥମେ କହିଲେ ସେ ଦେଶର ମୂର୍ଖ ମୁଖ୍ୟ ତାକୁ ଅଟ୍ଟାହାସ୍ୟ କରି ପାଗଳ କହି ବନ୍ଦୀକରି ଦେଲା,ଶେଷରେ ସେ ବିଚରା ବି ମରିଗଲା।ସେ ରୋଗ ଏକ ଭୁତାଣୁ ଦ୍ୱାରା ବ୍ୟାପିଲା।ତାକୁ ଯିଏ ଛୁଇଁଲା,ତା ସହ କଥାବାର୍ତ୍ତା କଲା ତା ଦେହକୁ ମାଙ୍କଡ ପରି ଡେଇଁଲା।ଚୀନ ପରେ ଇଟାଲୀ,ଆମେରିକା,ଜର୍ମାନ୍…ଏଇମିତି ଏଯାଏ ଦୁଇଶହ ଆଠଟି ଦେଶକୁ ବି ଏ ରୋଗ ବ୍ୟାପିଲା।ଆମ ଦେଶର ଲୋକଙ୍କୁ ବି ଏସବୁ ବ୍ୟାପିଛି।ଏ ପର୍ଯ୍ୟନ୍ତ ଡାକ୍ତର ବୈଜ୍ଞାନିକ ଶିକ୍ଷାବିତ୍ ନିଜ ସମସ୍ତ ଜ୍ଞାନ କୌଶଳ ପ୍ରୟୋଗ କରି ବି ଔଷଧ ବାହାର କରିପାରୁନାହାନ୍ତି।ଆହୁରି ଆଶ୍ଚର୍ଯ୍ୟ କଥା ପୃଥିବୀର ସର୍ବଶ୍ରେଷ୍ଠ ସମୃଦ୍ଧିଶାଳୀ ଦେଶ ଆମେରିକା ଯେ ଆଖିପିଛୁଳାକେ ଗୋଟେ ଛୁଟକୀରେ ପୃଥିବୀକୁ ଧ୍ୱଂସ କରିପାରେ ତା ଆଖି ଆଗରେ ଏ ରୋଗରେ ହଜାର ହଜାର ଲୋକ ମରିବାରୁ ସେ ଛୋଟ ଛୁଆ ପରି କାନ୍ଦୁଛି। ଏହା ନିଆଁପରି ପାଣି ସୁଅ ପରି ଆଉ ଝାଡ଼ ବତାସ ପରି ହୁ ହୁ ହୋଇ ମାଡି ଚାଲିଛି।ତେଣୁ ସରକାର ଲକ ଡାଉନ କରି ସମସ୍ତଙ୍କୁ ଘରେ ରହିବାକୁ କହିଛନ୍ତି ଓ ସଟ ଡାଉନ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି।

ଆରେ ଜାଣିପାରିଥିବୁ ତୋତେ ସେ ପୋଲିସ ମାନେ ହାତରେ ହ୍ୟାଣ୍ଡୱାସ୍ ଦେଇ ଧୁଆ ଶିଖାଇଲେ।କଥା ନ ସରୁଣୁ ରାଧୁଆ ଗର୍ଜ୍ଜି କହିଲା,ସତରେ ଭାଇ ସେତେବେଳେ ମୋ ଦେହରେ ଖାଲି ବିଷ ଚଢିଯାଉଥାଏ।ଆବେ ଶଳେ ପୋଲିସ ତୁମେ ଆମକୁ କ’ଣ ବଣ ମଣିଷ ଭାବିଛ,ମୁଁ ଧୋଇ ଶିଖିନାହିଁ।ପୁଣି ମୁଁ କଣ ଗାଈ ନା ବଳଦ ତୁମ ପରି ମୁହଁରେ ତୁଣ୍ଡି ଦେବି।ଭାଗ୍ୟ ଭଲରେ ପୁଅମାନେ,ଥରେ ଯଦି ରାଧୁଆ ମୁଣ୍ଡକୁ ପିତ ଚଢ଼ିଥାନ୍ତା କି ତା ସାଂଗ ଦୁଇ ଚାରିଟା ଥାଆନ୍ତେ,ମୁଳିଆ ବାଉଁଶ ଠେଙ୍ଗାରେ ପିଟି ପିଟି ଛତୁ କରିଦେଇଥାନ୍ତି।

ସତ୍ୟ କହିଲେ ନା ରାଧୁ,ଆରେ ଆମେ ସିନା ହାତ ଧୁଅନ୍ତି ହେଲେ ଏ ବଦମାସ ଭୁତାଣୁ ମାନେ ସବୁ ସନ୍ଧିରେ ଲୁଚି ରହିଯାନ୍ତି ଯଦି ଛଅ ପ୍ରକାରର ଧୁଆ ନ କରିବା,ସାବୁନ କି ଡେଟଲ୍ ରେ ହାତ ନ ଧୋଇବା ତାହେଲେ ସେମାନେ ଦେହ ଭିତରକୁ ଅତି ସହଜରେ ଚାଲିଯିବେ।ଆଉ ତୁ ଯେଉଁ ତୁଣ୍ଡି କହୁଥିଲୁ, ଆରେ ସେ ସବୁ ତୁଣ୍ଡି ନୁହଁ ରେ ସେ ସବୁ ମାସ୍କ।ତାହା ପିନ୍ଧିଲେ ବାହାରର ଭୁତାଣୁମାନେ ଆମ ନାକ କି ପାଟିକୁ ପଶିପାରନ୍ତି ନାହିଁ।

ତୁ ବୁଝୁନୁ ରାଧୁ ଏବେ ଜଣେ କଲେକ୍ଟରଙ୍କ ବାପା ମରିଗଲେ ତାଙ୍କୁ ବି ଛୁଇଁବାକୁ ଦିଆଗଲା ନାହିଁ।ସେମାନେ କ’ଣ ଭୁଲ କରୁଛନ୍ତି ! ଆମ ଜୀବନ ବଂଚିବା ପାଇଁ ନିଜ ଜୀବନକୁ ପରା ବାଜି ଲଗେଇ ଦେଉଛନ୍ତି। ନିଜ ଘର ପରିବାର ଲୋକଙ୍କୁ ଛାଡି ଆମକୁ ସେବା ଦେଉଛନ୍ତି। ଆମେ ଆନନ୍ଦରେ ଘରେ ଶୋଇଥିବାବେଳେ ସେମାନେ ଆମ ଭଲ ପାଇଁ କେତେ ଲଢ଼ୁଛନ୍ତି କହିଲୁ।

ହଁ ଯେ ଭାଇ ହେଲେ ବସନ୍ତ ପରି ଜଣେ ଏତେ ଭଲ କୋକକୁ ଆମେ ନ ଛୁଇଁ ବାରୁ ମୁଁ ସିନା ଏମିତି କହିଲି।ଅମରେନ୍ଦ୍ର କହିଲେ ଆରେ ରାଧୁଆ,ବସନ୍ତଟା ମଣିଷ ନ ଥିଲାରେ ସେ ପରା ଥିଲା ସାକ୍ଷାତ ଦେବତା।ଖାଲି ସେତିକି ନୁହଁ ବାପା,ତା ପରିବାର ସହ କେହି ବି ନ ମିଶିବାକୁ ସମସ୍ତଙ୍କୁ କୁହାଯାଇଛି।

ହେଲେ ମଉସା ମାଉସୀ ତାଙ୍କ ପରିବାର କେମିତି ବଞ୍ଚିବେ ବାପା।ମୁଁ କିନ୍ତୁ ଯିବି।ଯାହା ହୋଇଗଲେ ହୋଇଯାଉ।ହଉ ରାଧୁ ତୁ ଖାଇପିଇ ଆଜି ରାତିରେ ଶୋଇଯାଆ, ରାତି ପାହିଲେ ବିଚାର କରିବା।

ରାଧୁଆ ପୁଣି ଖାଇବ କେଉଁ ଖୁସିରେ…? ମାଆ ଯେତେ ଡାକିଲେବି ସେ ଶୁଣିଲା ନାହିଁ।ରାତି ସାରା ତା ଆଖିକୁ ନିଦ ନାହିଁ।ଅତୀତର ସ୍ମୃତିଗୁଡ଼ାକ ଯେପରି ତାର ବାଟ ଓଗାଳିଛନ୍ତି।କାଲିପରି ଲାଗୁଛି ବସନ୍ତ ଆସିଲେ ଗାଁ ପିଲା ତା ଚାରିପଟ ଘେରିଯାଆନ୍ତି।ସନ୍ଧ୍ୟାରେ ସେ ଦିଏ ଫିଷ୍ଟି ପୁଣି ନିଜେ ଖୁବ୍ ସୁଆଦିଆ ରୋଷେଇ କରି। ଫୁଟବଲ କାହାକୁ କ୍ରିକେଟ ବଲ କେତେ ଜିନିଷ ଦିଏ ପିଲାଙ୍କୁ। ଗାଁକୁ ଆସିଥିବ କି ନାହିଁ ଦୁଃଖୀ ନାନୀର କେତେ ଅଭିଯୋଗ,ତା ପୁଅ ଖାଇବାକୁ ଦେଲାନି,ତା ବୋଉ ଖରାପ ଭାଷା କରି ଗାଳିଦେବା ଏମିତି କେତେ।ଧୀର ଗଳାରେ କୁହେ ନାନୀ କଣ ଦରକାର କହ।ହଁ ରେ ବାପା ପାରିବୁ ଯଦି ଏ ଗରିବ ନାନୀଟାକୁ ୧୦୦/୨୦୦ଯାହା ଅଛି ଦେ।ଦୁଇଟି ଖଡ଼ଖଡ଼ିଆ ନୋଟ୍ ପାଇଗଲେ ତା ପାକୁଆ ପାଟିର ମିଠା ହସ ବାହାରିପଡ଼େ, ଆଉ ଆନନ୍ଦ ମନରେ କହେ ବାପାରେ ଭଗବାନ ତୋତେ କୋଟି ପରମାୟୁ ଦେଇଥାନ୍ତୁ।ସେଦିନ ହରିଜନ ସାହିର କଇଁ ବୁଢ଼ୀ ମରିଗଲା।ବିଚାରୀର କେହି ନାହାଁନ୍ତି ବୋଲି ଘଣ୍ଟା ଘଣ୍ଟା ଧରି ମଢା ପଡିଥାଏ।ସବର୍ଣ୍ଣ ଲୋକ କେହି ଆସୁ ନଥାନ୍ତି।ଛୁଟିରେ ଥିଲା ବସନ୍ତ।ତା କାନରେ ବାଜିବାରୁ କାହା କଥାକୁ ଖାତିର ନ କରି ମଢାକୁ ଏକା ଏକା ମଶାଣୀକୁ ନେଇଗଲା।ନରିଆ ମାଝୀ ଝିଅ ବାହାଘର।ଯୌତୁକ ଟଙ୍କା କିଛି ବାକି ଥିବାରୁ ତା ସମୁଦି ଧମକ ଦେଲା ବାକିଆ ଟଙ୍କା ନ ଦେଲେ ବର ବେଦିରୁ ଫେରିଯିବ।ଏ କଥା ପବନରେ ଉଡି ତା କାନକୁ ଛୁଇଁଲା।ଧର୍ମଦୂତ ପରି ମାଡି ଆସି ତା ଆଖିରୁ ଲୁହ ପୋଛି କହିଲା, ମଉସା ଏ ବସନ୍ତ ଥାଉ ଥାଉ ତାର ସାହିର ଭଉଣୀଟେ ବାହା ହୋଇପାରିବ ନାହିଁ ଆପଣ ଭାବିଲେ କିପରି ? ଲୋଭାଳୁଙ୍କ ଉପରକୁ ଟଙ୍କା ଦଶ ହଜାର ଫିଙ୍ଗିଦେଲା ସେ।ଗାଁର ଯେତେ ମେଳା ମଉତ୍ସଵ ହୁଏ ତାର ନାମ ଆଗରେ।ହେଲେ ଆଜି ଏଭଳି ମଣିଷକୁ ଭଗବାନ ନେଇଗଲେ।ଧିକ ସେ ଭଗବାନ ପଣିଆ।ଏଇମିତି ଭାବୁ ଭାବୁ କେତେବେଳେ ତା ଆଖି ଲାଗିଯାଇଛି।ନିଘୋଡ଼ ନିଦରେ ଏକ ସ୍ବପ୍ନ ରାଇଜରେ ସେ ଘୁରି ବୁଲୁଥାଏ।ତା ପାଖରେ ବସନ୍ତ ଧକେଇ ହୋଇ କାନ୍ଦୁଛି।ଥର ଥର ଗଳାରେ କହୁଛି, ରାଧୁଆ ମୋ ସାଙ୍ଗ,କେତେ ସ୍ବପ୍ନ ଦେଖିଥିଲି ରେ।ମୋ ସ୍ବପ୍ନ ତ ସ୍ବପ୍ନ ହୋଇ ରହିଗଲା।ମୋ ବାପା ମାଆ ମାନେ କେମିତି ବଞ୍ଚିବେ ରେ,କିଏ ତାଙ୍କ କଥା ବୁଝିବ ?ରାଧୁ ତାକୁ ବୁଝାଉ ଥାଏ,ତୋର କିଛି ହେବନାହିଁ ସାଙ୍ଗ ମୋ ମନ କହୁଛି ତୁ ନିଶ୍ଚେ ଭଲ ହୋଇଯିବୁ।ନାଁରେ ସାଙ୍ଗ ଏ ପରା ଜୀବନ ନିଆ ରୋଗ।ମୋର ଶେଷ ସମୟ ଆସିଯାଇଛି ସାଙ୍ଗ,ତୁ କଥା ଦେ,ମୋ ବାପା ମାଆଙ୍କ କଥା ତୁ ନିଶ୍ଚେ ବୁଝିବୁ।ରାଧୁଆର ଆଖିରୁ ବୋହି ଯାଉଥାଏ ଧାର ଧାର ଲୁହ।ସେ ବୋଧ କରିବାକୁ ଯେତେ ଯାଉଥିଲା ବସନ୍ତର କାନ୍ଦର ସ୍ୱର ତା ଛାତିକୁ ଫଟେଇଦେଉଥିଲା।ହଠାତ୍ ବସନ୍ତର ଶେଷ ନିଃଶ୍ୱାସ ତ୍ୟାଗ ହୋଇଗଲା।ଏହି ସମୟରେ ବସନ୍ତ… ବସନ୍ତ..କହି ଖୁବ୍ ଜୋରରେ ଚିତ୍କାର କଲା ସେ।ନିଦଟା ଭାଙ୍ଗିଗଲା,ଘରଲୋକ ଉଠି କଣ ହେଲା କହି ବ୍ୟସ୍ତ ହୋଇଗଲେ।ମାତ୍ର ରାଧୁଆ ଖୋଜୁଥାଏ ତା ସାଙ୍ଗର ଉପସ୍ଥିତି।

ରାତି ପାହିଲା,ସକାଳର କଅଁଳିଆ ଖରା ଚାରିଆଡେ ବିଛେଇ ହୋଇ ମୁରୁକି ହସୁଥାଏ।ବସନ୍ତ ଘରୁ କରୁଣ କଣ୍ଠସ୍ୱର ସେ ରାସ୍ତାକୁ ବି ସ୍ତବ୍ଧ କରିଦେଉଥାଏ। ଲୋକଙ୍କ ଫୁସୁରୁ ଫାସୁରୁ କଥା, ଏ ବସନ୍ତ ଘରକୁ କେହିଯିବନି, ରାଧୁଆ ହୃଦୟକୁ ବାରମ୍ବାର କ୍ଷତ ବିକ୍ଷତ କରୁଥିଲା। ହେଲେ ନିଜ ସାଙ୍ଗର ଵଚନକୁ ପୁରା କରିବାର ସଂକଳ୍ପ ସେ ନେଲା।କରୋନା ଉପଚାର ସମସ୍ତ ବିଧି ମାନିବାର ପ୍ରତିଶୃତି ଦେଇ ମୁହଁରେ ମାସ୍କ, ହାତକୁ ଲିକୁଇଡ଼ ହ୍ୟାଣ୍ଡ ୱାସ ରେ ଧୋଇ ମାଆଠୁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ନେଇ ଲୁଚି ଲୁଚି ବସନ୍ତ ଘରକୁ ଯାଇ ଏକ ମିଟର ଦୂରତାରେ ରହି ସବୁକଥା ବୁଝିଲା।ସମୟର ପରିବର୍ତ୍ତନ ସୁଅରେ ବସନ୍ତ ପିତାମାତାଙ୍କ ଆଖିରୁ ଲୁହ ଧାରକୁ ରାଧୁଆ ତା କର୍ତ୍ତବ୍ୟ ଓ ମାନବିକତାର ରୁମାଲରେ ପୋଛିବାକୁ ଲାଗିଲା।ନିଜ ପୁଅପରି ତାଙ୍କର ସମସ୍ତ ଦାୟିତ୍ୱ ସେ ବୁଝିଲା।ଦିନେ ବସନ୍ତ ବାବୁଙ୍କ ପିତା ବିଶ୍ବମ୍ବର ବାବୁ ଓ ମାତା କାମିନୀ ଦେବୀଙ୍କ ମୁହଁରେ ଲୁପ୍ତ ହସରୁ ଚେନାଏ ବାହାରିଆସିଲା।କି ଘର କି ସାହି କି ବାହ୍ୟ ପରିବେଶ ସଭିଙ୍କ ମୁହଁରେ ଗୋଟିଏ ପ୍ରଶଂସା, ଗୋଟିଏ କଥା,ବାଃ ରାଧୁଆ ବାଃ।ତୁ ତ ମଣିଷ ନୁହଁରେ, ସାକ୍ଷାତ ଭଗବାନଙ୍କ ଧର୍ମଦୂତ ।

???? *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*????

One Reply to “ବାଃ ରାଧୁଆ ବାଃ”

  1. ଏଇଟା story ବଦଳରେ poetry ରେ ଚାଲିଗଲା।

    Sorry

Leave a Reply

Your email address will not be published. Required fields are marked *