ବିଶ୍ୱାସ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବିଶ୍ୱାସ
ବାସନ୍ତୀ ଲତା ଜେନା
– – – – – – – – – – – – – –

ଠିକ ମନେ ପଡୁନି l ବେଶୀ ଦିନ ତଳର କଥା ନୁହେଁ l ପ୍ରାୟ ଦୁଇ ବର୍ଷ ହେବ l ଥରେ ବହୁ ଜୋରରେ ଝଡ଼ ବର୍ଷା ହେଲା l ନଦୀ ନାଳ ଚାରି ଆଡେ ପାଣି ଭରି ଗଲା l ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି l ସ୍ଥଳ ଭାଗ ମୋଟେ ଦିଶୁ ନ ଥାଏ l ସରକାରୀ ଘୋଷଣା ହେଲା, ତଳୁଆ ଅଂଚଳର ଲୋକେ ଉଚ୍ଚ ସ୍ଥାନକୁ ଘର ଛାଡି ଚାଲି ଯାଆନ୍ତୁ l
ସାହାଯ୍ୟ କାରି ଦଳ, ଅଗ୍ନି ଶ୍ରମ ବିଭାଗର ଲୋକ ମାନେ ସାହି ବାସିନ୍ଦା ମାନଙ୍କୁ ଉଚ୍ଚା ସ୍ଥାନକୁ ନେଇ ଯାଉ ଥାନ୍ତି l ଚାହୁଁ ଚାହୁଁ ଜଳ ଘୋ -ଘୋ ଶବ୍ବ କରି ମାଡି ଆସିଲା l ଘର ଦ୍ୱାର ଭସାଇ ନେଲା l ବଡ଼ ବଡ଼ ଗଛ ସବୁ ପବନରେ ଉପୁଡି ପଡିଲା l ବଡ଼ ବଡ଼ କୋଠା ଘର ମଧ୍ୟ ପାଣି ସୁଅର ଆଘାତରେ ଭାଙ୍ଗି ପଡିଲା l ଚାରି ଆଡେ ହା -ହା କାର ମୟ ହୋଇ ପଡିଲା l ଯେଉଁ ମାନେ ଗାଁ ରେ ରହି ଯାଇଥିଲେ, ସେମାନଙ୍କୁ ଉଦ୍ଧାର କାରି ଦଳ ଡ଼ଙ୍ଗା, ଭେଳା ସାହାଯ୍ୟରେ ଉଚ୍ଚା ସ୍ଥାନରେ ନେଇ ଛାଡୁ ଥିଲେ l କେଉଁଠି ସ୍କୁଲ ଘରେ ଲୋକେ ରହୁ ଥିଲେ ତ କେଉଁଠି ଲୋକ ମାନେ ପଞ୍ଚାୟତ ଅଫିସରେ ରହୁ ଥିଲେ l
ଚନ୍ଦନପୁର ଗାଁର ଶ୍ୟାମ ଘନ ପଣ୍ଡା ନାମକ ଜଣେ ପୂଜକ ଥିଲେ l ସେ ଶିବ ମନ୍ଦିରରେ ପୂଜା କରନ୍ତି l ମନ୍ଦିର ବେଢା ସଫା କରନ୍ତି l ତାଙ୍କର ଦେବ ଦେବ ମହାଦେବଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥାଏ ଯେ, ତାଙ୍କର କିଛି କ୍ଷତି ହେବ ନାହିଁ l ଭଗବାନ ତାଙ୍କୁ ନିଶ୍ଚୟ ରକ୍ଷା କରିବେ l ଯେତେ ବେଳେ ଚନ୍ଦନ ପୁର ଗାଁ ଜଳ ମଗ୍ନ ହୋଇ ଗଲା, ସେହି ସମୟରେ ଶ୍ୟାମ ଘନ ନନା ଥିଲେ ମନ୍ଦିରରେ l ଜଣେ ନାଉରିଆ ଡ଼ଙ୍ଗା ଧରି ଆସି ନନା ଙ୍କୁ ଡାକିଲେ ଉଚ୍ଚା ସ୍ଥାନକୁ ଯିବା ପାଇଁ l ସେ ସଫା ସଫା ମନା କରି ଦେଲେ l କହିଲେ, ତୁମେ ଅନ୍ୟ ମାନଙ୍କୁ ନେଇ ଯାଅ l ମୋର କିଛି ହେବ ନାହିଁ l କିଛି ସମୟ ପରେ ଗାଁର ଯୁବକ ସଙ୍ଘ ତରଫରୁ ତିନି ଚାରି ଜଣ ପିଲା ଭେଳା ନେଇ ଆସି ଶ୍ୟାମ ଘନ ନନାଙ୍କୁ ଡାକିଲେ l ନନା ସେମାନଙ୍କ ସାଙ୍ଗରେ ଯିବାକୁ ମନା କରି ଦେଲେ l
ତାର କିଛି ସମୟ ପରେ ଗାଁର ଜମିଦାର ମଧ୍ୟ ସପରିବାର ସହ ଡଙ୍ଗାରେ ଯାଉଥିଲେ l ସେ ନନାଙ୍କୁ ଦେଖି ତାଙ୍କ ସହ ଯିବାକୁ କହିଲେ l ପଣ୍ଡା ନନା ତାଙ୍କୁ ମଧ୍ୟ ମନା କରି ଦେଲେ l ସେତେ ବେଳକୁ ସାରା ଗାଁ ଜଳ ମଗ୍ନ ହୋଇ ସମୁଦ୍ର ଭଳି ଦିଶୁ ଥାଏ l ମନ୍ଦିର ଭିତରେ ମଧ୍ୟ ପାଣି ପଶି ଯାଇଥାଏ l ବଡ଼ ବଡ଼ ଗଛ ଉପୁଡି ପାଣି ସୁଅରେ ଭାସି ଯାଉଥାଏ l ହଠାତ ମନ୍ଦିର ବେଢାକୁ ପାଣି ମାଡି ଆସିଲା l ସେହି ପାଣି ସୁଅରେ ଶ୍ୟାମ ଘନ ନନା ଭାସି ଭାସି ଯାଇ ଉପୁଡି ପଡ଼ିଥିବା ଗୋଟିଏ ଗଛର ଡାଳକୁ ଧରି ପକାଇଲେ l ଗୋଟିଏ ରାତି ସେହିଁ ଗଛ ଡାଳକୁ ଧରି ପାଣିରେ ଭିଜି ଭିଜି କଟାଇଲେ lତା’ପର ଦିନ ଉଦ୍ଧାର କାରୀ ଦଳ ଆସି ଶ୍ୟାମ ଘନ ନନାଙ୍କୁ ସେଠାରୁ ଉଦ୍ଧାର କଲେ l ସେତେ ବେଳକୁ ନନାଙ୍କର ହାଲତ ଖରାପ ହୋଇ ଯାଇ ଥାଏ l ସେ ଶୀତରେ ଥରୁ ଥାନ୍ତି l ଛିଡା ହେବାକୁ ତାଙ୍କର ବଳ ନ ଥାଏ l ତଥାପି ଶ୍ୟାମ
ଘନ ନନା ଭଗବାନଙ୍କୁ ଜବାବ ମାଗିବା ପାଇଁ ସାହସ ବାନ୍ଧି ଥାନ୍ତି l
ତାଙ୍କ ମନରେ ଭଗବାନଙ୍କ ଉପରେ ରାଗ, ଅଭିମାନ ଓ ଦୁଃଖ ଭରି ଯାଇଥାଏ l ଅଳ୍ପ ଅଳ୍ପ ବର୍ଷା ହେଉ ଥାଏ l ଶ୍ୟାମଘନ ନନା ଉଚ୍ଚା ସ୍ଥାନକୁ ନ ଯାଇ ସିଧା ମନ୍ଦିରକୁ ଗଲେ l ମନ୍ଦିର ଭିତରେ ଅଳ୍ପ ଅଳ୍ପ ପାଣି ଥାଏ l ନନା ଲମ୍ବ ହୋଇ ମହାଦେବଙ୍କ ଗୋଡ଼ ତଳେ ପଡି କହିଲେ, ପ୍ରଭୁ ! ମୋର କଣ ଭୁଲ ଥିଲା ଯେ ମୋତେ ତୁମେ ରକ୍ଷା କରିଲ ନାହିଁ ? ମୋର ବିଶ୍ୱାସକୁ ତୁମେ ଅବିଶ୍ଵାସରେ ପରିଣତ କରି ଦେଲ ? ସେ ବହୁତ କାନ୍ଦିଲେ l
କିଏ ଜଣେ ପଛରୁ ଆସି
ତାଙ୍କୁ ବୁଝାଇ କହିଲେ ତୁମେ ଯାହା କରୁଥିଲ ମୁଁ ସବୁ ଦେଖିଛି l ଭଗବାନ ନିଜେ ମହାଦେବ ରୂପ ଧରି ତୁମକୁ ଉଦ୍ଧାର କରିବେ ନାହିଁ l ସେ ଡ଼ଙ୍ଗା ପଠାଇଲେ, ଭେଳା ପଠାଇଲେ, ଜମିଦାର ରୂପରେ ତୁମକୁ ମନ୍ଦିର ଛାଡି ଯିବାକୁ କହିଲେ l ତୁମେ କାହାରି କଥା ଶୁଣିଲ ନାହିଁ l ଏବେ ଭଗବାନଙ୍କୁ ଦୋଷ କାହିଁ କି ଦେଉଛ ? ନନା ତାଙ୍କର ଭୁଲ ବୁଝି ପାରିଲେ l ଭଗବାନଙ୍କ ଉପରେ ଥିବା ରାଗ, ଅଭିମାନ କ୍ଷଣିକରେ କୁଆଡେ ଉଭେଇ ଗଲା l
ଠିକ ସେହି ପରି ଆଜି ଆମ ପାଇଁ ପରୀକ୍ଷାର ବେଳ ଆସିଛି l
କରୋନା ରୂପକ ରାକ୍ଷସ ଭୂତାଣୁ
ମହାମାରୀ ରୂପ ନେଇ ସାରା ବିଶ୍ୱକୁ ଗ୍ରାସ କରିବାକୁ ବସିଛି l ପ୍ରଥମରେ ଚାଇନା ( ଚୀନ ଦେଶ )ରେ ଜନ୍ମ ନେଇ ଚୀନ ର ଲୋକଙ୍କୁ ସଂକ୍ରମଣ କଲା l ତା’ପରେ ଗୋଟିଏ ଦେଶ ପରେ ଗୋଟିଏ ଦେଶକୁ ତାର ବହୁ ପ୍ରସାରିତ କରି ଗ୍ରାସିବାରେ ଲାଗିଛି l ଆଜିର ତାରିଖରେ ଦୁଇ ଶହ ଦଶ ଦେଶରେ ଆସ୍ଥାନ ମେଲାଇ ବସିଛି l କିଏ ଜାଣେ ଆଉ କେତେ ଦେଶକୁ ତା ‘ଅଧୀନକୁ ନେଇ ନର ମୁଣ୍ଡ ଗିଳି ନର ରାକ୍ଷସ ସାଜିବ l ଆମ ଦେଶ ଭାରତ, ସେଥିରୁ ଵି ବାଦ ଯାଇ ନାହିଁ l ଏହି ସଂଙ୍କଟ ସମୟରେ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି
ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଥା ମାନି ଚଳିବା l ଆଜି ଓଡିଶା ଲକ ଡାଉନ l
( ତାଲା ବନ୍ଦୀ ) କେତେକ ଅଞ୍ଚଳରେ ମଧ୍ୟ ସଟ ଡାଉନ ହୋଇଛି l ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କର ବାର୍ତ୍ତାର ମର୍ମ ବୁଝିବା, ସାମାଜିକ ଦୂରତା ବଜାୟ ରଖିବା, ମୁଖରେ ମାସ୍କ ପିନ୍ଧିବା, ଘରେ ରହିବା, ସତର୍କ ରହିବା, ବାରମ୍ବାର ହାତକୁ ସାବୁନ ପାଣିରେ ଧୋଇବା l ସାନିଟାଇଜର
ବ୍ୟବହାର କରିବା l ଆବଶ୍ୟକୀୟ ଜିନିଷ ପାଇଁ ବାହାରକୁ ଗଲେ ପରସ୍ପର ଠାରୁ ଦୂରତା ବଜାୟ ରଖିବା l ମୁହଁରେ ମାସ୍କ ପିନ୍ଧିବା, ଆଖି ନାକ ପାଟି ନ ଛୁଇଁବା l କାରଣ ଆଖି, ନାକ, ପାଟି, ଦେଇ ଭୁତାଣୁ ସଂକ୍ରମଣ ଶୀଘ୍ର ହୋଇଥାଏ l ଆମ ସମସ୍ତଙ୍କର ବିଶ୍ୱାସ ରହିବା ଦରକାର ଯେ, ଆମେ ନିଶ୍ଚୟ କରୋନା ରୂପି ରାକ୍ଷସକୁ ହରାଇବା l ଆମେ ନିଶ୍ଚୟ ଜିତିବା l କଳି ଯୁଗର ଭଗବାନ ଜଗନ୍ନାଥ ତ ନିଜେ ରତ୍ନ ସିଂହାସନ ଛାଡି ଆମକୁ ଆସି ରକ୍ଷା କରିବେନି l
ହୁଏତ ସିଏ ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଡାକ୍ତର, ନର୍ସ, ପୋଲିସ, ଅଗ୍ନି ଶ୍ରମ ବାହିନୀ ମଧ୍ୟମରେ ଆମକୁ ବାର୍ତ୍ତା ଦେଉଛନ୍ତି l ନିଜକୁ ନିଜେ ସତର୍କ ରୁହ, ଘରେ ରୁହ, ନିଜ ଜୀବନକୁ ସୁରକ୍ଷାରେ ରଖ l କରୋନାକୁ ହରାଇ ବିଜୟର ଶଙ୍ଖ ଫୁଙ୍କ l
———-=———
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ପିନ : 764059
ମୋ : 8658655979

Leave a Reply

Your email address will not be published. Required fields are marked *