ପ୍ରବନ୍ଧ – ସାରଳା ମହାଭାରତରେ ମହାଭାରତୀୟ ଚିନ୍ତନ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମାଟିର ମହାକବି ସାରଳା ଦାସଙ୍କ ମହାଭାରତ ଏକ ବିରାଟ ଗ୍ରନ୍ଥ । ଗ୍ରନ୍ଥଟି ଓଡିଆ ଜାତୀୟ ଜୀବନର ପ୍ରାଣ ସ୍ପନ୍ଦନ । ଏହାର ନୈତିକ ଆଦର୍ଶ , ଜାତୀୟ ଜୀବନ , ସାମାଜିକ ଚଳଣି, ରୀତିନୀତି , ଆଚାର , ବ୍ୟବହାର , ପରଂପରା ଉତ୍କଳୀୟ ସାହିତ୍ୟ ଓ ସମାଜକୁ ପ୍ରଭାବିତ ଓ ଅନୁପ୍ରାଣିତ କରିଆସିଛି । ଫଳସ୍ୱରୂପ ଏହା ଉତ୍କଳୀୟ ସାମାଜିକ, ରାଜନୈତିକ , ଐତିହାସିକ ଓ ସାଂସ୍କୃତିକ ଜୀବନର ଏକ ବେଦ ସ୍ୱରୂପ , ଏକ ଶାଦ୍ଦିକ ପ୍ରତିନିଧି । ସାରଳା ଦାସ ଓଡିଆ ସାହିତ୍ୟର ଆଦିକବି , ତାଙ୍କ ପ୍ରଣୀତ ବିଲଙ୍କା ରାମାୟଣ , ଚଣ୍ତୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ଆଦି ପୁରାଣ ମହାଭାରତର ପ୍ରଚଣ୍ଡ ସତ୍ତା ନିକଟରେ ନିଷ୍ପ୍ରଭ ହୋଇଯାଏ । ଏହି ମହାଭାରତ ଗ୍ରନ୍ଥ ସର୍ଜନା ତାଙ୍କର ଏକ ଅଭିନବ କଳାକୃତି ଓ ଉତ୍କଳୀୟ ତଥା ଭାରତୀୟ ଜୀବନାଦର୍ଶର ବାଙ୍ମୟ ପରିପ୍ରକାଶ ।

ଇତିହାସରୁ ଜଣାପଡେ ଓଡ଼ିଶାର ରାଜନୀତି ସମାଜ ଓ ସାହିତ୍ୟ ପଞ୍ଚଦଶ ଶତାବ୍ଦୀରେ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା । ଓଡ଼ିଶାର ସ୍ୱାଧୀନ ସମ୍ରାଟ କପିଳେନ୍ଦ୍ର ଦେବ ନିଜସ୍ୱ ମନୀଷା ଓ ପୁରୋଦୃଷ୍ଟି ବଳରେ ଜାତୀୟ ଜୀବନକୁ ଏକ ନୂତନ ରୂପରେ ସଂଗଠିତ କରିଥିଲେ । ଏ ଜାତିର ନିଜସ୍ୱ ମୌଳିକତା , ପାରମ୍ପରିକ ଆଧ୍ୟାତ୍ମଭାବ , ସମର ବିଳାସ , ରାଜ୍ୟ ଶାସନ , ସମାଜ ଓ ଜାତୀୟ ଐତିହ୍ୟର ସଂକେତ ତାଙ୍କ ରାଜତ୍ୱ କାଳରେ ଉତ୍ତମ ଓ ସୁସ୍ପଷ୍ଟ ଥିଲା ଏହା ଅସ୍ୱୀକାର କରି ହେବ ନାହିଁ । କପିଳେନ୍ଦ୍ର ଦେବଙ୍କ ଶାସନ କାଳକୁ ସୁବର୍ଣ୍ଣ ଯୁଗ କୁହାଯାଏ । ସାରଳା ଦାସ ଥିଲେ ସେହି କପିଳେନ୍ଦ୍ର ଦେବଙ୍କ ସମସାମୟିକ ଓ ପୁରଷୋତ୍ତମ ଶାସନ ସମୟର କବି । ଫଳତଃ ଉଭୟଙ୍କ ଶାସନର ପ୍ରଭାବ ତାଙ୍କ ମହାଭାରତରେ ପଡିଥିଲା । ଏଥିରେ ଭାରତୀୟ ଧର୍ମ , ଦର୍ଶନ , ରାଜନୀତି ବିଜ୍ଞାନ, ଇତିହାସ , ଭୂଗୋଳ , ସାମାଜିକ ବିଜ୍ଞାନ ଓ ଲୋକ ସଂସ୍କୃତିର ବହୁ ବିବରଣୀ ଭରପୁର ହୋଇ ରହିଛି । ମହାଭାରତର ଅର୍ଥ ଭରତ ବଂଶୀ ମାନଙ୍କ ଯୁଦ୍ଧ ସମ୍ବନ୍ଧୀୟ ଏକ ବିରାଟ ମହା-ପୁରାଣ ।
ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ ଓ ସାରଳା ଦାସଙ୍କ ମହାଭାରତ ମଧ୍ୟରେ ସାମାଞ୍ଜସ୍ୟ ରହିଛି । ସାରଳାଙ୍କ ମହାଭାରତ ଏକ ନିରୋଳା ଅନୁବାଦ ନୁହେଁ କି ଏକ ନିଚ୍ଛକ ମୌଳିକ ଗ୍ରନ୍ଥ ନୁହେଁ । କବି ଯାହା ଲେଖେ ତାହା, ତାର ହୃଦୟର ଅଙ୍ଗେ ନିଭା ଅନୁଭୂତିର ଇତିକଥା । ନିତି ଦିନିଆ ଜୀବନରେ ଯାହା ଦେଖିଛି , ଯାହା ଅନୁଭବ କରିଛି , ସେସବୁ ସଜାଡି ସାହିତ୍ୟର ରୂପ ଦେଇଛି । ଏହି ଦୃଷ୍ଟିରୁ ସାରଳା ତାଙ୍କ ମହାଭାରତରେ କୌରବ-ପାଣ୍ତବଙ୍କ କଥା କହୁ କହୁ ଉତ୍କଳର ପାରିପାର୍ଶ୍ବିକ ଅବସ୍ଥାର ରୂପ ଦେଇଛନ୍ତି । ଲୁକ୍କାୟିତ ଇତିହାସକୁ ଅଙ୍କନ କରିଛନ୍ତି । ପୁରାଣ ଛଳରେ ଦେଶବାସୀଙ୍କୁ ବିଶ୍ୱଭାତୃତ୍ୱ , ସ୍ୱଦେଶ ପ୍ରେମ , ସାମାଜିକ କଲ୍ୟାଣ , ସମାଜର ସ୍ୱାର୍ଥ , ମହାମାନବତା, ନାରୀ ପୁରୁଷର ସମାନାଧିକାର , ଜ୍ଞାନ , ଭକ୍ତି , କର୍ମ , ସତ୍ୟ ଧର୍ମ ଆଦି ସଂପର୍କରେ ସଚେତନ କରିବାର ପ୍ରୟାସ ରଖିଛନ୍ତି । ସେ ଦେଖିଥିଲେ କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବଙ୍କ ଶାସନର ସଫଳତା ବିଫଳତାର ପରାକ୍ରମ । ରାଜ୍ୟ ଶାସନରେ ରାଜାଙ୍କ ଭୂମିକା ଓ ମନ୍ତ୍ରଣାକାରୀ ମନ୍ତ୍ରୀଙ୍କ ଭୂମିକା । ଏସବୁକୁ ଭିତ୍ତି କରି ଓ ଶାସନ ଖସଡ଼ାକୁ ଉପସ୍ଥାପନ କରିବାର ପ୍ରୟାସ ଆରମ୍ଭକରି ବଟବୃକ୍ଷ ସଦୃଶ୍ୟ ସୃଷ୍ଟି କଲେ ମହାଭାରତ । ଏହି ମହାକାବ୍ୟ ସେହି ମଲା ଅତୀତର ଓଡ଼ିଆ ଜାତିର ଅକଳନ ସ୍ୱପ୍ନ , ସମ୍ଭାବନା , ଆଦର୍ଶ ଓ ସଂସ୍କୃତିର ପ୍ରତିଲିପି । ଓଡ଼ିଆ ଜାତିର ପ୍ରାଣ ସ୍ପନ୍ଦନର ଜାତୀୟ ମହାକାବ୍ୟ ।

ସାରଳା ଦାସଙ୍କ ସମୟରେ ଭାରତରେ ରାଜନୈତିକ ଅସ୍ଥିରତା ଓ ସାଂସ୍କୃତିକ ଅପଚୟର ସ୍ରୋତ ପ୍ରବାହିତ ହେଉଥିବା ବେଳେ ଓଡ଼ିଶାରେ କପିଳେନ୍ଦ୍ର ଦେବଙ୍କ ସୁଶାସନରେ ସୁବର୍ଣ୍ଣ ଯୁଗର ନୀଳ ଆଭା ବିକିରଣ ହେଉଥିଲା । ଭାରତୀୟ ପରଂପରାର ଆଦର୍ଶକୁ ଭିତ୍ତି କରି ଉତ୍ତରାଧିକାରୀ ସୂତ୍ରରେ ଜ୍ୟେଷ୍ଠ ସିଂହାସନ ଆରୋହଣ କରିବା ରୀତମତ ନିୟମ ପ୍ରଚଳିତ ଥିଲେ ମଧ୍ୟ ସାରଳା ଦାସ ଶାସ୍ତ୍ରଜ୍ଞାନ, ଅସ୍ତ୍ର ସାଧନା, ଆଚରଣ ଶୁଦ୍ଧି ଆଦି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତଥାପି ଜ୍ୟେଷ୍ଠ ଯୁବରାଜ ମାନଙ୍କୁ ରାଜ ଅଧିକାରରୁ ବଞ୍ଚିତ କରାଯିବାର ଯଥେଷ୍ଟ ଦୃଷ୍ଟାନ୍ତ ରହିଛି । ଅନେକ ସମୟରେ ରାଜା ସ୍ୱଂୟ ନିଜ ଇଚ୍ଛାନୁସାରେ ରାଜପୁତ୍ରର ଯୋଗ୍ୟତା ବିବେଚନା କରି ଅବା ଅତିଶୟ ପୁତ୍ରାନ୍ଧ ହୋଇ ତାକୁ ରାଜସିଂହାସନରେ ଅଭିଷିକ୍ତ କରିବାର ନଜର ରହିଛି । ରାଜସିଂହାସନରେ ଅଭିଷେକ ହେବା ପରେ ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କ ପରାମର୍ଶ ନେଇ ରାଜ୍ୟ ଶାସନ କଲେ ରାଜଙ୍କ ଉପରେ ସେଭଳି ପ୍ରମାଦ ପଡେ ନାହିଁ । ଶାନ୍ତି ପର୍ବରେ ଯୁଧିଷ୍ଠିର ରାଜବିଧି ସମ୍ବନ୍ଧରେ ଉପଦେଶ ଦେଇ କହିଛନ୍ତି- ରାଜା ପରିଚାଳନା କ୍ଷେତ୍ରରେ ଚର , ଡଗର, ଗୁପ୍ତଚର ଓ ସୁଚତୁର ମନ୍ତ୍ରୀ ମାନଙ୍କ। ଉପରେ ନିର୍ଭର କରିବା ଉଚିତ । ତେଣୁ ମନ୍ତ୍ରୀଙ୍କ ନିଯୁକ୍ତି ରାଜାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ସାରଳା ଦାସ ରାଜାଙ୍କୁ ବତିଶ ଗୁଣ ସଂପନ୍ନ ଥିବା ଦର୍ଶାଇ ଥିବାବେଳେ, ମନ୍ତ୍ରୀ ମାନଙ୍କୁ ତେତିଶ ଗୁଣ ସଂପନ୍ନ ହେବା ଉଲ୍ଲେଖ କରିଛନ୍ତି । ମନ୍ତ୍ରୀମାନେ ହେଉଛନ୍ତି ରାଜାଙ୍କ ଗୁଣନିଧି । ଫଳତଃ ରାଜାଙ୍କ ପାଇଁ ମନ୍ତ୍ରୀ ମାନଙ୍କ ପରାମର୍ଶ ଅଲଙ୍ଘ୍ୟନୀୟ । ମନ୍ତ୍ରୀଙ୍କ ସୁବୁଦ୍ଧିରେ ରାଜା ଜଗତ ଜିଣିପାରେ ଓ ମନ୍ତ୍ରୀଙ୍କ ୍ କୁବୁଦ୍ଧିରେ ରାଜା ରାଜ୍ୟ କେବଳ ହରାଏ ନାହିଁ ଧ୍ୱଂସ ବି ପାଇଯିବା ଅସମ୍ଭବ ନୁହେଁ ।

ସାରଳା ଦାସ ଅପରପକ୍ଷରେ ରାଜା ତାଙ୍କ ମନ୍ତ୍ରୀ ମାନଙ୍କ ଉପରେ ସକଳ ଶାସନ କ୍ଷମତା ନ୍ୟସ୍ତ କରିବା ଉଚିତ ନୁହେଁ ବୋଲି ଦର୍ଶାଇଛନ୍ତି । କାରଣ ମନ୍ତ୍ରୀଙ୍କ ପରାମର୍ଶ ଯଦି ପ୍ରଜାମତର ବା ପ୍ରଜାମାନଙ୍କ କଲ୍ୟାଣର ବିପରୀତ ହୁଏ , ସେ କ୍ଷେତ୍ରରେ ରାଜା ନିଜସ୍ୱ ମତ ପୋଷଣ କରିବା ବା ବହୁଜନଙ୍କ ମତକୁ ସମ୍ମାନର ସହ ଗ୍ରହଣକରି ନେବା ଅଧିକ ଶ୍ରେୟସ୍କର ବୋଲି ଦର୍ଶାଇ ଛନ୍ତି । ଦୁର୍ଯ୍ୟୋଧନଙ୍କୁ ରାଣୀ ଭାନୁମତୀ ଶକୁନୀର ପରାମର୍ଶ ଗ୍ରହଣ ନକରି ବରଂ ବହୁଜନ ମତ ପାଳନ କରିବା ନିମନ୍ତେ ବିନତି କରିଛନ୍ତି । ବହୁଜନ ମତ ଗ୍ରହଣ ନକରିବାର କୁପରିଣତି ମହାଭାରତରୁ ସ୍ପଷ୍ଟ ହୋଇଯାଏ । ତତ୍କାଳୀନ ଗଜପତି ବହୁମତ ଗ୍ରହଣ କରି ଶାସନ ତୁଲାଉଥିବାର ଦୃଷ୍ଟାନ୍ତ ଇତିହାସରୁ ମିଳେ । ଗଜପତି ଶାସନ କାଳରେ ଗଜପତି ମହାରାଜାଙ୍କ ଷୋଳଜଣ ମନ୍ତ୍ରୀ ଓ ବାସ୍ତରୀଜଣ ଉପମନ୍ତ୍ରୀ ନିଯୁକ୍ତ ଥିଲେ । କୌଣସି ଜରୁରୀ ଆବଶ୍ୟକ ଦେଖି ରାଜା ସମସ୍ତ ମନ୍ତ୍ରୀ ଓ ଉପମନ୍ତ୍ରୀମାନଙ୍କୁ ଏକତ୍ର କରି ସମସ୍ୟାର ଚୂଡାନ୍ତ ନିସ୍ପତି ନେଉଥିଲେ । ସଂଖାଧିକ ମନ୍ତ୍ରୀ ଯାହା ମତ ପୋଷଣ କରୁଥିଲେ ତାକୁ ରାଜା ସମ୍ମାନ ଦେବା ସହ କାର୍ଯ୍ୟରେ ପରିଣତ କରୁଥିଲେ । ରାଜା ବୁଝିଥିଲେ ସେ ରାଜ୍ୟର ମୁଖ୍ୟ ହୋଇ ପାରନ୍ତି , କିନ୍ତୁ ପ୍ରଭୁ ନୁହନ୍ତି , ‘ ଆଇ ଆମ ଦ ଷ୍ଟେଟ୍ ‘ ନଥିଲେ । ସେ ବୁଝୁଥିଲେ ସେ କେବଳ ରାଜ୍ୟର ଜଣେ ସାଧାରଣ ଜଗୁଆଳି ସଦୃଶ୍ୟ , ଜଣ ସାଧାରଣଙ୍କ ସେବକ ନିଜକୁ ମଣୁଥିଲେ । ଶାସନ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ମନ୍ତ୍ରୀ , ସେନାପତି , କଟୁଆଳ , ଡଗର ଓ ଦୂତ ପ୍ରଭୃତିଙ୍କୁ ନିଯୁକ୍ତି କରାଯାଉଥିଲା ଓ ସେମାନଙ୍କ ମଧ୍ୟରେ ମନ୍ତ୍ରୀମାନଙ୍କ ସ୍ଥାନ ଶୀର୍ଷରେ ଥିଲା ।

ବିଶେଷକରି ସାରଳା ମହାଭାରତ ଅନୁସାରରେ ଭାରତୀୟ ରାଜ୍ୟ ସୁପରିକଳ୍ପାନାରେ ରାଜ୍ୟକୁ ମୁଖ୍ୟତଃ ସାତଟି ଅଙ୍ଗରେ ବିଭକ୍ତ କରୁଥିଲେ । ସେମାନଙ୍କ ମଧ୍ୟରେ ସ୍ୱାମୀ ବା ରାଜା , ଅମାତ୍ୟ ବା ମନ୍ତ୍ରୀ , ଜନ ବା ପ୍ରଜା, ଦୁର୍ଗ ବା ଦୁର୍ଗାଧିପତି ସାମନ୍ତ , କୋଷ ବା କୋଷାଧ୍ୟକ୍ଷ , ଦଣ୍ତ ଅର୍ଥାତ ସେନା ବା ସେନାପତି , ମିତ୍ର ମିତ୍ରରାଜ୍ୟ ବା ମିତ୍ରରାଜା । ରାଜ୍ୟର ଏହି ସାତଟି ଅଙ୍ଗକୁ ସାଧାରଣ ଦୃଷ୍ଟିରେ ଶରୀରର ସାତଟି ମୁଖ୍ୟ ଅଂଶ ଭାବରେ ତୁଳନା କରାଯାଇଛି । ସେସବୁ ମଧ୍ୟରେ ମସ୍ତକ (ରାଜା), ଚକ୍ଷୁ (ମନ୍ତ୍ରୀ), କର୍ଣ୍ଣ ( ମିତ୍ର), ମୁଖ (କୋଷାଧ୍ୟକ୍ଷ) , ମନ ( ସେନା), ହସ୍ତ (ରାଜଧାନୀ ) ଓ ପାଦ (ରାଷ୍ଟ୍ର )କୁ ଗ୍ରହଣ କରାଯାଇଛି । ବାଲ୍ମୀକି ରାମାୟଣରେ ମଧ୍ୟ ଏହି ସପ୍ତଅଂଶ ସମ୍ପର୍କରେ ଦର୍ଶାଇ ଦିଆଯାଇଛି । ସେଥିରେ ରାଜା , ଅମାତ୍ୟ, କୋଷ, ଦଣ୍ଡ, ଜନ, ପୁର ଓ ମିତ୍ର କୁ ସପ୍ତଅଂଶ ରୂପେ ଉଲ୍ଲେଖ କରାଯାଇଛି । ରାଜାହିଁ ରାଜ୍ୟର ପାଳନ କର୍ତ୍ତା । ପ୍ରଜାମାନେ ରାଜାଙ୍କୁ ଦେବତା ତୁଲ୍ୟ ମନେକରନ୍ତି । ରାଜ୍ୟରେ ଅରାଜକତା ପଡିଲେ ପ୍ରଜାମାନେ ଭୟରେ ଆତୁର , ବିକଳ ହେବା ଭଳି , ରାଜା ନିଜର ପ୍ରଜାମାନଙ୍କ ରକ୍ଷା ନିମନ୍ତେ ସେଭଳି ଚେଷ୍ଟିତ ହେବାର ଆବଶ୍ୟକ ରହିଛି । ରାଜ୍ୟକୁ ସକଳ ବିପଦରୁ ରକ୍ଷା କରି ପ୍ରଜାନୁରଂଜନ ହେବା ହେଉଛି ରାଜାର ପ୍ରଥମ କର୍ତ୍ତବ୍ୟ ଓ ରାଜଧର୍ମ । ରାଜାଙ୍କୁ ଶାସନ କ୍ଷେତ୍ରରେ ସହାୟକ ଓ ପରାମର୍ଶ ଦେବା ପାଇଁ ମନ୍ତ୍ରୀ ବା ଅମାତ୍ୟ ନିଯୁକ୍ତ ହୋଇଥାନ୍ତି । ପ୍ରକୃତରେ ମନ୍ତ୍ରୀମାନେ ରାଜ୍ୟ ଶାସନ କ୍ଷେତ୍ରରେ ଭୂମିକା ଗ୍ରହଣ କରନ୍ତି । ମନ୍ତ୍ରୀହିଁ ରାଜାଙ୍କର ଦର୍ଶନେନ୍ଦ୍ରିୟ ସ୍ୱରୂପ । ରାଜ୍ୟ ଓ ରାଜସିଂହାସନ ପ୍ରତି ନିଜ ଜୀବନର ସମସ୍ତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆନୁଗତ୍ୟ ପ୍ରକାଶ କରିବା ହେଉଛି ମନ୍ତ୍ରୀମାନଙ୍କ ସ୍ୱଧର୍ମ ।

ସେହି ସମୟର ଇତିହାସକୁ ସୂକ୍ଷ୍ମଦୃଷ୍ଟି କୋଣରୁ ବିଚାର କଲେ ପ୍ରକୃତ ପକ୍ଷେ ସୂର୍ଯ୍ୟବଂଶର ମୂଳରେ ଥିଲା ଗଣତାନ୍ତ୍ରିକ ରାଜତନ୍ତ୍ର ବନାମ ରାଜଧର୍ମ । ରାଜା ଜନସାଧାରଣଙ୍କ ମତାନୁସାରେ ଶାସନ ପରିଚାଳନା କରୁଥିଲେ । ରାଜା ବୁଝିଥିଲେ ପ୍ରଜାମାନଙ୍କ ଅନିଚ୍ଛା ସତ୍ତ୍ୱେ ଶାସନ କାର୍ଯ୍ୟ ତୁଲାଇବା ସହଜ ନୁହେଁ । ରାଜଦଣ୍ତ ପ୍ରଜାପୀଡନ ପାଇଁ ନୁହେଁ , ବରଂ ସେମାନଙ୍କ ସୁଖରେ ରାଜ୍ୟର ଶ୍ରୀବୃଦ୍ଧି ଘଟେ । କୁହାଯାଏ ମନ୍ତ୍ରୀ ବିନା ରାଜଦରବାର ଅଧା , ଦରବାର ମୂଲ୍ୟହୀନ ହୋଇପଡେ । ରାଜ୍ୟର ସମସ୍ତ ଭଲମନ୍ଦ ଓ ପ୍ରସ୍ତାବ ମନ୍ତ୍ରୀଙ୍କ ଠାରୁ ଜାଣିବା ପରେ ରାଜା ନିସ୍ପତି ଦିଅନ୍ତି । ମନ୍ତ୍ରୀଙ୍କ ଧର୍ମ ହେଉଛି ନିର୍ଭୀକ ହେବା ଓ ସମୟୋଚିତ ପରାମର୍ଶ ଦେବା । ଏପରିକି ଧର୍ମ ଅର୍ଜନ ଓ ଦେବତା ବ୍ରାହ୍ମଣଙ୍କୁ ସମୁଚିତ ସମ୍ମାନ ଦେବା ପାଇଁ ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦିଅନ୍ତି । ମନ୍ତ୍ରୀମାନେ ସ୍ଥାନ, କାଳ, ପାତ୍ର ଭେଦରେ କେଉଁଠି କଣ ଘଟିବ , କାହାର ଉଦ୍ଦେଶ୍ୟ କଣ ତାହା ଜାଣିବାରେ ଅତି ଚତୁର , ଧୂରନ୍ଧର ଅଟନ୍ତି । ରାଜାଙ୍କ ଶ୍ରଦ୍ଧା ଭାଜନ ହେବା ନିମନ୍ତେ ମନ୍ତ୍ରୀମାନେ ନିଜ ନିଜର କୌଶଳ ପ୍ରୟୋଗ କରିଥାନ୍ତି । କାରଣ ରାଜାଙ୍କ ମାନସିକ ଦ୍ୱନ୍ଦ୍ୱ ବୃଦ୍ଧି ପାଏ , ସେତେବେଳେ ମନ୍ତ୍ରୀ ମାନେ ହିଁ ତାହାର ଆଶୁ ସମାଧାନ କରିଥାନ୍ତି । ରାଜା ମନ୍ତ୍ରୀମାନଙ୍କ ପରାମର୍ଶ ନେଇ ରାଜକାର୍ଯ୍ୟ ବହନ କରନ୍ତି । କିନ୍ତୁ ଶକୁନୀ ପରି ଉଦ୍ଦେଶ୍ୟ ରହିତ କୂଟ ଚକ୍ରାନ୍ତ ପ୍ରଣୋଦିତ ବା ଅଭିସନ୍ଧି ମୂଳକ ନହେଉ । ବାସ୍ତବରେ ମହାଭାରତରେ ଥିବା ମନ୍ତ୍ରୀ ବିଶେଷ କରି ବିଦୁର , ସଂଞ୍ଜୟ , ସହଦେଵ ଆଦି ନିଜ ନିଜର ନୀତି ନିପୁଣତା, ନୈତିକତା, ବିଶ୍ୱାସ୍ତତା , କୂଟନୀତି ଆଦି ଯେଭଳି ପ୍ରଦର୍ଶନ କରି ଆସିଛନ୍ତି , ସାଂପ୍ରତିକ ଗଣତାନ୍ତ୍ରିକ ରାଷ୍ଟ୍ରରେ ତାହାର ବାସ୍ତବତାର କାର୍ଯ୍ୟ ଦେଖା ଯାଏ ନାହିଁ । ମନ୍ତ୍ରୀମାନଙ୍କ ନୀତି ପରାୟଣତା ଉପରେ ରାଜ୍ୟ ବା ଦେଶର ପ୍ରଗତି ନିର୍ଭର କରେ ଏହା ସ୍ୱୀକାର କରିବାକୁ ପଡିବ । ସାଂପ୍ରତିକ ଗଣତାନ୍ତ୍ରିକ ରାଷ୍ଟ୍ରୀୟ ମନ୍ତ୍ରୀମାନେ କିଭଳି ଏହା ଭୁଲି ଯାଉଛନ୍ତି , ତାହାହିଁ ବିଚାର ଯୋଗ୍ୟ !!

ଉପସଂହାରରେ କୁହାଯାଇ ପାରେଯେ, ସାରଳା ଦାସ କେବେ ସମୟର ପ୍ରତିନିଧି ନଥିଲେ , ବରଂ ଥିଲେ ଜଣେ ଉଚ୍ଚାକାଂକ୍ଷୀ ଦିଗଦ୍ରଷ୍ଟା । ଆଦର୍ଶ ରାଷ୍ଟ୍ର ଗଠନରେ ରାଜାଙ୍କ କର୍ତ୍ତବ୍ୟ ଓ ବିଭିନ୍ନ ସମୟରେ ନିୟୁକ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାକୁ ଚମତ୍କାର ଢଙ୍ଗରେ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିବାର ବ୍ୟାକୁଳତା । ତାଙ୍କ ରଚିତ ମହାଭାରତ ଏକ ରାଷ୍ଟ୍ରୀୟ ବୃହତ ସମ୍ବିଧାନ , ମାତୃଭାଷାର ପ୍ରଥମ ବିଶ୍ୱକୋଷ, ଶାସନ ସଂହିତା ଓ ସର୍ବୋପରି ସର୍ବୋତ୍ତମ ସର୍ବୋଚ୍ଚ ଅଭିଧାନ, ଭାରତୀୟ ଶାସନର ମହାଭାରତୀୟ ଚିନ୍ତନ । ଯଦିଓ ସେ ସେଭଳି ହାମୁରାବି, ମାକିଆ ଭେଲି, ସେଣ୍ଟ ଥମାସ , ମାର୍ଟିନ ଲୁଥର ବା ବାଲଭିନଙ୍କ ସମତୁଳନୀୟ ନହୋଇପାରନ୍ତି , କିନ୍ତୁ ଜଣେ ସଫଳ ଶାସନ ଶାସ୍ତ୍ରର ବ୍ୟାଖ୍ୟାକାର । ହୁଏତ ସେ ଗ୍ରୀକ୍ ଦାର୍ଶନିକ , ଜର୍ମାନୀ କବି ଦାନ୍ତେ ଓ ଭାରତୀୟ ସ୍ମୃତିକାର ମନୁ ଓ ଉତ୍କଳୀୟ ମଣି ସାହିତ୍ୟ ସାଧକ ଗୋପବନ୍ଧୁଙ୍କର ନିକଟବର୍ତ୍ତୀ…!!!

ଡକ୍ଟର ଲକ୍ଷ୍ମଣ ସାହୁ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟଟ-୪
ଦୂରଭାଷ: ୯୦୪୦୧୫୧୪୭୫

Leave a Reply

Your email address will not be published. Required fields are marked *