ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ। ସୌରମାନ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ। ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ। ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି। ଗୋଟିଏ ସଙ୍କ୍ରାନ୍ତିରୁ ପରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଗୋଟିଏ ମାସ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ଅବସ୍ଥାନ କରନ୍ତି। ଏହି ବିଷୁବ ସଙ୍କ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବର୍ଷର ପ୍ରଥମ ଦିନ।

ଏହିଦିନ ଠାରୁ ଓଡ଼ିଶାରେ ନୂତନ ପଞ୍ଜିକା ପ୍ରଚ଼ଳନ ହୁଏ। ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହୁଏ। ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ। “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ। “ପଣା” ଭୋଗ ଓ “ଛତୁଆ” ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ତାତ୍ତ୍ବିକ ଦିଗଟି ବୁଝାପଡ଼େ। ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଯୋଗକରି, ମାନବ ସମାଜକୁ ଶିକ୍ଷା ଦିଆଯାଇଛି। ଏହି ଋତୁରେ ପ୍ରଚୁର ଜଳଗ୍ରହଣ ପାଇଁ କେବଳ ମାନବ ସମାଜ ସମେତ ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ। ଏ କଥାରେ ମଧ୍ୟ ଅନ୍ୟସବୁ ଧର୍ମୀୟ ଚେତନା ସହିତ ଆଉ ଏକ ରୀତି ଖଞ୍ଜି ଦିଆଯାଇଛି। ତାହା ହେଲା ତୁଳସୀ ଚଉଁରାର “ତୁଳସୀ ପୂଜା”। ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ଠିକ୍ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସରୁ ଦଉଡ଼ି ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଆଯାଏ। ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଏ। ଘଡ଼ିରେ ପାଣି ଭରିଦେଲେ ଅନେକ ସମୟଧରି ସୂକ୍ଷ୍ମ-ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ ଓ ସମଗ୍ର ଜୀବଜଗତ ସହିତ ଉଦ୍ଭିଦଜଗତ ପାଇଁ ଏହା ଅପରିହାର୍ଯ୍ୟ ବୋଲି ଏଥିରୁ ପ୍ରମାଣ ମିଳେ। ଓଡ଼ିଆମାନଙ୍କର ବାରମାସରେ ତେରପର୍ବ ପାଳନ ମଧ୍ୟରୁ ମହାବିଷୁବ ସଙ୍କ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ। ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ। ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ। ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି। ହିନ୍ଦୁମାନଙ୍କ ପୂଜାରୀତି ଅନୁଯାୟୀ ଏହିଦିନ ବ୍ରାହ୍ମଣମାନଙ୍କୁ ପଣା ଓ ଛତୁଆ ପ୍ରଦାନ କରାଯାଏ। ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ମଧ୍ୟ ଦାନ କରିଥାନ୍ତି। ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ବକ ଭାବର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ।

ସେହିପରି ଏହି ଅବସରରେ କେତେକ ସ୍ଥାନରେ “ବିଷୁବମିଳନ” ଆୟୋଜନ କରାଯାଇ। ଏହିଦିନ ମଧ୍ୟ ପବିତ୍ର ହନୁମାନ ଜୟନ୍ତୀ ପାଳନ କରାଯାଏ। ବାସ୍ତବିକ୍ ଧର୍ମୀୟଚେତନା, ସବୁ ଦୃଷ୍ଟିକୋଣରୁ ଏ ଦିବସର ମହତ୍ତ୍ବ ଗୁରୁତ୍ବପୂର୍ଣ୍ଣ ଅଟେ କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଆମେ ଓଡ଼ିଆମାନେ ଇଂରାଜୀ ନବବର୍ଷ ପରି ଓଡ଼ିଆ ନବବର୍ଷକୁ ପାଳନ କରି ନଥାଉ।

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର

Leave a Reply

Your email address will not be published. Required fields are marked *