ଆସନ୍ତୁ ମହାବିଷୁବ ବା ପଣା ସଂକ୍ରାନ୍ତି ବିଷୟରେ କିଛି ଜାଣିବା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

*ଆସନ୍ତୁ ମହାବିଷୁବ ବା ପଣା ସଂକ୍ରାନ୍ତି ବିଷୟରେ କିଛି ଜାଣିବା*

ପଣା ସଂକ୍ରାନ୍ତି ଵା ମହାବିଷୁବ ସଂକ୍ରାନ୍ତି ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ ଏକ ବଡ଼ ପର୍ବ । ଆମ ରାଜ୍ୟରେ ଓଡ଼ିଆମାନେ ଏହାକୁ ଓଡିଆ ନୂଆବର୍ଷ ବା ବର୍ଷର ପ୍ରଥମଦିନ ଭାବେ ଗ୍ରହଣ କରିଥାନ୍ତି । ଏହା ସାଧାରଣତଃ ଅପ୍ରେଲ ମାସ ୧୪ ତାରିଖରେ ପଡିଥାଏ । କେବେ କେବେ ଏହି ତାରିଖର ପରିବର୍ତ୍ତନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅପ୍ରେଲ ୧୩ ତାରିଖରେ ପଡିଛି । ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ ।

*କିପରି ପାଳନ ହୁଏ* *:*

ଏହିଦିନ ଏକ ଛୋଟ ଠେକିରେ ପଣାରଖି ତୁଳସୀ ଚଉରାରେ ବାନ୍ଧି ଦିଆଯାଏ । ଠେକିରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇ ଥାଏ । ଏହି ଠେକିକୁ ‘ ବସୁନ୍ଧରା ‘ ଠେକି ମଧ୍ୟ କୁହାଯାଇଥାଏ । ଛତୁଆ,ଦହି,ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଇଥାଏ । ବେଲ ପଣାରେ ବଟାଭାଙ୍ଗ ମିଶାଇ ସେବନ କରାଯାଇଥାଏ । ପ୍ରକାଶ ଥାଉକି ବେଲପଣା ଓଡ଼ିଶାର ପଣା ସଂକ୍ରାନ୍ତିରେ ବେଲରେ ତିଆରି କରାଯାଉଥିବା ଏକ ପାନୀୟ ଅଟେ । ଚଣ୍ଡି, ସାରଳା,ବିରଜା, ତାରିଣୀ ଆଦି ଠାକୁରାଣୀ ମନ୍ଦିର ମାନଙ୍କରେ ଏହିଦିନ ଝାମୁଯାତ୍ରା ପାଳନ କରାଯାଇଥାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ ଠାକୁରାଣୀ ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳେ । ଦକ୍ଷିଣ ଓଡ଼ିଶାର ଲୋକମାନେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରିଥାନ୍ତି । କିନ୍ତୁ ଉତ୍ତର ଓଡ଼ିଶାର ଲୋକମାନେ ଏହି ଦିନକୁ ଚଡକ ପର୍ବ ନାମରେ ପାଳନ କରିଥାନ୍ତି ।

*କ’ଣ ରହିଛି ଏହାର ବିଶେଷତ୍ୱ :*

ଓଡିଆ ପଞ୍ଜିକାରଙ୍କ ଗଣନାନୁସାରେ ମହାବିଷୁବ ସଂକ୍ରାନ୍ତି କୁ ବର୍ଷର ପ୍ରଥମ ଦିନ ଭାବରେ ଗ୍ରହଣ କରାଯାଇଥାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଇଥାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ବତନ୍ତ୍ର ପୂଜା,ଭୋଗ ଓ ହୋମ ଆଦି କରାଯାଇଥାଏ । ଏହା ଆମର ସାମାଜିକ, ଆଧ୍ଯାତ୍ମିକ ଏବଂ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ କରୁଥିବା ପର୍ବ ଅଟେ । ତେଣୁ ଏହାର ନାମ *ପଣା ସଂକ୍ରାନ୍ତି* ଓ *ଜଳ ସଂକ୍ରାନ୍ତି* ହୋଇଛି । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ସହ ହଜମ ଶକ୍ତି ମଧ୍ଯ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ଯ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ । ଦେହର ଅତ୍ଯଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ଯବସ୍ଥା ହୋଇଥାଏ । ଏହି ଦିନରେ ବିଭିନ୍ନ ଦେବା-ଦେବୀ ମନ୍ଦିରରେ ଛତୁଆ ଓ ପଣା ଭୋଗ ବିଧି ପ୍ରଚଳିତ ହୋଇଥାଏ । ପଣା ସଂକ୍ରାନ୍ତି ଦିନ ସାଇପଡିଶା, ବନ୍ଧୁ-ବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଇଥାଏ । ତେଣୁ ଏହି ଦିନକୁ *ପଣା ସଂକ୍ରାନ୍ତି* ବୋଲି କୁହାଯାଇଥାଏ । ପୁଣି ଏହି ସମୟରେ ଜଳାଭାବ ଦେଖା ଯାଇଥାଏ । ପଣା ସଂକ୍ରାନ୍ତି ଠାରୁ ରାସ୍ତାରେ ପଥଚାରୀ ମାନଙ୍କ ତୃଷା ନିବାରଣ ପାଇଁ ଜଳଛତ୍ର ଖୋଲାଯାଇଥାଏ । ସେଥିପାଇଁ ଓଡ଼ିଆ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡିଆ କରି ଘଡିରେ ଜଳରଖି ତା’ର ନିମ୍ନ ଅଂଶରେ ସରୁକଣାକରି ସୂକ୍ଷ୍ମ ଧାରରେ(ବସନ୍ତରା ଠେକିରେ) ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ *’ ଜଳ ସଂକ୍ରାନ୍ତି ‘* ବୋଲି ମଧ୍ୟ କୁହାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ । ଏହିଦିନ ପବିତ୍ର ଝାମୁଯାତର ଉଦଯାପନୀ ହୋଇଥାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଇଥାଏ । ବ୍ରତ ଉଦଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୋଇଥାଏ । ଲୋକମାନେ ଏହାକୁ ଝାମୁ ବା ପାଟୁଆ ଯାତ୍ରା ବୋଲି କହିଥାନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ଯ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

ସତରେ ଏ ସଂକ୍ରାନ୍ତି ଓଡ଼ିଶାର ସଂସ୍କୃତିର ପାରାୟଣ ଗାଇବା ସଂଗେ ସଙ୍ଗେ ବିଜ୍ଞାନର ଜୟଗାନ ମଧ୍ୟ କରିଥାଏ।

*ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର,* *ମୋ-୯୮୫୩୧୪୨୫୧୦*


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ