ଅବତାର ପୁନଃ ଏ ଧରାଧାମେ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଦଶରା ପଡ଼ିଆ ଦୁଇ ପାରୁଶରେ
ରାମ ସମ୍ମୁଖରେ ରାବଣ ମୂର୍ତ୍ତି
ରାମ ବାଣେ ହେବ ରାବଣ ଦହନ
ପ୍ରତି ବରଷରେ ପର୍ବ ପାଳନ୍ତି ।
ସପନରେ ଦିନେ ଦେଖିଲି ରାବଣ
ରାମଙ୍କୁ ଧୀକ୍କାର କରି କହୁଛି
ଆହେ ରଘୁନାଥ କେତେ ଥର ହତ
କରୁଥିବ ତାହା ନିତି ଭାବୁଛି ।
ଅପରାଧ ମୋର ନୁହେଁ ଗୁରୁତର
ହରିଥିଲି ସିନା ସତୀ ସୀତାଙ୍କୁ
ସୀମା ଲଙ୍ଘିନାହିଁ ସ୍ପର୍ଶ କରିନାହିଁ
ଅଶୋକ କାନନେ ରଖାଇ ତାଙ୍କୁ ।
କେତେ ସୀତା ଆଜି ହୁଅନ୍ତି ହରଣ
ଯୈ।ନ ନିର୍ଯ୍ୟାତନା ମୃତ୍ୟୁ ଯନ୍ତ୍ରଣା
ବାଣ ତୁମ ଏବେ ରହିଛି ନୀରବ
ଅପରାଧେ କିବା ମୋଠାରୁ ଊଣା ?
ବୀରଭୋଗ୍ଯା ବୋଲି ଏହି ବସୁନ୍ଧରା
ବାହୁ ବଳେ ମୁହିଁ ଜିଣିଲି ଦେଶ
ଉନ୍ନତ ରାଜା ର ଲକ୍ଷଣ ତ ଏହି
ଅପରାଧ କିଛି ହେଲା କି ଦୃଶ୍ୟ ?
ମୋ ଦେଶର ଧନ ମୋ ଦେଶେ ରହିଲା
ସୁନାର ଲଙ୍କା ମୁଁ କଲି ନିର୍ମାଣ
ମୋ ମାଟିରେ କେହି ନଥିଲେ ଭୋକିଲା
ଥିଲା କୋଠାବାଡ଼ି ଅମାପ ଧନ ।
ବିଦେଶେ ଅର୍ଥକୁ ଗୋପନରେ ରଖି
ନେତା ଏଠି ଦେଶୁ ନିଅନ୍ତି ଭତ୍ତା
ଲୁହ ଲହୁ ଢାଳି କୃଷକ ବାପୁଡ଼ା
ଅଭାବ କଷଣେ ପିଟନ୍ତି ମଥା ।
ଦୁଃଖ ନାହିଁ ତିଳେ ପତାଇଛି ଛାତି
ଯେତେ ଥର ମରେ ନାହିଁ ଆପତ୍ତି
ଦୁନିଆଁ ଭିତର ରାବଣ କଂସଙ୍କୁ
ପ୍ରଥମେ ସଂହାର ହେ ଶିରିପତି ।
ରାମ ରାଜ୍ୟ ପୁଣି ଗଢ଼ି ଉଠୁ ଦେଶେ
ଶାନ୍ତି ସଦ୍ଭାବ ର ଉଡାଅ ଧ୍ଵଜା
ତେବେ ସିନା ଅନ୍ତ ହେବ ରାବଣ ର
ନିର୍ଭୟେ ଧରାରେ ରହିବେ ପ୍ରଜା ।
ବାଣ ଶବଦରେ ନିଦ ମୋ ଭାଙ୍ଗିଲା
ଧ୍ୟାନ କଲି ବାରେ ପ୍ରଭୁ ଶ୍ରୀ ରାମ
ସପନ ମୋହର ହେବ କିବା ସତ
ଅବତାର ପୁନଃ ଏ ଧରାଧାମ ।

Leave a Reply

Your email address will not be published. Required fields are marked *