ସେହି ଖରାବେଳ ଓ ଜାମୁଡ଼ାଳ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଗାଁର ଧୂଳି ଦାଣ୍ଡ ଆଉ ନାହିଁ | ଅନେକ ଲୋକ ଗାଁରୁ ଆର ପାରିକୁ ଚାଲିଗଲେଣି | ଏବେବି ଭାଲୁକୁଣି ,ବୁଧେଇ ଓଷା,ଦାଣ୍ଡ ପହଁରା,ଦୋଳ,ହୋଲି,ରଜ ଓ ଦୀପାବଳି ପାଳିତ ହେଉଛି | କିନ୍ତୁ ଏବେକା ପର୍ବପର୍ବାଣି ଭିତରେ ଟିକେ ଆଧୁନିକତା ପଶିଗଲାଣି | ଆଗର ସେହି ନିଷ୍ଠା ଓ ଭକ୍ତି ଆଉ ଦେଖିବାକୁ ମିଳୁ ନାହିଁ | ଭାଗବତ ଟୁଙ୍ଗି ଅଛି ସତ କିନ୍ତୁ ଆଉ ଭାଗବତ ପଢିବାକୁ ଲୋକ ନାହାନ୍ତି | ମୋ ଗାଁରେ ଆଉ କେନ୍ଦରା କି ଚକୁଳିଆ ପଣ୍ଡାର ଗୀତ ଶୁଭୁନାହିଁ | ଗାଁକୁ ଆଉ ମାଙ୍କଡ ନାଚ ,ବାଉଁଶ ରାଣୀ ଓ ସାପୁଆ କେଳା ଆସୁନାହାନ୍ତି | ଗାଁରେ ଆଉ ଆଗ ଭଳି ଅଭାବ ନାହିଁ | କିନ୍ତୁ ମଣିଷର ସ୍ଵଭାଵ ବଦଳି ଯାଇଛି | କିନ୍ତୁ ଗାଁରେ କାଟିଥିବା ପିଲାଦିନ ଏବେବି ସତେଜ ରହିଛି | ଆଉ ପିଲା ବେଳେ ଗାଁ ମାଟି ଓ ଲୋକମାନେ ଯୋଉ ଶିକ୍ଷା ଦେଇଛନ୍ତି ତାହା ସବୁଦିନ ପାଇଁ ଅଭୁଲା ହେଇରହିଛି |

ଏପ୍ରିଲ ମାସ | ସଠିକ ବାର ମନେ ପଡୁନାହିଁ | ସେଦିନ ବୋଧେ ଛୁଟି ଦିନ ଥିଲା | ହୁଏତ ରବିବାର ହେଇପାରେ | ଆମେ ପାଞ୍ଚ ଜଣ ପିଲା ଏକାଠି ହେଲୁ | ଆମ ଘରୁ ମୋ ବଡଭାଇ ଓ ସାନଭାଇ ଥାନ୍ତି | ପଡୋଶୀ ଘରୁ ଦୁଇ ଜଣ ସାଙ୍ଗ ଥାଆନ୍ତି |ମୁ ,ସାନଭାଇ ସୁଶାନ୍ତ ,ବଡଭାଇ , ସାଙ୍ଗ ଟୁଲୁ ଓ ସିଲୁ ସମସ୍ତେ କଥାହେଲୁ | ଆଜି ଆମେ ଜାମୁଡ଼ାଳ ଗୀତ ବୋଲି ନାଚିବା | ଆମ ସାହିର ଘରେ ଘରେ ନାଚିବା | ଯାହା ପଇସା ମିଳିବ ସାଙ୍ଗ ହେଇ ଭୋଜି କରିବା | ସମସ୍ତେ ଜାମୁଡ଼ାଳ ହାତରେ ଖଣ୍ଡେ ଖଣ୍ଡେ ଧରିଲୁ |ଆଗକୁ ମାଡିଚାଲିଲୁ | ଏହି ଜାମୁଡ଼ାଳ ଗୀତ ଆମ ଗାଁ ସଅର ସାହି ଲୋକମାନଙ୍କ ଠାରୁ ଶିଖିଥିଲୁ | ଏହି ସଅର ସାହି ଲୋକମାନେ ଆମ ଗାଁ ଠାରୁ ବାହାରେ ଘର କରି ରହିଛନ୍ତି | ସଅର ସାହିର ଲୋକମାନେ ରାକ୍ଷୀ ପୂର୍ଣ୍ଣିମାକୁ ପୁରା ଗାଁରେ ବୁଲନ୍ତି | ଘୁମୁରା ଓ ଖୋଳ ବଜାଇ ଗାଁ ସାରା ବୁଲି ଗୀତଗାଆନ୍ତି | ସଅର ଲୋକମାନେ ସେମାନଙ୍କ କୁଳ ଦେବତାଙ୍କୁ ବିମାନରେ ରଖି ଗାଁ ବୁଲନ୍ତି | ଗୀତ ଗାଇ ଘୁମୁରାର ତାଳେ ତାଳେ ଜାମୁଡାଳ ଧରି ନାଚନ୍ତି | ଲୋକମାନେ ଯାହା ଟଙ୍କା ,ପଇସା ଦିଅନ୍ତି ସେଥିରେ ସାହିରେ ଯାଇ ଭୋଜି କରନ୍ତି | ସେହି ଜାମୁଡ଼ାଳ ଗୀତ ଓ ନାଚ ଆମ ପିଲାମାନଙ୍କୁ ଭାରି ପ୍ରଭାବିତ କରୁଥିଲା | କଣ ପାଇଁ ମନ ହେଲା କେଜାଣି ,ମୁଣ୍ଡରେ ଅଭୁତ ଖିଆଲ ଜୁଟିଲା | ଆଜି ଆମେ ସାହିର ସମସ୍ତଙ୍କ ଘର ଆଗେ ନାଚିବା | ଆଉ ଆରମ୍ଭ ହେଇଗଲା ଆମ ବିନା ପର୍ବରେ ଜାମୁଡାଳ ନାଚ | ଘର ଠାରୁ କିଛି ଦୂରରେ ଆମର ନାଚ ଆରମ୍ଭ ହେଇଗଲା | ମୁ ଓ ମୋ ସାନଭାଇ ବେଶୀ ନାଚୁଥାଉ | ବଡ ଭାଇ ମୋର ଗୀତ ଗାଉଥାଏ | ମୁ ଗୀତର ପାଳି ଧରୁଥାଏ | ସିଲୁ ଓ ଟୁଲୁ ଆମ ସହ ଜାମୁଡାଳ ଧରି ଖାଲି ଛିଡା ହେଉଥାନ୍ତି | ସାହିର ମହିଳା ଓ ପିଲାମାନେ ଆମ ନାଚର ଭାରି ମଜା ନେଉଥାନ୍ତି | ସେତବେଳେ ତମ୍ବା ପଇସା ଚାଲୁଥିଲା | ଆମକୁ ପଚାଶ ପଇସା ମିଳିଗଲା | ଖୁସି କହିଲେ ନ ସରେ | ଆଜକୁ ଚାଳିଶ ବର୍ଷ ତଳେ ପକେଟରେ ଦଶ କି ପଚିଶ ପଇସାଟିଏ ଥିଲେ ଆକାଶରେ ଉଡିଲା ଭଳି ଲାଗୁଥିଲା | ପଚାଶ ପଇସା ପାଇ ଆମର ଜୋଶ ଟିକେ ବଢିଗଲା |

ଆମକୁ ନାଚୁଥିବାର ଟୁଲୁର ଭଉଣୀ ସୀମା ଦେଇ ଦେଖିଦେଲା | ସିଏ ଆମକୁ ବହୁତ ଗାଳି ଦେଲା | ଭଲ ଘର ପିଲାମାନେ ଏମିତି ନାଚନ୍ତି ନାହିଁ ବୋଲି କହିଲା | ଆମ ବାପାଙ୍କ ଆଗରେ ଫେରାଦ ହେବ ବୋଲି କହିଘରକୁ ଚାଲିଗଲା | କିନ୍ତୁ ଆମେ ତା କଥାକୁ ଶୁଣିଲୁ ନାହିଁ | ସୀମା ଦେଇ ଗାଳି ଶୁଣି ଟୁଲୁ ଓ ସିଲୁ ଆମ ଦଳରୁ ବାହାରି ଗଲେ | ସେମାନେ ଘରକୁ ଫେରିଗଲେ | ଆମ ନିଶା ଉତୁରି ନଥିଲା | ଆମ ସାହିର ମହାପାତ୍ର ଘରକୁ ଗଲୁ | ଆମର ଆଶା ଥିଲା ସେଠି ଟିକେ ବେଶୀ ପଇସା ମିଳିବ | ମହାପାତ୍ର ଘର ଆଗରେ ମୁ ,ମୋ ଭାଇ ଓ ବଡ ଭାଇ ଯାଇ ନାଚିଲୁ | ମହାପାତ୍ର ପରିବାର ଖୁସି ହେଇ ଆମକୁ ଏକ ଟଙ୍କା ଦେଲେ | ଆମେ ଖୁସିରେ ଆହୁରି ଫାଟି ପଡ଼ିଲୁ | ଖରା ବଢି ଯାଇଥିଲା | ଶୋଷ ବି ଲାଗୁଥିଲା | ଆଉ ନ ନାଚି ଘର ମୁଁହା ହେଲୁ | ଯାହାହେଉ ଦେଢ଼ ଟଙ୍କା ହେଇଗଲା | କେତେ କଣ ଖାଇବା ଜିନିଷ ହେବ | ସମସ୍ତେ ମିଶି ଖାଇବୁ | ଟୁଲୁ ,ସିଲୁ ଆଉ ଡାକିବୁ କି ନାହିଁ ଭାବୁ ଥାଉ | ସେମାନେ ତାଂକ ଘରେ ମାଡଖାଇଲେ କି ନାହିଁ ସେହି କଥା ଭାବି ଭାବି ଘରେ ପହଂଚିଲୁ | ଆମର ଗାଁରେ ଗୋଟେ ବଡ ତେଜରାତି ଦୋକାନ ଥିଲା | ଦାଦା ସେହି ଦୋକାନ ସମ୍ଭାଳୁଥିଲେ | ବାପା ଚାକିରୀ କରୁଥିଲେ | ଯୋଉଦିନ ବାପା ଗାଁରେ ରହନ୍ତି ଦୋକାନ କଥା ବୁଝନ୍ତି| ସେଦିନ ବାପା ଗାଁରେ ଥିଲେ | ଆମେ ତାଙ୍କୁ ଲୁଚିକି ଯିବାକୁ ବସିଥିଲୁ | କିନ୍ତୁ ତାଂକ ହାବୁଡ଼ରେ ପଡ଼ିଗଲୁ | ମୋତେ ଓ ସାନଭାଇ ନେଇ ବାପା ଦୋକାନ ଆଗରେ ଆଣ୍ଠେଇ ଦେଲେ | ଆମ ସାଙ୍ଗରେ ଯୋଉ ବଡଭାଇ ନାଚୁଥିଲା ବାପା ତାକୁ କିଛି କହିଲେ ନାହିଁ | କାରଣ ସିଏ ମୋ ବଡବାପାଙ୍କ ପୁଅ |

ଖରାଦିନ | ଗାଁ ଦାଣ୍ଡ | ମୁ ଓ ମୋ ସାନଭାଇ ଗୋଡି ଦେଇ ଆଣ୍ଠେଇ ଥାଉ | ଖରାରେ ମୁଁହ ପୋଡି ଯାଉଥାଏ | ଦାଣ୍ଡ ଦେଇ ଯାଉଥିବା ଲୋକମାନେ ଆମକୁ ଦେଖୁଥାନ୍ତି | ଦୋକାନକୁ ଆସୁଥିବା ଲୋକମାନେ ବାପାଙ୍କୁ ଅନେକ କଥା ପଚାରୁଥାନ୍ତି | ଆମକୁ ଭାରି ଖରାପ ଲାଗୁଥାଏ | ଯିଏ ଯେତେ କହିଲେ ବି ବାପା ଆମକୁ ଉଠିକି ଘରକୁ ଯିବାକୁ କହୁ ନଥାନ୍ତି | ଦଉ ମିଆଁ ଆସିଲା | ମୁସଲମାନ ହେଲେ ବି ଆମ ପରିବାର ସହ ତାଂକର ସମ୍ପର୍କ ଭାରି ନିବିଡ | ଆମ ଦୋକାନରୁ ଚାଉଳ ଓ ଧାନ ନେଇ ସିଏ ବେପାର କରନ୍ତି | ଆମ ଘରେ ସବୁବେଳେ ସିଏ ଖିଆପିଆ କରନ୍ତି | ଦଉ ମିଆଁ ମାଛ ମାରିବାରେ ପୁରା ମାହିର | ଖେପା ଜାଲ ନେଇ ଆସନ୍ତି | ଆମ ଗାଡ଼ିଆରେ ମାଛ ମାରନ୍ତି | ଆମ ଘରେ ମାଛ ତରକାରୀ ,ଭାତ ଖାଇବାରେ ତାଙ୍କର ଭାରି ଆନନ୍ଦ | ଦଉ ମିଆଁ ଆମ ଦୁଇ ଭାଇକୁ ଭାରି ଆଦର କରନ୍ତି | ଆମେବି ତାଙ୍କୁ ପରିବାରର ଲୋକ ବୋଲି ଭାବୁ | ସିଏ କିନ୍ତୁ ଆମ ଗାଁର ଲୋକ ନୁହନ୍ତି | ଆମ ଗାଁ ଠାରୁ ଦୂର ସାତ କିଲୋମିଟର ଭଗତପୁର ଗାଁରେ ତାଂକ ଘର | ବାପା ଅନେକ ସମୟ ତାଂକ ଘରକୁ ଯାଆନ୍ତି | ଏବେତ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଯୋଉ ବିଷ ବୁଣା ଯାଉଛି ତାହା ମୋତେ ଦୁଃଖ ଦେଉଛି | ଆମ ଘର ସହ ଦଉ ଭାଇଙ୍କ ପରିବାରର ସମ୍ପର୍କ ଦେଖିଲେ କେହି କେବେ ଦୁଇ ଧର୍ମ ଓ ସମ୍ପ୍ରଦାୟ ଭିତରେ ଠିଆ କରାଯାଉଥିବା ପାଚେରୀ କଥା ଭାବି ପାରିବ ନାହିଁ | ଦଉ ଭାଇକୁ ଦେଖି ଆମ ଦୁଇ ଭାଇଙ୍କ ପିଣ୍ଡରେ ଟିକେ ପ୍ରାଣ ପଶିଲା | ଏକ ଘଣ୍ଟା ହେବ ଖରାରେ ଆଣ୍ଠେଇ ମୁଣ୍ଡ ଓ କାନ ଝାଇଁ ମାରି ଦେଉଥାଏ | ଦଉ ଭାଇ ଆମେ କଅଣ ପାଇଁ ଆଣ୍ଠେଇଛୁ ବୋଲି ପଚାରିଲେ | ବାପା ଓ ଦଉ ଭାଇ କଣ ସବୁ କଥା ହେଲେଆମ ମୁଣ୍ଡରେ କିଛି ପଶୁ ନଥିଲା | କେମିତି ବାପା ଆମକୁ କହିବେ ଘରକୁ ଯା ଆମେ ସେହି ପଦକ କଥାକୁ ଅପେକ୍ଷା କରିଥାଉ | ଦଉ ଭାଇ ଆସି ହାତ ଧରି ଆମ ଦୁଇ ଭାଇକୁ ଉଠାଇ ଦେଲେ | ଆଣ୍ଠୁ ଝାଡ଼ି ଦେଲେ | ଆଉ ଭୁଲ ନ କରିବା ପାଇଁ କହିଲେ |

ଦୁଇ ଭାଇ ଆମେ ତଳକୁ ମୁହଁ ପୋତି ଘଋକୁ ଗଲୁ | ବୋଉବି ଆଉ ଦୁଇ ପଦ ଗାଳି ଦେଲା | ଆମେ କଣ ଯେ ଭୁଲ କରି ଦେଉଛୁ ଏଇଟା ଆମ ପିଲା ମୁଣ୍ଡ ବୁଝିପାରୁ ନଥିଲା | ଗାଧେଇକି ଖାଇଲୁ | ଦୁଇ ଭାଇ ଖଟରେ ଯାଇ ଶୋଇଲୁ | ସୀମା ଦେଇ ଉପରେ ଭାରି ରାଗ ଆସୁଥାଏ | ବାପା ଗାଧେଇ ,ଖାଇ ଆମ ପାଖକୁ ଆସିଲେ | ଆମେ ଶୋଇ ନଥାଉ | ଆମ ଘର ପିଲାମାନେ ଏମିତି ଘର ଘର ବୁଲି ନାଚନ୍ତି ନାହିଁ | ତୁମେ ଘରେ କି ଅଭାବ ଅଛି | ଆଜି ଘର ଘର ବୁଲି ନାଚିକି ପଇସା ମାଗୁଥିଲ | ଜୀବନରେ କେବେ କାହା ଦୁଆରେ ଭିକ ମାଗିବି ନାହିଁ | ପରିଶ୍ରମ କରି ପେଟ ପୋଷିବ ଆଉ ସ୍ୱାଭିମାନରେ ବଂଚିବ | ବାପାଙ୍କ ସେହି କେତେପଦ କଥାରୁ ସେଦିନ ସ୍ୱାଭିମାନ ଶବ୍ଦର ଅର୍ଥ କିଛି ମୁ ବୁଝି ପାରି ନଥିଲି | ବଡ ହେଲି | ବୟସ ବଢ଼ିଲା | ପାଠ ପଢି ଚାକିରୀ କଲି | କିନ୍ତୁ ସେହି ଦିନର ସେହି ଆଂଠେଇବା ମୋତେ ଜୀବନରେ ସ୍ୱାଭିମାନର ମୂଲ୍ୟକୁ ବୁଝେଇ ଦେଇଥିଲା | ଏବେବି ଅତି ଅସୁବିଧା ନ ପଡିଲେ ମୋତେ ଧାର ,ଉଧାର ପାଇଁ ହାତ ପାଟିବାକୁ ଭଲ ଲାଗେନି | ମୁ ଏବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ମେହେନତି କରି ଖୁସିରେ ଅଛି |

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ

Leave a Reply

Your email address will not be published. Required fields are marked *