ଦୁନିଆ ଭାବେ ଯାହା ସମସ୍ତେ ନୁହେଁ ତାହା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଦୁନିଆ ଭାବେ ଯାହା ,ସମସ୍ତେ ନୁହେଁ ତାହା

ଏ ଦୁନିଆ ବଡ ବିଚିତ୍ର | ଅନେକ ରୂପ ଓ ଗୁଣର ଲୋକ ଏଠି ଜନ୍ମ ହେଇ ନିଜ ରାସ୍ତାରେ ଚାଲିଛନ୍ତି | ସମସ୍ତଙ୍କ ଜୀବନ ଜୀଇଁବା ଓ ବାଟ ଚାଲିବା ଏଠି ଭିନ୍ନ | କିଏ ଏଠି ସାଧାସିଧା ଆଉ କିଏ ଏଠି ଦାମୀ ପୋଷାକରେ ସଜାଇ ହେଇ ବୁଲୁଛି | କିଏ ଏଠି ଚାଳ ଛପର ଘରେ ଖୁସିରେ ଅଛି ତ ଆଉ କିଏ ସୁରମ୍ୟ ପ୍ରାସାଦରେ ଖୁସିରେ ରହି ପାରୁନି | କିଏ ଏଠି ଧନ ଥାଇ ଖରଚ କରିବାରେ କୁଣ୍ଠା ପ୍ରକାଶ କରୁଛି ତ କିଏ ପୁଣି ଉଧାର କରି ଘିଅ ପିଉଛି |କିଛି ଲୋକ ଏଠି ଅଳ୍ପରେ ସନ୍ତୁଷ୍ଟ ଆଉ କିଛି ଲୋକ ଯେତେ ପାଇଲେ ଓ ନେଲେବି ସେମାନେ ଖୁସି ହେଇପାରନ୍ତି ନାହିଁ |
ସମାଜରେ ଆମେ ଅନେକ ଲୋକଙ୍କ ଚାଲିଚଳନ ଓ ଜୀବନ ଜୀଇଁବାର ତରିକା ଦେଖି ନାନା ପ୍ରକାର ଆଲୋଚନା ଓ ସମାଲୋଚନା କରୁ | ସେହି ଲୋକର ପସନ୍ଦ ହେଉନଥିବା କାମ ଓ ଗୁଣ ଗୁଡିକ ଉପରେ ଆମେ ନାନା ଟୀକ୍କା ଟିପ୍ପଣୀ କରିଥାଉ | ସେହି ଲୋକଟି ତ ଏତେ ପଇସା କମାଉଛି ଦାମୀ ପୋଷାକ କାହିଁକି ପିନ୍ଧୁ ନାହିଁ ? ଖାଇବାରେ କାହିଁକି ପଇସା ଖରଚ କରୁ ନାହିଁ ? ଭଲ ଘରେ କାହିଁକି ରହୁ ନାହିଁ ? ଆମକୁ ନିଜ ଚିନ୍ତା ଯେତିକି ନ ଥାଏ ପରର ଏହି ସବୁ ଚିନ୍ତା ଆମକୁ ବେଶୀ ଘାରୁଥାଏ | ଆମେ ଘରେ ଓ ବାହାରେ ସେହି ସବୁ ଲୋକମାନଙ୍କ ଉପରେ ଆଲୋଚନା କରି ଭାରି ଖୁସି ପାଉ | କିଛି ଲୋକ ଅଛନ୍ତି ଯେତେ ପଇସା କମେଇଲେବି ସେମାନେ ଭଲ ଖାଆନ୍ତି ନାହିଁ | ମନୋରଞ୍ଜନରେ ଅର୍ଥ ଖର୍ଚ୍ଚ କରନ୍ତି ନାହିଁ | ଦାମୀ ପୋଷାକ ପିନ୍ଧନ୍ତି ନାହିଁ | ସାମାଜିକ କାମରେ ଟଙ୍କାଟିଏ ପାକେଟରୁ ଦେବାକୁ ପସନ୍ଦ କରନ୍ତି ନାହିଁ |
ଏହି ସମାଜରେ ପୁଣି ଲୋକ ଅଛନ୍ତି ଭାରି ସାଧାସିଧା ଜୀବନ କାଟନ୍ତି ,ଅଯଥା ପଇସା କେବେ ଖର୍ଚ୍ଚ କରନ୍ତି ନାହିଁ | ନିଜ ପରିବାର ଓ ସମାଜ ଆଖିରେ ସେମାନେ କଂଜୁସ ଓ କାଂପୀ ବୋଲି ପରିଚୟ ପାଇଥାନ୍ତି | କିଛି ଲୋକ ସେମାନଙ୍କ ମୁଂହ ଚାହିଁଲେ ସକାଳୁ ଅଶୁଭ ବୋଲି ଭାବନ୍ତି | କିନ୍ତୁ ଏହି ଭଳି ଧାରଣା ଥିବା କିଛି ଲୋକମାନଙ୍କ ଭିତରର କାର୍ଯ୍ୟ ଉପରେ ଆମର ଧାରଣା ନ ଥାଏ | କି ସେମାନେ ନିଜେ କରୁଥିବା କିଛି କାମକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ |
ସମାଜ ଆଖିରେ କଂଜୁସ ଜଣାପଡୁଥିବା ଅନେକ ଲୋକ ଅଜାଣତରେ ଅନେକ ଭଲ କାମ କରୁଥାନ୍ତି | ପ୍ରଚାର ପ୍ରସାର ଠାରୁ ଦୂରରେ ରହି ସେମାନେ ସମାଜର ମଙ୍ଗଳ ପାଇଁ ନିଜ ଆୟର କିଛି ଅଂଶ ଖରଚ କରୁଥାନ୍ତି | କିନ୍ତୁ ସେମାନେ ନିଜକୁ ସମାଜସେଵୀ କହି ନିଜର ପ୍ରଚାର କରନ୍ତି ନାହିଁ | ସେବା ବଦଳରେ ସେମାନେ ସମାଜ ଠାରୁ କିଛି ଆଶା ରଖି ନଥାନ୍ତି | ସମାଜକୁ ଦେବାରେ ସେମାନେ ଆନନ୍ଦ ପାଆନ୍ତି | ଦୁନିଆରେ ଅନେକ ଲୋକ ଅଛନ୍ତି ଯୋଉମାନେ କଳା,ସାହିତ୍ୟ ,ସଂସ୍କୃତି ,ଶିକ୍ଷା ଓ ପରିବେଶ ପାଇଁ ଆମ ଅଗୋଚରରେ ନିଜ ପକେଟରୁ ଅର୍ଥ କରୁଛନ୍ତି | କିନ୍ତୁ ତାହା ବଦଳରେ ସେମାନେ କୋଉଠି ସରକାରୀ ଓ ବେସରକାରୀ ସଂସ୍ଥା ଠାରୁ ମାନପତ୍ର ପାଇବାର ଆଶା ରଖି ନାହାନ୍ତି | ଆଉ ଏହି ଦୁନିଆରେ ନିଜକୁ ସେବକର ପରିଚୟ ଦେଇ ଯୋଉମାନେ ସମାଜକୁ ଲୁଟି ଚାଲିଛନ୍ତି ଆମେ ସେମାନଙ୍କୁ ଜାଣିବାରେ ଓ ଚିହିଁବାରେ ବହୁତ ବିଳମ୍ବ କରୁ | କିନ୍ତୁ ପ୍ରଚାର ପ୍ରସାର ଠାରୁ ଦୂରରେ ରହି ନିଚ୍ଛକ ସେବା କରୁଥିବା ଲୋକଟିକୁ ଆମେ ଅନେକ ଦିନ ଯାଏଁ ଜାଣି ପାରୁନାହୁଁ | ସେହି ଲୋକମାନେ ଆମ ଗାଁ,ସହର ଓ ପଡ଼ୋଶୀରେ ଅଛନ୍ତି | କିନ୍ତୁ ସେମାନେ କେବେ ନିଜକୁ ସମାଜସେବୀ ଓ ସେବକ କହି ନିଜର ଡିଂଡିମ୍ବ ପିଟି ନାହାନ୍ତି | ଆଉ ଯୋଉମାନେ ଡିଂଡିମ୍ବ ପିଟି ଚାଲିଛନ୍ତି ସେମାନଙ୍କ ହୃଦୟରେ ସମାଜ ପାଇଁ କେତେ ନିଚ୍ଛକ ଭଲ ପାଇବା ଅଛି ଆମେ ମାପିବା ବେଳକୁ ସେହି ଲୋକଟି ସେବା ଆଳରେ ଆମକୁ ଦିନରେ ଲଣ୍ଠନ ଦେଖାଇ ଚାଲିଛି |
ସତରେ ଆଂଜ୍ଞା ,ଆମେ ଅନ୍ୟ ମାନଙ୍କୁ ବାହାରୁ ଦେଖି ଯାହା ଭାବୁ ସେଇଟା ଆମର କେବଳ ଗୋଟେ କାଳ୍ପନିକ ଧାରଣା | ଆମେ ଜାଣିନେ କିଏ କୋଉ ଭଳି ପରିସ୍ଥିତି ଓ ପରିବେଶରେ ଅଛି | କିଏ ଏ ସମାଜରେ କୋଉ ଭଳି ବୋଝ ବୋହୁଛି | ଜଣେ ଅଧିକ ଧନ କମେଇ କାହିଁକି ଏତେ ସରଳ ଜୀବନ ଜିଉଁଛି | ହୁଏତ ସେହି ଲୋକ ଉପରେ ପରିବାରର ବୋଝ ଅଧିକ ଅଛି ନେହେଲେ ସିଏ ସାମାଜିକ ଋଣ ସୁଝିବାରେ ନିଜ ଅର୍ଥ ବ୍ୟୟ କରୁଛି | ଏହି ସମାଜରେ ଆମେ ଦେଖୁଛେ କିଛି କୋଟି କୋଟି ଅର୍ଥ ଦାନ କରି ନିଜର ପ୍ରଚାର ,ପ୍ରସାର କରନ୍ତି ନାହିଁ ଆଉ କିଛି ୧ ଟଙ୍କା ଦାନ କରି ଏତେ ପ୍ରଚାର କରନ୍ତି ଯେ ଆପଣ ଭାବିବେ ସତରେ ଏ ଲୋକଟା ବହୁତ ବଡ କାମଟିଏ କରିଦେଲା |
ସମାଜରେ ଏହି ଭଳି ଅନେକ ଲୋକ ଅଛନ୍ତି ଯୋଉମାନେ ଅନ୍ତରାଳରେ ରହି ଏ ସମାଜର ଦୀନ,ଦୁଃସ ଲୋକଙ୍କ ସହାୟତା କରୁଛନ୍ତି | ନିଜ ପକେଟରୁ ଅର୍ଥ ବ୍ୟୟ କରି ଆମ ସମାଜରେ ଅନ୍ୟମାନଙ୍କ ବାଟ ଚାଲିବା ପାଇଁ ରାସ୍ତା ତିଆରି କରୁଥିବା ଲୋକମାନଙ୍କୁ ଆମେ ଚିହିଁବାରେ ବହୁତ ବିଳମ୍ବ କରୁ | ବଂଚିଥିବା ବେଳେ ଆମେ ସେମାନଙ୍କ ଉପରୁ କାଦୁଅ ଫିଙ୍ଗୁ ଆଉ ମରିଗଲା ପରେ କହୁ – ସତରେ , ସେହି ଭଳି ଲୋକଟିଏ ଆଉ ମିଳିବନି …….|
-ନବଜୀବନ ସମାଜ,ସଫା,କଟକ -୭୫୪୦୨୨,ଦୂରଭାଷ-୯୭୭୭୭୬୬୩୪୬

Leave a Reply

Your email address will not be published. Required fields are marked *