ଭାବନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଭାବନା
***************
ମନ ବୃନ୍ଦାବନେ ବଇଁଶୀ ବାଜିଲେ
ଡାକ ଶୁଭେ ଟିକେ ଅନା
ଆଖି ମଳି ମଳି ନିଦୁ ଉଠି ଆସେ
ଅନ୍ତର ତଳ ଭାବନା ।

ହୃଦୟ ବନରେ ମଳୟ ବହିଲେ
ଉଡେ ଆନନ୍ଦର ବାନା
ପ୍ରଫୁଲ୍ଲେ ଭାବନା ନାଚି ଗାଇ କହେ
ଜାଗ ହେ ଚିନ୍ତା କଳ୍ପନା ।

କାହାର ଭାବନା ପ୍ରୀତିର ଆଉଁସା
କା’ର ରୁକ୍ଷ ଅବା ତେଣ୍ଟା
ପ୍ରଥମଟି ସତେ କ୍ଷତର ମଲମ
ଦ୍ୱିତୀୟ ଶୁଳିର କଣ୍ଟା ।

ଶୁଦ୍ଧ ଭାବନାରେ ଝରଇ ଅମୃତ
ରଖେ ପ୍ରାଣୀଙ୍କ ଜୀବନ
ଦୂଷିତ ଭାବନା ଦେବାକୁ ଯନ୍ତ୍ରଣା
ଚିନ୍ତିଥାଏ ରାତିଦିନ ।

ମନ ଭାବନାରେ କୁଡ଼ିଆକୁ କିଏ
ମଣେ ସ୍ୱପ୍ନର ମହଲ
ଷାଠିଏ ପଉଠି ତା ପାଇଁ ପରା ସେ
ହାଣ୍ଡିର ବାସି ପଖାଳ ।

ଯା ପାଇଁ ମୋ ଦେଶ ଧୂଳି ସ୍ୱର୍ଗଛୁଆଁ
ମା’ ପାଦ ଧୂଳି ଚନ୍ଦନ
ଶୁଷ୍କ ପ୍ରାନ୍ତର ବା ତପ୍ତ ମରୁବାଲି
ଲାଗେ ଦିବ୍ୟ ଉପବନ ।

ଯା ମନେ ପବିତ୍ର ଭାବନା ବରଷେ
ନାରୀ ଜାତି ଭାବେ ମାଆ
ଗୁରୁ ଗୁରୁଜନ ସାକ୍ଷାତ ଈଶ୍ୱର
ତାଙ୍କରି ଆଶିଷ ରାହା ।

ପ୍ରେମ ଭାବନାରେ ଶତ୍ରୁ ହୁଏ ମିତ୍ର
ଅଚିହ୍ନା ସାଜେ ନିଜର
ଶରଧାରେ ରଚେ ସମୁଦ୍ର ଲହରୀ
ବିଶ୍ୱ ପ୍ରିୟ ପରିବାର ।

କ୍ରୋଧାଗ୍ନିରେ ଜଳି କରି ପାରେନା ଯେ
ଭାବନାକୁ ନିୟନ୍ତ୍ରଣ
ବିବେକ ହରାଇ ଆଖିର ଲୁହକୁ
ସଦା କରେ ନିମନ୍ତ୍ରଣ ।

ମନ୍ଦ ଭାବନାର ତାଣ୍ଡବ ଦେଖାଇ
ଭାବେ ଯିଏ ହିମାଳୟ
ଅଧୋପତନର ଫଳ ପାଇବାକୁ
ଖୋଲେ ହୀନ କାର୍ଯ୍ୟାଳୟ ।

ଉପରେ ଦେଖାଏ ବିଶୁଦ୍ଧ ଭାବନା
ଭିତରେ କଳୁଷ ବିଷ
ପ୍ରତି ମୁହୂର୍ତ୍ତରେ ସେଇ ବିଷ ଜ୍ବାଳା
ସଂସାରକୁ କରେ ଗ୍ରାସ ।

ସଭିଙ୍କ ପାଇଁ ଯେ ସମଭାବାପନ୍ନ
ଧରେ ନିରପେକ୍ଷ ନୀତି
ନିଃସ୍ୱାର୍ଥପର ସେ ତ୍ୟାଗପୁତ ସାଧୁ
ଜାଳେ ସମାଜର ବତୀ ।

ମନରେ ଆସିଲେ ପବିତ୍ର ଭାବନା
ଛୁଟେ ପ୍ରେମ ବନ୍ୟା ସୁଅ
ସେ ସୁଅରେ ଖୁସି ଭାସି ଭାସି ଆସେ
ପୋଛିବାକୁ ଦୁଃଖୀ ଲୁହ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

Leave a Reply

Your email address will not be published. Required fields are marked *