ଏ ମୋର ସତ୍ଯ ବଚନ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଏମୋର ସତ୍ଯ ବଚନ

ଦୁଃଖ ମୋର ଆଜି ଅସହ୍ୟ ହେଲାଣି
କହିଦିଅ ମନ ଖୋଲି
କରୁଣା ତୁମର ହେଉନି କାହିଁକି
ଯିବିକି ତୁମକୁ ଭୁଲି !୧!

ଦୁଃଖ ଦେବା ଯଦି ମନେ ଥିଲା ତୁମ
କାହିଁକି କରିଲ ଠିଆ
କେତେଦିନ ଆଉ ମୋ ଦୁଃଖ ଦେଖିବ
କହରେ ଜଗା କାଳିଆ ।୨।

ଡାକିଡାକି ମୋର କଣ୍ଠ ଶୁଖିଯାଏ
ପାରୁନାହିଁ ଆଉ ଡାକି
ଚାଲିବକୁ ମୋର ବଳ ପାଉନାହିଁ
ଗଲିଣି ମୁଁ ଆଜି ଥକି ।୩।

ବଡ଼ଦାଣ୍ଡ ଧୂଳି ମୁଣ୍ଡେ ମାରିବାକୁ
କରିଛି ଆଶା ମନରେ
ନିରାଶ ନକର ଆହେ ପ୍ରଭୁ ତୁମେ
ରହିଛି ଅଧା ବାଟରେ ।୪।

ଆଖି ଛଳଛଳ ନୟନ ଯୁଗଳ
ଖୋଜୁଛି କେଉଁ କାଳରୁ
ତୁମ ବ୍ରହ୍ମ ରୂପ ଦର୍ଶନ ପାଇଁ କି
ଆସିଛି ବାହାରି ଘରୁ ।୫।

ଫେରିବିନି ଆଉ ପଛକରି କେବେ
ମନରେ ଏହା ଭାବିଛି
ଅଧାବାଟେ ମୋର ଜୀବଗଲେ ଯାଉ
ତଥାପି ନାମ ଜପୁଛି ।୬।

ଦୁଃଖ ଦରିଆରେ ଭାସେ ମୋ ଜୀବନ
ଆଖିଖୋଲି ଥରେ ଦେଖ
ନହୋଇ ନିର୍ଦ୍ଦୟ ଦରଶନ ଦିଅ
ଟିକେ ପାଇବିକି ସୁଖ ।୭।

ସୁଖ ଦୁଃଖ ସବୁ ତଉଲିବା ପାଇଁ
ଧରିଛ ହାତେ ନିକିତି
ପାଦମୋର ଆଉ ଉଠୁନି ଆଗକୁ
ଚାଲିବାକୁ ଦିଅ ଶକ୍ତି ।୮।

ସିଂହାସନ ତୁମ ଟଳମଳ ହେବ
ଏଇଠି ଗଲେ ଜୀବନ
ଜଗନ୍ନାଥ ନାମ ସଂସାରେ ହଜିବ
ଏ ମୋର ସତ୍ୟ ବଚନ ।୯।

ଛାଡି ସିଂହାସନ ଅଧାବାଟେ ଆସ
ଆହେ ପ୍ରଭୁ ଜଗନ୍ନାଥ
ଭାଙ୍ଗିଦିଅ ତୁମ ବଡ଼ପଣ ଆଜି
କରନି ମୋତେ ଅନାଥ ।।୧୦।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *