ଜୟ ଶ୍ରୀରାମ ଜୟ ଶ୍ରୀରାମ – ସରୋଜ କୁମାର ଜେନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଅଯୋଧ୍ୟା ନଗରେ ଜନମ ହୋଇଲ

ପ୍ରଭୁ ମର୍ଯ୍ୟାଦା ପୁରୁଷ ,
ବାଲ୍ମିକୀ ରଚିଲେ ରାମାୟଣ ଗାଥା
ତୁମ୍ଭ ନାମେ ଅଛି ଯଶ …।୧।
ତ୍ରେତୟା ଯୁଗରେ ମରତ ଧାମରେ
ଜନ୍ମିଥିଲ ପ୍ରଭୁ ରାମ ,
ରାବଣର ଅର୍ଧମ ସହ୍ୟ ନକରି
ଉତ୍ତରିଲ ମର୍ତ୍ତ୍ୟ ଧାମ ..।୨।
ପିତାଙ୍କ ବଚନେ ଚଉଦ ବରଷ
ଯାଇଥିଲ ବନବାସ ,
ମନ୍ଥରା ଚକ୍ରାନ୍ତେ କୈକେୟୀ ମାତାଯେ
ଦେଇଥିଲେ ଦଣ୍ଡାଦେଶ ..।୩।
ତୁମେ ଯେ ଅଗ୍ରଜ ଲକ୍ଷଣ ଅନୁଜ
ସଙ୍ଗେ ଥିଲେ ସୀତା ମାତା ,
ପଞ୍ଚବଟୀ ବନେ କୋଦଣ୍ଡ ତୁମର
ଗାଉଥିଲା ଜୟ ଗାଥା …।୪।
ବ୍ରାହ୍ମଣ ରୂପରେ ସୀତାଙ୍କୁ ହରିଲା
ଲଙ୍କାପତି ସେ ରାବଣ ,
ଲକ୍ଷଣ ରେଖାକୁ ଡେହିଣ ଗଲେଯେ
ରାବଣ କଲା ହରଣ …।୫।
ସୀତାଙ୍କୁ ଉଦ୍ଧାର କରିବା ନିମନ୍ତେ
କିସ୍ କିନ୍ଦା ଗଲେ ରାମ ,
ସୁଗ୍ରୀବ ସଙ୍ଗତେ ସଙ୍ଗାତ ବସିଣ
ବାଳି ପାଇଁ ହେଲେ ଯମ ..।୬।
ରାମଙ୍କୁ ପାଇଣ ତୁଣ୍ଡେ ଧରୁଥିଲା
ରାମ ରାମ ହନୁମାନ
ରାମଙ୍କ ମୁଦ୍ରିକା ସଙ୍ଗତେ ଧରିଣ
ଲଙ୍କାକୁ କଲା ଗମନ ..।୭।
ଲଙ୍କାଗଡ଼ ଦେଶେ ଯାଇଣ ଦେଖିଲେ
କାନ୍ଦୁଥିଲେ ଜଣେ ନାରୀ ,
ଅଶୋକ ବୃକ୍ଷର ପାଦ ଦେଶେ ତାର
ଅଶ୍ରୁ ଯାଇଥିଲା ଭରି …।୮।
ଦେଖିଣ ମୁଦ୍ରିକା ଖୁସିହେଲେ ମାତା
କହିଲେ ଧନ୍ୟ ବାନର ,
ଦେଇଣ ଆଶିଷ କହିଲେ ବୈଦେହୀ
ସଦା ରହିବ ଅମର …।୯।
ସୀତାଙ୍କ ପାଶରୁ ହନୁଙ୍କୁ ରାକ୍ଷସ
ନେଇ ଗଲେ ଭିଡ଼ି ଭିଡ଼ି ,
ଲାଙ୍ଗୁଡ଼ ଶୀର୍ଷରେ ଅଗ୍ନି ଲଗାଇଣ
ଦେଇଥିଲେ ତାଙ୍କୁ ଛାଡ଼ି ..।୧୦।
ପବନ ସୁତ ଯେ କ୍ରୋଧରେ ପଡ଼ିଣ
କରିଥିଲେ ଲଙ୍କା ପୋଡ଼ି ,
ଏହାକୁ ଦେଖିଣ ଅସୁର ଗଣ ଯେ
ପକାଇଲେ କେତେ ରଡ଼ି …।୧୧।
ବାନର ଗଣ ଯେ ସମୁହେ ମିଶିଣ
ବାନ୍ଧିଥିଲେ ସେତୁ ବନ୍ଧ ,
ନଳ ନୀଳ ଏଠି ରଚିଲେ କୀରତ୍ତି
ଚିନ୍ତାକଲା ମେଘନାଦ ..।୧୨।
କରିଲା କପଟ ସେହି ଇନ୍ଦ୍ରଜିତ
ଅନ୍ୟ ନାମ ମେଘନାଦ ,
କଲା ଶକ୍ତି ଭେଦ ହେଲେ ମୂର୍ଚ୍ଛାଘାତ
ସୁମିତ୍ରାଙ୍କ ବୀର ସୁତ …।୧୩।
ପବନ ତନୟ ବିସଲ୍ୟ କରଣୀ
ଆଣିଲେ କରି ବରଣୀ ,
ନୂତନ ଜୀବନ ଅନୁଜ ଲକ୍ଷଣ
ପାଇଥିଲେ ନୂଆ ପୁଣି ..।୧୪।
କାଳ କ୍ରମେ କାଳ ଘୋଟାଇ ଆସିଲା
ରାବଣ ହେଲା ନିହତ ,
ଯଶ କୀର୍ତ୍ତି କେତେ ରଖିଦେଇ ଗଲେ
ଦଶରଥ ଜ୍ୟେଷ୍ଟ ସୁତ …।୧୫।
ଆହୁରି କେତେ ଯେ କଥା ରହିଅଛି
ଯାହା ରହିଅଛି ବାକି ,
ସ୍ୱଳ୍ପର ବର୍ଣ୍ଣିତ କରିଛି ବଖାଣି
ନୁହେଁ ‘ ମୁଁ ‘ ଋଷି ବାଲ୍ମିକୀ .।୧୬।

Writer’s Details: ସରୋଜ କୁମାର ଜେନା, ବାଲିଝରୀ, ନରସିଂହପୁର, କଟକ, ମୋ/୯୩୪୮୭୮୩୭୯୧
Content Category:
Submission Date: Apr 13, 2019

Leave a Reply

Your email address will not be published. Required fields are marked *