ନିଦାଘର ଖେଦ – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସେଦିନ ପାଳିତ ହେଉଥିଲା

ସୃଷ୍ଟିର ପ୍ରତିଭା ସମ୍ବର୍ଦ୍ଧନା
ଉତ୍କଣ୍ଠାରେ ଅପେକ୍ଷା କରିଥିଲା ନିଦାଘ 
ଶୁଣିଲା ଧନ୍ୟ ତୁମେ ବର୍ଷା
ତୁମେ ପରା ସକଳ ଋତୁଙ୍କର ସାର
ତୁମ ପାଖେ କୃତଜ୍ଞ ହେ ବସନ୍ତ
ତୁମେ ପରା ସ୍ବୟଂ ଋତୁରାଜ
ଶୁଭିଲାନି ତୁମ ନାମ ଅନ୍ତଯାଏ
ପାଇଲ ଅପମାନ
ବିଷଣ୍ଣ ହେଲା ତୁମ ଉଜ୍ଜ୍ୱଳ ବଦନ।
ମୁଁ ଠିକ୍ ପଢ଼ିଲି ତୁମ ମନକୁ
ମାପିଲି ମନୋବୈଜ୍ଞାନିକ ମାନରେ
ଅନ୍ତରେ ଜଳି ଜଳି କହୁଥିଲ
କୀଚକ ବାହୁବଳେ ବିରାଟ ରାଜା !
ମୋ ଅକ୍ଲାନ୍ତ ଶ୍ରମ ହିଁ ବର୍ଷା
ମୋ ମଧୁର ସଙ୍ଗମ ହିଁ ବସନ୍ତ
ହେଲେ ବିସ୍ମୟ ଲାଗେ
ଏ ଅଜ୍ଞାନଙ୍କ ମୂର୍ଖ ମୂଲ୍ୟାୟନ ଅବିଚାର
ଆଉ ଉଦ୍ଭଟ ହେୟଜ୍ଞାନ।
 ଅନ୍ତରେ ଜଳାଇଲ ହିଂସାର ବହ୍ନି
କଲ ପ୍ରଖର ତାପ ପ୍ରବାହ
ହନ୍ତସନ୍ତେ ଡହଳ ବିକଳ କଲ ଧରାବାସୀଙ୍କୁ
ଶୁଣି  ଜଳ ଜଳ ଆତୁର ଚିତ୍କାର 
କଲ ଅଟ୍ଟହାସ୍ୟ 
ଅଂଶୁଘାତେ ନେଲ ନୀରିହଙ୍କ ପ୍ରାଣ
ନିମିଷକେ ଯେବେ ପୃଥ୍ୱୀ ସାଜିଲା ଶ୍ମସାନ
କହୁଥିଲ ଭୋଗ ହେ ବର୍ବର
ମୁଁ ପରା ସ୍ୱୟଂ ଭଗବାନ।
ଧରାବାସୀଏ ଯେବେ ଡାକନ୍ତି ହେ ବର୍ଷା
କର ଦୟା ବଞ୍ଚାଅ ଜୀବନ
ଦରଦୀ ବର୍ଷାଟାର ହୃଦୟ ଫାଟିଯାଏ
ନୟନୁ ଝରାଇ ବାରି କରେ ଜଳଦାନ
ଖଳନାୟକ ସାଜି ପ୍ରେରିତ କର
କାଳବୈଶାଖୀ..ଖଣ୍ଡିଆଭୂତଙ୍କୁ
ଉଡାଇ ଜୀମୁତ
ନଷ୍ଟ ଭ୍ରଷ୍ଟ କର ସୁଲଭ ଜୀବନ
ଅବିଳମ୍ବେ ଦେଇ ଅଥୟ କମ୍ପନ!
ବସନ୍ତଟା ଯେବେ ଛୁଏଁ ଦେଇ ବାସ ଚନ୍ଦନ
ଶୁଣାଏ ମଧୁ କାକଳି ପଞ୍ଚମ ତାନ
ଦିଏ ଅପୂର୍ବ ସୁବର୍ଣ୍ଣ ଶୋଭା,
ସାଜ ଦୁର୍ଦ୍ଦାନ୍ତ ହିଂସୁକ
ବାରମ୍ବାର କର ନିଷ୍ଠୁର ରଶ୍ମୀ ପ୍ରହାର
କର ଶ୍ବାସରୁଦ୍ଧ 
ବସନ୍ତକୁ କର ତିରସ୍କାର
ଜୀବପାଇଁ ବିଚରା ଝରାଏ ଲୁହଧାର
ତୁମେ ସାଜ ଏକଛତ୍ରବାଦୀ ସମ୍ରାଟ
ଏ ଅଭିଶପ୍ତ ପୃଥିବୀର ।
ସତରେ ହେ ନିଦାଘ
ପରିତ୍ୟାଗ କର ଘୃଣ୍ୟ ଖେଦ
ସାଜ ସଜ୍ଜନ, ଉଚ୍ଚ କର ମନ ପ୍ରାଣ
ନିଶ୍ଚେ ପୁରିବ ତୁମ ମନୋରଥ
ଅପେକ୍ଷା କର ସ୍ୱାଗତ ସମ୍ବର୍ଦ୍ଧନାକୁ
 ଏଇ ଆଗାମୀ ଭବିଷ୍ୟତର ।।
⛳ *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*⛳

Leave a Reply

Your email address will not be published. Required fields are marked *