ନିଦାଘ – ପ୍ରମୋଦ କୁମାର ପଣ୍ଡା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
କିଶଳୟ କୂଳ ଅତ୍ୟନ୍ତ ବ୍ୟାକୁଳ ନିଦାଘ କର ପ୍ରହାରେ
କଷ୍ଟ ଜର୍ଜରିତ ହେଉ ଅଙ୍କୁରିତ ଶୁଷ୍କହୁଏ ତନୁ ବାରେ
କରନ୍ତି ବିଳାପ ଆତୁରେ କଳାପ କୁସୁମ କଷଣ ଦେଖି
କାଳେଶଙ୍କ କର ଅତ୍ୟନ୍ତ ପ୍ରଖର ନଦୀଏ ଗଲେଣି ଶୁଖି
ଖଗ, ମୃଗ, ଦେବ, ଦାନବ, ମାନବ ତ୍ରାସିତ ନିଦାଘ ଭୟେ
ଖଳେ ଡରି ଯେହ୍ନେ ପଣ୍ଡିତେ,ସୁଜନେ କଷଣ ଲଭନ୍ତି କାୟେ
ଖରସ୍ରୋତା ଚୀରସ୍ରୋତା ଯେ ତପତା ତନୁ ତାଙ୍କ କୃଶ ହୋଇ
ଖାଦ୍ୟ ବିହୁନେ ଯେପରି ନିରାଧାରି ଶରୀର ଦୃଶ୍ୟ ହୁଅଇ
ଗଗନ ବାରିଦ ଶୂନ୍ୟ, ତାପମାନ ଦହନ କରଇ ଧରା
ଗ୍ରହରାଜ ତେଜ ବିଭାବସୁ ହେଜ ଦିବସ କ୍ଳେଶରେ ଭରା
ଗନ୍ତବ୍ୟର ପଥ କରେ ମର୍ମାହତ  
ପାନ୍ଥ ଖୋଜେ ପାନ୍ଥଶାଳା
ଗତାୟୁ ବସନ୍ତ ମଳୟ ରହିତ ଝାଞ୍ଜିଟା ମରମ ଜଳା
ଘଞ୍ଚ ତରୁ ମୂଳ ଅବା ବାମ୍ଫି ଜଳ ସରଗ ସୁଖରୁ ବଳେ
ଘନ ଘନ ମନ ହୁଅଇ ଉଚ୍ଛନ୍ନ   ଦକ୍ଷିଣା ବହିବା କାଳେ
ଘର୍ମ ଦିଏ କ୍ଳେଶ ମଲ୍ଲୀଫୁଲ ବାସ ମହକେ ତଡାଗ ତୀର
ଘର ତେଜି ନର ଖୋଜେ ନଦୀ ତୀର ସାୟାହ୍ନେ ତୁଷ୍ଟ ଶରୀର
ଉଦ୍ୟାନ ଶ୍ରୀହୀନ ସୁମନ ବିହୀନ ବିଜୁଳିଟା ଲକ୍ଷେ ଟଙ୍କା
ଉପବନ ଶୂନ୍ୟ ନାହିଁ ଭୃଙ୍ଗ ସ୍ୱନ ଲାଗେ ଭୟଙ୍କର ଫାଙ୍କା
ଉଷର ହେଲାଣି ସବୁଜ ଧରଣି ମୃଗତୃଷ୍ଣା ଭ୍ରମେ ରାସ୍ତା
ଉଗ୍ର ସିନା ଦିଶେ, ଗ୍ରୀଷ୍ମ ଅବଶେଷେ ବରଷାର ଜନ୍ମଦାତା

କିଶଳୟ-କଅଁଳି ଉଠୁଥିବା ପତ୍ର, କଳାପ-ଭଁଅର, କାଳେଶ-ସୂର୍ଯ୍ୟ, ଖଗ-ପକ୍ଷୀ, ନିରାଧାରୀ-ଭୋକିଲା, ବାରିଦ-ମେଘ, ଗ୍ରହରାଜ-ସୂର୍ଯ୍ୟ, ବିଭାବସୁ-ଅଗ୍ନି, ଘର୍ମ-ଝାଳ, ତଡାଗ-ପୋଖରୀ, ଭୃଙ୍ଗ-ଭଅଁର, ଉଷର-ଟାଙ୍ଗର
ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *