ଅକ୍ଷୟ ତୃତୀୟା ବା ଚନ୍ଦନ ଯାତ୍ରା – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭଗବାନଙ୍କର ସୃଷ୍ଟି ଅତ୍ୟନ୍ତ ସୁନ୍ଦର, ସରସ ଓ ଚିତାକର୍ଷକ l ତାଙ୍କର ସୃଷ୍ଟିକୁ ଜାଣିବା ପାଇଁ ଯେତେ ଚିନ୍ତା କଲେ ବି ଭାବନାରେ ଅନ୍ତ ନାହିଁ l ତାଙ୍କର ଆଦେଶରେ ଦିନ ରାତ୍ରି ହୁଏ l ଋତୁ ପରିବର୍ତ୍ତନ ହୁଏ l ସୂର୍ଯ୍ୟକୁ ଓ ଚନ୍ଦ୍ରକୁ ନେଇ ଦିନ ରାତ୍ରି ଆସେ l ସେଥିପାଇଁ ସୂର୍ଯ୍ୟକୁ ଦିବାକର ଓ ଚନ୍ଦ୍ରକୁ ନିଶାକର କୁହାଯାଏ l ମାସକ ତିରିଶି ଦିନ l ଦୁଇ ପକ୍ଷ l ଗୋଟିଏ କୃଷ୍ଣ ପକ୍ଷ ଓ ଅନ୍ୟଟି ଶୁକ୍ଳ ପକ୍ଷ l କୃଷ୍ଣ ପକ୍ଷ ପନ୍ଦର ଦିନ ଓ ଶୁକ୍ଳ ପକ୍ଷ ପନ୍ଦର ଦିନ l କୃଷ୍ଣ ପକ୍ଷ ଅନ୍ଧାର ଓ ଶୁକ୍ଳ ପକ୍ଷ ଆଲୋକିତ ହୁଏ l ଚନ୍ଦ୍ର ପଶ୍ଚିମରୁ ପୂର୍ବକୁ ନିଜ କକ୍ଷ ପଥରେ ପୃଥିବୀକୁ ପରିକ୍ରମା କରନ୍ତି l ଏଥିପାଇଁ ଚନ୍ଦ୍ରକୁ ଗୋଟିଏ ମାସ ଲାଗେ l ଏହାକୁ ଚl ନ୍ଦ୍ର ମାସ କୁହାଯାଏ l ଏହିପରି ବାରଟି ମାସକୁ ନେଇ ଗୋଟିଏ ବର୍ଷ ହୁଏ l ଚାନ୍ଦ୍ର ବର୍ଷର ପ୍ରଥମ ମାସର ନାମ ବୈଶାଖ ମାସ l ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟିକୁ କୁହାଯାଏ ଅକ୍ଷୟ ତୃତୀୟା l ଏହା ଏକ ପବିତ୍ର ଦିବସ l ଲୋକ ମାନଙ୍କର ବିଶ୍ୱାସ ଯେ, ଏହି ଦିନ ବିନା ପାଞ୍ଜି ଦେଖାରେ ଯେଉଁ କାର୍ଯ୍ୟ କରା ଯାଇ ଥାଏ ତାହା ଶୁଭ ହୁଏ l

ଏହା ଏକ କୃଷି ଭିତିକ ପର୍ବ l ଅକ୍ଷୟ ତୃତୀୟା ଦିନ ଚାଷି ତାର ଜମିରେ ବିହନ ବୁଣିବା କାମ ଆରମ୍ଭ କରି ଥାଏ l ଏହାକୁ ଅକ୍ଷି ମୁଠି କୁହାଯାଏ l ଏହା ପ୍ରତି କୃଷକ ଘରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥାଏ l ଅକ୍ଷୟ ତୃତୀୟାର ପୂର୍ବ ଦିନ କୃଷକ ଓ ତାର ସ୍ତ୍ରୀ ଉଭୟ ମିଶି କିଛି ଯୋଗାଡ଼ କରନ୍ତି l ଯଥା :-ନୂଆ ହଳ, ଲଙ୍ଗଳ, ବିହନ ନେବା ଟୋକେଇ ବl ବୋଝ, ଗଉଣିକୁ ଧୋଇ ଶୁଖାଇ ସେଥିରେ ରଙ୍ଗ ମାଟି ଲିପା ଯାଏ l ଲିପିବା ଶୁଖି ଗଲେ ଅରୁଆ ଚାଉଳକୁ ବାଟି ଟୋକେଇ, ଗଉଣିକୁ ଚିତ୍ରିତ କରା ଯାଏ l ଅକ୍ଷୟ ତୃତୀୟା ଦିନ ଅଗଣାରେ ପୂଜା ହୁଏ l ପୂଜା ହେବା ପୂର୍ବରୁ ସେ ସ୍ଥାନଟିକୁ ମାଟି ଗୋବରରେ ଲିପି ଝୋଟି ଦିଆ ଯାଏ l ଅଗଣା ମଝିରେ ପଦ୍ମ ଫୁଲ ଚିତା ଅଙ୍କା ଯାଇଥାଏ l ଲଷ୍ମୀ ପାଦ ଅଙ୍କନ କରା ଯାଏ l ଦ୍ୱାର ବନ୍ଧରେ ଝୋଟି ଦିଆ ଯାଏ l କୃଷକ ଓ ତାର ସ୍ତ୍ରୀ ସ୍ନାନ ଶୌଚ ସାରି ନୂଆ ଲୁଗା ବା ଧୁଆ ଲୁଗା ପିନ୍ଧି ଟୋକେଇ ଓ ଗଉଣିରେ ବିହନ ପୂରାଇ ପୂଜା ସ୍ଥାନକୁ ଆଣି ରଖନ୍ତି l ନାଲି କପଡ଼ାରେ ଗଉଣିକୁ ଘୋଡାଇ ଦେଇ ଫୁଲରେ ସଜ୍ଜାଇ ଦିଅନ୍ତି l ପୂର୍ଣ୍ଣ କୁମ୍ଭ ବସା ଯାଏ l କୁମ୍ଭରେ ଦୁବ, ବର କୋଳି ପତ୍ର, ଓ ଫୁଲ ଦିଆ ଯାଏ l ଧୂପ, ଦୀପ, ଚନ୍ଦନ, ସିନ୍ଦୂରରେ ନୈବେଦ୍ୟ ଦେଇ ଭକ୍ତିରେ ପୂଜା କରା ଯାଏ l ଦୁଗ୍ଧ, ଗୁଡ଼, ଅରୁଆ ଚାଉଳରେ ଭୋଗ ଲଗାଅନ୍ତି l ଶଙ୍ଖ, ହୁଳହୁଳି ଓ ଘଣ୍ଟି ଶଦ୍ଦରେ ସେ ସ୍ଥାନଟି ପ୍ରକମ୍ପିତ ହେଉଥାଏ l ଏ ବର୍ଷ ଭଲ ଫସଲ ହେଉ ବୋଲି ମହା ଲଷ୍ମୀକୁ ପ୍ରାର୍ଥନା କରି ପ୍ରଣାମ କରନ୍ତି l ବଳଦକୁ ଗାଧୋଇ ଖାଇବାକୁ ଦେଇ ମୁଣ୍ଡରେ ଚନ୍ଦନ, ସିନ୍ଦୂର ଫୁଲ ଦିଅନ୍ତି l ଶୁଭ ବେଳା ଦେଖି ହଳ ଅନୁକୂଳ ହୁଏ l ଶଙ୍ଖ ହୁଳହୁଳି ଧ୍ଵନିରେ କୃଷକ ଧାନ ଟୋକେଇ ଓ ଗଉଣିକୁ ଧରି ବାହାରି ଯାଏ ଅକ୍ଷି ମୁଠି କିଆରୀକୁ l ଅକ୍ଷି ମୁଠି କିଆରୀରେ ଉତ୍ତର ପୂର୍ବ କୋଣରେ ପୂଣି ଥରେ ପୂଜା ହୁଏ l ଭୋଗ ଦିଆ ଯାଏ l ପୂଜା ପରେ ଚାଷି କିଆରୀରେ ସାତ ଘେରା ହଳ ବୁଲାଏ l ମୁଠା ମୁଠା କରି ସାତ ମୁଠା ଧାନ ବିଲରେ ବୁଣି ଥାଏ l ଏହାକୁ ଅକ୍ଷି ମୁଠି କହନ୍ତି l ଏହା ପରେ ଚାଷି ବା ହଳିଆ ହଳ କରି ଅବଶିଷ୍ଟ ଧାନ ବୁଣି ଥାଏ l

ଏହି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ l ଏହା ପୁରୀରେ ମହା ଆଡମ୍ବରରେ ପାଳିତ ହୋଇଥାଏ l ଅକ୍ଷୟ ତୃତୀୟା ଦିନ ଠାରୁ ଏକୋଇଶି ଦିନ ହାଏ ନରେନ୍ଦ୍ର ପୋଖରୀରେ ଠାକୁର ମାନେ ଚାପ ବା ନୌକାରେ ଜଳ କ୍ରୀଡା କରନ୍ତି l ମନ୍ଦିର ସେବକ ମାନେ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ସୁନ୍ଦର ଭାବରେ ସଜ୍ଜାଇ ବିମାନରେ ନରେନ୍ଦ୍ର ପୋଖରୀ ପାଖକୁ ଆଣନ୍ତି l ତାଙ୍କ ସହିତ ବଳରାମ, କୃଷ୍ଣ, ପଞ୍ଚ ମହାଦେବ ଚନ୍ଦନ ଯାତ୍ରାରେ ଯୋଗ ଦିଅନ୍ତି l ଶଙ୍ଖ, ଘଣ୍ଟା, ହୁଳହୁଳି, ବାଜାରେ ନରେନ୍ଦ୍ର ପୋଖରୀ କମ୍ପି ଉଠୁ ଥାଏ l ଛତ୍ର ଓ ଚାମର ଶୋଭା ପାଉଥାଏ l ଶହ ଶହ ଲୋକ ଏହି ଚନ୍ଦନ ଯାତ୍ରା ଦେଖିବାକୁ ଆସିଥାନ୍ତି l ଜୟ ଧ୍ଵନି କରନ୍ତି l ଚାପ ଖେଳ ସରିବା ପରେ ପୁଣି ଠାକୁର ମାନେ ବିମାନରେ ବସି ମନ୍ଦିରକୁ ଫେରି ଯାନ୍ତି l ଓଡ଼ିଶାର ଅନେକ ସ୍ଥାନରେ ଏହି ଚନ୍ଦନ ଯାତ୍ରା ହୋଇଥାଏ l ଅକ୍ଷୟ ତୃତୀୟା ଖରା ଦିନ ପର୍ବ l ଚନ୍ଦନ ଯାତ୍ରା ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପର୍ବ l ଏହି ଦିନ ଜଗନ୍ନାଥଙ୍କର ରଥ ଯାତ୍ରା ପାଇଁ ରଥ ତିଆରି କାମ ଶୁଭ ଅନୁକୂଳ ହୋଇ ଥାଏ l


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ