ଜଗତେ ହୁଅ ମହାନ୍
ଜଗତେ ହୁଅ ମହାନ୍
ଆକାଶର ଜହ୍ନ ମୋପାଇଁ ସପନ
ରହିଛି ଅନେକ ଦୂର
ମନକଥା ମୋର କହିବି କାହିଁକି
ହେବକି ସିଏ ମୋ ପର ।୧।
ଭସା ବାଦଲଟା ଭାସୁଛି ଗଗନେ
ପାରେନି ମାଟିକୁ ଛୁଇଁ
ମନର ବେଦନା କହିକି ପାରିଵି
କୁହହେ କଳା ଗୋସାଇଁ ।୨।
ସୂର୍ଯ୍ୟ ତାରା ପୁଣି ବହୁ ଦୂରେଛନ୍ତି
ଯିବାକୁ ନାହିଁ ସାହସ
ଡାକିବି କାହିଁକି ଦୁଃଖ ଶୁଣିବାକୁ
ମୋପାଖେ ସଅଳ ଆସ ।୩।
ଆକାଶୁ ପୃଥିବୀ ନୁହେଁ ଯେତେ ଦୂର
ତା’ ଠାରୁ ନିକଟ ତୁମେ
ଦୁଃଖୀ ଜନଙ୍କର ଦୁଃଖ ଶୁଣିବାକୁ
ରହିଅଛ ପୁରୀ ଧାମେ ।୪।

ଓଡିଶା ରାଜ୍ୟରେ ଘରକରି ପୁଣି
ଓଡ଼ିଆ ବଡ଼ ଦେବତା
ବିଶ୍ୱାସରେ ଵିଷ ଦିଅନାହିଁ ବୋଲି
ହୋଇଛ ଜଗତ ଜିତା ।୫।
ଜଗନ୍ନାଥ ଦେଶ ଏ ଭାରତ ବର୍ଷ
ସଭିଙ୍କ ବଡ଼ ଠାକୁର
ମନଜାଣି ପ୍ରଭୁ ଫଳ ଦେଇଥାଅ
ନମଣି କାହାକୁ ପର ।୬।
ଏତେବଡ଼ ନାମ ଜାଣିଶୁଣି ପ୍ରଭୁ
ବୋହିଅଛ କାହିଁ ପାଇଁ
ପାଖେ ଅଛ ବୋଲି ଦୁଃଖ ଜଣାଉଛି
ଯାଇ ପାରୁନାହିଁ ଧାଇଁ ।୭।
ମୋ ଜୀବନ ଆଜି କଲବଲ ହୁଏ
ତୁମରି ପାଇଁ କେବଳ
ତୁମଛଡା ମୋର ଏ ସଂସାରେ କେହି
ନାହାନ୍ତି ଦେବାକୁ ବଳ ।୮।
ବିଶ୍ୱାସ ହେଉନି ଆଜି କାହିଁ ମୋତେ
ପଡିଲକି ପ୍ରଭୁ ଶୋଇ
ନେତ୍ର ଖୋଲି ଦେଖ ଘୁଞ୍ଚୁ ନାହିଁ ଦୁଃଖ
ଆସୁଛି ପଶି ଧସେଇ ।୯।
ବାରହାତ ଖଣ୍ଡା ଚଢି କଳା ଘୋଡ଼ା
କର ପ୍ରଭୁ ପଦାର୍ପଣ
ପ୍ରାର୍ଥନାକୁ ମୋର କର୍ଣ୍ଣଡେରି ଶୁଣି
ଜଗତେ ହୁଅ ମହାନ ।।୧୦।।
ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦
