ଜପୁଥିବି ହରି ହରି
ଜପୁଥିବି ହରି ହରି
ଡାକିଡାକି ମୋର ଶୁଖିଲାଣି କଣ୍ଠ
ଶୁଣ ଆହେ ଚକାଡୋଳା
ମଝି ଦରିଆରେ ନାବ ଅସମ୍ଭାଳ
ବୁଡିବ ହେଲାଣି ଭେଳା ।୧।
ଘନ ଅନ୍ଧକାର ଘୋଟି ଆସିବାକୁ
ସଭିଙ୍କୁ ଡାକ ଦେଲାଣି
ଘରର ଘରଣୀ ଫୁଙ୍କିଲେଣି ଶଙ୍ଖ
ଚଉରା ମୂଳରେ ପୁଣି ।୨।
ଭାଲେରି ପାହାଡ ଦିଶେ ରକ୍ତବର୍ଣ୍ଣ
ସୁରୁଜ ଉଇଁ ଗଲେଣି
ଧରିତ୍ରୀ ରାଣୀ ଯେ କଳାଚିତା ମୁଣ୍ଡେ
ଲଗାଇ ସଜ ହେଲାଣି ।୩।
ସଞ୍ଜୁଆଳି ତାରା ପଶ୍ଚିମ ଆକାଶେ
ଉଜ୍ଜ୍ୱଳ ଦେଖା ଯାଉଛି
ଆକାଶେ ଚନ୍ଦ୍ରମା ଆଲୋକ ବିଛାଇ
ଦେବାକୁ ଖୁସି ବସିଛି ।୪।

ବାଟର ବାଟୋଇ ବାହୁଡି ଗଲେଣି
ପଡିଲାଣି ବାଟ ଫାଙ୍କା
କଳରବ ଆଉ ଶୁଭୁନି ପକ୍ଷୀର
ଉଡୁଅଛି ମାଛରଙ୍କା ।୫।
ଗାଇଆଳ ଟୋକା ଗୋଗୋଷ୍ଠକୁ ନେଇ
ଫେରୁଅଛି ଗୀତ ଗାଇ
କହ୍ନେଇ ବସିଛି ଲବଣୀ ପାଇଁ କି
ରଖିଛି ମାତା ଲୁଚାଇ ।୬।
ଡାକୁଛି କେତେ ମୁଁ ଆକୁଳ କଣ୍ଠରେ
ମୋଡାକ କି ଶୁଭୁନାହିଁ
ଶୀଘ୍ର ଫେରିବାକୁ ଘରଣୀ ମୋହର
ବସିଅଛି ପଥ ଚାହିଁ ।୭।
ମନ ଉଣା କେବେ କରନାହିଁ ପ୍ରଭୁ
ଏବେଳେ ହୁଅ ସଦୟ
ଆଶାଅଛି ମନେ କାଲି ସକାଳକୁ
ଦେଖିବି ସୂର୍ଯ୍ୟ ଉଦୟ ।୮।
ତୁମନାମ ଜପି କେତେ ମହାପାପୀ
ଯାଇଛନ୍ତି ପ୍ରଭୁ ତରି
ମୁଁ ଅଟେ ସାମାନ୍ୟ ନାଉରିଆ ଟିଏ
କୂଳକୁ ନିଅ ହେ ଧରି ।୯।
କରୁଛି ପ୍ରାର୍ଥନା ବରୁଣ ଜାମାତା
ଶୁଣ ଆହେ ମୋ ଗୁହାରୀ
ନାବ କରପାରି ଦରିଆ ମଝିରୁ
ଜପୁଥିବି ହରି ହରି ।।୧୦।।
ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦
