ଫରକ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

। ଫରକ ।
କେଉଁ ଆବାହମାନ କାଳରୁ
ଆମ ଗାଁ ଦେ ଦେବତାକୁ
ପୂଜା କରୁଛନ୍ତି ଝାକର ପରିବାର ।।
ଭୋର ସକାଳୁ ସଜବାଜ ହୋଇ
ଝାକର ବୁଢା ବାହାରି ଯାଏ ଗୁଡ଼ି ଗମ୍ଭୀରାକୁ ।।
ଧୂପ ଘୁଗୁଲ ମହକରେ ମହକି ଯାଏ
ଗାଁ ମୁଣ୍ଡରେ ଥିବା ମାଉଳି ପିତାବଳୀ ଗୁଡି ।।

ଲୋକେ କହନ୍ତି
ଝାକର ବୁଢା କେତେ ଦେ ଦେବତା ପୋଷିଛି ।
ଝାକର ଦାଦିର ପୂଜା ବିଧି ବି ନିଆରା,
ମନ୍ତ୍ର ତନ୍ତ ଜାଣେନି ଅପାଠୁଆ ଆଦିବାସୀ ବୁଢା ।।
ଗୌନ୍ତିଆ ଘର ବହାଲ କ୍ଷେତରେ ଥିବା
ଭିମାଦେଓ, ବୁଢାରାଜା, ପଟଖଣ୍ତା ଆଗରେ
କେବେ କୁକୁଡ଼ା ପାରା ବୋଦାକୁ
ନେଇ ଚରୁ ଦିଏ ତ
ଆଉ କେବେ ଭୋଗ ଲଗାଏ
ଆମ୍ବ ଚାହାର ମହୁଲ ମାଣ୍ଡିଆ ଜାଉ ।।

ନିଜକୁ ମାଟିର ମଣିଷ କହେ
ଝାକର ଦାଦି ।
ଅକ୍ଷୟ ତୃତୀୟା ଦିନ
ଧରତୀ ମାତାକୁ ସୁମରି
ଆରମ୍ଭ କରେ ମୁଠିଛିଆ ।।
ଗାଁର ପ୍ରତି ଘରେ ଦେଇଯାଏ
ମୁଠାଏ ମୁଠାଏ ଧାନ ମଞ୍ଜି ।।
ପ୍ରତି ଘରେ ଧାନ ମଞ୍ଜି ପରସି ଦେଇ
ଶାନ୍ତିରେ ନିଶ୍ୱାସ ନିଏ ,
ସତେ ଯେମିତି ବୁଢା ଗଡ଼ ଟିଏ ଜିତିଛି ।
ତା ପାକୁଆ ପାଟିରେ
ଗୁଣୁ ଗୁଣୁ ସ୍ୱରରେ ଗାଇ ଚାଲେ
“ଆଇଲା ରେ ଆମର ବିହନଛିନା ପରବ,
ସୁନାଦାଦା ଇ ପରବ ଆମର କାଜେ ଗରବ” ।।

ବର୍ଷ ବର୍ଷ ଧରି ଗାଁ ଦେ ଦେବତାକୁ
ପୂଜି ଆସୁଛି ଝାକର ବୁଢା ।
ଲୋକେ ଅସୁବିଧାରେ ପଡ଼ିଲେ
ଦୌଡ଼ି ଯାଆନ୍ତି ତା ପାଖକୁ ।।
ବୁଢା ତା ଦେବତା ଦୁମାକୁ
ପାଣିଧାର ଦେଇ ହାରିଗୁହାରି କରେ ।
ଦାନ ଦକ୍ଷିଣା ନ ଦେଇ
ଭକ୍ତଗଣ ହଣା ଖାଉଥିବା ଦୃଶ୍ୟ
ନଜରକୁ ଆସୁଥିବା ବେଳେ
ଝାକର ଦାଦି ପୁରା ଭିନ୍ନ ।।
କେବେ କାହାଠୁ ଟଙ୍କାଟିଏ ନିଏନି ।
ଗୋଟିଏ ମୁଠା ଝୁଣା କିମ୍ବା
ତରପନି ଟିକେରେ ବୁଢା ଖୁସ୍ ।।
ନୁଆଖାଇ, ଫୁସ ପରବ ,ଚଇତ ପରବ
ଦଶରା ମଣ୍ଡେଇ ଦିନ
ଗାଁ ଲୋକ ବୁଢା କୁ ଉପହାର ଦିଅନ୍ତି
ଧାନ ମାଣ୍ଡିଆ କୁଳୁଥ ବିରି ତିଳ ଝିପା ।।

ମୁଣ୍ଡ ଝାଳ ତୁଣ୍ଡେ ମାରି,
ମାଟି ସହ ମାଟି ହୋଇ
ନିଜର ଗୁଜୁରାଣ ମେଣ୍ଟାଏ
ଝାକର ଦାଦି ।।
ଯେତେ ବାଧାବିଘ୍ନ ଆସୁ
କାହା ଆଗରେ ହାତ ପତାଏନି ।।
ବୁଢା ଗର୍ବରେ କହେ
ଭିକାରୀଙ୍କ ପରି ମାଗି ଖାଇବା
ତା ସଂସ୍କାରରେ ନାହିଁ ।
କାରଣ
ସେ କର୍ମବୀର
ସେ ଆଦିବାସୀ ।।

ବୁଢା ସହ ମୋ ଭଲ ସଂପର୍କ ।
ମାନ୍ୟରେ ସେ ମୋ ଦାଦି ।
ହଠାତ କାଲି ସନ୍ଧ୍ୟାରେ
ତା ସହ ଦେଖା ହେଲା ।
କାନ୍ଧରେ ଟାଙ୍ଗିଆ କାନ୍ଧେଇ
ବୁଢା ଡଙ୍ଗରରୁ ଫେରୁ ଥାଏ ।।
ମତେ ଦେଖି କହିଲା,
“ଏ ହରିଆ ଛନେକ ଥେବ” ।
(ଏ ଟୋକା ଟିକେ ରହ) ।
ତାପରେ ଝାକର ବୁଢା
ମତେ ଦରଦୀ ସ୍ୱରରେ ପଚାରିଲା ,
ପୁତା !
ସରକାର ମହାପୁରୁ
ପୂଜାରୀ ମାନକର ଚଲବାର କାଜେ
ଡାବୁ ଦେଉଛେ କାଏ ।
ମକେ ମିଲବାସ କି ??

ବୁଢ଼ାର କଥା ଶୁଣି
ମୋ ପାଟି ବନ୍ଦ ହୋଇଗଲା ।
ବୁଢାକୁ କେମିତି ବୁଝାଇବି ଯେ
ସେମାନେ ତ ବଡ଼ ଠାକୁରର
ବଡ଼ ସେବକ ।।
ମାତ୍ର ଆମ ଦାଦି ବୁଢା ?
ସମୟ ସ୍ରୋତରେ ନିଜର ଅସ୍ତିତ୍ୱ
ହରାଉ ଥିବା
ଦେବତା ଡୁମାର ପୂଜାକ ।।
ତାଙ୍କ ଠାକୁର ମାନେ ବାସ କରନ୍ତି
ନୀଳକନ୍ଦର ବଡ଼ ଦେଉଳରେ ।
ହେଲେ ଆମ ଦେ ଦେବତା
ଘଞ୍ଚ ଅରଣ୍ୟରେ ଥିବା
ଗୁଡି ଗମ୍ଭୀରା ଗଛମୂଳରେ ।।

ସେବାୟତ ମାନଙ୍କ ବେକରେ
ପଘା ମୋଟେଇର ସୁନା ଅଳଙ୍କାର ।
ଆଉ ଆମ ସିରା, ଡିଶାରୀ,
ଝାକର ,ଦେହେରୀ ମାନଙ୍କ ବେକରେ
ବନଫୁଲର ହାର ।।

ଦିନେ ମୁ ଭାବୁଥିଲି
ସବୁ ଠାକୁର ସମାନ ।
ହେଲେ ଆଜି ଉପଲବ୍ଧି କଲି
ଠାକୁର ମାନଙ୍କ ମଧ୍ୟରେ ଥିବା ଭିନ୍ନତା ,
ଆଉ ତାଙ୍କ ପୂଜକ ମାନଙ୍କ
ମଧ୍ୟରେ ଥିବା ଫରକ ।।

ହେ ପ୍ରିୟ ପାଠକେ
ଯେଉଁମାନେ ଏ କବିତା ପଢୁଛନ୍ତି,
ସେମାନେ ସରକାର ଆଗରେ
ଟିକେ ଗୁହାରି କରିବେ
ଆମ ଝାକର ଦାଦି ପାଇଁ ।।
ASHWINI KUMAR

2 Replies to “ଫରକ”

  1. ସରଳ ଆଦିବାସୀ ଦରଦୀହୃଦୟର ନିଷ୍କପଟତାକୁ କଲମ ମୁନରେ ବାସ୍ତବଚିତ୍ର ଆକିଂ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

  2. ଆଦିବାସୀ ଙ୍କ ସରଲ ଓ ଉଦାର ସ୍ବଭାବ, ପ୍ରକ୍ରୁତିର ଉପୀସନା ଓ ନିସ୍ବାର୍ଥ ପର ଜୀବନ ଓ ବଡ଼ପଣ୍ଡା ମାନଙ୍କ ମଧ୍ଯେର ତୁଲନା ବାସ୍ତତ ଧର୍ମି , ବହୂତ ବହୁତ ଧନ୍ଯବାଦ |

Leave a Reply

Your email address will not be published. Required fields are marked *