ବ୍ରଜଭାଇ ଜିନ୍ଦାବାଦ – ଶ୍ୟାମା କିଙ୍କର ମହାନ୍ତି
ବାଁ କଡେ ଦେଈ
ମଝିରେ ବାପା ଶୋଇଛି
ଡାହାଣକୁ ସିଏ ,
ଗୋଡ଼ତଳେ ଯିଏ ଅଛି
ସିଏ ତା ବୋଉ
ଆଉ ଜାଗା କାହିଁ ଯେ…
ସିଏ ତ ସବୁଦିନେ
ସେଇଠି ହିଁ ଶୁଏ ।
ଷ୍ଟେସନ ଗଳିରେ ଯୋଉ
ସିଝା ଅଣ୍ଡା କେବିନ
ସେଇଟା ତା ବାପାର ,
ସେଇଥି ପାଇଁ ତ
ଅଣ୍ଡା ଖୋଳ ଜାଳି ଶୋଇଛନ୍ତି
କାମୁଡିବ…?
ଜୁ’ ଅଛି ଏମିତି କୋଉ ମଶାର !
ଏଇଟା ଶୋଇବାଘର
ସେଇ ବି ରୋଷେଇଘର
କୋଉଠୁ ଆସିବ
ବଇଠକଖାନା ,
ଟିଣ ଡବାରେ ପାଣି ଧରି
ବଡି ଭୋରରୁ
ଯୋଉଠିକି ଯିବ ସିଏ
ସେ ସମଗ୍ର ଇଲାକା
ତାଙ୍କ ପାଇଖାନା ।
ହଁ…
ଚାଳ ଉପରେ ଲାଗିଥିବା
ଡିସ ଆଣ୍ଟିନା କିନ୍ତୁ ତାଙ୍କର
ଘରେ ଗୋଟେ ଟିଭି ଅଛି
ଟିଭି ଦେଖି ଦେଈ
ନାଚ ବି ଶିଖୁଛି ,
ତିନି ଖଣ୍ଡ ଭୋଟ ବଦଳରେ
ବ୍ରଜଭାଇ କାଉନସିଲର
ସେତକ ଦେଇଛି ।
