ଜୀବନ ଦର୍ଶନ – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ବିଭାଗୀୟ ମୁଖ୍ୟ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆଜି ଅଛି ସତେ କାଲି ଯେ ନଥିବି
ଦୁଃଖ ନ କରିବ ମନେ
ଚିରା କାଗଜ ମୁଁ ଫିଙ୍ଗି ଦେବ ଥରେ
ରଖିବନି ଅକାରଣେ ।

ବିଚିତ୍ର ସଂସାର ଗଢିଅଛି ବିଧି
ସବୁ ଏଠି ସାତ ପର
ତୁଚ୍ଛ ମାୟା ମୋହ ବନ୍ଧନରେ ପଡି
ଛଟପଟ ହେବା ସାର ।

ଆଗପଛ ହୋଇ ସର୍ବେ ଚାଲୁଅଛେ
କାଳ କଢାଉଛି ବାଟ
ନିୟତ ହସୁଛି ଅଦୃଶ୍ୟ ରୂପରେ
ପଠାଇବ କାଳକୂଟ ।

ବୁଝି ନାହିଁ ସିଏ ସୁଖ ଦୁଃଖ କାର
ପଡ଼ିନାହିଁ କାର ପ୍ରେମେ
ସେ କାହୁଁ ବୁଝିବ ଜାବନଟା କ’ଣ
ଭାବିବାକୁ ତା’ ମରମେ ।

ସପନ ଯେଉଁଠି ଥରାଉଛି ଏଠି
ମୃତ୍ୟୁର କରାଳ ଛାୟା
ଡର ଡରି ନାହିଁ ଲଢୁଛି ତା’ସଙ୍ଗେ
ମେଲାଇ ମୋହର କାୟା ।

ମିଶାଣ ଫେଡାଣ ହରଣ ଗୁଣନ
ଛନ୍ଦହରା ଗଦ୍ୟ ପଦ୍ୟ
ଲିଭି ଯାଇଥିବ ଜୀବନୁ ପ୍ରଦୀପ
ଶେଷ ମୋର ଉପପାଦ୍ୟ ।

ହାତ ଯୋଡ଼ି ସଖା ମେଲାଣି ମାଗୁଛି
କାଲି କି ଥିବି ନଥିବି
ସ୍ମୂତି ପଟେ ଯଦି ଥିବି ଟିକେ ମୁହିଁ
ହସିଦେବ (ମୋ) କଥା ଭାବି ।

ତାରା ଟିଏ ହୋଇ ଫୁଟି ଥିବି ମୁହିଁ
ଆକାଶକୁ ଦେବ ଚାହିଁ
ପ୍ରୀତି ବନ୍ଧନର ସଖା ଭାବ ଆମ
କେବେ ଲିଭି ଯିବ ନାହିଁ ।।।

ତାରା ନିଳୟ , ପ୍ଳଟ -୮୫୪/ଏ
ଚାଚରାଶବର ସାହି , ମୁକୁନ୍ଦପ୍ରସାଦ
ଖୋର୍ଦ୍ଧା – ୫୫ , ଦୂରଭାଷ- ୯୦୪୦ ୧୫୧୪୭୫

Leave a Reply

Your email address will not be published. Required fields are marked *