ଦେଖିବ ରୁହ – ଶ୍ୟାମା କିଙ୍କର ମହାନ୍ତି
ଜମା ବାଇଶିଟି ପାଖୁଡାର
ଛୋଟ ଗୋଟେ ବିଷକଢ଼
କୋଉଠୁ ପାଇଲା ଏତେ ଦର୍ପ..!!
କିଏ ଭରିଦେଲା ତା ଦେହରେ
ଏତେ ହଳାହଳ ?
ଫୁଟିଲାନି ତ ବରଂ ଫାଟିଲା …
ଜାଳିଦେଲା ତା ପାଖର
ଚାଳିଶିଟି ତେଜିୟାନ ସୂର୍ଯ୍ୟମୁଖୀ ?
ଜମା ଛଅ ଇଞ୍ଚର ଗୋଟେ ଗଛ
କୋଉଠୁ ପାଇଲା
ଏତେ ସାହସ ?
ସିଏ କି ବୁଝିଛି
ସୂର୍ଯ୍ୟମୁଖୀର ଗୋଟିଏ ଫୁଲରେ
ଭରିଥାଏ ଶହଶହ ବୀଜ
ସୂର୍ଯ୍ୟୋଦୀପ୍ତ ଶରୀରରେ ତାର
ଅସୁମାରି ତେଜ
ଖାଲି ଯାହା ହୃଦୟରେ ତାର
ବିଷ ନୁହେଁ ଭରିଛି ପୀୟୂଷ
ନ ହେଲେ
ଚାରିଫୁଟ ର ସୂର୍ଯ୍ୟମୁଖୀ ଆଗରେ
ଜମା ଛଅ ଇଞ୍ଚ ବିଷବୃକ୍ଷର
କି ଔକାତ ?
ଦେଖିବ ରୁହ…
ମୂଳ ସହ ବିଷବୃକ୍ଷ
କେମିତି ହେଉଛି
ପୁରା ଧୂଳିସାତ !!
ଶ୍ୟାମା କିଙ୍କର ମହାନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର,
ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼, ଯାଜପୁର
