ଭଡା ଗର୍ଭ – ଅମ୍ଳାନ ପ୍ରହରାଜ
ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ

ପ୍ରଭୁ ହଳଧର ଦେବକୀ କୁମର
ରୋହିଣୀ ଗରଭୁଁ ଜାତ।
ଏଥିରୁ ବୁଝୁଥା ଗର୍ଭ ଦିଆନିଆ
ଆଜି କାଲିର ନୁହେଁ ତ।
ମହାଭାରତ ବର୍ଣ୍ଣିତ,
ତେଣୁ ଶଙ୍କର୍ଷଣ ହଳାୟୁଧ ଙ୍କ ର
ଅନ୍ୟ ନାମ ଭାବେ ଖ୍ୟାତ।
ଗର୍ଭ କଷ୍ଟ କିଆଁ ସ୍ତିରୀ ମୋ ଭୋଗିବ
ସୌନ୍ଦର୍ଯ୍ୟ ଟା ଯିବ ଭାଜି।
ମୋ ପାଖରେ ଅଛି ବିଲାତି ପଇସା
ତାକୁ ଲଗେଇଲି ବାଜି।
ଝିଅ ଟେ ମିଳିଲା ଖୋଜି,
ଅର୍ଥ ବଦଳ ରେ ଗର୍ଭ ଭଡା ପାଇଁ
ହୋଇଗଲା ସିଏ ରାଜି।
ତା ନିଜ ଗର୍ଭ ରେ ଭ୍ରୁଣ କୁ ଥାପିଲା
ନଅ ମାସ ଦଶ ଦିନ,
ସିଜରିଆନ ରେ ଡେଲିଭରି ହେଲା
ସୁନ୍ଦର ପୁତ୍ର ସନ୍ତାନ।
ହୃଦୟ ତା କନକନ,
ଛଅ ମାସ କାଳ ପିଲାଟା ତା ପାଖେ
ରହିକଲା ସ୍ତନ୍ୟ ପାନ।
ଅସଲ ବାପା ମା ଆମେ ବୋଲି ତାର
ଜାଣିଲାନି ସେଇ ପିଲା।
ଯେ ଜନ୍ମ କରିଛି ଯେ କ୍ଷୀର ଦେଉଚି
ସେ ଏକା ମାଆ ବୁଝିଲା।
ଛ’ମାସ ଉତ୍ତାରୁ ପିଲା ଆଣିବାକୁ
ଯେବେ ମୁଁ ତା ଘର ଗଲି।
ଭଡ଼ାଗର୍ଭ ଵାଲୀ ପୁଅ କୁ ଦେଲାନି
କହେ ତା’ର ପୁଅ ବୋଲି।
ତା’ନାମେ ମାମଲା କଲି,
ଆଇନି ବୋଇଲା ଯେ ଜନ୍ମ ଦେଇଚି
ପିଲାଟା ତାହାର ବୋଲି।
ଏତେ ଉଚ୍ଚା ମୁଇଁ ବଙ୍ଗଳା ତୋଳିଚି
ଦେଖି ବେକ ହେବ ବଙ୍କା।
ଚାକର ବାକର ଗଣି ପାରିବନି
ଅଛି ଖର୍ବ ଖର୍ବ ଟଙ୍କା।
କିନ୍ତୁ ସିଏ ସବୁ ଫାଙ୍କା,
ପୁଅ ଟା ମୋଅର ଛେଉଣ୍ଡ ଭଳିଆ
ବସ୍ତି ରେ ରହୁଚି ଏକା।
ଯେତେବୁଝାଇଲେ ଆମେ ବାପାମାଆ
ପିଲା ବୁଝୁନେଇଁ ତାଇ।
ଘରଣୀ ବୁଝିଲା ମାଆ ଅଟେ ସିଏ
ଗର୍ଭ କଷ୍ଟ ଯିଏ ସହି।
ପ୍ରକୃତି ନିୟମ ଏଇ,
ଧନ ଗର୍ବ ବଳେ ୟା’କୁ ଯେ ଭାଙ୍ଗିବ
ଦଣ୍ଡ ଅବଶ୍ୟ ମିଳଇ।
ବ୍ୟାସ ଲେଖିଗଲେ ଶ୍ରୀ ମହାଭାରତ
ବଳରାମ ଙ୍କ ର ଗାଥା।
ଦେବକୀ ଙ୍କୁ ସିଏ ମାଆ ଡାକିବାର
ଲେଖାନାଇଁ ସେଇ କଥା।
ତଥାପି ଆମେ ଅନ୍ୟଥା,
ଗପ ଭାବି ତାକୁ ଉଡାଇ ଦେଉଛେ
ଅଙ୍ଗେ ନିଭାଇବା ବ୍ୟଥା।

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ,
ନିରାକାରପୁର, ଖୋରଧା
