ସ୍କୁଲ ବାରଣ୍ଡା ଜିନ୍ଦାବାଦ – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପୁଣି ଥରେ ସେଇ
ସ୍କୁଲ ବାରଣ୍ଡା
ଆବରିବାର ବେଳ
ଯେଉଁଠି ବିତିଛି
ଫାଇଲିନ ତିତିଲି
ଆଉ ହୁଡ଼ହୁଡ଼ ପରି
କେତେ କେତେ ଝଡ଼…

ଏଥର କିନ୍ତୁ
ଟିକିଏ ଅଲଗା
ବାତ୍ୟାର ଗର୍ଜନକୁ
ନିରବ କରୋନା
ହେଲେ ସରକାରୀ
ମାଇକ ଟା କହୁଛି
ଡ଼ରନା ଡ଼ରନା…

ପେଟରେ ଭୋକ
ଛାତିରେ ଯନ୍ତ୍ରଣା
ଅଛୁଆଁ ହାତକୁ
ଅଭାବୀ ନିଶ୍ୱାସ ପ୍ରଶ୍ୱାସ
ମୁହଁରେ ଲାଗିଥିବା
ହାତ ତିଆରି ମାସ୍କ ଟା
ଅଣଚାଶ ପବନକୁ
ସହି ପାରିଲେ ହେଲା…

ଏଇତ ସେ ବେଙ୍ଗ
ଏବେ ବି ବଂଚିଛି
ଫକ୍ ଫକ୍ ଡେଇଁ
ପାଖକୁ ଆସି ପଚାରେ
କେମିତି ଅଛ ସାଙ୍ଗ…?
ଆଉ ମନେ ପକେଇ ଦିଏ
ମିଳିଥିବା ପକ୍କା ଘରର
ପୂର୍ବ ପ୍ରତିଶ୍ରୁତି…

ଭତ୍ତା ବହି ସହ
ଖାଲି ପାସବୁକ
ତା ସହ ଅନେକ ଗୁଡିଏ
ଗୁହାରି ଫର୍ଦ
ଆରେ ସେ ରେସନ କାର୍ଡ ଟା
ଜରୀ ଗୁଡେଇ
ଛାତି ଭିତରେ ରଖ
ନହେଲେ ବାତ୍ୟା ପରେ
ସବୁ ଅନ୍ଧାର ଦିଶିବ…

ଯିଏ ଆଗରୁ ମରିଛି
ସେ ବା କାହିଁକି ଡରିବ…?
ଯିଏ ଏତେ ସହିଛି
ସେ କାହାକୁ ଭରସା କରିବ…??
ଛାଡ଼…,ଗୋଟେ କୋଣରେ
ଜାକିଜୁକି ହେଇ
ଟିକିଏ ଡର ମିଶା
ରାତିଏ ଅନ୍ଧାର ଖାଇଦେଲେ
ସବୁ ଠିକ୍ ହେଇଯିବ….

-ଗୋପାଳ ଚନ୍ଦ୍ର ସାଓ

One Reply to “ସ୍କୁଲ ବାରଣ୍ଡା ଜିନ୍ଦାବାଦ – ଗୋପାଳ ଚନ୍ଦ୍ର ସାଓ”

  1. ଜୀବନ ଯନ୍ତ୍ରଣାର ବାସ୍ତବ ପ୍ରତିଛବି

Leave a Reply

Your email address will not be published. Required fields are marked *