ମୋ ସହର – ସରସ୍ଵତୀ ନାୟକ

ଲେଖକ ପରିଚୟ

ସରସ୍ଵତୀ ନାୟକ
ବ୍ରହ୍ମଗିରି, ପୁରୀ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପୁଣ୍ୟ ମହୋଦଧି ଘନଘନ ଗର୍ଜ୍ଜି
ଚୁମେ ପୟର ସରାଗେ
କୋଟି କୈବଲ୍ୟର ନାଥ କଳାକାହ୍ନୁ
ଚାହିଁଛନ୍ତି ଅନୁରାଗେ
ଫୁଲିଉଠେ ଛାତି ମୋର
ବିଶ୍ଵଦରବାରେ ଯା’କୀର୍ତ୍ତି ବିଦିତ
ସିଏ ମୋ ପୁରୀ ସହର ।।୦।।

ବଡଦାଣ୍ଡ ବଡ଼ଦେଉଳ ପୁଣି ଯେ
ବଡ଼ଦିଅଁ ଜଗନ୍ନାଥ
ସ୍ୱର୍ଗଦ୍ୱାରେ ଭକ୍ତ ଆନନ୍ଦରେ ମୋକ୍ଷ
ଲଭନ୍ତି ପରା ତ୍ୱରିତ
ସତେ ବଇକୁଣ୍ଠ ପୁର
ସକଳ ତୀର୍ଥକୁ ମିଳେ ଦରଶନ
ପାଦପଦ୍ମେ କାଳିଆର
ସିଏ ମୋ ପୁରୀ ସହର……..।।୧।।

ଜାତି,ଧର୍ମ, ବର୍ଣ୍ଣ ନଥାଏ ବିଚାର
ମମତାଟି ମୂଳପିଣ୍ଡ
ଲକ୍ଷେ ରାଜାଙ୍କର ମଉଡ଼ମଣି ସେ
ଦେଖୁଛି ବିଶ୍ଵବ୍ରହ୍ମାଣ୍ଡ
ପ୍ରତିରୂପ ପ୍ରଭୁଙ୍କର
ଗଜପତି ନାମ ହୋଇଛି ସାର୍ଥକ
ଧନ୍ୟସୃଷ୍ଟି ଧରାପର
ସିଏ ମୋ ପୁରୀ ସହର………..।।୨।।

ବାରମାସେ ତେର ଯାତରା ସାହିର
ଆନନ୍ଦେ ପଡେ ଉଚ୍ଛୁଳି
କେତେ ନାଗାମେଢ଼ ଗୋଶାଣୀଭସାଣି
ସରଗଠୁ ଯାଏ ବଳି
କୋଟିପୁଣ୍ୟ ପ୍ରାରବ୍ଧର
ସୁଜଳା ସୁଫଳା ବଣ ନଦୀନାଳ
ପୁଣି ହ୍ରଦ ଚିଲିକାର
ସିଏ ମୋ ପୁରୀ ସହର…….।।୩।।

ଉତ୍କଳ ଅମିନ ଭାଗବତାକାର
ପଞ୍ଚସଖା ଜଗନ୍ନାଥ
ବ୍ରହ୍ମାଙ୍କର ସୃଷ୍ଟି ବ୍ରହ୍ମଗିରି ଶୋଭେ
ପ୍ରଭୁଶ୍ରୀ ଅଲାରନାଥ
କପିଳେନ୍ଦ୍ରଦେବ ବୀର କେତେ ସାଧୁସଂଥ କୋଳେଛନ୍ତି ଜନ୍ମି
ମଥାନତ ବାରମ୍ବାର
ସିଏ ମୋ ପୁରୀ ସହର…..।।୪।।

Leave a Reply

Your email address will not be published. Required fields are marked *