ଅକ୍ଷୟ ତୃତୀୟା ଓ ଏହାର ବିଶେଷତ୍ୱ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବୈଶାଖ ଶୁକ୍ଳ ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ରାଜ୍ଯରେ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକମାନେ ଏହି ଦିନ ଅମୃତ ବେଳାରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଖ୍ରୀଷ୍ଟିୟ ନବମ ଶତାବ୍ଦୀ ସମୟରୁ ଓଡ଼ିଶାରେ ଅକ୍ଷୟ ତୃତୀୟା ପାଳିତ ହୋଇ ଆସୁଥିବା ଐତିହାସିକ ପ୍ରମାଣ ମିଳେ । ଶୁଭଦିନ ହୋଇଥିବାରୁ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଓ ଉପନୟନ ଆଦି ଶୁଭକାର୍ଯ୍ଯ ଅନୁଷ୍ଠିତ ହୋଇଥାଏ । ଚାଷୀ ନିଜ ସ୍ତ୍ରୀ ଠାରୁ ହଳଦୀ,ଚନ୍ଦନ, ସିନ୍ଦୂର ଲେପିତ ଧାନ ବିହନ ଓ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ବଜାଇ କ୍ଷେତକୁ ନେଇଥାଏ । ସେଠାରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରିର ଈଷାଣ କୋଣରେ ପୋତି ହଳ ବୁଲାଇଥାଏ । ପରେ ମୁଠା ମୁଠା ବିହନ କିଆରି ସାରା ବୁଣିଥାଏ । ଏହାକୁ ଅଖି ମୁଠି କହିଥାନ୍ତି । ସଧବା ସ୍ତ୍ରୀ ମାନେ ଏହି ଦିନ ଷଠୀଦେବୀଙ୍କ ପୂଜା କରିଥାନ୍ତି । ଅକ୍ଷୟ ତୃତୀୟାରେ ଜଳଦାନ କଲେ ପୁଣ୍ଯ ହୋଇଥାଏ । ଏହି ଜଳଦାନ ବିଷୟରେ ଥିବା ଏକ କାହାଣୀ ବିଷୟରେ ଜାଣନ୍ତୁ–ପୁରାଣ କାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାର୍ଯ୍ଯ କରି ନ ଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା । ପାପୀ ବ୍ରାହ୍ମଣ ତାକୁ ଜଳ ନ ଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ ର ସ୍ତ୍ରୀ ଆସି ସ୍ବାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା ।

କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା । ଯମ ଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମ ପୁରୀରେ ଥାଇ ଥରେ ତୃଷାର୍ତ୍ତ ହୋଇ ଯମ ଦୂତଙ୍କୁ ଜଳଭିକ୍ଷା କଲା । ଯମ ଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନ କରି ଜଳଭିକ୍ଷା କରୁଛୁ କିପରି ପାପୀ ? ଏହି ସମୟରେ ସ୍ବୟଂ ଯମରାଜ ସେଠାରେ ପହଞ୍ଚି ସ୍ବହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ–ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟ ତୃତୀୟା ଦିନ କରିଥିବା ପୁଣ୍ଯ ବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କ ଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀଵୀ କୁଳରେ ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜପନ କରୁଥିଲେ । ଭୂମି କର୍ଷଣ ସମୟରେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ଯ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ,ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ଯ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭ ଦିନ ରୂପେ ବର୍ଣ୍ଣନା କରାଯାଇଛି ।

ଅକ୍ଷୟ ତୃତୀୟା ଗୁରୁତ୍ୱ ପୂର୍ଣ୍ଣ କାହିଁକି ଓ କ’ଣ ରହିଛି ଏହାର ବିଶେଷତ୍ୱ ?

ଅକ୍ଷୟ ତୃତୀୟାକୁ ଯୁଗାଦି କୁହାଯାଏ । କାରଣ ଏହି ତିଥିରେ ସତ୍ଯଯୁଗ ଏବଂ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା ।
ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ନର ଏବଂ ନାରାୟଣ ରୂପରେ ଅବତାର ଧାରଣ କରିଥିଲେ । ନାରାୟଣ ବଦ୍ରିନାଥରେ ତପସ୍ବା କରିଥିଲେ ଏବଂ ଏହି ସ୍ଥାନକୁ ତୀର୍ଥରେ ପରିଣତ କରିଥିଲେ । ଏହି ନର ନାରାୟଣ ପରବର୍ତ୍ତୀ ଜନ୍ମରେ ଅର୍ଜୁନ ଏବଂ କୃଷ୍ଣଙ୍କ ରୂପରେ ଜନ୍ମ ନେଇଥିଲେ । ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହା ସ୍ବୀକାର କରିଛନ୍ତି । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ହୟଗ୍ରୀବଙ୍କ ଆବିର୍ଭାବ ହୋଇଥିଲା । ହୟଗ୍ରୀବଙ୍କ ମସ୍ତକ ଅଶ୍ଵ ଭଳି ଥିଲା ।
ଭଗବାନ ଶ୍ରୀକୃଷ୍ଣଙ୍କ ଯୁଗ ଦ୍ବାପର ମଧ୍ୟ ଏହି ଦିବସରେ ଶେଷ ହୋଇଥିଲା ।
ଭଗବାନ ବିଷ୍ଣୁଙ୍କ ଚରଣ କମଳରୁ ବାହାରି ଥିବା ତଥା ଶିବଙ୍କ ଜଟା ଦେଇ ଆସିଥିବା ଦେବୀ ଗଙ୍ଗା ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ ।
ବଦ୍ରିନାଥ ଠାରୁ ପ୍ରାୟ ୩ କି.ମି. ଦୂର ମାନା ନାମକ ଗ୍ରାମରେ ଗଣେଶ ଗୁମ୍ଫା ନିର୍ମାଣ କରାଯାଇ ଏହି ଠାରେ ହିଁ ଭଗବାନ ବେଦବ୍ଯାସ ଏବଂ ଶ୍ରୀଗଣେଶ ମହାଭାରତ ମହାକାବ୍ଯ ରଚନା କରିଥିଲେ ।
ଚାରିଧାମ ମଧ୍ୟରେ ପ୍ରମୁଖ ବଦ୍ରିନାଥ ଏବଂ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ପୀଠ ଅକ୍ଷୟ ତୃତୀୟା ଠାରୁ ଖୋଲିଥାଏ । ଏହାର ଦିନକ ପରେ କେଦାରନାଥ ପୀଠ ଖୋଲିଥାଏ ।
ବୃନ୍ଦାବନର ଶ୍ରୀବାଙ୍କେ ବିହାରୀ ମନନ୍ଦିରରେ ବର୍ଷକୁ ଥରେ ଅକ୍ଷୟ ତୃତୀୟା ଦିନ ଶ୍ରୀବିଗ୍ରହଙ୍କ ଚରଣାବିନ୍ଦ ଦର୍ଶନ ହୋଇଥାଏ ।
ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ଓ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ ।
ବଳଦେବ ଜୀଉ ମନ୍ଦିରର କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ଶିବାହୋତ୍ସବ ହୋଇଥାଏ । ଏହିପରି ଅନେକ କିଛି ରହିଛି ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *