ବ୍ୟଙ୍ଗ କବିତା – ବିଶ୍ୱ କପ ହକି – ଅମ୍ଳାନ ପ୍ରହରାଜ
ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ

ବିଶ୍ୱ କପ ହକି ଉଦୁଘାଟନ ଟା
ଆମ ଓଡ଼ିଶା ରେ ହେଲା।
ଓଡ଼ିଆ ନିଉଜ ଚାନେଲ ଗୁଡ଼ାରେ
ଟୋଟାଲ ଲାଇଭ କଲା,
ମାଧୁରୀ କେତେ ନାଚିଲା।
କିଇଙ୍ଗି ଖାଆନ ଚକ ଦେ ଇଣ୍ଡିଆ
ଡାଇଲଗ ଝାଡ଼ି ଦେଲା।
କୋଟିକୋଟି ଟଙ୍କା ଆମ ମାନଙ୍କ ର
ବୋହିଗଲା ହୋଇ ପାଣି।
ରେହେମାନ ଭାଇ ସଙ୍ଗୀତ ବଜେଇ
ମନ ଆମ ନେଲା କିଣି,
କୋକା ଠୁଁ ଆକାଶ ପାଣି।
କେ କେତେ ପିଇଲେ ହିସାବ ନିକାସ
ବ୍ରହ୍ମା ପାରିବେନି ଜାଣି।
ରଙ୍ଗୀନ ଲାଇଟି ବାଜା ସାଉଣ୍ଡ ରେ
କମ୍ପିଲା ଓଡିଶା ସାରା।
ଇସ୍କୁଲ,କଲେଜ ଅଫିସି ଯେତେକ
ଛୁଟି ହୋଇଗଲା ପୁରା,
ଠୁଙ୍କାପୁରି ଦହିବରା।
ପେଟେ ନାଦିବାରୁ ଲାଟିନି ଭିତରେ
ରାତି ଗୋଟା ଅନିଦିରା।
ଜୀବନ ଟା ମୋର ଧନ୍ୟ ହୋଇଗଲା
ମାଧୁରୀ ଡିଆନ୍ସ ଦେଖି।
ଆଉ କିଛି ନାଭ ହଉ କି ନ ହେଉ
ପବିତ୍ର ମୋ ଚର୍ମ ଆଖି,
ବିଶୁଅ କଅପ ହକି।
ପୋଗରାମ ଦେଖି ଧକଧକ ଗାର୍ଲ
ମନ ରହିଗଲା ନାଖି।
ରଙ୍ଗି ଆଈ ମୋର ଯାଇ ପାରିଲାନି
ନିଙ୍ଗା ଅଜା ଟାକୁ ଜର।
ରାଗରେ କମ୍ପୁଚି ଟିଭି ଟା ଉପରେ
ଶୋଧେ ଖାଲି ରିପୋଟର,
ବୁଝି ପାରିଲିନି ଠାର,
ଶେଷ ରେ କହିଲା ଅସଲ କାରଣ
ପଚାରିବାରୁ ଛ ଥର।
‘ଏଡେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଲା
ଫାଡ଼ି ହୋଇଗଲା ଆଖି।
ନେସନାଲ ନ୍ୟୁଜ ଚାନେଲ ଗୁଡାକ
ପାରିଲନି କିଆଁ ଦେଖି,
ବ୍ରେକିଙ୍ଗ ନିଉଜ ନେଖି।
ସ୍କୋଅଲ ଗୋଟାଏ ତଳେ ଛାଡ଼ିଥେଲେ
ଆମ ଖୁସିଥାନ୍ତ ଦେଖି।
ଏଇଟାରେ କଣ ଟି ଆର ପି ତୁମର
ଯାଇଥାନ୍ତା କିରେ ଖସି ?
ଅଶାରାମ ଠଉଁ ରାମ ରହିମ ଯାଏଁ
ଲାଇଭ କଲ ତ ବସି ?
ଆମେ ଏ ଓଡିଶା ବାସୀ,
ତମ ଚାନେଲ କୁ ବିଜ୍ଞାପନ ଗୁଡ଼ା
କିଆଁ ଦେବୁ କହ ନେସି ?
ଓଡିଶା ରେ ଯେତେ ଘଟଣା ଘଟୁଛି
ଜମା କରୁନ କଭର।
ଅନ୍ୟ ରାଇଜ ରେ ସୋରିଷ ଫୁଟିଲେ
ବଜଉଚ ବାରମ୍ବାର,
ଆମେ କି ଏତେ ଇତର ?
ତେମେ କି ଭାବୁଛ ଆମେ ଗବ ଗାଣ୍ଡୁ
ତେମେ ପଣ୍ଡିତ ପ୍ରବର ?
ସୋସାଲ ମିଡ଼ିଆ ଯୁଗରେ ତମକୁ
ପଚାରିବୁ ନେଇଁ ବାସି।
ସାଢ଼େ ଚାରିକୋଟି ଓଡ଼ିଆ ଜାତି ଟା
ତମ ପରେ ନୁହଁ ଖୁସି,
ୱାଟସାପ,ଟ୍ୱିଟରେ ପେଶି,
ଫେଏସ ବୁକ ରେ ଲାଇଭ ସେୟାର
ସମସ୍ତେ କରିବୁ ମିଶି।
ତମ ଷଡଯନ୍ତ୍ର କେତେବାଟ ଯିବ
ସମୟ କହିବ ତାହା।’
ରଙ୍ଗି ଆଈ କଥା ଶୁଣି ଦୁଇକାନ
ମୋର ହୋଇଗଲା ଠିଆ,
କହିଲି ମୁଁ ବାଃ ବାଃ।
ଆଈ ର ବୁଦ୍ଧି କୁ ତାରିଫ ନକରି
ରହି ପାରିଲିନି ଯାହା।
ଜୟ ଜଗନ୍ନାଥ ସ୍ୱାମୀ

ଅମ୍ଳାନ ପ୍ରହରାଜ (ବ୍ୟଙ୍ଗ ଗୋସେଇଁ)
ନିରାକାରପୁର, ଖୋରଧା
