ପାହାଡି ଝରଣା – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପାହାଡି ଝରଣା ଝରି ମୁଁ ଯାଉଛି
ଝର ଝର କୁଳୁ ତାନ
କେତେ ବାଧା ବିଘ୍ନ ସହି ମୁଁ ଚାଲିଛି
ଏଇ ତ ମୋର ଜୀଵନ l 1l
ମୋ ରାସ୍ତାର ବାଧା ଯେ ବନ୍ଧୁର ଶିଳା
କେତେ ଖାଲ ଢିପ ଅଛି
କଣ୍ଟକିତ ପଥେ ଚାଲିବା ଆଭାସ
ମୁଖେ ହସ ଫୁଟାଉଛି l 2l
ବନ ଜଙ୍ଗଲର ପାଦପକୁ ଧୋଇ
ଆଗକୁ ଆଗକୁ ଚାଲେ
କୁଳୁ କୁଳୁ ଶବ୍ଦ ମନ ମୋହି ନିଏ
ମୋ ଜଳେ ଗାଧାନ୍ତି ପିଲେ l 3l
ଦୁଃଖ କରେ ନାହିଁ ଏହି ଯେ ନିୟତି
ମୋ କପାଳେ ଅଛି ଲେଖା
ଥକି ମୁଁ ଯାଇନି ରୋକି ମୁଁ ଯାଇନି
ପ୍ରାଣୀ ସଙ୍ଗେ ହୁଏ ଦେଖା l 4l
କେତେ ପଶୁ ପକ୍ଷୀ ମୋ ଜଳ ପିଅନ୍ତି
ପ୍ରାଣ ଶୀତଳ କରନ୍ତି
ମନୁଷ୍ୟ ମାନଙ୍କ କାମରେ ମୁଁ ଲାଗେ
ସଭିଏଁ ଖୁସି ହୁଅନ୍ତି l 5l
ଖରା ବର୍ଷା ଶୀତ ସବୁ ମୁଁ ସହିଛି
କେବେ ହୋଇନି ବିମୁଖ
ବର୍ଷା ରାଣୀ ଯେବେ ମୋ ଦେହରେ ମିଶେ
ବହୁତ ପାଏ ମୁଁ ସୁଖ l 6l
ଯେତେ ଦିନ ସୃଷ୍ଟି ବଞ୍ଚି ରହିଥିବ
ଏମିତି ମୁଁ ବହୁ ଥିବି
ସବୁରି ହୃଦରୁ ତୃଷା ମେଣ୍ଟାଇବି
ଦୁଃଖ ସୁଖ ଭୁଲି ଯିବି l 7l
ନୁହେଁ ମୁଁ ବିଶାଳ ପରବାର ସମ
ଅବା ଚିର ସ୍ରୋତା ନଈ
ପାହାଡି ଝରଣା ନାମ ତ ମୋହର
ବସୁଧାରେ ଯାଏ ଧାଇଁ l 8l
ମୋ ଠାରୁ କିଛି ଗୁଣ ଶିଖ ବନ୍ଧୁ
ଭୁଲି ଦୁଃଖ ଯାତନାକୁ
ଜୀଵନ ଅଛି ତ ଯନ୍ତ୍ରଣା ଯେ ଅଛି
ପାଦ ବଢ଼ାଅ ଆଗକୁ l 9l
କର୍ତ୍ତବ୍ୟ କରିଲେ ବିଶ୍ୱାସ ରଖିଣ
କେବେ ହାରି ଯିବ ନାହିଁ
ସାହସ ଓ ଧୈର୍ଯ୍ୟ ସାଥେ ରହି ଥିଲେ
ଆଉ କିଛି ଚିନ୍ତା ନାହିଁ l 10l

ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *