କବିତା – କୋଟି କୋଟି ଧନ୍ୟବାଦ
କୋଟି କୋଟି ଧନ୍ୟବାଦ ସତେ
ଊଣା ପଡିଯିବ
ତମ ସାଆନ୍ତ ପଣକୁ,
ମଣିଷ ମାତର ମୁହିଁ ମାପି କି ପାରିବି
ତୁମର ଏ ମହନୀୟ ବଡ ପଣିଆକୁ ?
ତମ ଆଦରର ସୃଷ୍ଟି
ଧୂଳି ଧୁସରିତ ଧରା ଅତି କମନୀୟ
ନଦନଦୀ ବୃକ୍ଷଲତା ସାଗର କାନନ
ତହିଁପରେ ସଂସ୍ଥାପିଲ ଜୀବକୁଳ
ବଡ ରମଣୀୟ ।
ଭାବମୟୀ ସ୍ବପ୍ନମୟୀ ଏ ଶ୍ୟାମା ଧରଣୀ
ଯୁଗ ଯୁଗାନ୍ତରବ୍ୟାପୀ
ତମ ସାଧନାର ଫଳ
ବୃକ୍ଷଲତା ଜୀବକୁଳ କୋଳେ ସମାଦରି
ସୁଖ ସପନରେ ଥିଲା ଆନନ୍ଦ ବିହ୍ବଳ ।
ସୁଖ, ସମ୍ପଦ ଓ ଶକ୍ତି
ପ୍ରାଚୂର୍ଯ୍ୟର ଉତ୍ତଳ ଜୁଆର
ତୁମ ଆଦରର ଧରା
ପାଲଟିଲା ଦ୍ବାରକା ନଗରୀ
ସୃଷ୍ଟିହେଲେ ଶାମ୍ବ, ଗଦ, ପ୍ରଦ୍ୟୁମ୍ନକୁମାର
କାଦମ୍ବରୀ ପ୍ରମତ୍ତ ସାରା ଯଦୁକୁଳ ।
ଥରେ ଦେଖିଥିଲ ବୋଲି ସ୍ବବଂଶ ନିଧନ
ବିଷାଦରେ ଶିହରିତ ସମାଧୀସ୍ଥ ହେଲ
ଶିଆଳି ଲଟା ଉହାଡରେ
ପୁନରାବୃତ୍ତି ଚାହୁଁନାହଁ ବୋଧେ
ମୃତ୍ୟୁର ତାଣ୍ଡବ ରଚି
ବୁଡାଇବାକୁ ଏ ଧରା ଦ୍ବାରକାକୁ
ଅଥଳ ସାଗର ଜଳରେ ।
କରୋନା କୋକୁଆ ଆଜି
ଜନଶୂନ୍ୟ ଦ୍ବାରକାର ରାଜପଥ ଧାରେ
ଶାମ୍ବର ଉନ୍ମତ୍ତ ପଣ
ଆମନ୍ତ୍ରିଲା ଅନ୍ଧକାର ମୃତ୍ୟୁର ଗହ୍ବରେ ।
ଅନ୍ୟାୟ ଅନୀତି ଆଉ ଗର୍ବାନ୍ଧତା
ଛଳନାର ସାନ୍ଦ୍ର ମାୟାଜାଲ
ନାରୀ-ନାରାୟଣୀ ଯାତନା ଲାଞ୍ଛନା ପାଇଁ
ଅଠର ଦିନରେ ଭାଙ୍ଗିଥିଲ ଗେଲ ।
ଚମକ ଦେଇଛ ପ୍ରଭୁ
ଦ୍ବାରାବତୀ ଏ ଯାଦବ ସକଳ ପରାଣେ
ସାବଧାନ୍ ହେବାପାଇଁ ବେଳଥାଉଁ
ଆତ୍ମସ୍ଥ ହୁଅ ହୁଅ ଶକ୍ତି ସନ୍ତୁଳନେ ।

କୋଟି କୋଟି ଧନ୍ୟବାଦ ସତେ
ହେ ଚିର ମଙ୍ଗଳମୟ ବିଶ୍ବ ପ୍ରାଣଧନ!
ମହାପ୍ରଳୟର ଶିଙ୍ଘା
ବାଜିବାର ଯଥେଷ୍ଟ ଆଗରୁ
ତୁମେ ତେଣୁ କରିଅଛ
ସତର୍କର ପଞ୍ଚଜନ୍ୟ ସ୍ବନ ।
ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ।
