କବିତା – ମୋ ଜନ୍ମଭୂମି
ମାଟିର ମଣିଷ ମାଟି ମାଆ କଥା
କହୁଛି କହିବି
ଏ ପିଣ୍ଡରୁ ପ୍ରାଣ ଯିବା ଯାଏଁ ।
ଜନ୍ମ ଭୂଇଁ ର ଗୈାରବ ଗରିମା
ଗାଉଛି ଗାଇବି
ଏ ଶରୀରେ ଜୀବ ଥିବା ଯାଏଁ ।।
ମମତା ମୟୀ ତା କୋଳେ ମୋ ଶୈଶବ
ବାଳୁତ କୈଶୋର
ବିତାଇଛି କେତେ ।
ଏହି ଜରା କାଳେ ତା ପଦ୍ମପାଦ ରେ
ମଥା ମୋର ଲୋଟୁ
ସଂସାରରେ ମୁଁ ଥିବା ଯାଏଁ ।।
ତା ବାତ୍ସଲ୍ୟ ସ୍ନେହ ଅମାପ ତେଣୁ ମୁଁ
ତା ବନ୍ଦନା ଗୀତି
ପଢୁଛି ପଢିବି ମଲା ଯାଏଁ ।
ତାସେବା ରେ ମନ ନହେଉ କାର୍ପଣ୍ୟ
ବିତିଯାଉ ଦିନ
ତା ସେବାରେ ଜୀଇ ଥିବା ଯାଏଁ ।।
ତା ମାନ ମହତ ରଖେ କରି ଅରି
ସଙ୍ଗେ ଲଢ଼ି ଲଢ଼ି
ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ।
ମାଟି ରେ ମିଶୁ ମୋ ଏ ମାଟି ଶରୀର
ତା କୋଳରେ ଲୋଟି
ପଞ୍ଚଭୁତେ ଲୀନ ହେବା ଯାଏଁ ।।
ଜନନୀ ମୋ ମହିୟସୀ ଜନ୍ମ ଭୂଇଁ
ସରଗ ଠୁ ବଡ
ବଇକୁଣ୍ଠ ତା ସମାନ ନୁହେଁ ।
ବାରମ୍ବାର ଜନ୍ମ ନେବି ତା କୋଳରେ
ଏ ଆଶା ବିଶ୍ଵାସେ
ତା ବନ୍ଦନା ନିତି ଗାଉଥାଏ ।।
ଗାଇ ତା ବନ୍ଦନା ଦଗ୍ଧ ହେଉ ଦେହ
ଜୁଇ ନିଆଁ ଲାଗି
ଶ୍ମଶାନେ ପାଉଁଶ ହେବା ଯାଏଁ ।
ନମୋ ନମଃ ଜନ୍ମଭୂମି ମା ଜନନୀ
ତୋ କୋଳେ ଜନମି
ନିଜ କୁ ମୁଁ ଧନ୍ୟ ଧନ୍ୟ ମଣେ ।।

